ନିମ୍ନଗାମୀ ହେଉଛି ଶିକ୍ଷାର୍ଥୀଙ୍କ ଭବିଷ୍ୟତ!

0
124

ଭୁବନେଶ୍ୱର: କରୋନା ଭାଇରସ୍‌ ଯୋଗୁଁ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ନିମ୍ନଗାମୀ ହେଉଛି। ପିଲାମାନଙ୍କର ଶିକ୍ଷିବା ଦକ୍ଷତା ହ୍ରାସ ପାଉଛି। ବିଗତ ୨ ବର୍ଷ ହେବ ସମଗ୍ର ବିଶ୍ୱ ସମେତ ଓଡ଼ିଶା ମଧ୍ୟ କରୋନା ସଂକ୍ରମଣରେ ଛନ୍ଦି ହୋଇଯାଇଛି। ମଝିରେ ମଝିରେ ସଂକ୍ରମଣ କମିଥିବାରୁ ହାଇସ୍କୁଲ ଠାରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନରେ ଅତି କମ୍‌ ସମୟ ପାଇଁ ହେଲେ ଅଫ୍‌ଲାଇନ୍‌ରେ କ୍ଲାସ ହେଉଥିବା ବେଳେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ପିଲା ସ୍କୁଲ କ’ଣ ଜାଣି ନାହାନ୍ତି। କ୍ଲାସ୍‌ରୁମ୍‌ରେ ପାଠ କେମିତ ପଢ଼ାଯାଇଥାଏ, ତାହା ଭାବିଥାନ୍ତି। ଏହି ଶ୍ରେଣୀର ପିଲାମାନେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ସାମ୍ନାରେ କେବେ ଦେଖି ନାହାନ୍ତି। ଶିକ୍ଷା ବର୍ଷ ୨୦୨୦-୨୧ ଓ ୨୦୨୧-୨୨ରେ ପ୍ରଥମ ଶ୍ରେଣୀରେ ଛାତ୍ର ଥିବା ପିଲାମାନେ  ଗତ ୩ ତାରିଖରେ ସ୍କୁଲ ଦେଖିବେ ବୋଲି ଯେଉଁ ଆଶା ରଖିଥିଲେ ତାହା ମଉଳି ସାରିଛି। କରୋନା ଯେଭଳି କରାଳ ରୂପ ନେଇଛି, ଆଶା କରାଯାଉଛି ଚଳିତ ଶିକ୍ଷା ବର୍ଷରେ ମଧ୍ୟ ଏହି ପିଲାଙ୍କ ପାଇଁ ସ୍କୁଲ ଯିବା ସ୍ୱପ୍ନ ଅଧୁରା ରହିଯିବ।

କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅନ୍‌ଲାଇନ୍‌ କ୍ଲାସ ବ୍ୟବସ୍ଥା କରିଛନ୍ତି। ଏହା ପୁଣି ଦିନକୁ ୩ରୁ ୫ଟି କ୍ଲାସ। ବିଶ୍ୱରେ ଯେତେବେଳେ କରୋନା ନଥିଲା, ସେହି ସମୟରେ ପିଲାମାନେ ସକାଳ ୧୦ଟାରୁ ସ୍କୁଲ ଯାଇ ଅପରାହ୍ନ ୪ଟା ଆସୁଥିଲେ। ଏତେ ସମୟ ରହି ପାଠ ପଢ଼ିଲା ପରେ ମଧ୍ୟ କିଛି ଛାତ୍ରଛାତ୍ରୀଙ୍କ ବାଦ୍‌ ଦେଲେ ଅଧିକାଂଶ ପିଲାଙ୍କ ଶୈକ୍ଷଣିକ ଜ୍ଞାନ ହାରାହାରି ସ୍ତରକୁ ମଧ୍ୟ ଆସୁ ନଥିଲା। ତେବେ ଅନ୍‌ଲାଇନ୍‌ ମାଧ୍ୟମରେ ପିଲାମାନେ କେତେ ପରିମାଣରେ ଜ୍ଞାନ ଆହୋରଣ କରିବେ, ତାହା ପ୍ରଶ୍ନ ଉଠୁଛି। ଅନ୍ୟପଟରେ ପିଲାମାନେ ଅନ୍‌ଲାଇନ୍‌ ମାଧ୍ୟମରେ ଉତ୍ସର୍ଗୀକୃତ ମନୋଭାବ ନେଇ ପଢୁ ନଥିବା ପରିଲକ୍ଷିତ ହେଉଛି। ଅଭିଭାବକ ମାନେ ମଧ୍ୟ ଏହାକୁ ସେଭଳି ଭାବେ ଗ୍ରହଣ କରି ନାହାନ୍ତି। କେବଳ ସେତିକିରେ କଥା ସରିନାହିଁ, ଓଡ଼ିଶା ଭଳି ଗରିବ ରାଜ୍ୟରେ ଅନ୍‌ଲାଇନ୍‌ ପାଠ ପାଇଁ ବ୍ୟକ୍ତିଭାବରେ ପ୍ରଯୁକ୍ତିବିଦ୍ୟା ଭିତ୍ତିଭୂମିର ଘୋର ଅଭାବ ରହିଛି।

ପୁଣି ବିକଳ୍ପ ବ୍ୟବସ୍ଥାରେ ପରୀକ୍ଷା ଫଳ!

ସରକାର ପିଲାମାନଙ୍କ ପାଇଁ ସମ୍ମେଟିଭି ପରୀକ୍ଷା ବ୍ୟବସ୍ଥା କରିଛନ୍ତି। ବର୍ତ୍ତମାନ ଠାରୁ ଯଦି ସଂକ୍ରମଣ ବଢ଼ି ଚାଲେ ଏବଂ ମାର୍ଚ୍ଚ-ଏପ୍ରିଲ ମାସରେ ଅଫ୍‌ଲାଇନ୍‌ ପରୀକ୍ଷା ନହୁଏ, ତଥାପି ବିକଳ୍ପ ମାଧ୍ୟମରେ ପରୀକ୍ଷା ଫଳ ବାହାରିବ। ଏପର୍ଯ୍ୟନ୍ତ ହୋଇସାରିଥିବା ପରୀକ୍ଷା ଫଳ ଓ ଛାତ୍ର ଉପସ୍ଥାନ ଭିତ୍ତିରେ ପରୀକ୍ଷା ଫଳ ବାହାରି ପିଲାମାନଙ୍କୁ ଆଗାମୀ କ୍ଲାସକୁ ଉନ୍ନୀତ କରାଯାଇପାରିବ। ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲା ବିନା ପରୀକ୍ଷାରେ ପୁଣି ପାସ୍‌ କରିବେ। ଏହା ଦ୍ୱାରା ମାନେ ଉପର କ୍ଲାସକୁ ଯିବେ ସତ। ହେଲେ ବର୍ଷ ସାରା ଅଫ୍‌ଲାଇନ୍‌ ମାଧ୍ୟମରେ କ୍ଲାସ କରି ବାର୍ଷିକ ପରୀକ୍ଷା ଦେଇଥିଲେ, ଯେଭଳି ସେମାନଙ୍କର ବିକାଶ ହୋଇଥାନ୍ତା, ତାହା ହୋଇପାରିବ ନାହିଁ, ଏହା ନିଃସନ୍ଦେହ।

୧୦ରୁ କଲେଜ-ବିଶ୍ୱବିଦ୍ୟାଳୟ ବନ୍ଦ

ଗତବର୍ଷ ଡିସେମ୍ବର ଶେଷ ସପ୍ତାହରେ ରାଜ୍ୟ ସରକାର ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଇଥିଲେ। କିନ୍ତୁ  ହଠାତ୍‌ କରୋନା ସଂକ୍ରମଣ ବଢ଼ିବାରୁ ପ୍ରାଥମିକ ବିଦ୍ୟାଳୟ ଖୋଲିବା ନିଷ୍ପତ୍ତିରେ ପରିବର୍ତ୍ତନ କରିଥିଲେ। ପରେ ସ୍ଥିତି ଦେଖି ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେବେ ବୋଲି କହିଥିଲେ। ଏବେ ୬ଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଅଫ୍‌ଲାଇନ୍‌ କ୍ଲାସ ଜାରି ରହିଥିବା ବେଳେ ଏହା ମଧ୍ୟ ୮ ତାରିଖ ଠାରୁ ବନ୍ଦ ହେବ। ଅଫ୍‌ଲାଇନ୍‌ ମାଧ୍ୟମରେ କ୍ଲାସ ବନ୍ଦ ହେବା ପରେ ପିଲାଙ୍କୁ କେବଳ ଅନ୍‌ଲାଇନ୍‌ କ୍ଲାସର ସାହାରା ନେବାକୁ ପଡ଼ିବ। ଏବେ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ ଅଫ୍‌ଲାଇନ୍‌ କ୍ଲାସ ବନ୍ଦ ରହିବ। ଆଗାମୀ ଜାନୁଆରୀ ୧୦ ତାରିଖ ଠାରୁ ଏହା ଲାଗୁ ହେବ। କିନ୍ତୁ ସ୍ୱାସ୍ଥ୍ୟ ବିଭାଗ ଅଧିନରେ ଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକ ପୂର୍ବ ଭଳି ପରିଚାଳିତ ହେବ।

କ୍ୟାରିୟର ପ୍ରତି ସଂକଟ!

କଲେଜ ଓ ବିଶ୍ୱବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀମାନେ ନିଜର ନିୟମିତ ପାଠ ସହିତ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତ ହେଉଥାନ୍ତି। କଲେଜ-ବିଶ୍ୱବିଦ୍ୟାଳୟ ଗୁଡ଼ିକ ବନ୍ଦ ହୋଇଯିବା ପରେ ହଷ୍ଟେଲ, ମେସ୍‌ ଆଦି ଛାଡ଼ି ଘରକୁ ଯିବାକୁ ପଡ଼ିବ। ଅଫ୍‌ଲାଇନ୍‌ କ୍ଲାସ ବନ୍ଦ ହୋଇଯିବା ପରେ ପିଲାମାନେ ଅନ୍‌ଲାଇନ୍‌ ମାଧ୍ୟମରେ ବେଶୀ ସମୟ ପଢ଼ିବା ଅଭ୍ୟାସ ରଖିପାରନ୍ତି ନାହିଁ। ଏତ୍‌ଦ ବ୍ୟତୀତ କଲେଜ ପଢୁଆ ପିଲା ଘରକୁ ଗଲେ ପାରିବାରିକ କାମରେ ନିୟୋଜିତ ହେବାର ଆଶଙ୍କା ଥାଏ, ଯାହାକି ତାଙ୍କର କ୍ୟାରିୟର ଉପରେ ପ୍ରଭାବ ପଡ଼ିପାରେ। ଉଚ୍ଚଶିକ୍ଷା ପାଇଁ ଅଧ୍ୟୟନ ଓ ପ୍ରକଳ୍ପ ନିର୍ମାଣରେ ବ୍ୟସ୍ତ ଥିବା ପିଲା ମଧ୍ୟ କରୋନାରେ ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ରହିଛି। 

Share the article

LEAVE A REPLY