୧୧୮ ଦିନରେ ରାଜ୍ୟବ୍ୟାପୀ ପହଞ୍ଚିଲା ସ୍ମାର୍ଟ କାର୍ଡ

0
85

ଭୁବନେଶ୍ୱର: ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ୧୧୮ ଦିନରେ ରାଜ୍ୟର ୩୦ ଜିଲ୍ଲାକୁ ପହଞ୍ଚାଇ ପାରିଛନ୍ତି। ଗତ ଅଗଷ୍ଟ ୨୦ ତାରିଖରେ ମାଲକାନଗିରି ଜିଲ୍ଲାରୁ ସରକାରଙ୍କ ଏହି ବୃହତ୍ତ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଡିସେମ୍ବର ୧୫ ତାରିଖରେ ଯାଜପୁରରେ ଉଦ୍‌ଯାପିତ ହୋଇଛି। ସେବା ଓ ପ୍ରତିବଦ୍ଧତାର ଲକ୍ଷ୍ୟକୁ ନେଇ ସରକାର ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ଯୋଗାଇଛନ୍ତି, ଯାହା ଦ୍ୱାରା ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ। ଗରିବ ଲୋକ ଅତ୍ୟଧିକ ଖର୍ଚ୍ଚ  ଓ ଚିନ୍ତାରୁ ମୁକ୍ତି ପାଇବେ। ସ୍ମାର୍ଟ କାର୍ଡ ବିତରଣ କରିବା ରାଜ୍ୟ ସରକାରଙ୍କ ଏକ ମହାନ୍‌ କାମ। ଏହି କାର୍ଡ ମାଧ୍ୟମରେ ଗରିବ ଓ ମଧ୍ୟବିତ୍ତ ପରିବାରର ଆର୍ଥିକ ପରିସ୍ଥିତିକୁ ବଡ଼ ସହଯୋଗ ମିଳିବ। ଗୁରୁତର ରୋଗର ଚିକିତ୍ସା ପାଇଁ ଗରିବ ଲୋକଙ୍କୁ ଟଙ୍କା ପାଇଁ ମହାଜନଙ୍କ ପାଖରେ ହାତ ପତାଇବାକୁ ପଡ଼ିବ ନାହିଁ। ମାତ୍ର ସବୁଠାରୁ ବଡ଼ କଥା ହେଲା ଯେ, ଏହି ଯୋଜନାରେ ସଂଶ୍ଲିଷ୍ଟ ଥିବା ଡାକ୍ତରଖାନା ଗୁଡ଼ିକ ରୋଗୀ ପରିବାରକୁ ସହଯୋଗ କରିବା ଦରକାର।  

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନ ସ୍ମାର୍ଟ କାର୍ଡ ବିତରଣ ପାଇଁ ମୁଖ୍ୟମନ୍ତ୍ରୀ ବିଭିନ୍ନ ସମୟରେ ଜିଲ୍ଲା ଗୁଡ଼ିକୁ ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ ସେ ହିତାଧିକାରୀ ମାନଙ୍କୁ ସ୍ମାର୍ଟ କାର୍ଡ ବିତରଣ କରିବା ସହିତ ପ୍ରତ୍ୟେକ ଜିଲ୍ଲାରେ କୋଟି କୋଟି ଟଙ୍କାରେ ନିର୍ମିତ ଏକାଧିକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଥିଲେ। ଯେଉଁ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ଗସ୍ତ କରିପାରି ନଥିଲେ ଭିଡିଓ କନଫରେନ୍ସିଂ ଜରିଆରେ ସ୍ମାର୍ଟ କାର୍ଡ ବିତରଣ କରିବା ସହିତ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରଥିଲେ। ମୁଖ୍ୟମନ୍ତ୍ରୀ ମାଲକାନଗିରି, ମୟୂରଭଂଜ, କୋରାପୁଟ, ବରଗଡ଼, କଟକ, ଖୋର୍ଦ୍ଧା, ପୁରୀ ଆଦି ଜିଲ୍ଲାକୁ ଗସ୍ତ କରିଥିଲେ। ସୁବର୍ଣ୍ଣପୁର, ବୌଦ୍ଧ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ନୟାଗଡ଼, ଦେବଗଡ଼, ନୂଆପଡ଼ା ଆଦି ଜିଲ୍ଲା ଗୁଡ଼ିକରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସ୍ମାର୍ଟ କାର୍ଡ ବିତରଣ କରିଥିଲେ।

ଚିକିତ୍ସା ଖର୍ଚ୍ଚ ଚିନ୍ତାରୁ ଦୂର କରିବ

ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ  କାର୍ଡ ରାଜ୍ୟବାସୀଙ୍କୁ ଚିକିତ୍ସା ଖର୍ଚ୍ଚ ଚିନ୍ତାରୁ ଦୂର କରିବ। ଖଣ୍ଡିଏ କାର୍ଡ ଧରି ରାଜ୍ୟର ସବୁଠାରୁ ଗରିବ ଲୋକଟିଏ ମଧ୍ୟ ଦେଶର ସବୁଠାରୁ ଭଲ ହସ୍ପିଟାଲରେ ବିନା ପଇସାରେ ପାଇପାରିବ ଚିକିତ୍ସା ସୁବିଧା। ଚଳିତ ବର୍ଷ ସେପ୍ଟେଟର ୧ ତାରିଖରୁ ସାରା ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲ୍‌ଥ କାର୍ଡରେ ସେବା ପ୍ରଦାନ ଆରମ୍ଭ ହୋଇଛି। ସେହି ଦିନ ଠାରୁ ଓଡିଶାର ସ୍ୱାସ୍ଥ୍ୟ ସେବାରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି। ସ୍ୱାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ। ଲୋକମାନେ ସ୍ୱାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍ପିଟାଲରେ ଭଲ ଚିକିତ୍ସା ପାଇପାରିବେ। ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ।

ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ: ନବୀନ

ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍ସା ବାଲା- ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ। ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି। ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତ।

ହିତାଧିକାରୀ ଖୁସି 

ହିତାଧିକାରୀ ମାନେ ଏହି ସ୍ମାର୍ଟ କାର୍ଡ ପାଇ ବହୁତ ଖୁସି ବୋଲି ପ୍ରକାଶ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭଦ୍ରକ ଜିଲ୍ଲା ନିବାସୀ ଅପ୍‌ସନା ବିବିଙ୍କ କହିବା ଅନୁସାରେ ସ୍ମାର୍ଟ କାର୍ଡ ଜରିଆରେ ତାଙ୍କ ମା’ଙ୍କ ଚିକିତ୍ସା ବାଲେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସା ହୋଇପାରିଛି। କେନ୍ଦୁଝର ଜିଲ୍ଲା ନିବାସୀ ବର୍ଷାରାଣୀ ସାହୁ ନାମରେ ଜଣେ ମହିଳାଙ୍କ ଚିକିତ୍ସା ଘଷିପୁରାସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ଅସ୍ତ୍ରୋପଚାର ମାଗଣାରେ ହୋଇପାରିଛି। ସେହିପରି ନିଜର ସ୍ୱାମୀଙ୍କ ଚିକିତ୍ସା ଏକ ଘରୋଇ ନର୍ସିଂ ହୋମ୍‌ରେ କରାଯାଇ ପାରିଥିବାରୁ ଖୁସିରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଞ୍ଚଳର ସାରା ଭୂୟାଁ।

Share the article

LEAVE A REPLY