ତାଲିକାରେ ନାହିଁ ନାଁ, ଲଢ଼ିପାରିଲେନି ନିର୍ବାଚନ

0
85

ଭୁବନେଶ୍ୱର: ଓଡ଼ିଶାରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜାନୁଆରୀ ୨୧ ତାରିଖରେ ନାମାଙ୍କନ ପତ୍ର ଦାଖଲ ସରିଛି। ପଞ୍ଚାୟତ ନିର୍ବାଚନରେ ଓ୍ଵାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦମାନେ ନାମାଙ୍କନ ଦାଖଲ କରି ସାରିବା ପରେ ଏଥର ପ୍ରଚାର କାମରେ ବ୍ୟସ୍ତ ରହିବେ। ମତଦାତାଙ୍କୁ ଆକର୍ଷିତ କରିବା ପାଇଁ ଲୋଭ ଦେଖାଇବେ। ନିର୍ବାଚନ କେମିତି ଜିତିବେ, ସେନେଇ ରାତିରେ ରଣନୀତି କରି ଦିନରେ ପ୍ରୟୋଗ କରିବେ। ନିର୍ବାଚନ ପ୍ରଚାର ପାଇଁ କୋଭିଡ କଟକଣା ଥିବାରୁ ମତଦାତାଙ୍କ ନିକଟତର ହେବା ପାଇଁ ନେତାଙ୍କୁ ଏଥର ଅଧିକ ପରିଶ୍ରମ କରିବାକୁ ହେବ। ପ୍ରଥମ ପର୍ଯ୍ୟାୟର ମତଦାନ ୨୫ ଦିନ ଥିବା ବେଳେ ଏହି ସମୟ ଭିତରେ ସମସ୍ତଙ୍କ ପାଖକୁ ପହଞ୍ଚିବାକୁ ହେବ।

ନିର୍ବାଚନର ଫଳାଫଳ ଯାହା ହେଉପଛେ ଯେଉଁମାନେ ପ୍ରାର୍ଥୀ ପତ୍ର ଦାଖଲ କରିସାରିଛନ୍ତି, ବିଜୟ ନେଇ ବହୁ ଆଶାବାଦୀ। କିନ୍ତୁ ଯେଉଁମାନେ ନିର୍ବାଚନ ଲଢ଼ିବା ପାଇଁ ଦୀର୍ଘ ଦିନରୁ ଆଶା କରି ମଧ୍ୟ ନାମାଙ୍କନ ଦାଖଲ କରିପାରି ନାହାନ୍ତି, ସେମାନଙ୍କ ଠାରୁ ବୋଧେ ଆଉ କେହି ଅଧିକ ଯନ୍ତ୍ରଣା ପାଉ ନଥିଲେ। ଏହାର କାରଣ ହେଉଛି ଭୋଟ ତାଲିକା ପ୍ରସ୍ତୁତିରେ ବ୍ୟାପକ ତ୍ରୁଟି। ନିର୍ବାଚନ ତାଲିକା ଶିକ୍ଷକ ମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥାଏ। ଦାୟିତ୍ୱରେ ଥିବା ଶିକ୍ଷକମାନେ ଉପରସ୍ଥ ଅଧିକାରୀଙ୍କୁ ନୂଆ ତାଲିକା ଓ ସଂଶୋଧନ ତାଲିକା ଦେଇଥାନ୍ତି। ସେ ଯାହା ହେଉ ସରକାରୀ କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ଆଜି ରାଜ୍ୟରେ ଅନେକ ନେତା ନାମାଙ୍କନ ପତ୍ର ଦାଖଲ କରିପାରି ନାହାନ୍ତି। ଅନେକ ସମୟରେ ଦେଖାଯାଇଥାଏ ଯେ, ମୃତ ବ୍ୟକ୍ତିମାନଙ୍କର ନାଁ ମଧ୍ୟ ଭୋଟର ତାଲିକାରେ ଥାଏ। ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଅବହେଳା ଯୋଗୁଁ ଏଭଳି ହୋଇଥାଏ।

ନାମାଙ୍କନ ଦାଖଲ କରିପାରିଲେନି

ନବରଙ୍ଗପୁର ଜିଲ୍ଲାର ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ମଞ୍ଜୁଳା ମାଝୀଙ୍କ ନାଁ ଭୋଟର ତାଲିକାରେ ନାହିଁ। ଏହି ହେତୁ ମଞ୍ଜୁଳା ଜିଲ୍ଲା ପରିଷଦ ସଭ୍ୟ ଭାବେ ନାମାଙ୍କନ ପତ୍ର ଦାଖଲ କରିପାରି ନାହାନ୍ତି। ତାଙ୍କୁ ବିଜେଡି ପକ୍ଷରୁ ନବରଙ୍ଗପୁର ବ୍ଲକ ୨ ନମ୍ବର ଜୋନ୍‌ରେ ଜିଲ୍ଲା ପରିଷଦ ସଭ୍ୟ ଭାବେ ଦଳୀୟ ଟିକେଟ୍‌ ପ୍ରଦାନ କରାଯାଇଥିଲା। ସେ ଗୁରୁବାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରାର୍ଥୀ ପତ୍ର ଆଣିଥିଲେ। କିନ୍ତୁ ଶେଷଦିନରେ ଫର୍ମ ପୂରଣ କରିବା ସମୟରେ ଭୋଟର ତାଲିକାରେ ତାଙ୍କ ନାଁ ନଥିବା ଜାଣିବାକୁ ପାଇଥିଲେ। ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଥିଲେ। ନାମାଙ୍କନ ପତ୍ର ଦାଖଲ କରିବାର ସମୟ ଶେଷ ହେବାକୁ ଯାଉଥିବାରୁ କ’ଣ କରିବେ ଆଉ କିଛି ଭାବି ପାରି ନଥିଲେ। ତାଙ୍କୁ ସମର୍ଥନ ଦେଇଥିବା ନେତାମାନେ ମଧ୍ୟ ନିରୁତ୍ସାହିତ ହୋଇଥିଲେ। ମଞ୍ଜୁଳା ମାଝୀ କଂଗ୍ରେସ ଦଳରୁ ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ନବରଙ୍ଗପୁର ଜିଲ୍ଲାପରିଷଦ ଅଧ୍ୟକ୍ଷା ହୋଇଥିଲେ।

ଫେରି ଆସିଲେ ପ୍ରାର୍ଥୀ

ସରକାରୀ କର୍ମଚାରୀଙ୍କ କର୍ତ୍ତବ୍ୟ ଶୈଳୀ ଦେଖିଲେ ଯେକୌଣସି ଲୋକ ବି ସ୍ତମ୍ଭୀଭୂତ ହୋଇଯିବ। ଜଣେ ବ୍ୟକ୍ତି ୨୩ ବର୍ଷ ବୟସର ନାଗରିକ ହୋଇଥିଲେ ବି ନିର୍ବାଚନରେ ପ୍ରାର୍ଥୀ ହୋଇ ନପାରିବା ଦୁର୍ଭାଗ୍ୟର ବିଷୟ। କୋରାପୁଟ ଜିଲ୍ଲା ଜୟପୁର ବ୍ଲକର ହାଡ଼ିଆ ପଂଚାୟତର ସିରାଗୁଡ଼ା ଗାଁର ରଘୁନାଥ ପୁଜାରୀଙ୍କ ପତ୍ନୀ ପ୍ରମିଳା ପୁଜାରୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରି ନାହାନ୍ତି। ତାଙ୍କ ପାଖରେ ଭୋଟ ପରିଚୟ ପତ୍ର ଥିଲେ ବି ନୂତନ ତାଲିକାରେ ନାଁ ନାହିଁ।  ତାଙ୍କ ନାଁ ଭୋଟର ତାଲିକାରେ ନଥିବା ଦର୍ଶାଇ ପଂଚାୟତ ସଂପ୍ରସାରଣ ଅଧିକାରୀ ତାଙ୍କୁ ଫେରାଇ ଦେଇଥିଲେ। ଯଦି ଜଣେ ପ୍ରାର୍ଥୀଙ୍କ ପାଖରେ ଭୋଟ ପରିଚୟ ପତ୍ର ଅଛି ଏବଂ ତାଲିକାରେ ତାଙ୍କର ନାଁ ନାହିଁ, ଏଥି ପାଇଁ ଦାୟୀ କିଏ? ପ୍ରାର୍ଥୀ ନାଁ ନିର୍ବାଚନ ତାଲିକା ପ୍ରସ୍ତୁତ କରିଥିବା କର୍ମଚାରୀ।

କାର୍ଯ୍ୟାନୁଷ୍ଠାନ ଦରକାର

ନିର୍ଭୁଲ ଓ ସଠିକ ଭୋଟର ତାଲିକା ପ୍ରସ୍ତୁତି କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଚୁର ମାତ୍ରାରେ ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହି ତାଲିକା ପ୍ରସ୍ତୁତ କରିବା ପାଇଁ ବହୁତ ସମୟ ଦେଉଛନ୍ତି। ତଥାପି କର୍ମଚାରୀଙ୍କ ଅବହେଳା କାରଣରୁ ଅନେକ ଲୋକଙ୍କ ନାଁ ତାଲିକାରୁ ବାଦ୍‌ ପଡୁଥିବା ଅଭିଯୋଗ ହେଉଛି। ଅପରପକ୍ଷେ ମୃତ ବ୍ୟକ୍ତିଙ୍କ ନାଁ ମଧ୍ୟ ସଂଶୋଧିତ ତାଲିକାରେ ସ୍ଥାନ ପାଉଛି, ଯାହାକି ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକିୟା ପ୍ରକାଶ ପାଉଛି। ଯେଉଁଠି ତ୍ରୁଟି ରହୁଛି, ତାହାର ସମାଧାନ ହେବା ଦରକାର। ଅପରପକ୍ଷେ ଏହି କାମରେ ନିୟୋଜିତ ଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର। 

Share the article

LEAVE A REPLY