ଇମ୍ୟୁନିଟି ବଢ଼ିଲେ ପରାସ୍ତ ହେବ ଓମିକ୍ରନ୍‌?

0
117

ଭୁବନେଶ୍ୱର: କୋଭିଡ-୧୯ର ନୂଆ ଭାରିଆଣ୍ଟ ‘ଓମିକ୍ରନ୍‌’ ପାଇଁ ଏବେ ସମଗ୍ର ବିଶ୍ୱରେ ହାହାକାର ଦେଖାଯାଇଛି। ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା ସଂକ୍ରମଣ ଏବେ ବ୍ରିଟେନ୍‌ରେ ତାଣ୍ଡବ ରଚିଛି। ଏପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ସଂକ୍ରମଣ ତୁଳନାରେ ଓମିକ୍ରନ୍‌ ଅଧିକ ଦ୍ରୁତ ଗତିରେ ବ୍ୟାପୁଥିବାରୁ ମୁଣ୍ଡବ୍ୟଥା ହେବା ସ୍ୱାଭାବିକ। ଏକ ମାସ ପୂର୍ବରୁ ଚିହ୍ନଟ ହୋଇଥିବା ଏହି ସଂକ୍ରମଣର ନୂଆ ପ୍ରାରୂପ  ଯୋଗୁଁ ବ୍ରିଟେନ୍‌ରେ ପାଖାପାଖି ୪୦୦୦ ଲୋକ ଓମିକ୍ରନ୍‌ ସଂକ୍ରମିତ ହୋଇଛନ୍ତି। ତେଣୁ ଗବେଷକ, ଡାକ୍ତର ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚିନ୍ତା ବଢ଼ିଛି। ୟୁରୋପୀୟ ରାଷ୍ଟ୍ର ନେଦରଲାଣ୍ଡରେ ଓମିକ୍ରନ୍‌ ପାଇଁ ଲକଡାଉନ୍‌ ଆରମ୍ଭ ହୋଇଯାଇଥିବା ବେଳେ ଆମେରିକା ଓ ବ୍ରିଟେନ୍‌ରେ  ନେଇ ସମଗ୍ର ବିଶ୍ୱକୁ ଚିନ୍ତା ଘାରିଛି।

ଓଡ଼ିଶା ସମେତ ଭାରତର ୧୩ଟି ରାଜ୍ୟରେ ଓମିକ୍ରନ୍‌ ସଂକ୍ରମଣ ଚିହ୍ନଟ ହୋଇସାରିଛି। ତେଣୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ସ୍ୱାସ୍ଥ୍ୟ ଭିତ୍ତିଭୂମି, ବିଦେଶ ଫେରନ୍ତା, କଣ୍ଟେନ୍‌ମେଣ୍ଟ ଜୋନ୍‌ ଉପରେ ଗୁରୁତ୍ୱ ଦେବାକୁ କହିସାରିଛନ୍ତି।  ସବୁଠାରୁ ବଡ଼ କଥା ହେଲା ଯେ, ସରକାର ଯେମିତି ବ୍ୟବସ୍ଥା କରନ୍ତୁ ପଛକେ। ଲୋକଙ୍କୁ ବ୍ୟକ୍ତିଗତ ଭାବେ ସତର୍କ ରହିବାକୁ ହେବ। କାରଣ ବ୍ୟକ୍ତିଗତ ସ୍ତରରେ ସତର୍କ ରହିବା ଦ୍ୱାରା ସଂକ୍ରମଣକୁ ଏକ ପ୍ରକାର ରୋକ୍‌ ଲଗାଇ ଦିଆଯାଇପାରିବ। ଏଥି ପାଇଁ କିନ୍ତୁ କୋଭିଡ-୧୯ର ପ୍ରଥମ ଲହରକୁ ଅନୁସରଣ କରିବାକୁ ହେବ।

ଢ଼ିଲା ହେଲେ ବଢ଼ିବ ସଂକ୍ରମଣ

୨୦୨୦ ମସିହା ମାର୍ଚ୍ଚ ମାସରେ ଭାରତରେ ଯେତେବେଳେ କରୋନା ଦେଖାଗଲା, ଲୋକେ ଭୟଭୀତ ହୋଇଯାଇଥିଲେ। ସେହି ସମୟରେ ଏହି ମାରାତ୍ମକ ରୋଗ ନୂଆ ଥିବାରୁ ଲୋକେ ସଂକ୍ରମଣକୁ ଭୟ କରୁଥିଲେ। ବାହାରକୁ ଯିବା ପୂର୍ବରୁ ଅନେକ ଚିନ୍ତା କରୁଥିଲେ। ଯଥା ସମ୍ଭବ ବାହାରକୁ କମ୍‌ ଯିବା ଆସିବା କରି ଘରେ ଅଧିକ ସମୟ ବିତାଉଥିଲେ। କୋଭିଡ-୧୯ର ପ୍ରଥମ ଲହର ସମୟରେ ଲୋକେ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌, ମାସ୍କ ପିନ୍ଧିବା, ସାମାଜିକ ଦୂରତା, ହାତ ଧୋଇବା ଆଦି ମାର୍ଗଦର୍ଶନକୁ ପାଳନ କରୁଥିଲେ। ଦ୍ୱିତୀୟ ଲହରରେ ଢ଼ିଲା ହେବା ଯୋଗୁଁ ସଂକ୍ରମଣ ବଢ଼ିଥିଲା ଏବଂ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା।

ବଢ଼ାନ୍ତୁ ରୋଗ ପ୍ରତିଷେଧକ

ପ୍ରଥମ ଲହର ସମୟରେ ଇମ୍ୟୁନିଟି ଉପରେ ଯଦିଓ ଲୋକେ ଧ୍ୟାନ ଦେଉ ନଥିଲେ, ଦ୍ୱିତୀୟ ଲହର ସମୟରେ ଏହାକୁ ଗୁରୁତ୍ୱ ଦେଉଥିଲେ। ଇମ୍ୟୁନିଟି  ବଢ଼ାଇବା ପାଇଁ ସଚେତନ ନାଗରିକ ମାନେ ପ୍ରାକୃତିକ ଉପାୟ,ଔଷଧ ସେବନ, ଯୋଗ, ପ୍ରାଣାୟମ ଆଦି କରୁଥିଲେ। ଚିକିତ୍ସକମାନେ ମଧ୍ୟ ଏଗୁଡ଼ିକୁ ସ୍ୱୀକାର କରୁଥିଲେ। ୩ୟ ଲହର ତଥା ଓମିକ୍ରନ୍‌ ବ୍ୟାପିବା ପୂର୍ବରୁ ପ୍ରତ୍ୟେକ ବ୍ୟକ୍ତି ଇମ୍ୟୁନିଟି ବଢ଼ାଇବାର ଆବଶ୍ୟକତା ଅଛି। ଶରୀରର ରୋଗ ପ୍ରତିଷେଧକ ବଢ଼ିଲେ ସଂକ୍ରମଣକୁ ରୋକିପାରିବ। ଏହା ଡାକ୍ତର ଓ ଗବେଷକମାନେ ସ୍ୱୀକାର କରିଛନ୍ତି।

୧୪ ରାଜ୍ୟରେ ଓମିକ୍ରନ୍‌

ରାଜ୍ୟରେ ୨ ଜଣ ବିଦେଶ ଫେରନ୍ତା ଓମିକ୍ରନ୍‌ ଚିହ୍ନଟ ହୋଇଛନ୍ତି। ଦେଶରେ ୧୪ଟି ରାଜ୍ୟରେ ଓମିକ୍ରନ୍‌ ପଜିଟିଭ୍‌ ସଂଖ୍ୟା ୨୦୦ ଅତିକ୍ରମ କରିସାରିଛି।  ଖୋର୍ଦ୍ଧା ଓ କଟକ ଜିଲ୍ଲାର ଏହି ଦୁଇ ଜଣ ନିକଟରେ କାତାର ଓ ନାଇଜେରିଆରୁ ଫେରିଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଯଦିଓ ଭଲ ରହିଛି, ତଥାପି ଏମାନଙ୍କୁ ନେଇ ରାଜ୍ୟବାସୀଙ୍କର ଚିନ୍ତା ବଢ଼ି ଯାଇଛି। ସରକାର ଓ ପ୍ରଶାସନ ମଧ୍ୟ ଏଥି ପାଇଁ ସତର୍କ ଅଛନ୍ତି।  ବିଦେଶ ଫେରନ୍ତା ୨ ବ୍ୟକ୍ତିଙ୍କର କେଉଁମାନେ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରଖିଛି ପ୍ରଶାସନ। ଦେଶରେ ଅଧିକାଂଶ ରାଜ୍ୟରେ ବଡ଼ଦିନ ଓ ନୂଆବର୍ଷ ପାଇଁ କଟକଣା ଲାଗୁ ହୋଇଯାଇଛି। ରାଜ୍ୟ ସରକାର ସମ୍ଭାବିତ ତୃତୀୟ ଲହରକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ବିଶେଷ କରି ହସ୍ପିଟାଲ ଗୁଡିକୁ କୋଭିଡ୍‌ ବେଡ୍‌, ଆଇସିୟୁ, ଭେଣ୍ଟିଲେଟର ଓ ଅକ୍ସିଜେନ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତିି।

Share the article

LEAVE A REPLY