ମିଳୁଛି ବଜେଟ୍, ମନ୍ଥର ଗତିରେ କାମ୍

0
77

ଭୁବନେଶ୍ବର: କେନ୍ଦ୍ର ସରକାର ମଙ୍ଗଳବାର ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା ଉପସ୍ଥାପିତ ବଜେଟ୍ରେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ସୂଚନା ଓ ପ୍ରଯୁକ୍ତିବିଦ୍ୟା, ରୋଜଗାର, ଭିତ୍ତିଭୂମି, ଟ୍ୟାକ୍ସ, ମୋବାଇଲ ନେଟୱାର୍କ ଆଦିକୁ ଗୁରୁତ୍ବ ଦିଆଯାଇଛି। ସରକାର ଆତ୍ମନିର୍ଭର ଭାରତ, ମେକ୍ ଇଣ୍ଡିଆ ଦିଗରେ ଆହୁରି ବଡ଼ ବଡ଼ କାମ ହାତକୁ ନେଇଛନ୍ତି। ପ୍ରତି ବର୍ଷ ପ୍ରକଳ୍ପ ଗୁଡ଼ିକ ପାଇଁ ବଜେଟ ଆସୁଛି। କିନ୍ତୁ ଭାଷଣ ଯେଭଳି ଭାବରେ ହେଉଛି, କାମ ସେହିପରି ହେଉନାହିଁ। ଅନେକ ପ୍ରକଳ୍ପର ନିର୍ମାଣ କାମ ବର୍ଷ ବର୍ଷ ଧରି ଲାଗି ରହୁଛି।

 କେନ୍ଦ୍ରର ବଜେଟ ହେଉ କି ରାଜ୍ୟର ହେଉ। ଏଥିରେ ଜନସାଧାରଣଙ୍କ କିଛି ଯା-ଆସ ନାହିଁ। ଜନସାଧାରଣଙ୍କୁ ସୁବିଧା ଦରକାର। ରାଜ୍ୟରେ ଅନେକ ଗୁଡ଼ିକଏ ଏଭଳି ପ୍ରକଳ୍ପର ନିର୍ମାଣ ପାଇଁ କେନ୍ଦ୍ର ସରକାର ବଜେଟ୍ ଦେଇଛନ୍ତି। କିନ୍ତୁ ଦୁଃଖର କଥା ହେଲା ଯେ, ଯେଉଁ ପ୍ରକଳ୍ପ ଗୁଡ଼ିକ ପାଇଁ କୋଟି କୋଟି ଟଙ୍କା ଆସୁଛି, ଏହାର ନିର୍ମାଣ କାମ ଖୁବ ମନ୍ଥର ଗତିରେ ଆଗକୁ ବଢ଼ିବାରେ ଲାଗିଛି। ଉଦାହରଣ ସ୍ବରୂପ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ୍ ଓ ସମ୍ବଲପୁର-ନିର୍ଗୁଣ୍ଡି ୫୫ ନମ୍ବର ଜାତୀୟ ରାଜପଥକୁ ନିଆଯାଇପାରେ।  

ଖୋର୍ଦ୍ଧା-ବଲାଙ୍ଗୀର ରେଳ ସେବା କେବେ?

ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ପାଇଁ ୧୯୪୫ ମସିହାରେ ସର୍ଭେ ହୋଇଥିଲା। କିନ୍ତୁ ଦୁର୍ଭାଗ୍ୟର କଥା ହେଲା ଯେ, ଦୀର୍ଘ ୫୦ ବର୍ଷ ପରେ ଏହି ପ୍ରକଳ୍ପକୁ ଅନୁମୋଦନ ମିଳିଥିଲା। ପ୍ରାଥମିକ ପର୍ଯ୍ୟାୟରେ ଏହି ପ୍ରକଳ୍ପ ପାଇଁ ୧୦୦୦ କୋଟି ଟଙ୍କା ବଜେଟ ମିଳିଥିଲା। କିନ୍ତୁ ଜମି ଅଧିଗ୍ରହଣ ସମସ୍ୟା କାରଣରୁ ପ୍ରକଳ୍ପ ୨୦ ବର୍ଷ ଲାଗିଗଲା ନିର୍ମାଣ କାମ ଆରମ୍ଭ ହୋଇପାରି ନଥିଲା। ଏହାରି ମଧ୍ୟରେ ବଜେଟ୍ ବଢ଼ି ପାଖାପାଖି ୨୦୦୦ କୋଟିରେ ପହଞ୍ଚିଥିଲା। ୨୦୧୬ରେ ତତ୍କାଳୀନ ରେଳମନ୍ତ୍ରୀ ସୁରେଶ ପ୍ରଭୁ ଖୋର୍ଦ୍ଧାରୋଡ-ବେଗୁନିଆ (୩୬କିମି) ରେଳଲାଇନ୍ ଉଦ୍ଘାଟନ କରିଥିଲେ। ବର୍ତ୍ତମାନ ଏହି ଟ୍ରେନ୍ ଲାଇନ୍ ନୟାଗଡ଼ ପର୍ଯ୍ୟନ୍ତ ସଂପ୍ରସାରିତ ହୋଇଥିବା ବେଳେ ବଲାଙ୍ଗୀର ଆଉ କେତେ ବର୍ଷ ପରେ ପହଞ୍ଚିବ, ତାହା ସଠିକ ଭାବେ କହିହେବ ନାହିଁ। ଏହି ପ୍ରକଳ୍ପ ଅଧିନରେ କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ରହୁଛି। ସ୍ବାଧୀନତାର ୭୪ ବର୍ଷ ପରେ ମଧ୍ୟ ଏହି ୨ ଜିଲ୍ଲାରେ ରେଳ ଲାଇନ୍ ନରହିବା ଦୁର୍ଭାଗ୍ୟର କଥା।

କଦର୍ଯ୍ୟ ୫୫ ନମ୍ବର ଜାତୀୟ ରାଜପଥ

ରାଜ୍ୟର ୪ଟି ମୁଖ୍ୟ ସହରକୁ ଯୋଡୁଥିବା ୫୫ ନମ୍ବର ଜାତୀୟ ରାଜପଥ ନ କହିବା ଭଲ। ୪ଥାକିଆ ରାଜପଥ ଆଳରେ ଏହାର ନିର୍ମାଣ କାମ ୨୦୧୭ ମସିହା ଠାରୁ ଜାରି ରହିଛି। କେବେ ଏହାର ନିର୍ମାଣ କାମ ସରିବ ତାହା ଭଗବାନଙ୍କୁ ଜଣା ଥିବ। ୩୫୦୦ କୋଟି ଟଙ୍କାର ଏହି ପ୍ରକଳ୍ପର ନିର୍ମାଣ କାମରେ ବିଳମ୍ବ ହେଉଥିବାରୁ ପଶ୍ଚିମ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ଜନତାଙ୍କୁ କଷ୍ଟ ଭୋଗିବାକୁ ପଡୁଛି। ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କଟକ ଜିଲ୍ଲାର ଲୋକେ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି। ଗୁରୁତର ରୋଗୀଙ୍କୁ ଯେତେବେଳେ କଟକ ସ୍ଥାନାନ୍ତରିତ କରାଯାଉଛି, ଶୋଚନୀୟ ରାସ୍ତା ପାଇଁ ବହୁ ବିଳମ୍ବ ହେଉଛି। ଅନେକ ରୋଗୀଙ୍କ ରାସ୍ତାରେ ଜୀବନ ଯାଉଛି।

କ’ଣ କୁହନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ

ସମ୍ବଲପୁର-କଟକ ୫୫ ନମ୍ବର ଜାତୀୟ ରାଜପଥର ନିର୍ମାଣ କାମ କେବେ ସରିବ କେହି କହିପାରୁ ନାହାନ୍ତି। କାରଣ ମନ୍ଥର ଗତିରେ ଏହା କାମ ହେଉଥିବାରୁ ଲୋକାର୍ପଣର ତାରିଖ ବାରମ୍ବାର ବଦଳୁଛି। ନିର୍ମାଣ କାମ ଶେଷ ହେଉ ନଥିବାରୁ ଲୋକମାନେ ହଇରାଣ ହେଉଛନ୍ତି। ଏହି ରାସ୍ତାରେ ପ୍ରାୟତଃ ଦୁର୍ଘଟଣା ଘଟୁଛି। ମନ୍ଥର ଗତିରେ ନିର୍ମାଣ କାମ ସତ୍ତ୍ବେ ଆସନ୍ତା ଜୁନ୍ ମାସ ଶେଷ ସୁଦ୍ଧା ଏହି ରାସ୍ତାର ପ୍ରଶସ୍ତୀକରଣ କାମ ସରିବ ବୋଲି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ସଂସଦରେ ଗତ ଡିସେମ୍ବର ମାସରେ ସୂଚନା ଦେଇଥିଲେ। କିନ୍ତୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀଙ୍କ ବାଣୀ ସତ ହେବା ସହଜ ନୁହେଁ। କାରଣ କିଛି ସ୍ଥାନରେ ରାସ୍ତା କାମ ଆରମ୍ଭ ହୋଇପାରି ନାହିଁ।  

Share the article

LEAVE A REPLY