୫ ଦିନରେ ବଦଳିଲା ନିଷ୍ପତ୍ତି: ଆହୁରି ଅପେକ୍ଷା କରିବେ ପ୍ରଥମ-ପଞ୍ଚମ ପିଲା

0
122

ଭୁବନେଶ୍ୱର: ସମଗ୍ର ବିଶ୍ୱକୁ ଓମିକ୍ରନ୍‌ ସଂକ୍ରମଣ ଚେତାବନୀ ଦେଉଥିବା ବେଳେ ଭାରତ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ଦେଶରେ ୩ୟ ଲହର ସଂକ୍ରମଣ ଆଶଙ୍କା କରାଯାଉଥିବା ବେଳେ ଏକାଧିକ ରାଜ୍ୟରେ କଟକଣାକୁ ବଢ଼ାଇ ଦିଆଯାଇଛି। ଏହି କାରଣରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଅର୍ଥାତ ପ୍ରାଥମିକ ବିଦ୍ୟାଳୟ ଖୋଲିବା ପାଇଁ ଓଡ଼ିଶା ସରକାର ନିଜର ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି। ସ୍କୁଲ ଖୋଲିବା ନେଇ ଘୋଷଣା ହେବାର ୫ ଦିନ ଭିତରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ବଦଳାଇଛି। ସୂଚନାଯୋଗ୍ୟ ଗତମାସ ୨୮ ତାରିଖରେ ରାଜ୍ୟ ସରକାର ତରବରିଆ ଭାବେ ସ୍କୁଲ ଖୋଲିବା ନେଇ ଘୋଷଣା କରିଥିଲେ। ନୂଆବର୍ଷ ଆରମ୍ଭରୁ କରୋନା ଗ୍ରାଫ୍‌ରେ ପରିବର୍ତ୍ତନ ହୋଇଥିବାରୁ ୨୦୨୨ ଜାନୁଆରୀ ୩ ତାରିଖ ଠାରୁ ପ୍ରଥମରୁ ପଞ୍ଚମ ଶ୍ରେଣୀର ପିଲାଙ୍କ ସ୍କୁଲ ଖୋଲିବ ନାହିଁ। ଅର୍ଥାତ ଏହି ଶ୍ରେଣୀ ଗୁଡ଼ିକରେ ପଢୁଥିବା ପିଲାମାନଙ୍କୁ ସ୍କୁଲ ଯିବା ପାଇଁ ଆହୁରି କିଛିଦିନ ଅପେକ୍ଷା କରିବାକୁ ପଡ଼ିବ। ସମ୍ଭବତଃ ଓମିକ୍ରନ୍‌ ସଂକ୍ରମଣ ହ୍ରାସ ପାଇବା ପରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ଅଫ୍‌ଲାଇନ୍‌ କ୍ଲାସ ହୋଇପାରେ।  

ନିଷ୍ପତ୍ତି ସ୍ଥଗିତ 

କରୋନାର ପରିବର୍ତ୍ତିତ ରୂପ କାରଣରୁ ସରକାର ବାଧ୍ୟ ହୋଇ ବର୍ତ୍ତମାନ ପରିପ୍ରେକ୍ଷୀରେ ପ୍ରାଥମିକ ସ୍କୁଲ ଖୋଲିବା ନେଇ ସ୍ଥଗିତ ରଖିଛନ୍ତି। ଏହା ନିଶ୍ଚିତ ଭାବରେ ସ୍ୱାଗତଯୋଗ୍ୟ ପଦକ୍ଷେପ। ପ୍ରଥମରୁ ପଞ୍ଚମ ଶ୍ରେଣୀ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ଗତମାସ ୨୮ ତାରିଖରେ ଘୋଷଣା କରିଥିଲେ, ସେହି ସମୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୬ ଥିଲା। ଡିସେମ୍ବର ୨୮ ପର୍ଯ୍ୟନ୍ତ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮ ଥିଲା। ଏବେ କିନ୍ତୁ ଦୈନିକ ସଂକ୍ରମଣ ପାଖାପାଖି ୩ ଗୁଣ ହୋଇଥିବା ବେଳେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪ ଗୁଣରୁ ମଧ୍ୟ ଅଧିକ ହୋଇସାରିଛି। ଦିଲ୍ଲୀ-ମୁମ୍ବାଇ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ିଚାଲିଛି। ଦିଲ୍ଲୀରେ ଯେଉଁଦିନ ରାତ୍ରିକାଳୀନ କର୍ଫ୍ୟୁ ଓ କଟକଣା ବଢ଼ିବା ନେଇ ଘୋଷଣା ହୋଇଥିଲା ଓଡ଼ିଶା ସରକାର ସ୍କୁଲ ଖୋଲିବା ନେଇ ସେହିଦିନ ଘୋଷଣା କରିଥିଲେ। ଯଦି ସରକାରଙ୍କ ପ୍ରାଥମିକ ଶ୍ରେଣୀ ଖୋଲିବାର ଥିଲା, ବହୁ ପୂର୍ବରୁ ଖୋଲିଥିଲେ ଅତିକମ୍‌ରେ ପିଲାମାନେ କିଛି ଦିନ ପାଇଁ ଅଫ୍‌ଲାଇନ୍‌ରେ ପଢ଼ିପାରିଥାନ୍ତେ। ଅନ୍ୟଥା ଓମିକ୍ରନ୍‌ ବିପଦ ସମୟରେ ଏକ ବଡ଼ ଘୋଷଣା କରି ଏହାକୁ ରଖିପାରିଲେ ନାହିଁ।

ନିଷ୍ପତ୍ତି ସାମୟିକ ପାଇଁ ସ୍ଥଗିତ

ଏବେ ରାଜ୍ୟ ସରକାର କହୁଛନ୍ତି ଯେ, ପ୍ରାଥମିକ ସ୍କୁଲ ଖୋଲିବା ନିଷ୍ପତ୍ତ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଅର୍ଥାତ ପ୍ରାଥମିକ ସ୍କୁଲ ଖୋଲାଯିବା ନିଷ୍ପତ୍ତି ଜାନୁଆରୀ ୩ ତାରିଖ ଠାରୁ ହୋଇଥିଲା ବେଳେ ତାହା ଏବେ କାର୍ଯ୍ୟକାରୀ ହେବ ନାହିଁ। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି ଯେ, ପଦାଧିକାରୀମାନେ ବିଭିନ୍ନ ସ୍କୁଲ ଗସ୍ତ କରି ବିଦ୍ୟାଳୟ ସହ ଜଡିତ ବ୍ୟକ୍ତିବିଶେଷଙ୍କ ସହିତ ଆଲୋଚନା କରିଥିଲେ। କିନ୍ତୁ ପରିସ୍ଥିତି ଅନୁଯାୟୀ ଏବେ ସ୍କୁଲ ଖୋଲିଲେ ବିପଦ ଥିବାରୁ ନିଷ୍ପତ୍ତିରେ ପରିବର୍ତ୍ତନ ଅଣାଯାଇଛି। ତେବେ ସ୍କୁଲ ଖୋଲିବା ନେଇ ଘୋଷଣା କରିବା ପୂର୍ବରୁ ପଦାଧିକାରୀଙ୍କୁ ପ୍ରଥମେ ତୃଣମୂଳ ସ୍ତରରେ ସମୀକ୍ଷା କରିବାର ଥିଲା। ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ପୂୂର୍ବଭଳି ଜାରି ରହିବ ବୋଲି କୁହାଯାଇଛି।

କାୟା ମେଳାଉଛି ଓମିକ୍ରନ୍‌

କୋଭିଡ୍‌-୧୯ର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ରାଜ୍ୟରେ ଦିନକୁ ଦିନ ଉଗ୍ରରୂପ ନେଉଛି। ମାତ୍ର ୧୪ ଦିନ ଭିତରେ ସଂକ୍ରମିତଙ୍କ ସଂଖ୍ୟା ୩୭ରେ ପହଞ୍ଚିଛି। ଚଳିତ ମାସ ୨ ତାରିଖରେ ଗୋଟିଏ ଦିନରେ ୨୩ ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ପୂର୍ବରୁ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କେବଳ ସେତିକି ନୁହେଁ ରାଜ୍ୟ ଗୋଟିଏ ଦିନରେ ୪୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି।    ଏବେ ରାଜ୍ୟ ସରକାର ଟୀକାକରଣକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ୧୫-୧୮ ବର୍ଷ ପିଲାଙ୍କ ଟୀକାକରଣ ସାରିବାକୁ ଲକ୍ଷ୍ୟ ରଖିଛନ୍ତି। ନିର୍ଦ୍ଧାରିତ ସମୟରେ ଟିକାକରଣ ଲକ୍ଷ୍ୟ ପୂରା କରିବା ପାଇଁ ଜିଲ୍ଲାପାଳ ଓ ମୁଖ୍ୟ ଚିକିତ୍ସାଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲରେ ୧୫ରୁ ୧୮ ବର୍ଷ ପିଲାଙ୍କ ତାଲିକା ପ୍ରସ୍ତୁତ କରିବେ ପ୍ରଧାନଶିକ୍ଷକ। 

Share the article

LEAVE A REPLY