ଚାକିରି ଲୋଭ ଦେଖାଇ ଯୁବତୀଙ୍କୁ ବିକ୍ରି

0
125

ଭୁବନେଶ୍ୱର: ଆଜିର ସମାଜରେ ଅନ୍ୟାୟ, ଅଧର୍ମ ଓ ଅବିଚାରର ସୀମା ଟପିଛି।  ମନୁଷ୍ୟ ନିଜର ସ୍ବାର୍ଥ ସାଧନ ପାଇଁ ବହୁ ତଳକୁ ଖସିଯାଇପାରୁଛି। ଅତି ଘୃଣ୍ୟ କାମ କରିବାକୁ ମଧ୍ୟ ପଛାଉ ନାହିଁ। ଦୋକାନ ସାମଗ୍ରୀ ଭଳି ମଣିଷକୁ ମଧ୍ୟ ବିକ୍ରି କରାଯାଇପାରୁଛି। ଏଥି ପାଇଁ କ୍ରେତା ମଧ୍ୟ ଅଛନ୍ତି। ବିଗତ କିଛି ବର୍ଷ ମଧ୍ୟରେ ଏଭଳି ଘଟଣା ବଢ଼ିବାରେ ଲାଗିଛି। ମହିଳା ଓ ଯୁବତୀଙ୍କ ନୀରିହ ପଣର ସୁଯୋଗ ନେଇ କିଛି ଖଳ ପ୍ରକୃତିର ଲୋକେ ଏଭଳି କାମ କରିବାରରେ ସଫଳ ହେଉଛନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ପୋଲିସର ହସ୍ତକ୍ଷେପ ପରେ ଅଭିଯୁକ୍ତମାନେ ଜେଲ ଯାଉଛନ୍ତି।

ବିଗତ ୪ ବର୍ଷ ମଧ୍ୟରେ କିଛି ମହିଳା ଓ ଯୁବତୀମାନେ ଯୁବକଙ୍କ ପ୍ରେମରେ ଫସି ଅଥିବା ପ୍ରଲୋଭନରେ ପଡ଼ି ଅନ୍ୟଠାରେ ବିକ୍ରି ହୋଇଛନ୍ତି। ୨୦୧୮ରେ ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ ବିକ୍ରି ହୋଇଥିବା ପଶ୍ଚିମବଙ୍ଗର ୨ ଜଣ ଯୁବତୀ ଉଦ୍ଧାର ହୋଇଥିଲେ। ୨୦୧୯ ମେ’ ମାସ ୨୨ ତାରିଖରେ ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ତୁକୁଡା ଗାଁର ବୃଦ୍ଧା ତଥା ଯୁବତୀଙ୍କ ମା’ ଅଭିଯୋଗ କରିଥିଲେ ଯେ, ତାଙ୍କର ବିଧବା ଝିଅଙ୍କୁ ଉତ୍ତରପ୍ରଦେଶର ଆଲିଗଡ଼ ଜିଲ୍ଲା ହଡ଼ଦ୍ବାଗଞ୍ଜରେ ବିକ୍ରି କରାଯାଇଛି। ଦୁର୍ଘଟଣାରେ ସ୍ବାମୀଙ୍କର ମୃତ୍ୟୁ ହେବା ପରେ ପରିବାର ଲୋକେ ମହିଳାଙ୍କୁ ଘରୁ ବାହାର କରିଦେଇଥିଲେ। ପରେ ମହିଳା ଜଣକ ଅନୁଗୁଳ ଅମଲାପଡ଼ାରେ ରହି ଏକ ଭଡ଼ା ଘରେ ରହୁଥିଲେ। ଅନ୍ୟ ଘରେ ବାସନକୁସନ ମାଜି ୪ ବର୍ଷର ପୁଅ ସହିତ ଜୀବନ ବିତାଉଥିଲେ।

ସୁନ୍ଦରଗଡ଼ର ଝିଅ ଦିଲ୍ଲୀରୁ ଉଦ୍ଧାର

ଗତବର୍ଷ ସୁନ୍ଦରଗଡ଼ର ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ଜଣେ ଯୁବତୀଙ୍କୁ ସ୍ଥାନୀୟ ଅଞ୍ଚଳର ଜଣେ ଦଲାଲ ମନ୍ଦିରରେ ବିବାହର କରିବ କହି କୌଶଳ କ୍ରମେ ରାଉରକେଲାରୁ ଉତ୍କଳ ଏକ୍ସପ୍ରେସ୍‌ ମାଧ୍ୟମରେ ଦିଲ୍ଲୀ ନେଇଯାଇଥିଲା। ସେଠାରେ ପହଞ୍ଚିବା ପରେ ମଞ୍ଜରିବାଗ୍‌ରେ ଜଣେ ଦଲାଲଙ୍କୁ ବିକି ଦେଇଥିଲୋ। ସେଠାରୁ ସେ ଟଙ୍କା ନେଇ ଫେରାର ହୋଇଯାଇଥିଲା। ସୁବିଧା ସୁଯୋଗ ଦେଖି ଯୁବତୀ ଜଣକ ଏବାବଦରେ ପରିବାର ଲୋକଙ୍କୁ ଫୋନ୍‌ରେ ଜଣାଇଥିଲେ। ପରେ ଯୁବତୀଙ୍କୁ ସାମାଜିକ ସଂସ୍ଥାର ମହିଳାମାନଙ୍କର ମାଧ୍ୟମରେ ଦିଲ୍ଲୀରୁ ଉଦ୍ଧାର କରାଯାଇଥିଲା।

ବିବାହିତା ମହିଳାଙ୍କୁ ୩ ଲକ୍ଷ ଟଙ୍କାରେ ବିକ୍ରି

ଏବେ ସମ୍ବଲପୁର ଜିଲ୍ଲାର ଜଣେ ବିବାହିତା ଯୁବତୀଙ୍କୁ ରାଜସ୍ଥାନରେ ୩ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିବା ନେଇ ଅଭିଯୋଗ ଆସିଛି। ମହିଳାଙ୍କ ସ୍ବାମୀଙ୍କ ଜାଣତରେ ସହରର ଜଣେ ମହିଳା ଓ ଜଣେ ଯୁବତୀଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ରହିଥିବା ନେଇ ଚର୍ଚ୍ଚା ହେଉଛି। ସ୍ବାମୀ ପରିତ୍ୟକ୍ତା ଯୁବତୀଙ୍କୁ ରାଜସ୍ଥାନରେ ଚାକିରି କରାଇଦେବାକୁ କହି କୌଶଳ କ୍ରମେ ନେଇ ଯାଇଥିଲେ। ସଂପୃକ୍ତ ଯୁବତୀ ଏବଂ ଅନ୍ୟ ଜଣେ ମହିଳା ଯୋଜନା ମୁତାବକ ପୀଡ଼ିତାଙ୍କୁ ରାଜସ୍ଥାନ ବୁଲିଯିବା ପାଇଁ କହିଥିଲେ। ସେଠାରେ ଭଲ ଦରମାରେ ଏକ କଂପାନିରେ ଚାକିରି କରାଇ ଦେବାର ବି ପ୍ର‌ଲୋଭନ ଦେଖାଇ ଥିଲେ। ଏହି ପ୍ରସ୍ତାବରେ ପୀଡିତା ରାଜି ହୋଇଯିବାରୁ ତିନି ଜଣ ଯାକ ହସଖୁସିରେ ସମ୍ବଲପୁରରୁ ବାହାରି ଥିଲେ। ଆଜମେରରୁ ଯୋଧପୁର ଫେରିବା ପରେ ପୀଡ଼ିତାଙ୍କୁ ସେମାନେ ଜଣେ ରାଜପୁତ ଯୁବକଙ୍କ ସହିତ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ। ଏଥିରେ ପୀଡ଼ିତା ରାଜି ନହେବାରୁ ସେମାନେ ବଳପୂର୍ବକ ଏକ କୋର୍ଟରେ ବିବାହ କରାଇ ଦେଇଥିଲେ। ପୀଡିତାଙ୍କ ପ୍ରତିବାଦକୁ କେହି ଶୁଣି ନଥିଲେ।  

ମନୁଷ୍ୟ ନଚିହ୍ନିବା ଭୁଲ

ଅସାମଜିକ ଯୁବକ ଓ ଦଲାଲ ଆମ ଚାରିପାଖରେ ଘୁରି ବୁଲୁଛନ୍ତି। ନିଜର ସ୍ବାର୍ଥ ପାଇଁ ସେମାନେ ସୁଯୋଗ ଖୋଜୁଛନ୍ତି। ସୁବିଧା ପାଇଲା ମାତ୍ରେ ନିଜର ଫାଇଦା ଉଠାଇବାକୁ ସବୁବେଳେ ଚେଷ୍ଟା କରୁଛନ୍ତି। ସରଳ, ନିରୀହ, ନିଷ୍କପଟ ମହିଳା ହେଉ ଅଥବା ଯୁବତୀଙ୍କୁ ପାଇଲେ ଲୁଟ୍‌, ମିଛ ପ୍ରତିଶ୍ରୁତି, ବିବାହ, ଦୁଷ୍କର୍ମ ଆଦି କରୁଛନ୍ତି। ଶେଷର ସେଠାରୁ ସେମାନେ ଖସିଯାଉଛନ୍ତି। ତେବେ ମନୁଷ୍ୟକୁ ଠିକ୍‌ ଭାବରେ ନଚିହ୍ନି ବିଶ୍ବାସ କରୁଥିବାରୁ ମହିଳାମାନେ ଶୋଷଣ, ପ୍ରତାରଣା ଓ ନିର୍ଯାତନାର ଶିକାର ହେଉଛନ୍ତି।

Share the article

LEAVE A REPLY