ମହାରାଷ୍ଟ୍ରରେ ଖୋଲିଲା ସ୍କୁଲ, ଓଡ଼ିଶାରେ ଖୋଲିବ କି?

0
41

ଭୁବନେଶ୍ବର: କୋଭିଡ-୧୯ର ନୂଆ ସଂକ୍ରମଣ ‘ଓମିକ୍ରନ୍‌’ ଯୋଗୁଁ ସମଗ୍ର ବିଶ୍ବ ସମେତ ଓଡ଼ିଶାରେ ୩ୟ ଲହର ପରିସ୍ଥିତି ଉପୁଜିଥିବାରୁ ପିଲାମାନଙ୍କର ଭବିଷ୍ୟତ ଆଶା ଓ ଆଶଙ୍କା ଭିତରକୁ ଠେଲି ହୋଇଯାଉଛି। ଗତ ୨ ବର୍ଷ ହେଲା, କରୋନାର ଭାଇରସ୍‌ ଯୋଗୁଁ ପିଲାମାନଙ୍କର ଜ୍ଞାନ କମିବାରେ ଲାଗିଛି। ରାଜ୍ୟରେ ଗତ ୩ ତାରିଖ ଠାରୁ ସ୍କୁଲ ଖୋଲିବାକୁ ସରକାର ଚିନ୍ତା କରୁଥିବା ବେଳେ ଅଚାନକ କରୋନା ପୁଣି ଥରେ ବଢ଼ିଚାଲିଲା। ଫଳରେ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଥିଲା। ସଂକ୍ରମଣ କେବେ ହ୍ରାସ ପାଇବ ଓ ପିଲାମାନେ ସ୍କୁଲ ଯିବେ, ସେ ବାବଦରେ କେହି କହିପାରୁ ନାହାନ୍ତି। କରୋନା ସଂକ୍ରମଣ ରୂପ ବଦଳାଇ ଯଦି ଆଉ କିଛି ବର୍ଷ ରହିଯାଏ ତା’ହେଲେ କୋଟି କୋଟି ପିଲାମାନଙ୍କର ଶୈକ୍ଷଣିକ ବିକାଶ ଉପରେ ରୋକ୍‌ ଲାଗିଯିବ। ଦେଶରେ ପ୍ରତିଭା ହାର ହ୍ରାସ ପାଇଯିବ।

ରାଜ୍ୟରେ ୨ ବର୍ଷ ହେଲା ଅନ୍‌ଲାଇନ୍‌ ମାଧ୍ୟମରେ ଶିକ୍ଷାଦାନ ଚାଲିଥିବା ବେଳେ ତାହା ସମାଜର ସବୁ ବର୍ଗର ଲୋକଙ୍କ ମଧ୍ୟରେ ସଂପୂର୍ଣ୍ଣ ଭାବରେ ଗ୍ରହଣୀୟ ହୋଇପାରି ନାହିଁ। ପ୍ରଥମତଃ ଓଡ଼ିଶା ଏକ ଗରିବ ରାଜ୍ୟ ହୋଇଥିବାରୁ ପ୍ରଯୁକ୍ତିବଦ୍ୟାର ଘୋର ଅଭାବ ରହିଛି। ସ୍ମାର୍ଟଫୋନ୍‌ ଓ କମ୍ପ୍ୟୁଟର ସବୁ ପରିବାର ପାଖରେ ନାହିଁ। ଆଦିବାସୀ ଅଧ୍ୟୁଷିତ ଏବଂ ଦୁର୍ଗମ ଅଞ୍ଚଳରେ ଅବସ୍ଥା ଆହୁରି ଶୋଚନୀୟ। ଯେଉଁଠାରେ ଭିତ୍ତିଭୂମି ରହିଛି, ସେମାନେ ମଧ୍ୟ ଅନ୍‌ଲାଇନ୍‌ ପାଠ ବାଧ୍ୟବାଧକତାରେ ପଢୁଛନ୍ତି। ତୃତୀୟ କଥା ଟା ହେଲା ପୂର୍ବରୁ ଅନ୍‌ଲାଇନ୍‌ କ୍ଲାସ ଗୁଡ଼ିକ ଯେଭଳି ଭାବରେ ପରିଚାଳିତ ହେଉଥିଲା, ଏବେ ଆଉ ଏହା ସେହିଭଳି ହେଉନାହିଁ।

ମହାରାଷ୍ଟ୍ରରେ ଖୋଲିଲା ସ୍କୁଲ

ଦେଶରେ ଏବେ କରୋନା ସଂକ୍ରମଣ ଲାଗି ଦୈନିକ ପ୍ରାୟ ୩ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ପଜିଟିଭ୍‌ ଚିହ୍ନଟ ହେଉଥିବା ବେଳେ ମହାରାଷ୍ଟ୍ରରେ ଏହି ସଂଖ୍ୟା ପ୍ରାୟ ୪୦ ହଜାର ରହୁଛି। ଏହାରି ମଧ୍ୟରେ ସୋମବାର ଠାରୁ ମହାରାଷ୍ଟ୍ରରେ ସ୍କୁଲ ଗୁଡ଼ିକ ଖୋଲିଛି। ପ୍ରଥମ ଶ୍ରେଣୀ ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ା ଆରମ୍ଭ ହୋଇଛି ସତ, କିନ୍ତୁ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୫୦ ପ୍ରତିଶତ ମଧ୍ୟ ହୋଇପାରି ନାହିଁ। ଏହାର ମୂଳ କାରଣ ହେଲା ଯେ, ଅଭିଭାବକ ମାନେ ସେମାନଙ୍କର ପିଲାମାନଙ୍କୁ ସ୍କୁଲ ଛାଡ଼ିବାକୁ ସୁରକ୍ଷିତ ମନେ କରୁନାହାନ୍ତି। ପିଲାମାନଙ୍କୁ ଯେତେ ଯାହା ବୁଝାଇଲେ ମଧ୍ୟ ସେମାନେ କୋଭିଡ ଗାଇଡଲାଇନ୍‌କୁ ପାଳନ କରି ବିଦ୍ୟାଳୟରେ ପରିଚାଳିତ ହୋଇପାରିବେ ନାହିଁ। ତେଣୁ ସେମାନଙ୍କୁ ସ୍କୁଲ ଛାଡ଼ିବା ଦ୍ବାରା ବିପଦ ବଢ଼ିପାରେ।

୬୨% ଅଭିଭାବକ ଚାହୁଁନାହାନ୍ତି

ମହାରାଷ୍ଟ୍ରରେ ସ୍କୁଲ ଗୁଡ଼ିକ ପୁଣି ଥରେ ଖୋଲିଛି ସତ। କିନ୍ତୁ ପିଲାମାନଙ୍କୁ ସବୁ ଅଭିଭାବକ ଛାଡ଼ିବାକୁ ପ୍ରସ୍ତୁତ ନୁହଁନ୍ତି। ଏକ ସର୍ଭେରୁ ଜଣାଯାଇଛି ଯେ, ୬୨ ପ୍ରତିଶତ ଅଭିଭାବକ ସେମାନଙ୍କ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ୪୯୭୬ ଜଣଙ୍କୁ ନେଇ ଏକ ସଂସ୍ଥା ଦ୍ବାରା ସର୍ଭେ କରାଯାଇଥିଲା, ଯେଉଁଥିରେ ୬୭ ପ୍ରତିଶତ ପୁରୁଷ ଓ ୩୩ ପ୍ରତିଶତ ମହିଳା ଥିଲେ। ମହାରାଷ୍ଟ୍ରରେ ୧୬ ପ୍ରତିଶତ ଅଭିଭାବକ ନିଜ ପିଲାଙ୍କୁ ସ୍କୁଲ ଛାଡ଼ିଥିବା ବେଳେ ୧୧ ପ୍ରତିଶତ ଆଗାମୀ ଦିନରେ ଛାଡ଼ିବାକୁ ପ୍ରସ୍ତୁତ ଅଛନ୍ତି।

କରୋନାକୁ ବୁଝିହେଉନି

ବାସ୍ତବରେ କରୋନା ଏକ ନୂଆ ରୋଗ ହୋଇଥିବାରୁ ଏହାକୁ ବୁଝିବା ସହଜ ହେଉନାହିଁ। ତେଣୁ ଦେଶବ୍ୟାପୀ ଏବେ ସ୍କୁଲ ଗୁଡ଼ିକ ବନ୍ଦ ରହିଛି। ଅନ୍ୟପଟରେ କୋଭିଡ-୧୯ ସଂପର୍କରେ ବିଶେଷଜ୍ଞମାନେ ଯେଭଳି ଭବିଷ୍ୟତବାଣୀ କରୁଛନ୍ତି, ତାହା ଅଭିଭାବକମାନଙ୍କର ଚିନ୍ତା ଅଧିବ ବଢ଼ାଉଛି। ବିଶେଷଜ୍ଞମାନଙ୍କ କହିବା ଅନୁସାରେ ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା କରୋନା ପିକ୍‌ ସ୍ତରରେ ପହଞ୍ଚିବ। ତେଣୁ ସରକାର ପିକ୍‌ ସମୟ ଅତିକ୍ରମ କରି ସାରିବା ପରେ ସ୍ଥିତି ଦେଖି ସ୍କୁଲ ଖୋଲିବାକୁ ଚିନ୍ତା କରିବେ।  

ମାର୍ଚ୍ଚରେ ଖୋଲିବକି ସ୍କୁଲ?

ଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ରାଜ୍ୟରେ ଗତ ୨୧ ତାରିଖ ଠାରୁ ଦୈନିକ ସଂକ୍ରମଣ ତୁଳନାରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ଅଧିକ ରହୁଛି। ଯଦି ଏଭଳି ସ୍ଥିତି ଜାରି ରୁ‌ହେ, ତା’ହେଲେ ଫେବୃଆରୀ ଶେଷ ବେଳକୁ କରୋନା ନିୟନ୍ତ୍ରିତ ସ୍ଥିତିରେ ପହଞ୍ଚି ଯାଇପାରେ। ଯଦି ଏହା ହୁଏ ତା’ହେଲେ ମାର୍ଚ୍ଚ ମାସରେ ସ୍କୁଲ ଖୋଲିବାରେ କୌଣସି ଅସୁବିଧା ହୋଇ ନପାରେ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ମାଟ୍ରିକ୍ ଓ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସଠିକ୍‌ ସମୟରେ ହେବ। ରାଜ୍ୟରେ କରୋନା ସଂକ୍ରମଣ ତଳମୁହାଁ ହୋଇଥିବାରୁ ପରୀକ୍ଷା ଘୁଞ୍ଚାଇବାର ଆବଶ୍ୟକତା ପଡ଼ି ନପାରେ। ଦଶମ ଓ ଦ୍ୱାଦଶ ପରୀକ୍ଷା କରିବାକୁ ଆମେ ଚହୁଁଛୁ। ସଠିକ ସମୟରେ ପରୀକ୍ଷା କରାଇବା ଓ ରେଜଲ୍ଟ ବାହାର କରିବା ନେଇ ବିଭାଗ ଆଶାବାଦୀ ଅଛି।

Share the article

LEAVE A REPLY