ବିଧାନସଭାର ୯ ଦିନିଆ ଶୀତକାଳୀନ ଅଧିବେଶନ

0
173

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଶୀତକାଳୀନ  ଅଧିବେଶନ ମାତ୍ର ୯ ଦିନରେ ଶେଷ ହୋଇଛି। କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ପ୍ରସଙ୍ଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ବିରୋଧୀ ବିଜେପି ଓ କଂଗ୍ରେସର ବିଧାୟକ ମାନେ ବାରମ୍ବାର ହଙ୍ଗାମା କରୁଥିବାରୁ ଶାସକ ଦଳକୁ ଫାଇଦା ହୋଇଛି। ଗୃହରେ ବିଧାୟକମାନେ ଆଲୋଚନା ନକରି ଘଣ୍ଟ ବଜାଉଛନ୍ତି। ଅପବିତ୍ର ଦର୍ଶାଇ ଗଙ୍ଗାଜଳ ସଞ୍ଚନ କରୁଛନ୍ତି। ଅଧିବେଶନ ଆରମ୍ଭରୁ ଶାସକ ଦଳ ମଧ୍ୟ କେନ୍ଦ୍ର ସରକାରଙ୍କ ବିରୋଧରେ ଦରଦାମ ବୃଦ୍ଧିକୁ ପ୍ରସଙ୍ଗ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ରାଜ୍ୟର ଜନତା ନିଜ ଅଞ୍ଚଳର ବିକାଶ ପାଇଁ ବିଧାୟକ ମାନଙ୍କୁ ଭୋଟ ଦେଇ ବିଧାନସଭାକୁ ପଠାଉଛନ୍ତି। ଭୋଟ ଦେବା ପୂର୍ବରୁ ବିକାଶ ନେଇ ସାଧାରଣ ଜନତା ଏକାଧିକ ଚିନ୍ତା କରୁଛନ୍ତି। ଗୋଟିଏ ପରେ ଗୋଟିଏ ନିର୍ବାଚନ ଅତିକ୍ରମ କରୁଛି। ଉନ୍ନୟନମୂଳକ କାର୍ଯ୍ୟ ମଧ୍ୟ ହେଉଛି। ମାତ୍ର କ୍ଷୋଭର ବିଷୟ ହେଲା ଯେ, ଆଶାନୁରୂପେ ବିକାଶ ହେଉନାହିଁ। ବିଧାନସଭାରେ ବିଧାୟକ ଓ ମନ୍ତ୍ରୀ କୌଣସି ବି ପ୍ରସଙ୍ଗରେ ସୁଚିନ୍ତିତ ଭାବେ ଆଲୋଚନା କରିପାରୁ ନାହାନ୍ତି। ବିଧାୟକମାନେ ନିର୍ବାଚିତ ହେବାର ପୂର୍ବ ଦିନ ଗୁଡ଼ିକୁ ଭୁଲ ଯାଉଛନ୍ତି। ସେମାନେ ଜନସାଧାରଣଙ୍କୁ ମନେ ପକାଉନାହାନ୍ତି। କିନ୍ତୁ ବିଧାୟକ ମାନଙ୍କୁ ବୁଝିବା ଦରକାର ଯେ, ସେମାନେ ଆଜି ଯେଉଁ ଆସନରେ ବସିଛନ୍ତି, ତାହା ଗରିବ, ଖଟିଖିଆ, ଚାଷୀ ମୂଲିଆ, ଏପରିକି ତୃଣମୂଳସ୍ତରରେ ବସବାସ କରୁଥିବା ସାଧାରଣ ଲୋକଙ୍କର ଆଶୀର୍ବାଦ କାରଣରୁ। ତେଣୁ ସେମାନଙ୍କୁ ଭୁଲିଯିବା ନିହାତି ଭାବେ ଅନ୍ୟାୟ।

ମାତ୍ର ୯ ଦିନ ଚାଲିଲା ଗୃହ

ଶୀତକାଳୀନ ଅଧିବେଶନ ପାଇଁ ମୋଟ୍‌ ୨୬ଟି କାର୍ଯ୍ୟଦିବସ ଥିଲା। କିନ୍ତୁ  ଏହା ୯ ଦିନରେ ସୀମିତ ରହିଲା। ଏହି ୯ ଦିନ ଭିତରେ ୪୫ ଘଣ୍ଟା  ଗୃହ ଚାଲିବା କଥା। ମାତ୍ର ତାହା ନହୋଇ ମାତ୍ର ୨ ଘଣ୍ଟା ୨୫ ମିନିଟ୍‌ ଯାଏଁ ଗୃହ ଚାଲିଲା। କୌଣସି ଏକ ପ୍ରସଙ୍ଗରେ ବିଧାନସଭାରେ ଆଲୋଚନା ହୋଇପାରିଲା ନାହିଁ। ଏହାର କାରଣ ଥିଲା ବିରୋଧୀଙ୍କ ହଙ୍ଗାମା। ବିଜେପି ଓ କଂଗ୍ରେସ ବିଧାୟକମାନେ ହୋହାଲ୍ଲା କରିବା ସହିତ  ଘଣ୍ଟ ମାଡ଼ ଓ ଗଙ୍ଗା ଜଳ ସିଞ୍ଚନ କରିଥିଲେ। ଷୋଡ଼ଶ ବିଧାନସଭାର ଅଷ୍ଟମ ଅଧିବେଶନ ଡିସେମ୍ବର ୧ରୁ ଆରମ୍ଭ ହୋଇ ୧୦ରେ ଶେଷ ହୋଇଛି।

୨୦୨୧ରେ ୪୩ ଦିନ ଚାଲିଲା ଗୃହ

ବିଧାନସଭା ଅଧିବେଶନ ଗୋଟିଏ କ୍ୟାଲେଣ୍ଡର୍ ବର୍ଷରେ ୬୦ ଦିନ ବସିବାର ନିୟମ ରହିଛି। ଚଳିତ ବର୍ଷ ବଜେଟ୍ ଓ ମୌସୁମୀ ଅଧିବେଶନ ମୋଟ୍ ୩୪ଟି କାର୍ଯ୍ୟଦିବସ ସରିଛି। ଶୀତ ଅଧିବେଶନରେ ୨୬ ଦିନ ଗୃହ ଚାଲିଥିଲେ ଚଳିତ ବର୍ଷର ଅଧିବେଶନ କୋଟା ଶେଷ ହୋଇଥାନ୍ତା। ଏଥି ପାଇଁ ନଭେମ୍ବର ମାସରେ ୨୬ ଦିନିଆ ଗୃହ କାର୍ଯ୍ୟ ପାଇଁ ବିଜ୍ଞପ୍ତି ଜାରି ହୋଇଥିଲା। ଆହୁରି ୧୭ ଦିନ ଗୃହ କାର୍ଯ୍ୟ ଚାଲିବା କଥା। ମାତ୍ର ବିଧାୟକଙ୍କର ହଙ୍ଗାମା ଯୋଗୁଁ ଏହା ହୋଇପାରି ନଥିଲା।

ହୋହାଲ୍ଲା ଭିତରେ ବ୍ୟୟମଂଜୁରି ବିଲ୍‌

ବିରୋଧୀମାନେ ଗୃହରେ ହୋହାଲ୍ଲା କରୁଥିବା ବେଳେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ବ୍ୟୟମଞ୍ଜୁରି ବିଲ୍ ଆଗତ କରିଥିଲେ। ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ପଦ୍ମନାଭ ବେହେରା ବାର୍ଷିକ ରିପୋର୍ଟ ଉପସ୍ଥାପନ କରିଥିଲେ। ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସିଏଜି ରିପୋର୍ଟ ଉପସ୍ଥାପନ କରିଥିଲେ। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଉପରକୁ ପ୍ଲାକାର୍ଡ ଫିଙ୍ଗିଥିଲେ। ଏହାରି ଭିତରେ ବାଚସ୍ପତି ବ୍ୟୟମଞ୍ଜୁରୀ ବିଲ୍ ଉପରେ ଆଲୋଚନା ଆରମ୍ଭ କରିଥିଲେ। ଅର୍ଥ ମନ୍ତ୍ରୀ ଶ୍ରୀ ପୂଜାରୀ ଉତ୍ତର ରଖିବା ପରେ ୧୯ ହଜାର ୮ ୩୩ କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ ପାଇଁ ବ୍ୟୟମଞ୍ଜୁରି ବିଲ୍ ପାରିତ ହୋଇଥିଲା।

ନିୟମକାନୁନ ମାନିଛି: ବାଚସ୍ପତି

ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ, ବିଧାନସଭାର ଶୀତକାଳୀନ ଅଧିବେଶନ ଯେଭଳି ଭାବେ ଚାଲିବା କଥା ତାହା ହୋଇପାରିନାହିଁ। ବିଧାୟକମାନେ ଯେଉଁ ପ୍ରଶ୍ନ ସବୁ ପଚାରିଥିଲେ ତା’ର ସମସ୍ତ ଉତ୍ତର ମନ୍ତ୍ରୀମାନେ ଦେଇଥିଲେ। କିନ୍ତୁ କ୍ଷୋଭର ବିଷୟ ହେଲା ଯେ, ମୁଲତବୀ ପ୍ରସଙ୍ଗ ଉପରେ କୌଣସି ଆଲୋଚନା ହୋଇପାରିଲା ନାହିଁ କି ଶୂନ୍ୟକାଳ ମଧ୍ୟ ହୋଇପାରିନି। ସବୁ ସରକାରୀ କାର୍ଯ୍ୟ ହୋଇଛି। ସମସ୍ତ ନିୟମକାନୁନ ମୁଁ ମାନି ସେମାନଙ୍କୁ ଗୃହ ଚଲାଇବାରେ ସହଯୋଗ କରିବାକୁ କହୁଥିଲି। କିନ୍ତୁ ସେମାନେ ଯଦି ସହଯୋଗ ନ କରିବେ ମୁଁ କ’ଣ କରିବି?

Share the article

LEAVE A REPLY