ସ୍ଥଳ ଭାଗ ଆଡ଼କୁ ପୁଣି ମାଡ଼ି ଆସୁଛି ବିପତ୍ତି

0
104

ଭୁବନେଶ୍ବର: ଓଡ଼ିଶାକୁ ପୁଣି ଥରେ ବିପତ୍ତି ମାଡ଼ି ଆସୁଛି। ବଙ୍ଗୋପସାଗର ଭିତରେ ସୃଷ୍ଟି ହୋଇଥିବା ଲଘୁଚାପ ଗୁରୁବାର ଅବପାତର ରୂପ ନେବା ପରେ ଏହା ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି। ସରକାର, ପ୍ରଶାସନ ଓ ବ୍ୟକ୍ତିଗତ ସ୍ତରରେ ମୁକାବିଲା ପାଇଁ ଯେତେ ଯାହା ପ୍ରସ୍ତୁତି ଚାଲିଥିଲେ ବି କ୍ଷୟକ୍ଷତି ସୁନିଶ୍ଚିତ ବୋଲି ଆଶା କରାଯାଉଛି। ମେସିନ ଓ ବିଶେଷଜ୍ଞମାନେ ଯାହା ପଛେ କୁହନ୍ତୁ, ଯଦି ପ୍ରକୃତରେ ବାତ୍ୟା ଉଗ୍ର ରୂପ ଧରିବ, ତା’ହେଲେ ସାଧାରଣ ଜନତାଙ୍କ ଆଖିରୁ ପୁଣି ଲୁହ ବାହାରିବ।

ବାତ୍ୟା ମୁକାବିଲା ପାଇଁ ଆମେ ସତର୍କ ହୋଇ କିଛି ଜିନିଷକୁ ସୁରକ୍ଷା ଦେଇପାରିବା ସତ, କିନ୍ତୁ ସବୁକିଛି ନୁହେଁ। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ବାତ୍ୟା ପ୍ରଭାବରେ ଶୁକ୍ରବାର-ଶନିବାର ରାତି ପ୍ରବଳ ବର୍ଷିବ। ଏହା ଦ୍ବାରା ବ୍ୟାପକ କ୍ଷତି ହୋଇପାରେ। ବିଶେଷ କରି ଉପକୂଳ ଓଡ଼ିଶାର ଚାଷୀଙ୍କୁ ବ୍ୟାପକ କ୍ଷତି ସହିବାକୁ ପଡ଼ିବ।

୧୯୯୯ ମହାବାତ୍ୟାର ତାଣ୍ଡବ

୨୨ ବର୍ଷ ପୂର୍ବରୁ ଓଡ଼ିଶା ଉପକୂଳରେ ହୋଇଥିବା ୧୯୯୯ ମହାବାତ୍ୟ ଓଡ଼ିଶାର ଆର୍ଥିକ, ସାମାଜିକ ଓ ଭୌକଳିକ ସ୍ଥିତିକୁ ଭାଙ୍ଗି ଦେଇଥିଲା। ଜଗତସିଂହପୁର ଜିଲ୍ଲାର ଲୋକେ ଏହି ବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲେ। ଜିଲ୍ଲାର ଏରସମା ଅଞ୍ଚଳ ମୃତ୍ୟୁର ଉପତ୍ୟାକା ସାଜିଥିଲା। ସମୁଦ୍ର ଭିତରୁ ଉଠି ଆସିଥିବା ୩୦ ଫୁଟର ଜୁଆର ଏରସମା ଅଞ୍ଚଳକୁ ଜଳମଗ୍ନ କରିଦେଇଥିଲା। କେହି କିଛି ଭାବିବା ପୂର୍ବରୁ ଅନେକ ଲୋକ ସମୁଦ୍ରରେ ଭାସି ଯାଇଥିଲେ। ସେମାନେ ଆଉ ଜୀବିତ ହୋଇ ଫେରି ନଥିଲେ। ବାତ୍ୟା ପରେ ପୁଣି ଲଗାତାର ବର୍ଷା ଜୀବନକୁ ଆହୁରି କନ୍ଦାଇଥିଲା। ଏଥିରୁ ଯେଉଁମାନେ ବର୍ତ୍ତୀ ଯାଇଥିଲେ, ସେମାନେ ସଂପର୍କୀୟଙ୍କ ମୃତଦେହ ଖୋଜିବାକୁ ଲାଗିଲେ। ଅନେକ ମୃତଦେହ ମଧ୍ୟ ମିଳିଲା ନାହିଁ। ଆଜି ବି ଏରସମା ଅଞ୍ଚଳର ଲୋକେ ସେମାନଙ୍କର ନିଖୋଜ ସଂପର୍କୀୟ‌ଙ୍କ ଫେରିବା ବାଟ ଚାହିଁ ରହିଛନ୍ତି। ଓଡ଼ିଶା ଅଣ୍ଟା ସଳଖ କରି ଛିଡା ହେବାକୁ ଅନେକ ବର୍ଷ ଲାଗିଯାଇଥିଲା।

କନ୍ଦାଇଥିଲା ଫନି ଓ ଅମ୍ପାନ୍‌

ତେବେ ବିଗତ ଅର୍ଦ୍ଧ ଦଶନ୍ଧି ମଧ୍ୟରେ ଓଡ଼ିଶାରେ ଯେତେ ବାତ୍ୟା ଆସିଛି, ସବୁଠାରୁ ଅଧିକ ଭୟଙ୍କର ଥିଲା ୧୯୯୯ ମହାବାତ୍ୟା। ଏହା ପରେ ୨୦୧୩ର ଫାଇଲିନ୍‌। ଏହା ଦକ୍ଷିଣ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ତାଣ୍ଡବ ରଚିଥିଲା। ଫାଇଲିନ୍‌ ଅପେକ୍ଷା ୨୦୧୪ର ହୁଡହୁଡ଼ ଯଦିଓ ସେତେ ଭୟଙ୍କର ରୂପ ନେଇ ନଥିଲା, ତଥାପି ଚାଷୀମାନଙ୍କର ମେରୁଦଣ୍ଡ ଭାଙ୍ଗି ଦେଇଥିଲା। କାରଣ ଫସଲ ଅମଳ ପୂର୍ବରୁ ହୁଡହୁଡ ଆସିଥିଲା। ଏହା ଏହି ୩ଟି ବଡ଼ ବାତ୍ୟା ବ୍ୟତୀତ ବିଗତ ଦିନରେ ଆଉ ୨ଟି ବଡ଼ ବାତ୍ୟା ୨୦୧୯ରେ ‘ଫନି’ ଓ ୨୦୨୦ରେ ଅମ୍ପାନ୍‌ ମଧ୍ୟ ଓଡ଼ିଶାର ଉପକୂଳ ଓଡ଼ିଶାରେ ତାଣ୍ଡବ ରଚିଥିଲା।

୯୦ କିମି ବେଗରେ ପବନ!

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଥିବା ଜଣାଯାଇଛି। ଏହା ଡିସେମ୍ବର ୨ ତାରିଖ ଠାରୁ ଏକ ଗଭୀର ଅବପାତରେ ପରିଣତ ହୋଇ ସାରିଛି ଏବଂ ୨ ତାରିଖ ସକାଳ ସାଢ଼େ ୫ଟାରେ କେନ୍ଦ୍ରୀଭୂତ ହୋଇଛି। ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ  ଏବଂ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ବାତ୍ୟା ଯୋଗୁଁ ପବନର ବେଗ ୮୦ରୁ ୯୦ କିଲୋମିଟର ରହିବ। ତାପରେ ଏହା ଶହେ କିଲୋମିଟର ବେଗରେ ଗତି କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ପୁଣି କାନ୍ଦିବେ ଚାଷୀ!

ସମ୍ଭାବ୍ୟ ବାତ୍ୟା ‘ଜୱାଦ’ ଓଡ଼ିଶାକୁ ସବୁଠାରୁ ଅଧିକ ପ୍ରଭାବିତ କରିବ ବୋଲି ଆଶା କରାଯାଉଛି। ବାତ୍ୟା ପୂର୍ବରୁ ଚାଷୀ ଓ ଅନ୍ୟମାନେ ନିଜକୁ ପ୍ରସ୍ତୁତ ରଖିବାକୁ ଭାରତୀୟ ପାଣିପାଗ ବିଭାଗ ଓ ସ୍ବତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରିଛନ୍ତି। ଏଥି ପାଇଁ ଚାଷୀମାନେ ନିଜ ନିଜ ସ୍ତରରେ ପ୍ରସ୍ତୁତି କରିଦେଇଛନ୍ତି। କିନ୍ତୁ ଚାଷୀମାନେ ଯେଉଁ ଫସଲ କାଟି ନାହାନ୍ତି, ତା’ର ଅବସ୍ଥା କ’ଣ ହେବ। ପବନ ସହିତ ବର୍ଷା ଆସିବା ଫଳରେ ପାଚିଲା ଧାନ ସବୁ ତଳେ ପଡ଼ିଯିବ, ଯାହା ସାଉଁଟି ଆଣିବା ସମ୍ଭବ ନୁହେଁ।

Share the article

LEAVE A REPLY