ଓମିକ୍ରନ୍‌ ଭୟ! ଭାରତରେ ‘ବୁଷ୍ଟର୍‌ ଡୋଜ୍‌’

0
75

ଭୁବନେଶ୍ୱର: କରୋନା ଭାଇରସ୍‌ ମହାମାରୀ ୨ ବର୍ଷ ହେବ ସମଗ୍ର ବିଶ୍ୱବାସୀଙ୍କର ଚିନ୍ତା ବଢ଼ାଇଛି। ଚୀନ୍‌ର ଉହାନ୍‌ ସହରରୁ ବିଶ୍ୱର ଚାରିଆଡ଼େ ବ୍ୟାପିଥିବା ଏହି ସଂକ୍ରମଣରେ ଆମେରିକା, ବ୍ରିଟେନ୍‌, ଫ୍ରାନ୍ସ, ରୁଷିଆ, ଚୀନ୍‌, ଜର୍ମାନୀ, ଭାରତ ଭଳି ବୃହତ୍ତ ଓ ବିକଶିତ ରାଷ୍ଟ୍ରଗୁଡ଼ିକ ମଧ୍ୟ ବିଶେଷ ପ୍ରଭାବିତ ହୋଇଛନ୍ତି। କିଛି ଦିନ ହେବ ଆମେରିକା ଓ ବ୍ରିଟେନ୍‌ରେ କୋଭିଡ-୧୯ ତାଣ୍ଡବ ରଚିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଚଳିତ ମାସ ୨୪ ତାରିଖରେ ଆମେରିକାରେ ୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା ବେଳେ ବ୍ରିଟେନ୍‌ରେ ଲକ୍ଷାଧିକ ଲୋକ ସଂକ୍ରମିତ ହୋଇଥିଲେ। ଏହି ସବୁ ଦେଶରେ ଜନତାଙ୍କୁ କୋଭିଡ-୧୯ର ବୁଷ୍ଟର୍‌ ଡୋଜ୍‌ ଦିଆଯାଇଛି। ତଥାପି ସଂକ୍ରମଣ ନିୟନ୍ତ୍ରିତ ହୋଇ ପାରିନାହିଁ। ବୁଷ୍ଟର ଡୋଜ୍‌ ମାଧ୍ୟମରେ ଯଦିଓ କରୋନା ନିୟନ୍ତ୍ରିତ ହୋଇପାରିବ ବୋଲି କୁହାଯାଉଛି, ତଥାପି ଏହାର ଯଥାର୍ଥ ପ୍ରମାଣ ନାହିଁ।

ଅକ୍ଟୋବର ଶେଷ ସପ୍ତାହରେ ଦକ୍ଷିଣ ଆଫ୍ରିକାରେ ପ୍ରଥମ ଥର କୋଭିଡ-୧୯ର ନୂଆ ଭାରିଆଣ୍ଟ ‘ଓମିକ୍ରନ୍‌’ ଚିହ୍ନଟ ହୋଇଥିଲା। କିନ୍ତୁ ଖୁସି କଥା ଯେ, ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ଯେତିକି ଭୟଙ୍କର ନୁହେଁ, ତାଠାରୁ ଆମେରିକା ଏବଂ ବ୍ରିଟେନ୍‌ରେ ଅଧିକ। ବ୍ରିଟେନ୍‌ରେ ଓମିକ୍ରନ୍‌ ଯୋଗୁଁ ଗତ ୧୪ ତାରିଖରେ ଜଣେ ପ୍ରଥମ ଥର ମୃତ୍ୟୁ ଖବର ଆସିଥିଲା। ଭାରତରେ ଡିସେମ୍ବର ୨ ତାରିଖରେ ଜଣେ ଦକ୍ଷିଣ ଆଫ୍ରିକା ଫେରନ୍ତା କର୍ଣ୍ଣାଟକରେ ଓମିକ୍ରନ୍‌ ଚିହ୍ନଟ ହୋଇଥିଲେ। ଏବେ ଦେଶର ୧୭ଟି ରାଜ୍ୟରେ ଓମିକ୍ରନ୍‌ ସ୍ପଷ୍ଟ ହୋଇଛି। ୪୦୦ରୁ ଅଧିକ ଲୋକ ଓମିକ୍ରନ୍‌ ଦ୍ୱାରା ସଂକ୍ରମିତ ହୋଇଥିବା ବେଳେ ସରକାର ଓ ପ୍ରଶାସନର ଚିନ୍ତା ବଢ଼ିଛି। ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଦିଲ୍ଲୀ, ହରିୟାଣାରେ ରାତ୍ରିକାଳୀନ କର୍ଫ୍ୟୁ ମଧ୍ୟ ଆରମ୍ଭ ହୋଇଯାଇଛି।

ସତର୍କ ରହିବାକୁ ପରାମର୍ଶ

ଡିସେମ୍ବର ୧୩ ତାରିଖରେ ଚୀନ୍‌ରେ ଓମିକ୍ରନ୍‌ ସଂକ୍ରମଣ ଚିହ୍ନଟ ହୋଇଥିଲା। ଓଡ଼ିଶାରେ ଏପର୍ଯ୍ୟନ୍ତ ୮ ଜଣ ଓମିକ୍ରନ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ସମସ୍ତେ ବିଦେଶ ଫେରନ୍ତା। ପ୍ରଥମ ଥର ପାଇଁ  ନାଇଜେରିଆ ଓ କତାରରୁ ଫେରିଥିବା ୨ ଜଣ ଓମିକ୍ରନ୍‌ ଚିହ୍ନଟ ହୋଇଥିଲେ।  କୋଭିଡ-୧୯ର ୨ୟ ଲହର ଏକ ପ୍ରକାର ନିୟନ୍ତ୍ରିତ ହୋଇଥିବା ବେଳେ ନୂଆ ଭାଇରସ ଲୋକଙ୍କ ଚିନ୍ତା ବଢ଼ାଇଛି। ବଡ଼ଦିନରେ କଟକଣା ଲାଗୁ କରାଯିବା ପରେ ନୂଆବର୍ଷରେ ମଧ୍ୟ ସର୍ବସାଧାରଣ ସ୍ଥଳରେ ପ୍ରତିବନ୍ଧକ ଲାଗିବ। ସରକାର ଏନେଇ ପୂର୍ବରୁ ଘୋଷଣା କରିସାରଛନ୍ତି। ଓମିକ୍ରନ୍‌ରୁ ବର୍ତ୍ତିବା ପାଇଁ ରାଜ୍ୟ ସରକାର ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

ବିଦେଶ ତୁଳନାରେ ଭାରତର ସ୍ଥିତି ଭଲ

ବିଦେଶ ତୁଳନାରେ ଭାରତରେ ଯଦିଓ ଓମିକ୍ରନ୍‌ର ପ୍ରଭାବ ନିୟନ୍ତ୍ରଣରେ ଅଛି ତଥାପି ସରକାର ରଣନୀତି ପ୍ରସ୍ତୁତ କରିଛନ୍ତି। ସରକାର ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ଅଧିକ ଗୁରୁତ୍ୱ ଦେବା ସହିତ କୋଭିଡ୍‌-୧୯ ‘ବୁଷ୍ଟର୍‌ ଡୋଜ୍‌’ ବା ‘ପ୍ରିକସ୍ନାରି ଡୋଜ୍‌’ ଟିକାକୁ ଅନୁମୋଦନ କରିଛନ୍ତି। ଆସନ୍ତା ଜାନୁଆରି ୧୦ ତାରିଖ ଠାରୁ ସ୍ୱାସ୍ଥ୍ୟସେବା ଏବଂ ଆକ୍ରାନ୍ତମାନଙ୍କ ସହ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି ଏବଂ ଅନ୍ୟାନ୍ୟ ରୋଗ ଥିବା ୬୦ ବଷର୍ବରୁ ଊର୍ଦ୍ଧ୍ଵ ବୟସ୍କ ବ୍ୟକ୍ତିଙ୍କୁ ଦିଆଯିବ। ଶନିବାର ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ତେବେ ‘ବୁଷ୍ଟର୍‌ ଡୋଜ୍‌’ ଭାବେ ସୁପରିଚିତ ‘ପ୍ରିକସ୍ନାରି ଡୋଜ୍‌’ ନେବା ଉପରୋକ୍ତ ବର୍ଗର ବ୍ୟକ୍ତିବିଶେଷଙ୍କ ଇଚ୍ଛାଧୀନ। ଡାକ୍ତରଙ୍କ ସୁପାରିସକ୍ରମେ ବରିଷ୍ଠ ନାଗରିକ ‘ବୁଷ୍ଟର୍‌ ଡୋଜ୍‌’ ନେଇ ପାରିବେ।

ଜାନୁଆରୀ ୩ରୁ ପିଲାଙ୍କୁ ଟିକା

୧୫ ବର୍ଷରୁ ୧୮ ବର୍ଷ ବୟସ୍କଙ୍କ ପାଇଁ କରୋନା ଟିକା ଦେବାକୁ ନେଇ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିବା ପରେ କିଛିଟା ଆଶ୍ୱସ୍ତି ମିଳିଛି। ଏହି ବର୍ଗର ୨୫ ଲକ୍ଷ ପିଲା ଉପକୃତ ହେବେ। ଆଗାମୀ ଜାନୁଆରୀ ୩ ତାରିଖରୁ ୧୫ରୁ ୧୮ ବର୍ଷ ବୟସ ବର୍ଗର ପିଲାଙ୍କୁ ଟିକା ଦିଆଯିବ। ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛନ୍ତି ରାଜ୍ୟ ସରକାର। ବୁଷ୍ଟର ଡୋଜ୍‌ ଦେବାକୁ ମଧ୍ୟ ପ୍ରସ୍ତୁତ ଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। କିନ୍ତୁ ‘ବୁଷ୍ଟର୍‌ ଡୋଜ୍‌’ ଭାବେ ଭାରତରେ କେଉଁ ଟିକା ଦିଆଯିବ ତାହା ସ୍ପଷ୍ଟ ହୋଇନାହିଁଯ ମାତ୍ର, ଆମେରିକାରେ ଯେକେଣସି ଅନୁମୋଦିତ ଟିକାକୁ ‘ବୁଷ୍ଟର୍‌ ଡୋଜ୍‌’ ଭାବେ ଦିଆଯାଇ ପାରିବ ବୋଲି  ‘ଦି ସେଣ୍ଟର୍‌ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍‌ ଏବଂ ପ୍ରିଭେନ୍‌ସନ୍‌’ (ସିଡିସି) ଅନୁମତି ଦେଇଛି। 

Share the article

LEAVE A REPLY