ଜାହାଜ ମୁଲାଇପାରିବେନି ଅଦା ଚାଷୀ!

0
81

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାରେ ବସବାସ କରୁଥିବା ଆଦିବାସୀଙ୍କ ପ୍ରିୟ ଫସଲ ‘ଅଦା-ହଳଦୀ’ର ଦର କେଇ ଗୁଣା ହ୍ରାସ ପାଇଛି। ବର୍ଷ ସାରା ପରିଶ୍ରମ କରି ଅଦା ଓ ହଳଦୀ ଉପୁଜାଇ ଥିବା ଚାଷୀମାନେ ଏବେ ଆଭବୀ ବିକ୍ରି ଯୋଗୁଁ ସଂଘର୍ଷ କରୁଛନ୍ତି। ଭୁବନେଶ୍ୱରର ବଜାରରେ ଅଦାକିଲୋ ୮୦ ଟଙ୍କା ବିକ୍ରି ହେଉଥିବା ବେଳେ କୋରାପୁଟରେ ଚାଷୀମାନେ ୫ଟଙ୍କାରେ ବିକ୍ରି କରୁଛନ୍ତି। ସେହିପରି କନ୍ଧମାଳର ହଳଦୀ ଚାଷୀମାନେ ମଧ୍ୟ ସମାନ ପ୍ରକାର ଆର୍ଥିକ କ୍ଷତି ସହ୍ୟ କରୁଛନ୍ତି। ହଳଦୀ କିଲୋ ୬୦ ଟଙ୍କା ବଦଳରେ ୩୦ ଟଙ୍କାରେ ବିକ୍ରି ହେଉଛି। ପ୍ରଶାସନ ପକ୍ଷରୁ ଚାଷୀମାନଙ୍କ କଲ୍ୟାଣ ପାଇଁ ଉନ୍ନତ ବ୍ୟବସ୍ଥା ନଥିବାରୁ ଏଭଳି ଦୁର୍ଦ୍ଦଶାର ସାମ୍ନା କରିବାକୁ ପଡୁଛି।

ଉଭୟ ‘ଅଦା ଓ ହଳଦୀ’ର ସ୍ଥାନୀୟ ବଜାର ଦର ନିମ୍ନମାନର ହୋଇଥିବାରୁ ଚାଷୀମାନଙ୍କର ଚିନ୍ତା ବଢ଼ିଛି। ଚାଷୀମାନେ ଯେଉଁ ଆଶା ନେଇ ଚାଷ କରିଥିଲେ, ଏହାର ପ୍ରାପ୍ୟ ମିଳିପାରି ନଥିବାରୁ ପ୍ରବଳ ଆର୍ଥିକ କ୍ଷତି ସହ୍ୟ କରିବାକୁ ପଡୁଛି। ଓଡ଼ିଶରେ ପ୍ରଚୁର ପରିମାଣରେ ଅଦା ଓ ହଳଦୀ ଚାଷ ହେଉଥିବା ବେଳେ ବାହାର ରାଜ୍ୟରୁ ମଧ୍ୟ ଏଠାକୁ ଆସୁଛି, ଯେଉଁଥି ପାଇଁ ସ୍ଥାନୀୟ ଚାଷୀଙ୍କୁ ଅସୁବିଧାର ସାମ୍ନା କରିବାକୁ ହେଉଛି। ଅନ୍ୟପଟରେ ଚାଷୀମାନେ ଅନ୍ୟ ଉପାୟ ନପାଇ ବାଧ୍ୟ ହୋଇ କମ୍‌ ଦରରେ ବିକ୍ରି କରୁଛନ୍ତି। କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍‌ରେ ଶହ ଶହ ଅଦା ଚାଷୀ ଏବଂ ବ୍ୟବସାୟୀ ଆର୍ଥିକ କ୍ଷତି ସହୁଥିବା ଅଭିଯୋଗ ହେଉଛି। କଥାରେ ଅଛି ‘ଅଦା ଚାଷୀ ହୋଇ କାହିଁକି ଜାହାଜ ମୁଲାଇବାକୁ ଯାଉଛ।’ ଏହାର ଅର୍ଥ ହେଲା ପ୍ରଚୁର ଟଙ୍କା ନଥାଇ ବଡ଼ ମନ କରିବା। କିନ୍ତୁ ଅତୀତରେ ଅଦା ଚାଷୀ ଆଥିର୍କ ଭାବେ ସମୃଦ୍ଧ ଥିଲେ। ଆର୍ଥିକ ସମସ୍ୟା ନଥିବାରୁ ଚାଷୀ କୌଣସି ଜିନିଷ କିଣିବାକୁ ସାହସ କରୁଥିଲେ।  

ଚାଷୀ ସହୁଛନ୍ତି କ୍ଷତି

ଆଦିବାସୀ ଅଧ୍ୟୁଷିତ କୋରାପୁଟ, କନ୍ଧମାଳ, ଗଜପତି, ରାୟଗଡ଼ା, ନବରଂଗପୁର ଜିଲ୍ଲାରେ ହଳଦୀ ଓ ଅଦା ଚାଷ ହୋଇଥାଏ। କନ୍ଧମାଳ ଜିଲ୍ଲାରେ ଅଧିକାଂଶ ହଳଦୀ ଚାଷ ହେଉଥିବା ବେଳେ କୋରାପୁଟ ଜିଲ୍ଲା ଅଦା ଚାଷ ପାଇଁ ପ୍ରସିଦ୍ଧି ଲାଭ କରିଛି। କୋରାପୁଟ ଜିଲ୍ଲା ପଟାଙ୍ଗି ଅଞ୍ଚଳର ଚାଷୀ ମୁଖ୍ୟତଃ ଅଦା ଚାଷ କରିଥାନ୍ତି।  ଜଳବାୟୁ ଓ ମାଟି ଅଦା ଚାଷ ପାଇଁ ଉପଯୋଗୀ ହୋଇଥିବାରୁ ଏଠାରେ ପ୍ରଚୁର ପରିମାଣରେ ଅଦା ଉତ୍ପାଦନ ହୋଇପାରିଥାଏ। ପଟାଙ୍ଗିରୁ ପ୍ରତିଦିନ ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର ସମେତ ରାଜ୍ୟର ଅନ୍ୟ ଅଞ୍ଚଳ ଓ ରାଜ୍ୟ ବାହାରକୁ ମଧ୍ୟ ଅଦା ଯୋଗାଣ ହୋଇଥାଏ।  କିନ୍ତୁ ଏବେ ଅଦା କିଲୋ ୫ଟଙ୍କା ହୋଇଥିବା ଚାଷୀଙ୍କୁ ପ୍ରବଳ ଆର୍ଥିକ କ୍ଷତି ସହିବାକୁ ପଡୁଛି।  

ମୂଳ ଫେରିବକି ନାହିଁ ସନ୍ଦେହ

ଚାଷ ପାଇଁ ଅଦା ଚାଷୀ ଯେତିକି ଟଙ୍କା ଖର୍ଚ୍ଚ କରିଛନ୍ତି, ସେତିକି ମୂଳ ଫେରିବକି ନାହିଁ ତାହା ମଧ୍ୟ ସନ୍ଦେହ କରୁଛନ୍ତି। ସରକାରଙ୍କ ତରଫରୁ ଅଦାକୁ ସଂଚୟ କରି ରଖିବା ପାଇଁ କୌଣସି ବ୍ୟବସ୍ଥା କରା ଯାଇପାରି ନାହିଁ। ସରକାରୀ ବ୍ୟବସ୍ଥା ଥିଲେ ଚାଷୀ ପରବର୍ତ୍ତୀ ସମୟରେ ବିକ୍ରି କରି ଭଲ ରୋଜଗାର କରିପାରନ୍ତେ। ଯଦିଓ ସେହିଭଳି ବ୍ୟବସ୍ଥା ନାହିଁ, ତେଣୁ ଚାଷୀମାନଙ୍କୁ ସୁହାଇଲା ଭଳି ବିକ୍ରି  ବ୍ୟବସ୍ଥା କରାଗଲେ ମଧ୍ୟ ଉପକାର ମିଳିପାରନ୍ତା ବୋଲି ଚାଷୀମାନେ କୁହାକୁହି ହେଉଛନ୍ତି। ଏକର ଅଦା ଚାଷ ପାଇଁ ପାଖାପାଖି ଏକ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ବର୍ତ୍ତମାନେ ଚାଷୀମାନଙ୍କୁ ଯେଉଁ ଦର ମିଳୁଛି, ସେମାନେ ଏକର ପିଛା ପ୍ରାୟ ୬୦ ହଜାର ଟଙ୍କା କ୍ଷତି ସହିବେ।  

ହଦଳୀ ଚାଷୀ ହତାଶ

ଅଦାଚାଷୀଙ୍କ ଭଳି ହଳଦୀଚାଷୀ ମଧ୍ୟ ଏବେ ପ୍ରବଳ ଆର୍ଥିକ କ୍ଷତି ସହ୍ୟ କରୁଥିବା ଚର୍ଚ୍ଚା ହେଉଛି। କନ୍ଧମାଳ ସମେତ ଅନ୍ୟ ଜିଲ୍ଲା ଗୁଡ଼ିକରେ ଏବେ ହଳଦୀ ଅମଳ କରାଯାଉଥିବା ବେଳେ ବଜାର ଦର ଦେଖି ଚାଷୀ ହତାଶ ହୋଇଛନ୍ତି। କାରଣ ହଳଦୀ କିଲୋ ପିଛା ଏବେ ଚାଷୀମାନେ ୩୦ରୁ ୪୦ ଟଙ୍କାରେ ବିକ୍ରି କରୁଛନ୍ତି। ପୂର୍ବ ବର୍ଷଗୁଡ଼ିକରେ ଅମଳ ସମୟରେ ଚାଷୀମାନେ ହଳଦୀ କିଲୋ ପିଛା ୬୦ ଟଙ୍କାରେ ବିକ୍ରି କରୁଥିଲେ। ଦାରିଙ୍ଗବାଡ଼ି, ଘୁ.ଉଦୟଗିରି, ରାଇକିଆ, କ.ନୂଆଗାଁ ଓ  ବାଲିଗୁଡ଼ାରେ ଅଭାବୀ ବିକ୍ରିର ଶିକାର ହେବାକୁ ପଡ଼ୁଛି। ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଅଭାବ ଯୋଗୁଁ ଚାଷୀମାନେ ଦଲାଲଙ୍କୁ ହଳଦୀ କିଲୋ ୩୦ ଟଙ୍କାରେ ବିକ୍ରି କରୁଛନ୍ତି।  

Share the article

LEAVE A REPLY