ପଞ୍ଚାୟତ ନିର୍ବାଚନରେ ମିଛ ପ୍ରତିଶ୍ରୁତି

0
146
Spread the love

ଭୁବନେଶ୍ୱର: ଦେଶ ସ୍ୱାଧୀନତାର ୭ ଦଶନ୍ଧି ବିତିଯାଇଛି। ଓଡ଼ିଶାରେ ପଞ୍ଚାୟତିରାଜ ନିର୍ବାଚନକୁ ୬୦ ବର୍ଷ ଅତିକ୍ରମ କରିସାରିଛି। ଏହାରି ମଧ୍ୟରେ ଅନେକ ଗୁଡ଼ିଏ ସରକାର କ୍ଷମତାକୁ ଆସିଛନ୍ତି। ବର୍ତ୍ତମାନର ସରକାର ୨୧ ବର୍ଷ ହେଲା କ୍ଷମତାରେ ଅଛନ୍ତି। ରାଜ୍ୟରେ ୬୦ ହଜାରରୁ ଊର୍ଦ୍ଧ୍ୱ ଗ୍ରାମ ଥିବା ବେଳେ ୧୦ ହଜାର ଗାଁକୁ ବିକାଶ ପହଞ୍ଚି ନଥିବ ବୋଲି ଅନୁମାନ କରାଯାଉଛି। ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକିୟା ଜାରି ଥିବା ବେଳେ ଆସନ୍ତା ମାସ ୧୬ ତାରିଖ ଠାରୁ ମତଦାନ ହେବ। ତେବେ ନିର୍ବାଚନ ପୂର୍ବରୁ ଓ୍ଵାର୍ଡମେମ୍ବର ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ସଭ୍ୟ ପର୍ଯ୍ୟନ୍ତ ପ୍ରଚାରକୁ ଜୋରଦାର କରୁଛନ୍ତି। ଆସନ ମାଡ଼ିବସିବା ପାଇଁ ସମସ୍ତ ନେତା ଉଦ୍ୟମରତ।  ଏବେ ନେତାମାନେ ପ୍ରଚାରକୁ ଜୋରଦାର କରିଥିବା ବେଳେ ଅନେକ ଗାଁରେ ଭୋଟ ବର୍ଜନ ପାଇଁ ଚେତାବନୀ ମିଳୁଛି।

ପଞ୍ଚାୟତ ନିର୍ବାଚନରେ ଅଧିକ ବଳ କଷୁଛନ୍ତି ସରପଞ୍ଚ ଓ ପଞ୍ଚାୟତ ସମିତି ସଭ୍ୟ ପାଇଁ ଅବତୀର୍ଣ୍ଣ ହୋଇଥିବା ପ୍ରାର୍ଥୀ ମାନେ। କାରଣ ଆଜିକାଲି ପଞ୍ଚାୟତକୁ ସରକାର ଭଲ ପାଣ୍ଠି ଯୋଗାଇ ଦେଉଥିବା ବେଳେ ସ୍ଥାନୀୟ ସୂତ୍ରରୁ ମଧ୍ୟ ଭଲ ରୋଜଗାର ହେଉଛି। ସରପଞ୍ଚ ଓ ସମିତି ସଭ୍ୟ ପାଇଁ ଛିଡ଼ା ହେଉଥିବା ନେତାମାନେ ସର୍ବାଧିକ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ବୋଲି ରାଜ୍ୟ ନିର୍ବାଚନ କମିସନର ଘୋଷଣା କରିଥିବା ନେତାମାନେ କିନ୍ତୁ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ମଧ୍ୟ ପଛାଉ ନାହାନ୍ତି। ଏହାର କାରଣ ହେଲା ଯେ, ୫ ବର୍ଷ କ୍ଷମତାରେ ରହିଲେ ବହୁଟଙ୍କା ରୋଜଗାର କରିପାରିବେ।

ବଦଳୁନି ଭାଗ୍ୟ

ପଞ୍ଚାୟତ ନିର୍ବାଚନରେ ନେତା ଯେତେ ଟଙ୍କା ଖର୍ଚ୍ଚ କରି ଛିଡ଼ା ହୁଅନ୍ତୁ ପଛେ, ସାଧାରଣ ଜନତାଙ୍କ ଭାଗ୍ୟ ବଦଳୁ ନାହିଁ। ଆଜି ବି ରାଜ୍ୟର ହଜାର ହଜାର ଗାଁକୁ ପାନୀୟ ଜଳ ବ୍ୟବସ୍ଥା, ରାସ୍ତାଘାଟ, ସ୍ୱାସ୍ଥ୍ୟ ଭିତ୍ତିଭୂମିର ଅଭାବ ରହିଛି। ବର୍ଷା ଦିନ ଆସିଲେ ଅନେକ ଗାଁ ଲୋକଙ୍କର ଚିନ୍ତା ବଢ଼ିଯାଇଥାଏ। ରାସ୍ତାରେ କାଦୁଆ ଭାସିଥାଏ। ଖରାଦିନ ଆସିଲେ ଲୋକଙ୍କୁ ୫ କିମି ପର୍ଯ୍ୟନ୍ତ ପାଣି ଆଣିବାକୁ ଯିବା ପଡେ। ନାଳ ଓ ଝରଣା ଜଳରେ ଶୋଷ ମେଣ୍ଟାଇବାକୁ ପଡ଼ିଥାଏ। ନେତାମାନେ ନିର୍ବାଚନ ସମୟରେ ମିଠା ମିଠା କଥା କହି ଜନତାଙ୍କୁ ଭୋଟ ମାଗିଥାନ୍ତି। ବିକାଶ କଥା ସେମାନେ ଭୁଲି ଯାଇଥାନ୍ତି। ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ତଥା ଦୁର୍ଗମ ଅଞ୍ଚଳରେ ଗମନାଗମନର ବ୍ୟବସ୍ଥା ଅତି କଦର୍ଯ୍ୟ।

ଭୁବନେଶ୍ୱର ଉପକଣ୍ଠରେ ରାସ୍ତା ନାହିଁ

ଦେଶ ସ୍ୱାଧୀନତା ପ୍ରାପ୍ତିର ୭୪ ବର୍ଷ ଅତିକ୍ରମ କରସିାରିଛି। କିନ୍ତି ରାଜଧାନୀ ଭୁପନେଶ୍ୱର ଠାରୁ ଅଳ୍ପ ଦୂରରେ ଥିବା ଜଟଣୀ ନିର୍ବାଚନମଣ୍ଡଳୀର ବେଣାପଂଜରୀ ପଂଚାୟତର ପାଣ୍ଡିଆବିଲି ଗାଁର ଲୋକଙ୍କ ପାଇଁ ସ୍ଥାୟୀ ସଡ଼କ ସ୍ୱପ୍ନ ପାଲଟିଛି। ଏହା ଯେକୌଣସି ଲୋକଙ୍କୁ ବିସ୍ମିତ କରିବ। ଯଦି ରାଜଧାନୀ ଉପକଣ୍ଠରେ ଏଭଳି ଅବସ୍ଥା ଦେଖାଯାଉଛି, ତା’ହେଲେ ମୟୂରଭଂଜର ସୀମାନ୍ତ ହେଉ ମାଲକାନଗିରି ଜିଲ୍ଲାର ଶେଷ ସୀମାରେ ଥିବା ଗାଁର ଅବସ୍ଥା କ’ଣ ଥିବ। ପାଣ୍ଡିଆବିଲି ଗାଁର ଜନସଂଖ୍ୟା ପ୍ରାୟ ୮୦୦ ହୋଇଥିବା ବେଳେ ଏଠାକାର ମତଦାତା ହେଉଛନ୍ତି ୬୦୦। ଏବେ କିନ୍ତୁ ଏହି ଗାଁର ଲୋକେ ଅଧିକ ସଚେତନ ହୋଇଯାଇଛନ୍ତି। ସେମାନେ ଆଗାମୀ ପଞ୍ଚାୟତ ନିର୍ବାଚନ ବର୍ଜନ କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି।  

ବିଦ୍ୟୁତ ସଂଯୋଗ ନାହିଁ

ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡର ଲହୁଣୀପଡ଼ା ବ୍ଲକ ଅନ୍ତର୍ଗତ ଦର୍ଜିଂ ପଞ୍ଚାୟତର କୋଇଲିଝର, ଲୁଧୁଣି, ଢେଙ୍କିଆମ, ଗହମି ଓ ପୁରୁଣାପାଣିରେ ବିଦ୍ୟୁତ ସଂଯୋଗ ନାହିଁ। ଏଠାରେ ଲୋକଙ୍କୁ ଆଜିବି ଡିବିରି, ଲଣ୍ଠନ, ମହମବତୀ ଦରକାର ପଡୁଛି। ଖଣି ଓ ଖାଦାନରେ ପରିପୂର୍ଣ୍ଣ ସୁନ୍ଦରଗଡ଼ ଜିଲ୍ଲାରେ ବିଦ୍ୟୁତ୍‌ର ଅଭାବ ଡିଜିଟାଲ ଇଣ୍ଡିଆକୁ କୁଠାରଘଶତ ଲଗାଇଥାଏ। ଏହି ଜିଲ୍ଲାରେ ଥିବା ରାଉରକେଲା  ସ୍ମାର୍ଟସିଟି ପାଇଁ ଅନ୍ତର୍ଜାତୀୟ ପୁରସ୍କାର ମିଳୁଥିବା ବେଳେ ଗ୍ରାମାଞ୍ଚଳରେ ଲୋକେ କେମିତି ବଞ୍ଚୁଛନ୍ତି, ନିକଟରୁ ଦେଖିଲେ କଷ୍ଟ ଲାଗିଥାଏ।  ବିକାଶର ବହୁ ଦୂରରେ ଥିବା ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବା ପାଇଁ ୫ଟି ଗାଁର ଲୋକେ ନିଷ୍ପତ୍ତି ନେଇଛନ୍ତି।  

LEAVE A REPLY