୬୧୩୧ ଶିକ୍ଷକଙ୍କୁ ଷ୍ଟାଡିୟମ୍‌ରେ ନିଯୁକ୍ତି

0
152

ଭୁବନେଶ୍ୱର: ୩୦ଟି ଜିଲ୍ଲାର ବିଭିନ୍ନ ହାଇସ୍କୁଲ ଗୁଡ଼ିକରେ ଖାଲି ଥିବା ପଦବିର ପୂରଣ ପାଇଁ ରାଜ୍ୟ ସରକାର ଡିସେମ୍ବର ୧୬ ତାରିଖରେ  ୬୧୩୧ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦେଇଛନ୍ତି। ପୂର୍ବ ଘୋଷଣା ଅନୁସାରେ ଆଶାୟୀ ପ୍ରାର୍ଥୀଙ୍କୁ ବସ୍‌ ମାଧ୍ୟମରେ ଭୁବନେଶ୍ୱର ଡକାଇ ଏହି ନିଯୁକ୍ତି ପତ୍ର ଦେଇଛନ୍ତି। ନବନିଯୁକ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କ ଠାରୁ ନିଯୁକ୍ତିପତ୍ର ଗ୍ରହଣ କରିବା ପରେ ନିଜର ସରକାରୀ ଚାକିରି ଜୀବନ ଆରମ୍ଭ କରିବେ। ଏଥି ପାଇଁ ଶିକ୍ଷକ-ଶିକ୍ଷୟିତ୍ରୀମାନେ ମଧ୍ୟ ଉତ୍ସାହିତ ଅଛନ୍ତି। ସରକାର ମାତ୍ର ୪୭ ଦିନରେ ୬୧୩୧ ଶିକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୨୨୩୬ ଜଣ କଳା ଶିକ୍ଷକ, ୧୭୭୯ ଜଣ ବିଜ୍ଞାନ ଶିକ୍ଷକ, ୮୨୯ ଜଣ ହିନ୍ଦୀ ଶିକ୍ଷକ, ୭୯୬ ଜଣ ସଂସ୍କୃତ ଶିକ୍ଷକ ଓ ୩ ଜଣ ତେଲୁଗୁ ଶିକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି।

ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ କଳିଙ୍ଗ ହକି ଷ୍ଟାଡିୟମ୍‌ରେ ନିଯୁକ୍ତିପତ୍ର ମିଳିଛି। ଏମାନଙ୍କୁ ନିଯୁକ୍ତି ଦେବା ପାଇଁ ସରକାର ଷ୍ଟାଡ଼ିୟମରେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଏହା ଉଭୟ ସରକାର ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପାଇଁ ସ୍ମରଣୀୟ ରହିବ। ସରକାରଙ୍କ କହିବା ଅନୁସାରେ ପୂର୍ବରୁ ଶିକ୍ଷକ-ଶିକ୍ଷୟିତ୍ରୀ ମାନଙ୍କ ପାଇଁ ଏଭଳି ବଡ଼ଧରଣର  ନିଯୁକ୍ତିଭିତ୍ତିକ ସମାରୋହର ଆୟୋଜନ ହୋଇ ନଥିଲା। ଏକାଥରକେ ୬୧୩୧ ଜଣ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତିପତ୍ର ମିଳି ନଥିଲା। ଅନ୍ୟପଟରେ ଶିକ୍ଷକ-ଶିକ୍ଷୟିତ୍ରୀ ମାନେ ମଧ୍ୟ ଖୁସି ହେବାର କାରଣ ହେଲା ଯେ, ରାଜଧାନୀକୁ ଡାକି ସରକାର ସେମାନଙ୍କୁ ଚାକିରି ଦେଇଛନ୍ତି। ଏହି ବାହାନାରେ କିଛି ଉତ୍ସାହୀ ପ୍ରାର୍ଥୀମାନେ ଭୁବନେଶ୍ୱର, କଟକ, ପୁରୀ ଓ କୋଣାର୍କ ବୁଲିପାରିଛନ୍ତି।

ଅଧିକାରୀ ଶୈଳୀରେ ନିଯୁକ୍ତି

କେନ୍ଦ୍ର ସରକାର ହେଉ ଅଥବା ରାଜ୍ୟ ସରକାର ଯେତେଯେତେବେଳେ ବଡ଼ ବଡ଼ ପଦବି ପାଇଁ ଯଥା ଆଇଏଏସ୍‌, ଓଏଏସ୍‌, ଡାକ୍ତର, ଇଞ୍ଜିନିୟର ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ପାଇଁ ନିଯୁକ୍ତି ଦିଅନ୍ତି, ସେହି ସମୟରେ ଏହିଭଳି ବଡ଼ଧରଣର ସମାରୋହ କରିଥାନ୍ତି। କିନ୍ତୁ ଶିକ୍ଷକଙ୍କ ନିଯୁକ୍ତି କ୍ଷେତ୍ରରେ ଏହା ପ୍ରଥମ। ଶିକ୍ଷକମାନଙ୍କୁ ଏଭଳି ଏକ ବିଶାଳ ସମାରୋହରେ ନିଯୁକ୍ତି ମିଳିଥିବାରୁ ଏବଂ ମୁଖ୍ୟମନ୍ତ୍ରୀ ଠାରୁ ପରାମର୍ଶ ମିଳିଥିବାରୁ ମନରେ ଅଧିକ ଉତ୍ସାହ ସୃଷ୍ଟି ହେବା ସ୍ୱାଭାବିକ।

ଶିକ୍ଷା ପାଇଁ ଏକାଧିକ ପଦକ୍ଷେପ

ରାଜ୍ୟ ସରକାର ଶିକ୍ଷାର ବିକାଶ ପାଇଁ ଏକାଧିକ ପଦକ୍ଷେପ ନେଉଛନ୍ତି। କେନ୍ଦ୍ରୀୟ ଶିକ୍ଷା ପଦ୍ଧତି ଅନୁସାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିଛନ୍ତି। ସେହିଭଳି ଘରୋଇ ସ୍କୁଲ ଶୈଳୀରେ ସ୍ମାର୍ଟ ସ୍କୁଲର ନିର୍ମାଣ କରିଛନ୍ତି। କିନ୍ତୁ ସ୍ମାର୍ଟ ସ୍କୁଲ ଗୁଡ଼ିକରେ ସ୍ମାର୍ଟ ଶିକ୍ଷକଙ୍କୁ ନିଯୁକ୍ତି ଦେବାର ସମୟ ଆସିଛି। ସ୍କୁଲ ଗୁଡ଼ିକରେ କେମିତି ପାଠ ପଢ଼ାଯାଉଛି, ତାହାର ତଦାରଖ କରିବାର ଆବଶ୍ୟକତା ରହିଛି। ଅନ୍ୟଥା ସରକାରଙ୍କ ଯୋଜନା ସଫଳ ହୋଇପାରିବ ନାହିଁ। କାରର ସୁନ୍ଦର କୋଠା ବାଡ଼ି ତିଆରି କରିଦେଲେ, ପିଲାମାନଙ୍କର ଶିକ୍ଷାରେ ଉନ୍ନତି ଘଟି ପାରିବ ନାହିଁ। ଏଥି ପାଇଁ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ପାଠ ପଢ଼ାଇବାର ମନୋବୃତ୍ତି ରହିବା ଦରକାର।  

କ’ଣ କହିଲେ ମୁଖ୍ୟମନ୍ତ୍ରୀ

ନବନିଯୁକ୍ତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଶିକ୍ଷା ହେଉଛି ସମାଜର ସାମୁହିକ ଆଶା ଓ ଆକାଂକ୍ଷାର ପ୍ରତିଫଳନ। ଶିକ୍ଷା ବ୍ୟବସ୍ଥାର ଆତ୍ମା ଭାବରେ ଶିକ୍ଷକ ମାନଙ୍କୁ ଅଭିହିତ କରି ଆମର ଭବିଷ୍ୟତ ପୀଢି ତଥା ନୂଆ ଓଡିଶା ଗଠନ ପାଇଁ ଆରମ୍ଭ ହୋଇଥିବା ଏହି ରୂପାନ୍ତରରେ ଶିକ୍ଷକ ମାନେ ସଫଳ ସହଯୋଗୀ ଭାବରେ ତାଙ୍କର ଦାୟିତ୍ୱ ତୁଲାଇବାକୁ  ହେବ। ପିଲାମାନେ ହେଉଛନ୍ତି ଅନନ୍ତ ସମ୍ଭାବନାର ପ୍ରତୀକ। ସେମାନଙ୍କ ମଧ୍ୟରେ ନୂଆ ଆଶା ଜାଗ୍ରତ କରିବା, ସେମାନଙ୍କର କଳ୍ପନାକୁ ଶକ୍ତି ଦେବା ଏବଂ ଅଧ୍ୟୟନ ପ୍ରତି ଆଗ୍ରହ ସୃଷ୍ଟି କରିବାରେ ଶିକ୍ଷକମାନେ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସୃଜନୀଶକ୍ତିର ବିକାଶ ତଥା ଆତ୍ମବିଶ୍ୱାସ ବୃଦ୍ଧି ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀ ଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଥିଲେ।  

Share the article

LEAVE A REPLY