ଅମର ଯବାନ ଜ୍ୟୋତି: ଭିନ୍ନ ଏକ ଦର୍ଶନୀୟ ସ୍ଥାନ

0
58

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଯୁଦ୍ଧର ପ୍ରତୀକ ‘ଅମର ଯବାନ ଜ୍ୟୋତି’ କିଛି ଦିନ ପୂର୍ବରୁ ଜାତୀୟ ଯୁଦ୍ଧ ସ୍ମାରକୀ ଜ୍ୟୋତିରେ ବିଲୟ ହୋଇଯାଇଛି।  ୧୯୭୧ ଯୁଦ୍ଧରେ ସହିଦ ଭାରତୀୟ ଯବାନଙ୍କ ସ୍ମୃତିରେ ସ୍ଥାପିତ ‘ଅମର ଯବାନ ଜ୍ୟୋତି’କୁ ୫୦ ବର୍ଷ ପରେ ସେନାର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଜାତୀୟ ଯୁଦ୍ଧ ସ୍ମାରକ ପୀଠରେ ବିଲୟ କରାଯାଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ। କାରଣ ଅମର ଯବାନ ଜ୍ୟୋତିକୁ ଯୁଦ୍ଧ ସ୍ମାରକ ସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି। ସେନା ସ୍ତରରେ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରାଯାଇଥିବା ବେଳେ ଦେଶର କିଛି ରାଜନେତା ଖୋଲାଖୋଲି ନ ହେଲେ ବି ମନେ ମନେ ବିରୋଧ କରିଛନ୍ତି।  

‘ଜାତୀୟ ଯୁଦ୍ଧ ସ୍ମାରକୀ’ ନିଶ୍ଚିତ ଭାବେ କୌଣସି ଏକ ଦର୍ଶନୀୟ ସ୍ଥାନ ତୁଳନାରେ କମ୍‌ ନୁହେଁ। ଏହାକୁ ପର୍ଯ୍ୟଟନ ସ୍ଥଳୀ ମଧ୍ୟ କହିଲେ କହିଲେ କିଛି ଭୁଲ ହୋଇ ନପାରେ। ଯବାନମାନେ ନିଜ ଜୀବନର ଗୁରୁତ୍ୱପୂର୍ଣ୍ଣ ସମୟକୁ ଦେଶ ସେବାରେ ନିୟୋଜିତ କରୁଛନ୍ତି। ଏହି ସେବା କାଳରେ ଅନେକ ଯବାନ ସହିଦ ହୋଇଯାଉଛନ୍ତି। ନିଜ ପରିବାରର ଭବିଷ୍ୟତକୁ ଗଢ଼ିପାରୁ ନାହାନ୍ତି। ତେଣୁ ଦେଶର ସାଧାରଣ ଜନତା ଅତିକମ୍‌ରେ ସହିଦ୍‌ ଯବାନଙ୍କ ପରିବାର ପ୍ରତି କିଛି କରିବାର ଦାୟିତ୍ୱ ରହିଛି। ଜାତୀୟ ଯୁଦ୍ଧ ସ୍ମାରକୀ ଏହି ସହିଦ ଯବାନ ମାନଙ୍କ ବଳିଦାନକୁ ମନେ ପକାଇ ଦେଉଥିବାରୁ ଏହା ଏକ ତୀର୍ଥ ସ୍ଥଳ ତୁଳନାରେ କିଛି କମ୍‌ ନୁହେଁ।  

ଦେଶ ପ୍ରତି ଦାୟିତ୍ୱ

ଭାରତ ୭୫ତମ ସ୍ୱାଧୀନତା ଦିବସ ଅବସରରେ ‘ଆଜାଦି କା ଅମୃତ ମହୋତ୍ସବ’ ପାଳନ କରୁଛି। ଏହି କ୍ରମରେ ଜାତୀୟତାର ଗୁରୁତ୍ୱ ବଢ଼ିଯାଇଛି। ଦିଲ୍ଲୀକୁ ବୁଲିଯାଉଥିବା ଲୋକେ ଇଣ୍ଡିଆ ଗେଟ୍‌, କୁତବ୍‌ମିନାର, ମେଟ୍ରୋ, ସଂସଦ ଭବନ ଆଦି ଭ୍ରମଣ କରିଥାନ୍ତି। ତେଣୁ ଏହି ଲୋକମାନେ ମଧ୍ୟ ‘ଅମର ଯବାନ ଜ୍ୟୋତି’ ଓ ଜାତୀୟ ଯୁଦ୍ଧ ସ୍ମାରକ ସ୍ଥଳକୁ ଯିବାର ଆବଶ୍ୟକତା ରହିଛି। ଦେଶର ଦାୟିତ୍ୱପୂର୍ଣ୍ଣ ନାଗରିକ ଭାବେ ଏହି ପବିତ୍ର ସ୍ଥଳ ଭ୍ରମଣ କରି ଏହାର ଗୁରୁତ୍ୱ ବଢ଼ାଇବାର ଦରକାର ଅଛି। ଏହି ସ୍ଥାନକୁ ବୁଲିଯିବା ଦ୍ୱାରା ପ୍ରତ୍ୟେକଙ୍କ ମନରେ ଜାତୀୟତା ପ୍ରୀତି ବଢ଼ିବା ସହିତ ନିଜକୁ ଭାରତ ମାତାର ସନ୍ତାନ ବୋଲି ଗର୍ବ ଅନୁଭବ ହେବ।

କ’ଣ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକପ୍ରିୟ ବେତାର କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ର ୮୫ତମ ସଂସ୍କରଣରେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି, ‘ସ୍ୱାଧୀନତାର ଅମୃତ ମହୋତ୍ସବ’ରେ ଦେଶ ତା’ର ଜାତୀୟ ସଙ୍କେତଗୁଡ଼ିକର ପୁନଃସ୍ଥାପନ ପାଇଁ ଉଦ୍ୟମ କରୁଛି। ସେହିକ୍ରମରେ ‘ଇଣ୍ଡିଆ ଗେଟ୍‌’ରେ ପ୍ରଜ୍ଜ୍ଵଳିତ ‘ଅମର ଯବାନ ଜ୍ୟୋତି’କୁ ‘ଜାତୀୟ ଯୁଦ୍ଧ ସ୍ମାରକୀ’ରେ ଥିବା ଜ୍ୟୋତିରେ ମିଶାଇ ଦିଆଯାଇଛି। ଅମର ଯବାନ୍‌ ଜ୍ୟୋତି ଭଳି ଆମର ସହିଦ, ତାଙ୍କର ପ୍ରେରଣା ଓ ତାଙ୍କର ଅବଦାନ ଅମର। ‘ଜାତୀୟ ଯୁଦ୍ଧ ସ୍ମାରକୀ’ ବୁଲି ଯିବାଲାଗି ଆପଣମାନଙ୍କୁ ମୋର ଅନୁରୋଧ। ପିଲାମାନଙ୍କୁ ମଧ୍ୟ ସେଠାକୁ ବୁଲାଇ ନିଅନ୍ତୁ। ସେଠାରେ ଆପଣମାନେ ଭିନ୍ନ ପ୍ରକାରର ଶକ୍ତି ଓ ପ୍ରେରଣ ଅନୁଭବ କରିପାରିବେ।

ଛତିଶଗଡ଼ରେ ଅମର ଯବାନ ଜ୍ୟୋତି

ଜାତୀୟ ସ୍ତରରେ ନୂଆଦିଲ୍ଲୀରେ ‘ଅମର ଯବାନ ଜ୍ୟୋତି’ର ପ୍ରତିଷ୍ଠା ହୋଇଥିବା ବେଳେ ଛତିଶଗଡ଼ ସରକାର ରାଜ୍ୟରେ ସହିଦ ସୈନିକ ଏବଂ ନିରାପତ୍ତା ବଳର ଅନ୍ୟାନ୍ୟ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ରାୟପୁରରେ ଏକ ସ୍ମାରକୀ ର୍ନିମାଣ କରିବାକୁ ଯାଉଛି। ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଶନିବାର କହିଛନ୍ତି, ଦିଲ୍ଲୀର ଇଣ୍ଡିଆ ଗେଟ୍‌ରେ ପ୍ରଜ୍ଜ୍ଵଳିତ ଅମର ଯବାନ ଜ୍ୟୋତିକୁ ଜାତୀୟ ଯୁଦ୍ଧ ସ୍ମାରକୀରେ ମିଶାଇ ଦିଆଛି। ଏହା ଖୁବ୍‌ କଷ୍ଟ ଦେଇଛି। ଛତିଶଗଡ଼ ସରକାର ଛତିଶଗଡ଼ ସଶସ୍ତ୍ର ବଳର ୪ର୍ଥ ବାଟାଲିୟନ୍‌ ପରିସରରେ ସହିଦମାନଙ୍କ ସମ୍ମାନାର୍ଥେ ‘ଛତିଶଗଡ଼ ଅମର ଯବାନ ଜ୍ୟୋତି’ ନାମରେ ସ୍ମାରକଟିଏ ନିର୍ମାଣ କରିବାକୁ ଯାଉଛନ୍ତି। ଏହି ପ୍ରକଳ୍ପ ପାଇଁ କଂଗ୍ରେସର ବରିଷ୍ଠ ନେତା ରାହୁଲ ଆଗାମୀ ଫେବ୍ରୁଆରୀ ୩ ତାରିଖରେ ଶିଳାନ୍ୟାସ କରିବେ।  

Share the article

LEAVE A REPLY