ନୂଆ ରୂପ ପାଇବ କିଛି ବସ୍‌ଷ୍ଟାଣ୍ଡ

0
97

ଭୁବନେଶ୍ୱର: ଗ୍ରାମାଞ୍ଚଳକୁ ସହରାଞ୍ଚଳ ସହିତ ଯୋଡ଼ିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସଡ଼କ ନିର୍ମାଣ କରୁଛନ୍ତି। ଭଲ ସଡ଼କ ନିର୍ମାଣ ହେଲେ ଗ୍ରାମାଞ୍ଚଳର ଲୋକେ ସୁବିଧା ଓ ସୁରକ୍ଷିତ ସହିତ କମ ସମୟ ମଧ୍ୟରେ ସହରକୁ ପହଞ୍ଚି ପାରିବେ। ରାସ୍ତାଘାଟର ଉନ୍ନତି ଘଟିଲେ ଦୁର୍ଘଟଣା ମଧ୍ୟ ହ୍ରାସ ପାଇବ। ଆଜିକାଲି ପ୍ରାୟତଃ ଚାରିଆଡ଼େ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଭଲ ଭଲ ସଡ଼କ ନିର୍ମାଣ ହୋଇଛି। ଉପଖଣ୍ଡ ଓ ବ୍ଲକରୁ ନିକଟକସ୍ଥ ସହରକୁ ରାଜ୍ୟ ପୂର୍ତ୍ତ ବିଭାଗ ଦ୍ୱାରା ମଧ୍ୟ ଉନ୍ନତ ମାନର ରାସ୍ତା ଗୁଡ଼ିକ ତିଆରି ହୋଇଛି। କିନ୍ତୁ ଏସବୁ ପରେ ବି ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି। ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ଖବର ପ୍ରତିଦିନ ଶୁଣିବାକୁ ମିଳୁଛି। ଏଥି ପାଇଁ କେବଳ ଗାଡ଼ି ଚାଳକଙ୍କୁ ଦାୟୀ କରିବା ଠିକ୍‌ ହେବନାହିଁ। କାରଣ ରାସ୍ତା ନିର୍ମାଣରେ ତ୍ରୁଟି ଯୋଗୁଁ ମଧ୍ୟ ସଡ଼କ ଦୁର୍ଘଟଣା ଘଟୁଛି।

ରାଜ୍ୟରେ ପରିବହନ ବ୍ୟବସ୍ଥାକୁ ଆହୁରି ସରଳ କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ବିଳମ୍ବରେ ହେଉ ପଛେ ପ୍ରତି ବ୍ଲକରେ ଅତିକମ୍‌ରେ ଏକ ଭଲ ବସଷ୍ଟାଣ୍ଡ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ୫୫ଟି ବ୍ଲକ୍‌ ସ୍ତରୀୟ ବସ୍‌ଷ୍ଟାଣ୍ଡର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ବସ୍‌ଷ୍ଟାଣ୍ଡ ଗୁଡ଼ିକ ୨୨ଟି ଜିଲ୍ଲାରେ ନିର୍ମାଣ ହେବ। କେନ୍ଦୁଝର ଜିଲ୍ଲାରେ ସର୍ବାଧିକ ୯ଟି ନିର୍ମାଣ ହେବ। କଟକ, ଗଜପତି, ଝାରସୁଗୁଡ଼ା, କନ୍ଧମାଳ, ମୟୂରଭଂଜରେ ସର୍ବନିମ୍ନ ଗୋଟିଏ ଲେଖାଏଁ ବସ୍‌ଷ୍ଟାଣ୍ଡ ନିର୍ମାଣ ହେବ। ଏହି ବସ୍‌ଷ୍ଟାଣ୍ଡ ଗୁଡ଼ିକରେ ବସ୍‌ ରହିବା କଂକ୍ରିଟ ନିର୍ମାଣ ହେବ। ସେହିଭଳି ଯାତ୍ରୀ ରହିବା ଆଶ୍ରୟ, ପାନୀୟ ଜଳ, ବିଦ୍ୟୁତ୍‌ ବ୍ୟବସ୍ଥା ସହ ଫ୍ୟାନ୍‌, ଲାଇଟ୍‌ ରହିବ।

୫୫ଟି ବ୍ଲକ ସ୍ତରୀୟ ବସ୍‌ଷ୍ଟାଣ୍ଡ

ଦେଶ ସ୍ୱାଧୀନତାର ୭୪ ବର୍ଷ ପରେ ମଧ୍ୟ ରାଜ୍ୟର ଅନେକ ଗୁଡ଼ିଏ ସ୍ଥାନରେ ଭଲ ବସଷ୍ଟାଣ୍ଡ ନାହିଁ। ଏପରିକି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଭଲ ବସଷ୍ଟାଣ୍ଡଟିଏ ନାହିଁ। ଏବେ ଏହା ନିର୍ମାଣାଧିନ ଅଛି, ଯାହାକି ଅଳ୍ପ କିଛି ବର୍ଷ ମଧ୍ୟରେ ଉଦ୍‌ଘାଟନ ହେବ। ଅନେକ ସ୍ଥାନରେ  ଥିବା ବସଷ୍ଟାଣ୍ଡ ଗୁଡ଼ିକର ଅବସ୍ଥା ନ କହିଲେ ଭଲ। ବର୍ଷା ଦିନରେ ଆଣ୍ଠୁଏ ପାଣି ରହିଥାଏ। କାଦୁଅ ଭାସୁଥାଏ। ଖରାଦିନରେ ମୁଣ୍ଡ ଗୁଞ୍ଜିବାକୁ ଛାତ ନଥାଏ କି ପାନୀୟ ଜଳର ବ୍ୟବସ୍ଥା ନଥାଏ। ସରକାର ଏତେ ଦିନ ପରେ ଯାହାକୁ ଏକା ଥରକେ ୫୫ଟି ବସ୍‌ଷ୍ଟାଣ୍ଡର ନବୀକରଣ ପାଇଁ ଶିଳାନ୍ୟାସ କରିଛନ୍ତି। ଏହା ଦ୍ୱାରା ଲକ୍ଷ ଲକ୍ଷ ଲୋକ ଉପକୃତ ହେବେ। ବ୍ଲକ ସ୍ତରୀୟ ବସ୍‌ଷ୍ଟାଣ୍ଡ ଗୁଡ଼ିକ ଜିଲ୍ଲା ମୁଖ୍ୟାଳୟ ଠାରୁ ଦୂରତା, ଅର୍ଥନୈତିକ ଅବିବୃଦ୍ଧି, ପର୍ଯ୍ୟନଟ ଯୋଗାଯୋଗକୁ ଦୃଷ୍ଟିରେ ରଖି ନିର୍ମାଣ ହେବ।

୨୦୨୦ରେ ୪୭୩୮ ମୃତ

ରାଜ୍ୟରେ ସଡକ ଦୁର୍ଘଟଣା ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ଉପରେ ରୋକ ଲଗାଇବା ପାଇଁ ସରକାର ଯେତେ ଚିନ୍ତା କରୁଥିଲେ ମଧ୍ୟ ସୁଫଳ ମିଳିପାରୁ ନାହିଁ। ଗତବର୍ଷ  ୪୭୩୮ ଜଣଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛ। ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହା କହିଛନ୍ତି। ସଡ଼କ ଦୁର୍ଘଟଣାରେ ୫ ହଜାର ଲୋକ ଆହତ ହୋଇଛନ୍ତି। ୨୦୧୯ ତୁଳନାରେ ରାଜ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁ ହାର ୧୧% ହ୍ରାସ ପାଇଛି। ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ କାରଣରୁ ଏହି ମୃତ୍ୟୁହାର ହ୍ରାସ ପାଇଥିବା ମନ୍ତ୍ରୀ କହିଛନ୍ତି। ୧୦୦ଟି ଦୁର୍ଘଟଣାରୁ ୪୮ ଜଣଙ୍କର ମୃତ୍ୟୁ ହେଉଥିବା ବେଳେ ଜାତୀୟସ୍ତରରେ ଏହା ୩୬ ରହିଛି। ଯାଜପୁର, ମୟୂରଭଞ୍ଜ, ସୁନ୍ଦରଗଡ଼, କେଉଁଝର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଗଞ୍ଜାମ, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ଅଧିକ ସଂଖ୍ୟକ ଲୋକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଏହି ସବୁ ଜିଲ୍ଲାରେ ଶିଳ୍ପାଞ୍ଚଳ ଅଧିକ ରହିଛି।

ବାଇକ୍‌ ଦୁର୍ଘଟଣାରେ ଅଧିକ ମୃତ

ମୋଟ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁର ୫୩% ହେଉଛନ୍ତି ବାଇକ୍‌ ଚାଳକ। ବାଇକ୍‌ ଚଳାଇବା ବେଳେ  ୮୦ ପ୍ରତିଶତ ବ୍ୟକ୍ତି ହେଲମେଟ ପିନ୍ଧୁ ନାହାନ୍ତି। ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ, ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ କମାଇବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି। ଦୁର୍ଘଟଣା ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ ସ୍ୱେଛାସେବୀଙ୍କୁ ଫାଷ୍ଟ ରେସପଣ୍ଡର ଟ୍ରେନିଂ ଦିଆଯାଇଛି। ଯାନ ଚାଳକମାନଙ୍କ ପାଇଁ ରିଫ୍ରେସର ଟ୍ରେନିଂ କରାଯାଉଛି। ବ୍ଲାକ ସ୍ପଟର ତ୍ରୁଟି ସୁଧାରିବା ପାଇଁ ସର୍ଭେ କରାଯାଉଛି।

Share the article

LEAVE A REPLY