ଲତା ହିଁ ଥିଲେ ‘ଭାରତରତ୍ନ’

0
187
Spread the love

ନୂଆଦିଲ୍ଲୀ: ଭାରତର ସ୍ୱର ଲତା ମଙ୍ଗେସ୍‌କର ସବୁଦିନ ପାଇଁ ଚାଲିଯାଇଛନ୍ତି। କୋକିଳକଣ୍ଠୀ ଲତା ମଙ୍ଗେସ୍‌କରଙ୍କ ଅନ୍ତିମ ସଂସ୍କାର  ମୁମ୍ବାଇର ଶିବାଜୀ ପାର୍କରେ ହୋଇସାରିଛି। ନିଜର ପ୍ରିୟ ଘର ‘ପ୍ରଭୁକୁଞ୍ଜ’ରୁ ଶବଯାତ୍ରା ଯାଉଥିବା ବେଳେ ବାତାବରଣ ସଂପୂର୍ଣ୍ଣ ରୂପେ ଆବେଗପୂର୍ଣ୍ଣ ଥିଲା। ଏହି ଅନ୍ତିମ ସଂସ୍କାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଏନ୍‌ସିପି ମୁଖ୍ୟ ଶରଦ ପାଓ୍ଵାର, ବଲିଉଡ ସୁପରଷ୍ଟାର ଶାହରୁଖ ଖାନ୍‌, ଅମିର ଖାନ୍‌, ଅନୁପମ୍‌ ଖେର, ଗାୟକ ଜାଭେଦ୍‌ ଅଖତରଙ୍କ ସମେତ ପୂର୍ବତନ କ୍ରିକେଟ୍‌ର ସଚିନ ତେନ୍ଦୁଲରକଙ୍କ ସମେତ ଶହ ଶହ ହସ୍ତୀ ପହଞ୍ଚିଥିଲେ। ଗୋଧୂଳୀ ବେଳାରେ ସଶସ୍ତ୍ର ସଲାମୀ ଓ ପୂରା ରାଜକୀୟ ସମ୍ମାନ ସହିତ ଲତା ମଙ୍ଗେସ୍‌କରଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ଭାଇ ହୃଦୟନାଥଙ୍କ ଦ୍ୱାରା ଲତା ମଙ୍ଗେସ୍‌କରଙ୍କୁ ମୁଖାଗ୍ନି ଦିଆଯାଇଥିଲା। ମଙ୍ଗେସ୍‌କରଙ୍କ ପାର୍ଥୀବ ଶରୀର ପଞ୍ଚଭୂତରେ ବିଲୀନ ହୋଇଗଲା।

ଲତାଙ୍କ ସ୍ୱର ଆଉ ଫିଜିକାଲି ଶୁଭିବ ନାହିଁ। କିନ୍ତୁ ଶହ ଶହ ବର୍ଷ ପର୍ଯ୍ୟନ୍ତ ତାଙ୍କ କଣ୍ଠରେ ଗାନ ହୋଇଥିବା ୨୬ଟି ଭାରତୀୟ ଭାଷାରେ ୩୦ ହଜାରରୁ ଊର୍ଦ୍ଧ୍ୱ ଗୀତ ପୂର୍ବରୁ ଯେମିତି ବାଜୁଥିଲା ସେମିତି ବାଜି ଚାଲିଥିବ। ଯେତେ ଦିନ ପର୍ଯ୍ୟନ୍ତ ତାଙ୍କ ବୀଣାଜିଣା କଣ୍ଠ ନିସୃତ ସୁମଧୁର ଗୀତ ଶୁଭୁଥିବ ସେତେଦିନ ଯାଏଁ ଲତାଙ୍କ ସତ୍ତାକୁ ଅନୁଭବ କରି ହେଉଥିବ। କୋଭିଡ-୧୯ ପଜିଟିଭ୍‌ ଚିହ୍ନଟ ହେବା ପରେ ଲତାଙ୍କୁ ଗତ ଜାନୁଆରୀ ପହିଲାରୁ ମୁମ୍ବାଇସ୍ଥିତ ‘ବ୍ରିଚ୍‌ କାଣ୍ଡି ହସ୍‌ପିଟାଲ’ରେ ଭର୍ତ୍ତି କରାଯାଇଥିଲା। ସେହିଦିନ ଠାରୁ ଲତା ସ୍ୱାସ୍ଥ୍ୟଜନିତ ସୁସ୍ଥ-ଅସୁସ୍ଥ ଦେଇ ଜୀଇଁଥିଲେ। ଫେବ୍ରୁଆରୀ ୫ ତାରିଖରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଚିକିତ୍ସାର କିଛି ସମୟ ପରେ ସେ ସୁସ୍ଥ ଅନୁଭବ କରୁଥିଲେ ମଧ୍ୟ ଫେବ୍ରୁଆରୀ ୬ ତାରିଖ ସକାଳ ୮ଟା ୧୨ମିନିଟରେ ଚିର ଦିନ ପାଇଁ ଆଖି ବନ୍ଦ କରିଦେଇଥିଲେ।

ଶାସ୍ତ୍ରୀୟ ସଂଗୀତ ପ୍ରତି ସମର୍ପିତ

ମଧ୍ୟପ୍ରଦେଶର ଇନ୍ଦୋର ସହରରେ ୧୯୨୯ ମସିହା ସେପ୍ଟେମ୍ବର ୨୮ରେ ଜନ୍ମଲାଭ କରିଥିଲେ ଲତା ମଙ୍ଗେସ୍‌କର। ପିତା ଦୀନନାଥ ମଙ୍ଗେସ୍‌କର ଜଣେ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଓ ଥିଏଟର କଳାକାର ହୋଇଥିବାରୁ ଲତା ମଧ୍ୟ ସଂଗୀତ ଦୁନିଆ ମାଧ୍ୟମରେ ଆଗକୁ ବଢ଼ିବାରେ ସହାୟକ ହୋଇଥିଲା। ଲତାଙ୍କ ନାଁ ଯଦିଓ ହେମା ଥିଲା। ତଥାପି ନାଟକ ‘ଭାବବନ୍ଧନ’ରେ ଲତିକା ଭୂମିକାରେ ଅଭିନୟ କରି ପରେ ସେ ଲତା ନାଁରେ ପ୍ରସିଦ୍ଧିଲାଭ କରିଥିଲେ। ୧୩ ବର୍ଷ ବୟସରେ ଲତା ସଂଗୀତରେ କ୍ୟାରିୟର ଆରମ୍ଭ କରିଥିଲେ। ୧୯୪୮ ମସିହାର ‘ମଜବୁର’ ଚଳଚ୍ଚିତ୍ରର ‘ଦିଲ ମେରା ତାଡାଟ୍ଟ…’ରେ ଫିଲ୍ମ ଜଗତରେ ପ୍ରବେଶ କରିଥିଲେ। ‘ଏ ମେରେ ବତନ୍‌ କେ ଲୋଗେଁ…’ ଭାରତୀୟ ଜନତା କେବେ ଭୁଲି ପାରିବେ ନାହିଁ। ୧୯୬୩ ମସିହାରେ ଏହି ଗୀତକୁ ଲତା ଗାଇଥିଲେ। କିନ୍ତୁ ଜାତୀୟ ଦିବସରେ ଏହି ଗୀନ ନବାଜିଲେ ଲାଗିଥାଏ କିଛି ରହିଗଲା। ଗୀତ ଗାୟନ କରି ପରିବାର ପୋଷିବାକୁ ଲକ୍ଷ୍ୟ ରଖିଥିଲେ। କିନ୍ତୁ ଏଭଳି ଗୀତ ଗାଇଲେ ଯେ, ବିଶ୍ୱବାସୀଙ୍କ ହୃଦୟ ଜିତିନେଲେ। ଲତାଙ୍କ ପୂରା ପରିବାର ଶାସ୍ତ୍ରୀୟ ସଂଗୀତ ପ୍ରତି ସମର୍ପିତ।

ମନେ ରହିବେ ଲତା

ବାସ୍ତବରେ ଲତା ମଙ୍ଗେସ୍‌କର ହିଁ ଥିଲେ ଭାରତ ରତ୍ନ। ଏହା ସର୍ବସାଧାରଣଙ୍କର ବିଚାର। ଯିଏ ତାଙ୍କର କଣ୍ଠ ସ୍ୱର ଶୁଣିଛି, ସେ ହିଁ ଲତାଙ୍କୁ ଭାରତ ରତ୍ନ ଆଖ୍ୟା ଦେଇଛନ୍ତି। ସରକାର ୨୦୦୧ରେ ଲତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଥିଲେ। ଏହା ପୂର୍ବରୁ ଲତା ଭାରତୀୟ ସଙ୍ଗୀତକୁ ତାଙ୍କର ବଳିଷ୍ଠ ଅବଦାନ ପାଇଁ ଅଜସ୍ର ସମ୍ମାନରେ ସମ୍ମାନିତ ହୋଇଛନ୍ତି। ୩ ଥର ଜାତୀୟ ଫିଲ୍ମ ପୁରସ୍କାର, ୧୫ ଥର ବିଏଫଜେଏ(ବେଙ୍ଗଲ ଫିଲ୍ମ ଜର୍ଣ୍ଣାଲିଷ୍ଟ୍‌ସ ଆସୋସିଏସନ୍‌) ପୁରସ୍କାର, ୪ ଥର ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା ଭାବେ ଫିଲ୍ମ ଫେୟାର ପୁରସ୍କାର ଓ ଫିଲ୍ମ ଫେୟାର ଜୀବନବ୍ୟାପୀ ସାଧନା ପୁରସ୍କାର(୧୯୯୩) ଲାଭ କରିଛନ୍ତି। ପଦ୍ମ ଭୂଷଣ(୧୯୬୯), ଦାଦା ସାହେବ ଫାଲକେ ପୁରସ୍କାର(୧୯୮୯), ମହାରାଷ୍ଟ୍ର ଭୂଷଣ(୧୯୯୭), ପଦ୍ମ ବିଭୂଷଣ(୧୯୯୯)ରେ ସମ୍ମାନିତ ହୋଇଛନ୍ତି। ଲତାଙ୍କ ଗୀତ କେବଳ ଭାରତରେ ନୁହେଁ। ବରଂ ପଡୋଶୀ ନେପାଳ, ଭୂଟାନ, ପାକିସ୍ତାନ, ବାଂଳାଦେଶ ସମେତ ଜର୍ମାନୀ ପର୍ଯ୍ୟନ୍ତ ସଂପ୍ରସାରଣ କରିଥିଲା। ଫ୍ରାନ୍‌ସ ସରକାରଙ୍କ ଦ୍ୱାରା ଲତା ‘ଲିଜିୟନ୍‌ ଅଫ୍‌ ଅନର୍‌’ ସମ୍ମାନ ଲାଭ କରିଛନ୍ତି। 

LEAVE A REPLY