ଶ୍ରଦ୍ଧାଳୁଙ୍କ ଭିଡରେ ପୁରିବ ପୁରୀ

0
79

ଭୂବନେଶ୍ୱର: ଦୀର୍ଘ ୨୦ ଦିନର ବ୍ୟବଧାନ ପରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ସିଂହ ଦ୍ୱାରା ଖୋଲୁଛି । ପୁଣି ଥରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ହେଉଛି । ୨୨ଟି ପାହଚରେ ଚଢ଼ି ଶ୍ରଦ୍ଧାଳୁ ନିଜକୁ ଧନ୍ୟ ମନେ କରିବେ । ଭକ୍ତ ମାନେ ଗରୁଡ଼ ଖମ୍ବରେ ମୁଣ୍ଡିଆ ମାରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଶୀର୍ବାଦ ନେଉଛନ୍ତି । ଠାକୁରଙ୍କ ହୁଣ୍ଡିରେ କିଛି ରାଶି ପକାଇବାର ସୁଯୋଗ ପାଇପାରୁଛନ୍ତି । ପଣ୍ଡାଙ୍କ ହାତରୁ ତୁଳସୀ ପତ୍ର ପାଇ ନିଜକୁ ଧନ୍ୟ ମନେ କରିବେ । ସେହିପରି ଆନନ୍ଦ ବଜାରରେ ବୁଲି ଅବଢ଼ା ପାଇବେ । ବନ୍ଧୁ, ବାନ୍ଧବ, ସାଙ୍ଗସାଥୀଙ୍କ ପାଇଁ ମଧ୍ୟ କିଛି ନେଇଯାଇପାରିବେ ।

ରାଜ୍ୟରେ କରୋନା ସଂକ୍ରମଣ ହଠାତ୍ ବଢ଼ିଯିବାରୁ ଗତ ୧୦ ତାରିଖରେ ଶ୍ରୀମନ୍ଦିର ସାଧାରଣ ଭକ୍ତଙ୍କ ପାଇଁ ବନ୍ଦ ହୋଇଯାଇଥିଲା । ଭକ୍ତ ମାନେ ଆଉ କାଳିଆ ଠାକୁରଙ୍କ ଦର୍ଶନ କରିପାରି ନଥିଲେ । ଯେଉଁମାନଙ୍କ ପାଖରେ ଶ୍ରୀମନ୍ଦିରରେ କଟକଣା ନେଇ ସୂଚନା ନଥିଲା, ସେମାନେ ପୁରୀ ଯାଇଥିଲେ । କିନ୍ତୁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିପାରୁ ନଥିଲା । ବାହାର ରାଜ୍ୟରୁ ଆସିଥିବା ଭକ୍ତମାନଙ୍କର କଷ୍ଟ ଆହୁରି ବଢ଼ିଥିଲା । ସେମାନେ କେତେ ଆଶା ନେଇ ବହୁଦୂରରୁ ଆସିଥିବେ । ମନ୍ଦିର ଭିତରକୁ ପ୍ରବେଶ ଅନୁମତି ନ ମିଳିବାରୁ ପତିତପାବନ ପାଖରୁ ମୁଣ୍ଡିଆ ମାରି ଚାଲି ଯାଇଥିଲେ । ଏବେ ମନ୍ଦିର ଖୋଲିବା ପରେ ପୁଣି ଥରେ ପୁରୀରେ ଭକ୍ତଙ୍କର ଭିଡ଼ ହେବ ।

ଭକ୍ତଙ୍କ ପାଇଁ ୧୫ ଘଣ୍ଟା ଖୋଲିବ ମନ୍ଦିର

କରୋନା ସଂକ୍ରମଣ ଯୋଗୁଁ ୨୦୨୦ ମାର୍ଚ୍ଚ ମାସ ଠାରୁ ଶ୍ରୀମନ୍ଦିର ଉପରେ ବାରମ୍ବାର କଟକଣା ଲାଗୁ ରହୁଛି । ୩ୟ ଲହରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ  ଭକ୍ତମାନେ ଶ୍ରୀମନ୍ଦିରରେ ପ୍ରବେଶ କରିପାରି ନାହାନ୍ତି । ଏହି ସମୟ ମଧ୍ୟରେ କେବଳ ସୀମିତ ଭକ୍ତ ଓ ସେବାୟତଙ୍କ ଦ୍ୱାରା ନିତିକାନ୍ତି ହୋଇଛି । ଫେବ୍ରୁଆରୀ ୧ ତାରିଖ ଠାରୁ ଶ୍ରୀମନ୍ଦିର ସାଧାରଣ ଦର୍ଶକଙ୍କ ପାଇଁ ଖୋଲା ରହୁଥିବାରୁ ପୁଣି ଥରେ ପୁରୀ ଭକ୍ତଙ୍କ ଭିଡ଼ରେ ଉଛୁଳି ପଡ଼ିବ । ଜଗନ୍ନାଥଙ୍କ ଦର୍ଶନ ପାଇବା ପାଇଁ ବ୍ୟାକୁଳ ହୋଇ ଉଠୁଥିବା ଭକ୍ତମାନେ ପୁରୀରେ ପୁଣି ଗହଳି ଲଗାଇବେ । ତେବେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ପ୍ରତି ସୋମବାର ଠାରୁ ଶନିବାର ପର୍ଯ୍ୟନ୍ତ ସକାଳ ୬ଟାରୁ ରାତି ୯ଟା ଯାଏଁ ଖୋଲିବ । ରବିବାର ଦିନ ଭିଡ ଏଡାଇବା ପାଇଁ ଓ ବିଶୋଧନ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ ।

ସଚେତନ ରୁହନ୍ତୁ ଭକ୍ତ

ତେବେ ଭକ୍ତଙ୍କୁ ମନେ ରଖିବାକୁ ହେବ, ଠାକୁରଙ୍କ ଦର୍ଶନ ସମୟରେ କୋଭିଡ-୧୯ କଟକଣାକୁ ପାଳନ କରବାକୁ ହେବ । କରୋନା ଟିକାର ଉଭୟ ଡୋଜ୍ ନେଇଥିବା ଶ୍ରଦ୍ଧାଳୁ ମନ୍ଦିରକୁ ପ୍ରବେଶ କରିପାରିବେ । ଯଦି ଜଣେ ବ୍ୟକ୍ତି ଟିକା ନେଇନାହାନ୍ତି ତା’ହେଲେ ୯୬ ଘଣ୍ଟା ପୂର୍ବର ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ପଡ଼ିବ । ମନ୍ଦିର ଭିତରେ ପ୍ରତ୍ୟେକଙ୍କ ମୁହଁରେ ମାସ୍କ ରହିବ । ସାମାଜିକ ଦୂରତା ଉପରେ ମନେ ରଖିବାକୁ ପଡ଼ିବ । ପୁରୀ ଶ୍ରୀମନ୍ଦିର ଖୋଲିବା ପରେ ଧୀରେ ଧୀରେ ରାଜ୍ୟର ଅନ୍ୟ ସ୍ଥାନ ଗୁଡ଼ିକରେ ଥିବା ମନ୍ଦିର ଅଳ୍ପ ଦିନ ଭିତରେ ଖୋଲିଯିବ । କାରଣ ରାଜ୍ୟ ସରକାର ଫେବ୍ରୁଆରୀ ମାସ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି । ସରକାର ସମାବେଶରେ ୫୦୦ ଲୋକଙ୍କୁ ଏକଜୁଟ ହେବା ପାଇଁ ଅନୁମତି ଦେଇଛନ୍ତି । ତେଣୁ ମନ୍ଦିର ସମେତ ଧାର୍ମିକ ସ୍ଥଳୀ ଗୁଡ଼ିକ ଖୋଲିବାରେ ଆଉ କୌଣସି ଅସୁବିଧା ନାହିଁ ।  

Share the article

LEAVE A REPLY