ସରସ୍ୱତୀ ପୂଜା ପରେ ସ୍କୁଲରେ ପାଠପଢ଼ା

0
106

ଭୁବନେଶ୍ୱର: ସରସ୍ୱତୀ ପୂଜା ନିକଟତର ହୋଇଛି। ପୂଜା ସରିଲେ ସ୍କୁଲ ଓ କଲେଜ ସମେତ ଅନ୍ୟାନ୍ୟ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକ ଖୋଲିବ ପ୍ରଥମ ପର୍ଯ୍ୟାୟରେ ଫେବ୍ରୁଆରୀ  ୭ ତାରିଖ ଠାରୁ ଅଷ୍ଟମରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ପାଠପଢ଼ା ଆରମ୍ଭ ହୋଇଯିବ। କେଜି ଠାରୁ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶ୍ରେଣୀ ଫେବ୍ରୁଆରି ୧୪ ତାରିଖ ଠାରୁ ଖୋଲିବ। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗୁରୁବାର ରାଜ୍ୟବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ପିଲମାନେ ଚାହିଁଲେ ଅନ୍‌ଲାଇନ୍‌ ମାଧ୍ୟମରେ ମଧ୍ୟ ପାଠ ପଢ଼ିପାରିବେ। ପ୍ରଥମରୁ ୫ମ ଶ୍ରେଣୀ ଯାଏଁ ପିଲା ୨ ବର୍ଷ ପରେ ସ୍କୁଲ ଯାଇ ପାଠ ପଢ଼ିବେ। ଏଥିରୁ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ପିଲା ପ୍ରଥମ ଥର ଶ୍ରେଣୀ ଗୃହ ଦେଖିବେ। ରାଜ୍ୟ ସରକାର ସ୍କୁଲ ଖୋଲିବା ନେଇ ଘୋଷଣା କରିବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ, ଅଭିଭାବକ ପିଲାଙ୍କ ପାଠପଢ଼ା ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ରାଜନେତାଙ୍କ ଠାରୁ ଆରମ୍ଭ କରି ନିର୍ବାଚନ ଦାୟିତ୍ୱରେ ଥିବା ସରକାରୀ ବାବୁ ମାନେ ବ୍ୟସ୍ତ ଅଛନ୍ତି।  ଆଗାମୀ ୧୬ ତାରିଖ ଠାରୁ ୫ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ। ନିର୍ବାଚନ ଦାୟିତ୍ୱରେ ଶିକ୍ଷକମାନଙ୍କୁ ମଧ୍ୟ ଗୁରୁ ଦାୟିତ୍ୱ ମିଳିବ। ଆଉ ଅଳ୍ପ ଦିନ ମଧ୍ୟରେ ନିର୍ବାଚନରେ ଦାୟିତ୍ୱରେ ଯିବାକୁ ଥିବା ଶିକ୍ଷକମାନେ ତାଲିମ ପାଇଁ ଯିବେ। ପୁଣି ଯେଉଁ ସ୍କୁଲ ଗୁଡ଼ିକରେ ମତଦାନ ପାଇଁ ବୁଥ୍‌ଗୁଡ଼ିକ ହେବ, ସେଠାରେ ପାଠପଢ଼ା ବ୍ୟାଘାତ ସୃଷ୍ଟି ହେବ। ମୋଟାମୋଟି ଭାବେ କହିବାକୁ ଫେବ୍ରୁଆରୀ ମାସସାରା ପାଠପଢ଼ା ପ୍ରଭାବିତ ହେବ। ନାଁକୁ ମାତ୍ର ସ୍କୁଲ ଖୋଲିବା କଥା।

ଶିକ୍ଷା ୨ବର୍ଷ ପ୍ରଭାବିତ

କରୋନା ମାହାମାରୀ ଯୋଗୁଁ ୨୦୨୦ ମାର୍ଚ୍ଚ ୧୭ ତାରିଖ ଠାରୁ ଏଯାଏଁ ଶିକ୍ଷା ବ୍ୟବସ୍ଥାରେ ବାଧା ପହଞ୍ଚିଛି। କରୋନା ଶେଷ ନ ହେବା ଯାଏଁ ଏଭଳି ଅସୁବିଧା ଦେଖାଯାଇପାରେ। ପ୍ରଥମ ଲହର ଆରମ୍ଭ ହେବା ପରଠାରୁ ପିଲାମାନଙ୍କର ପାଠ୍ୟଗତ ବିକାଶ ହେଉନାହିଁ। ଆଶା କରାଯାଉଥିଲା ଯେ, ଦ୍ୱିତୀୟ ଲହର ପରେ କରାନା ଶେଷ ହୋଇଯିବ। କିନ୍ତୁ ରାଜ୍ୟରେ ପର୍ଯ୍ୟାୟ କ୍ରମେ ସ୍କୁଲ ଗୁଡ଼ିକ ଖୋଲାଯାଉଥିବା ବେଳେ ପୁଣି ୩ୟ ଲହର ଛାତ୍ରଛାତ୍ରୀଙ୍କ ସ୍କୁଲଯିବା ବାଟ ବନ୍ଦ କରିଦେଲା। ଦ୍ଵିତୀୟ ଲହର ପରେ ରାଜ୍ୟ ସରକାର ୬ଷ୍ଠରୁ ଉପର ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିଥିଲେ। ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ପାଠପଢ଼ା ଚାଲିଥିବା ବେଳେ ୩ୟ ଲହର ମାଡ଼ିଆସିଥିଲା। ସରକାର ବାଧ୍ୟ ହୋଇ ଦାଉ ସାଜିଥିଲା। ତେଣୁ ଗତମାସ ୧୦ ତାରିଖ ଠାରୁ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଛି।

କରୋନା ନିୟନ୍ତ୍ରିତ

ରାଜ୍ୟରେ ଏବେ କରୋନାର ୩ୟ ଲହରରେ ପ୍ରଭାବ ନାହିଁ। ହସ୍ପିଟାଲଗୁଡ଼ିକରେ କରୋନାଜନିତ ରୋଗୀଙ୍କ ସଂଖ୍ୟା ବେଶୀ ରହୁନାହିଁ। ଲୋକେ ଘରେ ଥାଇ କରୋନାରୁ ସୁସ୍ଥ ହୋଇଯାଉଛନ୍ତି। ମୋଟାମୋଟି ଭାବେ କରୋନା ନିୟନ୍ତ୍ରଣରେ ଥିବାରୁ ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ରହୁଛି। ଏହା ମଧ୍ୟ କଡ଼ାକଡ଼ି ନାହିଁ। ଦୋକାନ-ବଜାର ଖୋଲୁଛି। କଣ୍ଟେନମେଣ୍ଟ ଜୋନ୍‌ ହାତଗଣତି ରହିଛି। କିଶୋର ମାନଙ୍କୁ କରୋନା ଟିକା ଦିଆଯାଉଛି। ସ୍କୁଲ ଖୋଲିବା ନେଇ ବିଭିନ୍ନ ମହଲରେ ଦାବି ହେଉଛି। ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ-କଲେଜ ଖୋଲୁଛନ୍ତି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ସାମାଜିକ ଗଣମାଧ୍ୟମରେ ପ୍ରତିକ୍ରିୟା
ପ୍ରାଥମିକ ବିଦ୍ୟାଳୟ ଖୋଲିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଠିକ୍‌ ନୁହେଁ ବୋଲି ସାମାଜିକ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ବର୍ତ୍ତମାନ ପରିସ୍ଥିତିରେ ପ୍ରାଥମିକ ସ୍କୁଲଗୁଡ଼ିକ ଖୋଲା ନଯିବା ଦରକାର। ଉଚ୍ଚଶିକ୍ଷାନୁଷ୍ଠାନ ପାଇଁ ଚଳିବ। ସବୁ ଶିକ୍ଷକଙ୍କୁ ନିର୍ବାଚନ ଡ୍ୟୁଟିରେ ପକେଇ ସ୍କୁଲ ଖୋଲାଯାଉଛି। ଶିକ୍ଷକମାନେ ଯଦି ନିର୍ବାଚନୀ କାମ କରିବେ, ତା’ହେଲେ ପିଲାମାନଙ୍କୁ କିଏ ପାଠ ପାଇବେ। ସାମାଜିକ ଗଣମାଧ୍ୟମରେ ଆହୁରି ମଧ୍ୟ କୁହାଯାଇଛି ଯେ, ନିର୍ବାଚନ ସରିଗଲେ କରୋନାର ଆଳ ଦେଖାଇ ପୁଣି ଥରେ ସ୍କୁଲ ବନ୍ଦ ହୋଇଯାଇପାରେ। ଅନେକ ଲୋକଙ୍କୁ ସରକାରଙ୍କ ନିଷ୍ପତ୍ତିକୁ ଭରସା ପାଉନାହିଁ। ଆହୁରି ମଧ୍ୟ ୟୁଜର୍ସ କହୁଛନ୍ତି, ପିଲାମାନେ ସ୍କୁଲ ଯିବା ନ ଯିବା ନେଇ ନେତା ମନ୍ତ୍ରୀ ତଥା ଅଧିକାରୀଙ୍କ କେଣସି ଅସୁବିଧା ନାହିଁ। ଗାଁ ସ୍କୁଲ ପରିସରରେ ପିଲାମାନେ ସବୁବେଳେ କ୍ରିକେଟ ଖେଳୁଛନ୍ତି, ଏଥି ପାଇଁ ତ ଅଧିକାରୀ ମାନେ ଚିନ୍ତିତ ନୁହଁନ୍ତି।

Share the article

LEAVE A REPLY