ନୂଆ ରୂପ ପାଇଲା କାଶୀ ଧାମ

0
130

ନୂଆଦିଲ୍ଲୀ: ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ମଧ୍ୟରୁ ଅନ୍ୟତମ ପ୍ରସିଦ୍ଧ କାଶୀ ବିଶ୍ୱନାଥଙ୍କ ମନ୍ଦିରର ନବକଳେବର ହୋଇଛି। କେବଳ ବିଶ୍ୱନାଥ ମନ୍ଦିର ନୁହେଁ, ବରଂ ସମଗ୍ର କାଶୀକୁ ନୂଆ ରୂପ ମିଳିଛି। ୫ ଲକ୍ଷ ବର୍ଗ ଫୁଟ ଜମିକୁ ନେଇ ଏକ ସ୍ୱତନ୍ତ୍ର କରିଡର ନିର୍ମାଣ ହୋଇଛି, ଯେଉଁଠି ବିକାଶମୂଳକ କାମ ମାଧ୍ୟବରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଭିତ୍ତିଭୂମିକୁ ପ୍ରାଶ୍ଚାତ୍ୟ ଶୈଳୀରେ ନିର୍ମାଣ କରାଯାଇଥିଲେ ବି ଆଧୁନିକର ସଂଗମକୁ ଏକତ୍ର କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୩ ତାରିଖରେ ବାରଣାସୀ ଗସ୍ତରେ ଆସ ୩୩୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟକୁ ଉଦ୍‌ଘାଟନ କରିଛନ୍ତି। ନିର୍ମାଣ କାମ ଜାରି ଥିବା ବେଳେ ଆଗାମୀ ଦିନରେ ପରବର୍ତ୍ତୀ ପର୍ଯ୍ୟାୟ ଉଦ୍‌ଘାଟନ ହେବ। ମୋଟାମୋଟି ଭାବେ କହିବାକୁ ଗଲେ ଏକ ଧାମ ଯେଭଳି ହେବା କଥା, ତାହା ହିଁ କାଶୀରେ ହୋଇଛି।

କାଶୀ ପୀଠକୁ ଏଭଳି ଭାବରେ ଗଢ଼ାଯାଇଛି ଯେ, ଯେଉଁମାନେ ୨୦୧୮ ମସିହା ପୂର୍ବରୁ ଏଠାକୁ ଯାଇଥିଲେ, ବର୍ତ୍ତମାନ ସେଠାକୁ ଗଲେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହୋଇଯିବେ। ଅତୀତରେ ଗଙ୍ଗା ନଦୀର ଘାଟରୁ ବିଶ୍ୱନାଥ ମନ୍ଦିର ପହଞ୍ଚିବା ପାଇଁ ଗଳିକନ୍ଦି ଭିତରେ ଶ୍ରଦ୍ଧାଳୁଙ୍କୁ ଯିବାକୁ ପଡୁଥିଲା। ଏବେ କିନ୍ତୁ ଶ୍ରଦ୍ଧାଳୁ ପ୍ରଶସ୍ତ ରାସ୍ତାରେ ଯିବେ। ହଜାରେ ଲୋକ ଅଣଓସାରିଆ ରାସ୍ତାରେ ଯିବାକୁ ବହୁ ସମୟ ଲାଗୁଥିବା ବେଳେ ଏବେ ଏକା ଥରକେ ବହୁ ସଂଖ୍ୟାରେ ଲୋକ ଯାଇପାରିବେ। ଦୈନିକ ପାଖାପାଖି ୫୦ ହଜାର ଶ୍ରଦ୍ଧାଳୁ ଓ   ପର୍ଯ୍ୟଟକ ଏଠାକୁ ଆସି କାଶୀ ବିଶ୍ୱନାଥଙ୍କୁ ଦର୍ଶନ କରିବାରେ ଯେଭଳି କୌଣସି ଅସୁବିଧା ନହୁଏ, ସେଥିପାଇଁ ଭିତ୍ତିଭୂମି ସଜଡ଼ାଯାଇଛି। ପବିତ୍ର ଗଙ୍ଗା ନଦୀର ଲଳିତା ଘାଟରୁ ରବିଦାସ ଘାଟ ପର୍ଯ୍ୟନ୍ତ ବୋଟ୍‌ ଯାତ୍ରା ପାଇଁ ସୁବିଧା କରାଯାଇଛି।

ନୂଆ ଅଧ୍ୟାୟ

କାଶୀ କରିଡର ହେଉଛି ପୂରାତନ ଏବଂ ନୂତନର ସଂଗମ। କାଶୀ ବିଶ୍ୱନାଥ ଇତିହାସରେ ଏହି ପ୍ରକଳ୍ପ ଏକ ନୂଆ ଅଧ୍ୟାୟ ଲେଖିଛି। ଏହି ପ୍ରକଳ୍ପ କେବଳ ଏକ ଭବନ ନୁହେଁ ବରଂ ଭାରତର ସନାତନ ସଂସ୍କୃତି ଏବଂ ପରମ୍ପରାର ଏକ ପ୍ରତୀକ। ପୂରାତନର ପ୍ରେରଣା କିଭଳି ଭବିଷ୍ୟତକୁ ଦିଗ ଦେଉଛି ତାହା ଏଠାରେ ଦେଖିବାକୁ ମିଳିବ। ବହୁଯୁଗ ଧରି ଏହି ସହର ବଞ୍ଚି ରହିଛି। ଅନେକ ସାମ୍ରାଜ୍ୟର ଉଞ୍ଚାନ ଓ ପତନ ଏହି ସହର ଦେଖିଛି। କିନ୍ତୁ କାଶୀ ଦୀର୍ଘଦିନ ଧରି ରହିଛି। କାଶୀ ଯେଭଳି ଅନନ୍ତଯ ଦେଶର ବିକାଶରେ ଏହାର ଯୋଗଦାନ ମଧ୍ୟ ଅନନ୍ତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଶତ୍ରୁ ଉଦ୍ୟମ ବିଫଳ

ବାରାଣସୀକୁ ଧ୍ୱଂସ କରିବାକୁ ଅନେକ ସୁଲତାନ ଉଦ୍ୟମ କରିଛନ୍ତି। କିନ୍ତୁ ଏହା ସମ୍ଭବ ହୋଇପାରି ନାହିଁ। ବାବା ବିଶ୍ୱନାଥ ଶକ୍ତିଶାଳୀ ହୋଇଥିବାର ବାହାର ଶକ୍ତି ବିଫଳ ହୋଇଛି। ଅନେକ ଉତ୍‌ଥାନ ଓ ପତନ ଦେଖାଯାଇଛି ସତ, କିନ୍ତୁ ବନାରସ ରହିଛି। ଆଉରଙ୍ଗଜେବଙ୍କ ଆତଙ୍କ ଏବଂ ଆକ୍ରମଣକୁ ଇତିହାସ ଦେଖିଛି। ଧର୍ମାନ୍ଧତାରେ ସଂସ୍କୃତିକୁ ଦଳିମକଚି ଦେବାକୁ ପ୍ରଚେଷ୍ଟା କରିଛନ୍ତି। କିନ୍ତୁ ତାଙ୍କୁ ମରାଠା ଯୋଦ୍ଧା ଶିବାଜୀ ଜବାବ ଦେଇଛନ୍ତି। ସଲାର ମାସୁଦଙ୍କୁ ମଧ୍ୟ ରାଜା ସୁହଲଦେବଙ୍କ ଭଳି ଯୋଦ୍ଧା ଅଟକାଇଛନ୍ତି।  

୯୦୦ କୋଟିର ପ୍ରକଳ୍ପ

କାଶୀ କରିଡରର ମୂଲ୍ୟ ୯୦୦ କୋଟିରୁ ଊର୍ଦ୍ଧ୍ଵ ଟଙ୍କା। ଯାତ୍ରୀ, ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନଙ୍କୁ ସର୍ବାଧିକ ସୁବିଧା ଦେବା ଉଦ୍ଦେଶ୍ୟରେ  ଏହି କରିଡର ୨୦୧୯ରେ ଆରମ୍ଭ ହୋଇଥିଲା। ଯାତ୍ରୀ ସୁବିଧା କେନ୍ଦ୍ର, ପର୍ଯ୍ୟଟକ ସୁବିଧା କେନ୍ଦ୍ର, ବୈଦିକ କେନ୍ଦ୍ର, ମୁମୁକ୍ଷୁ ଭବନ, ଭୋଗଶାଳା, ସିଟି ମ୍ୟୁଜିୟମ୍‌, ଫୁଡ୍‌ କୋର୍ଟ, ଗ୍ୟାଲେରି ଏବଂ ଅନ୍ୟାନ୍ୟ। ଏହି କରିଡର ମୁଖ୍ୟ ମନ୍ଦିରକୁ ଲଲିତା ଘାଟ ସହ ସଂଯୋଗ କରୁଛି। ପ୍ରକଳ୍ପ ପାଇଁ ମନ୍ଦିର ଆଖପାଖ ଅଞ୍ଚଳରୁ ୩୦୦ରୁ ଅଧିକ ସମ୍ପତ୍ତି ଗ୍ରହଣ, ପାଖାପାଖି ୧୪୦୦ ଦୋକାନୀଙ୍କୁ ଉଚ୍ଛେଦ ଓ ୪୫୦ କୋଟି ଖର୍ଚ୍ଚ ହୋଇଛି।

Share the article

LEAVE A REPLY