ବିନା ପ୍ରଚାରରେ ପଞ୍ଚାୟତ ନିର୍ବାଚନ?

0
230

ଭୁବନେଶ୍ୱର: ଓଡ଼ିଶାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି। ନେତା ମାନେ ମଧ୍ୟ ଅଣ୍ଟା ଭିଡ଼ି ସାରିଛନ୍ତି। ନିର୍ବାଚନ ନେଇ ଯେଉଁ ଦ୍ୱନ୍ଦ୍ୱ ଥିଲା ତାହା ଦୂର ହୋଇଯାଇଛି। ଏଥି ସହିତ ଭୋଜିଭାତର ଆସର ମଧ୍ୟ ଆରମ୍ଭ ହୋଇଯାଇଛି। ନେତାମାନେ ଆଗାମୀ ଦେଢ଼ ମାସ ଯାଏଁ ମସ୍ତି କରିବେ। ବାହାରେ ଖାଇବେ ଓ ବହୁତ କମ୍‌ ସମୟ ପରିବାର ଲୋକଙ୍କ ପାଖରେ ରହିବେ। ଏହାରି ମଧ୍ୟରେ କୁକୁଡା, ମଦ ଦୋକାନୀ, ଛାପାଖାନା ମାଲିକ ମାନେ ଭଲ ରୋଜଗାର କରିବେ। ଚଳିତ ନିର୍ବାଚନରେ କୋଭିଡ କଟକଣା ଯୋଗୁଁ ରୋଡ ଶୋ’ ଓ ରାଲିକୁ ବାରଣ ଥିବାରୁ ଖବରକାଗଜ ଓ ସୋସିଆଲ ମିଡିଆ ପ୍ରଚାର ପାଇଁ ପ୍ରମୁଖ ଭୂମିକା ନେବ ବୋଲି ଚର୍ଚ୍ଚା ହେଉଛି।

ତେବେ ସରକାରୀ ଭାବେ ଯଦିଓ କୁହାଯାଉଛି ଯେ, ବିନା ରାଲି ଓ ରୋଡ ଶୋ’ରେ ନିର୍ବାଚନ ହେବ। କିନ୍ତୁ ଏହାକୁ ନେତାମାନେ ପାଳନ କରିବା ବାକି ରହିଲା। ୩୦ଟି ଜିଲ୍ଲାର ୬୭୯୪ ପଞ୍ଚାୟତରେ ସରକାରଙ୍କ ନିୟମ ମାନି ବିନା ପ୍ରଚାରରେ ନିର୍ବାଚନ ହେବା ସହଜ ନୁହେଁ। ସରକାର ଯାହା ବି ନିୟମ କରନ୍ତୁ ନେତାମାନେ କୋଭିଡ କଟକଣାକୁ ପାଳନ କରିବା ଆଶା କମ୍‌। କାରଣ ଗ୍ରାମାଞ୍ଚଳରେ ଲୋକେ କୋଭିଡ-୧୯ ଓ ଏହାର ନୂଆ ଭାରିଆଣ୍ଟ ଓମିକ୍ରନ୍‌କୁ ଅଣଦେଖା କରୁଥିବା ଦୃଷ୍ଟିଗୋଚର ହେଉଛି। ପଞ୍ଚାୟତ ନିର୍ବାଚନକୁ ନେଇ ଗ୍ରାମାଞ୍ଚଳର ଲୋକେ ଅଧିକ ଉତ୍ସାହିତ ଥାଆନ୍ତି। ସାଧାରଣ ନିର୍ବାଚନରେ ସେମାନଙ୍କ ଭୂମିକା ଯଦିଓ ରହୁଛି, ଏଥିରେ କେବଳ ନେତାମାନେ ସକ୍ରିୟ ଥାଆନ୍ତି। ଜନତା କେବଳ ଭୋଟ ଦେଇଦେଲେ ହେଲା।

୫ଟି ପର୍ଯ୍ୟାୟରେ ମତଦାନ

ଭୁବନେଶ୍ୱରରେ ଗୀତଗୋବିନ୍ଦ ସଦନରେ ରାଜ୍ୟ ନିର୍ବାଚନ କମିଶନ୍‌ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ପରେ ସରପଞ୍ଚ, ସମିତି ସଭ୍ୟ, ବ୍ଲକ ସଭାପତି ଓ ଜିଲ୍ଲା ପରିଷଦ ସଭାପତିଙ୍କ କାଯ୍ୟକାଳ ଏକପ୍ରକାର ସମାପ୍ତ ହୋଇଯାଇଛି କହିଲେ ଚଳିବ।  କାରଣ ବର୍ତ୍ତବାନ ପଦରେ ଥିବା ଏହି ନେତାମାନେ ଆଉ କିଛି ନୂଆ ପଦକ୍ଷେପ ନେଇପାରିବେ ନାହିଁ। କେବଳ କ୍ଷମତା ହସ୍ତାନ୍ତର କରିବାକୁ ପଦବିରେ ରହିବେ। ଆଦର୍ଶ ଆଚରଣବିଧି ଲାଗୁ ହୋଇଥିବାରୁ ସରପଞ୍ଚ, ସମିତ ସଭ୍ୟ, ବ୍ଲକ ସଭାପତି ଓ ଜିଲ୍ଲା ପରିଷଦ ସଭାପତି କିଛି ନୂଆ କାମ କରିପାରିବେ ନାହିଁ। ରାଜ୍ୟରେ ପାଞ୍ଚଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ହେବ। ଆସନ୍ତା ଫେବ୍ରୁଆରି ୧୬, ୧୮, ୨୦, ୨୨ ଓ  ୨୪ ତାରିଖରେ ମତଦାନ ହେବ ଏବଂ ୨୫, ୨୬ ଓ ୨୮ ତାରିଖରେ ଭୋଟ ଗଣତି ହେବ।

ନେତାଙ୍କ ସଜବାଜ

ଆସନ୍ତା ୧୩ ତାରିଖରେ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ପ୍ରାର୍ଥୀ ମାନେ ଜାନୁଆରୀ ୧୭ରୁ ୨୧ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରିପାରିବେ। ଜାନୁଆରୀ ୨୨ରେ ନାମାଙ୍କନପତ୍ର ଯାଞ୍ଚ କରାଯିବ, ୨୫ ସୁଦ୍ଧା ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ। ୨୫ ତାରିଖରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ସବୁ ପର୍ଯ୍ୟାୟର ନିର୍ବାଚନ ଶେଷ ହେବା ପରେ ବ୍ଲକସ୍ତରରେ ଭୋଟ ଗଣତି ହେବ। ତେବେ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ନେତାମାନେ ପ୍ରସ୍ତୁତ ହୋଇ ସାରିଛନ୍ତି। ନେତାମନେ ଏବେ ଆଉ ଠିକ୍‌ ଭାବରେ ଶୋଇ ପାରିବେ ନାହିଁ। ଆଜିକାଲି ପଞ୍ଚାୟତ ଗୁଡ଼ିକୁ ଯେଭଳି ଭାବେ ଅନୁଦାନ ମିଳୁଛି, ନେତାମାନେ ଏଥିରେ ଅଧିକ ଆକର୍ଷିତ ହେବା ସ୍ୱାଭାବିକ। ଲୋକଙ୍କର ସୁବିଧା ଯାହା ହେଉ, ବ୍ୟକ୍ତିଗତ ଭାବେ ସେମାନେ ଅତିକମ୍‌ରେ ମଜବୁତ୍‌ ହୋଇପାରିବେ। ଏଥର ପଞ୍ଚାୟତ ନିର୍ବାଚନ ଖର୍ଚ୍ଚ ବି ବଢ଼ିଛି। ସରପଞ୍ଚ/ସମିତି ସଭ୍ୟ ପ୍ରାର୍ଥୀଙ୍କ ପାଇଁ ୮୦ ହଜାରରୁ ବଢ଼ିଛି ୨ ଲକ୍ଷ ହୋଇଛି ଖର୍ଚ୍ଚ ସୀମା। ସେହିପରି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ୨ ଲକ୍ଷରୁ ବୃଦ୍ଧି ହୋଇ ୫ଲକ୍ଷ ଟଙ୍କା ହୋଇଛି। କିନ୍ତୁ ସରପଞ୍ଚ/ସମିତି ସଭ୍ୟ ପ୍ରାର୍ଥୀ ୧୫ରୁ ୨୦ ଲକ୍ଷ ଏବଂ ଜିଲ୍ଲା ପରିଷଦ ପ୍ରାର୍ଥୀ ୫୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିବେ।

ସଂକ୍ଷେପରେ ପଂଚାୟତ ନିର୍ବାଚନ

-ମୋଟ୍‌ ଓ୍ଵାର୍ଡ: ୯୧, ୯୧୩
-ମୋଟ୍‌ ପଞ୍ଚାୟତ: ୬୭୯୪
-ମୋଟ୍‌ ପଞ୍ଚାୟତ ସମିତି: ୬୭୯୪
-ମୋଟ ଜିଲ୍ଲା ପରିଷଦ: ୮୫୩
-ମତଦାନ: ସକାଳ ୭ଟାରୁ ଦିନ ୧ଟା
-ଭୋଟର: ୨ କୋଟି ୭୯ ଲକ୍ଷ 

LEAVE A REPLY

Please enter your comment!
Please enter your name here