କରୋନା ବିଗାଡ଼ି ଦେଉଛି ଚିକିତ୍ସା ବ୍ୟବସ୍ଥା

0
209
Spread the love

ଭୁବନେଶ୍ୱର: ଦୀର୍ଘ ୨ ବର୍ଷ ହେଲା କରୋନା ଭାଇରସ୍‌ ସମଗ୍ର ବିଶ୍ୱକୁ ଡରାଇକି ରଖିଛି। କୋଭିଡ-୧୯ ବିଭିନ୍ନ ରୂପ ଧାରଣ କରି ଏପର୍ଯ୍ୟନ୍ତ ୩୦ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ ସଂକ୍ରମିତ କରିସାରିଛି। ସେହିଭଳି ୫୫ ଲକ୍ଷ ଲୋକଙ୍କର ଜୀବନ ନେଇ ସାରିଥିବା ବେଳେ ଲକ୍ଷ ଲକ୍ଷ ପରିବାର ଉଜୁଡ଼ି ଯାଇଛି। ପ୍ରତିକାର ପାଇଁ ଏପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ବ୍ୟବସ୍ଥା ନଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଗବେଷକ, ଚିକିତ୍ସକ, ସରକାର ଓ ପ୍ରଶାସନ କୋଭିଡ-୧୯ ଟିକା ଓ ନମୁନା ପରୀକ୍ଷାକୁ ଅସ୍ତ୍ର କରିଛନ୍ତି। ସେହିପରି ସରକାର ଓ ପ୍ରଶାସନ ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ମାସ୍କ, ସାମାଜିକ ଦୂରତା ଓ ବାରମ୍ବାର ହାତ ଧୋଇବାକୁ ପରାମର୍ଶ ଦେଉଛନ୍ତି। ଯେକୌଣସି ରୋଗୀ ଡାକ୍ତରଖାନାକୁ ଯିବା ମାତ୍ରେ ପ୍ରଥମେ କରୋନା ପରୀକ୍ଷା କରାଇବାକୁ ପଡୁଛି। ତା’ପରେ ଅନ୍ୟ ଚିକିତ୍ସା। ଯାହାବି ହେଉ ଆଜିକାଲି ରିପୋର୍ଟ ଶୀଘ୍ର ଆସୁଛି। ପ୍ରଥମ ଓ ୨ୟ ଲହରରେ କରୋନା ରିପୋର୍ଟ ଆସିବା ବେଳକୁ ଅନେକ ରୋଗୀଙ୍କର ମୃତ୍ୟୁ ହୋଇଯାଉଥିଲା।

କୋଭିଡର ପ୍ରଥମ ଲହରରେ ବହୁବିଧରୋଗରେ ପୀଡିତ ବ୍ୟକ୍ତି ଓ ବୟସ୍କଙ୍କୁ ଆକ୍ରମଣ କରୁଥିବା ବେଳେ ଦ୍ୱିତୀୟ ଲହରରେ ୩୦ରୁ ୫୦ ବର୍ଷ ବୟସ୍କର ଲୋକେ ଅଧିକ ଆକ୍ରାନ୍ତ ଓ ଜୀବନ ହରାଇଲେ। ଦ୍ୱିତୀୟ ଲହର ତୁଳନାରେ ବର୍ତ୍ତମାନ ତଥା ତୃତୀୟ ଲହରରେ କିଶୋର ଓ ଶିଶୁମାନେ ମଧ୍ୟ ସଂକ୍ରମିତ ହେଉଥିବା ପରିଲକ୍ଷିତ ହେଉଛି। ସବୁଠାରୁ ଚିନ୍ତାର ବିଷୟ ହେଲା ଯେ, କରୋନା ଯୋଗୁଁ ଡାକ୍ତର ଓ ଡାକ୍ତରୀ ଟିମ୍‌ ପଜିଟିଭ୍‌ ହେବ। ଯେଉଁମାନେ ରୋଗୀ ଚିକିତ୍ସା କରୁଛନ୍ତି, ସେମାନେ ଯଦି ପଜିଟିଭ ଚିହ୍ନଟ ହେବେ ତା’ହେଲେ ଅବସ୍ଥା କ’ଣ ହେବ। ଏହାରି ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରେ ୧ ହଜାରରୁ ଅଧିକ ଡାକ୍ତର ଓ ମେଡିକାଲ ଟିମ୍‌ କରୋନା ପଜିଟିଭ୍‌ ଚିହ୍ନଟ ହୋଇସାରିଛନ୍ତି। ମହାରାଷ୍ଟ୍ର, ବିହାର, ପଶ୍ଚିମବଙ୍ଗ, ଦିଲ୍ଲୀ, ହରିୟାଣା ଆଦି ରାଜ୍ୟରେ ସର୍ବାଧିକ। ଡାକ୍ତରମାନେ ସତର୍କ ଥାଇ ମଧ୍ୟ କରୋନା ସଂକ୍ରମଣର ଶିକାର ହେଉଛନ୍ତି। 

ମହାରାଷ୍ଟ୍ରରେ ୩୩୮ଡାକ୍ତର ପଜିଟିଭ୍‌
ଗତ ୪ରୁ ୭ତାରିଖ ମଧ୍ୟରେ ମହାରାଷ୍ଟ୍ରର ବିଭିନ୍ନ ହସ୍‌ପିଟାଲରେ ୩୩୮ ଜଣ ଡାକ୍ତର କରୋନା ପଜଟିଭ୍‌ ଚିହ୍ନଟ ହୋଇସାରିଛନ୍ତି। ମହାରାଷ୍ଟ୍ର ଷ୍ଟେଟ୍‌ ଆସୋସିଏଶନ ଅଫ୍‌ ରେସିଡେଣ୍ଟ ଡକ୍ଟର (ଏମ୍‌ଏଆରଡି) ଡ. ଅବିନାଶ ଦହିଫାଲେ ଏହା କହିଛନ୍ତି। ତାମିଲନାଡୁର ଭେଲୋର ସିଏମ୍‌ସି ହସ୍‌ପିଟାଲରେ ୨୦୦ ଡାକ୍ତର, କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଦେଶର ଏହି ଜଣାଶୁଣା ହସ୍‌ପିଟାଲରେ ଚିକିତ୍ସା ସେବାରେ ବ୍ୟାଘତ ସୃଷ୍ଟି ହୋଇଛି। ବିହାର ରାଜଧାନୀ ପାଟଣାସ୍ଥିତ ନାଳନ୍ଦା ମେଡିକାଲ କଲେଜ ଓ ହସ୍‌ପିଟାଲରେ ୭୦ରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କୋଲକାତାର ନ୍ୟାସନାଲ ମେଡିକାଲ କଲେଜ ଏବଂ ହସ୍‌ପିଟାଲରେ ମଧ୍ୟ ସମାନ ଅବସ୍ଥା। ଏଠାରେ ମଧ୍ୟ ଗତ ସୋମବାର ଶତାଧିକ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହେବା ପରେ ଆଇସୋଲେଶନରେ ଅଛନ୍ତି।

ଦିଲ୍ଲୀରେ ୭୭୫ରୁ ଊର୍ଦ୍ଧ୍ୱ ଡାକ୍ତରଙ୍କୁ କରୋନା
ସେହିପରି ଦିଲ୍ଲୀର ବଡ଼ ବଡ଼ ୬ଟି ଡାକ୍ତରଖାନାରେ ୭୫୦ରୁ ଅଧିକ ଡାକ୍ତର କରୋନା ପଜିଟିଭ୍‌ ଚିହ୍ନଟ ହୋଇସାରିଛନ୍ତି। କେବଳ ଦିଲ୍ଲୀ ଏମ୍‌ସରେ ୩୫୦ ଡାକ୍ତରଙ୍କୁ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହେବା ପରେ ଆଇସୋଲେଶନରେ ଅଛନ୍ତି। ଦିଲ୍ଲୀ ଏମ୍‌ସରେ ଡାକ୍ତରଙ୍କ ବ୍ୟତୀତ ଶତାଧିକ ସ୍ୱାସ୍ଥ୍ୟ କର୍ମୀ ମଧ୍ୟ କରୋନା ପଜଟିଭ୍‌ ଚିହ୍ନଟ ହୋଇଛନ୍ତି। ସଫଦରଜଂଗ ହସ୍‌ପିଟାଲରେ ୨୦୦ରୁ ଅଧିକ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ବିଗିଡିଛି। ତେବେ କର୍ତ୍ତୃପକ୍ଷ ୩୦୨ ନନ୍‌-ଏକାଡେମୀ ଡାକ୍ତର ବାହାରୁ ଆଣିବାକୁ ଚିନ୍ତା କରୁଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ରାମ ମନୋହର ଲୋହିଆ ହସ୍‌ପିଟାଲରେ ୯୦ ଜଣ ଡାକ୍ତରଙ୍କ କରୋନା ହୋଇଥିବା ବେଳେ ଲେଡି ହାର୍ଡିଙ୍ଗ ମେଡିକାଲ କଲେଜରେ ପାଖାପାଖି ୧୦୦ ଓ ଗୁରୁ ବାହାଦୂର ହସ୍‌ପିଟାଲରେ ୧୭୫ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ଓଡ଼ିଶାରେ ଡାକ୍ତର ସଂକ୍ରମିତ
ବାହାର ରାଜ୍ୟ ଭଳି ଓଡ଼ିଶାରେ ମଧ୍ୟ ଅନେକ ଡାକ୍ତର କରୋନା ପଜିଟିଭ୍‌ ଚିହ୍ନଟ ହୋଇସାରିଛନ୍ତି। ବୁର୍ଲାସ୍ଥିତ ବୀରସୁରେନ୍ଦ୍ର ସାଏ ମେଡିକାଲରେ ଡାକ୍ତର ଏବଂ କର୍ମଚାରୀ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଭୀମସାରରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଡାକ୍ତର ସଂଖ୍ୟା ହ୍ରାସ ପାଉଛି। ଭୀମସାରରୁ ଶନିବାର ପୁଣି ୭ ଜଣ ଡାକ୍ତରଙ୍କ ସମେତ ୨ଜଣ ଡାକ୍ତରୀ ଛାତ୍ରଛାତ୍ରୀ କୋଭିଡ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପଶ୍ଚିମ ଓଡ଼ିଶାର ଜୀବନରେଖା କୁହାଯାଉଥିବା ଏହି ବଡ଼ମେଡିକାଲରେ ଏମିତିରେ ଡାକ୍ତର ସଂଖ୍ୟା କମ୍‌ ଥିବା ବେଳେ କରୋନା ଦାଉ ସାଜିଛି।

LEAVE A REPLY