ପଞ୍ଚାୟତ ନିର୍ବାଚନ: ପ୍ରଚାର ବେଳେ ମନ୍ତ୍ରୀ ହଟହଟା

0
271

ଭୁବନେଶ୍ୱର: ଓଡ଼ିଶା ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଦିନ ଯେତିକି ପାଖେଇ ଆସୁଛି, ସେହି ପରିମାଣରେ ରାଜନୈତିକ ପାରା ବଢ଼ିବାରେ ଲାଗିଛି। ନିର୍ବାଚନ ପାରା ସବୁଠାରୁ ରୋଚକ ଦେଖାଯାଉଛି। ଲୋକଙ୍କର ନିକଟତର ହେବା ପାଇଁ ନେତାମାନେ ଯଥା ସମ୍ଭବ ଉଦ୍ୟମ କରୁଛନ୍ତି। ପଞ୍ଚାୟତ ନିର୍ବାଚନ ପାଇଁ କିଛି ଦିନ ହେଲା ମନ୍ତ୍ରୀମାନେ ମଧ୍ୟ ପ୍ରଚାର କରୁଛନ୍ତି। କିନ୍ତୁ ସେମାନେ ଯେତେବେଳେ ଗାଁକୁ ଯାଇ ପ୍ରଚାର କରୁଛନ୍ତି, ଲୋକଙ୍କର ଦ୍ୱାରା ହଟହଟା ହେବାକୁ ପଡୁଛି। ଅତୀତରେ ମନ୍ତ୍ରୀ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇ ନଥିବା ଅଭିଯୋଗ ହେଉଛି। ପ୍ରଭାବଶାଳୀ ନେତା ଓ ମନ୍ତ୍ରୀଙ୍କ ମୁହଁ ଦେଖାଇ ଜିଲ୍ଲା ପରିଷଦ ଓ ସରପଞ୍ଚମାନେ ନିର୍ବାଚନ ବୈତରଣୀ ପାରି ହେବାକୁ ଉଦ୍ୟମ କରୁଥିଲେ ହେଁ, ମତଦାତାମାନେ ଏଭଳି ଲୋକଙ୍କୁ ଭଲ ଭାବରେ ଚିହ୍ନି ସାରିଛନ୍ତି।

ପଞ୍ଚାୟତ ନିର୍ବାଚନ ପାଇଁ ଏବେ ମନ୍ତ୍ରୀମାନେ ନିଜ ନିଜ ଅଞ୍ଚଳରେ ପ୍ରଚାରର ମଙ୍ଗ ଧରିଛନ୍ତି। ଲୋକଙ୍କର ହୃଦୟ ଜିତିବା ପାଇଁ ଉଦ୍ୟମ କରୁଛନ୍ତି। ଯେଉଁ ମନ୍ତ୍ରୀମାନେ ତୃଣମୂଳ ସ୍ତରର ଲୋକଙ୍କର ବିକାଶ ପାଇଁ କାମ କରିଛନ୍ତି, ସେମାନଙ୍କୁ ଗାଁଲୋକେ ସ୍ୱାଗତ କରୁଛନ୍ତି। କିନ୍ତୁ ବିଧାନସଭା ନିର୍ବାଚନ ପୂର୍ବରୁ ମିଛ ପ୍ରତିଶ୍ରୁତି ଦେଇ ଲୋକଙ୍କ ଭୋଟରେ ବିଜୟୀ ହୋଇଥିବା ମନ୍ତ୍ରୀ ତଥା ବିଧାୟକଙ୍କୁ ଲୋକେ ଜବାବ ଦେବାକୁ ପଛଉ ନାହାନ୍ତି। ସାମ୍ବିଧାନିକ ବ୍ୟବସ୍ଥାରେ ମତଦାତା ହେଉଛନ୍ତି ନେତାଙ୍କ ଭାଗ୍ୟ ବିଧାତା। ମତଦାତା ଭୋଟ ଦେଲେ ତ ନେତାମନେ ନିଶରେ ଘିଅ ମାରିବେ। ସେହିପରି ଲୋକେ ଭୋଟ ଦେଲେ ଯାଇ ବିଧାୟକ ବିଜୟୀ ହୋଇ ମନ୍ତ୍ରୀ ହୋଇପାରିବେ।

ଭତ୍ତା ବନ୍ଦ ହେବ କହିଲେ ନେତ୍ରୀ

ପଞ୍ଚାୟତ ନିର୍ବାଚନରେ ଶାସକ ଦଳର ମନ୍ତ୍ରୀ, ବିଧାୟକ, ନେତା-ନେତ୍ରୀ ହାଇ ଭୋଲଟେଜ୍‌ ପ୍ରଚାର କରୁଛନ୍ତି। ବିଜେଡି ଦଳର ନେତାମାନେ ମତଦାତାଙ୍କୁ ଚେତାବନୀ ମଧ୍ୟ ଦେଉଛନ୍ତି। ଏମିତିର ଉଦାହରଣ ହେଉଛନ୍ତି ବିଂଝାରପୁର ବିଧାୟିକା ତଥା ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲିକ। ଅଳକୁଣ୍ଡ ଗ୍ରାମରେ ବିଜେଡି ପକ୍ଷରୁ ଏକ ନିର୍ବାଚନୀ ସଭାରେ ସେ ମତଦାତାଙ୍କୁ ସିଧାସଳଖ କହିଛନ୍ତି, ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍‌ ନଦେଲେ ବାର୍ଦ୍ଧକ୍ୟ ଭତ୍ତା, ରାସନକାର୍ଡ ଓ ପ୍ରଧାନମନ୍ତ୍ରୀ ଆବାସ ସବୁକିଛି ବନ୍ଦ କରି ଦିଆଯିବ। ପ୍ରମିଳା ମଲିକଙ୍କୁ ନିଜ ପୈତୃକ ସଂପତ୍ତିରୁ ଲୋକଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ରାସନକାର୍ଡ ଓ ପ୍ରଧାନମନ୍ତ୍ରୀ ଆବାସ ଦେଲା ଭଳି ଲାଗୁଥିବ ବୋଧେ। ପ୍ରମିଳା ମଲିକଙ୍କ ଏଭଳି ବୟାନକୁ ବୁଦ୍ଧିଜୀବୀ, ରାଜନୈତିକ ବିଶାରଦ, ପଣ୍ଡିତବର୍ଗ ସହଜରେ ହଜମ କରିପାରୁନାହାନ୍ତି। ସେ ଖୋଲାଖୋଲି ଭାବେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଗଣେଶ ସାହୁଙ୍କୁ ମାଛ ଚିହ୍ନରେ ଭୋଟ ଦେବାସହ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ କହିଥିଲେ। ଆଦର୍ଶ ଆଚରଣ ବିଧିର ଏହା ଖୋଲାଖୋଲି ଉଲ୍ଲଂଘନ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।

ଅଶାନ୍ତି ବାତାବରଣ ନକରନ୍ତୁ

ନିର୍ବାଚନ ପ୍ରଚାର ସମୟରେ ନେତାମାନେ ଯେମିତି ରଣନୀତି ପ୍ରସ୍ତୁତି କରିଛନ୍ତି। ମତଦାତାମାନେ ମଧ୍ୟ ନେତାଙ୍କୁ ବିରୋଧ କରୁଛନ୍ତି। ଢେଙ୍କାନାଳ ଜିଲ୍ଲା ସାଙ୍କୁଲେଇ ପଞ୍ଚାୟତର ଲୋକେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଘେରିଛନ୍ତି। ୨ ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ପ୍ରାର୍ଥିନୀଙ୍କ ପାଇଁ ପ୍ରଚାରରେ ଯାଇଥିବା ବେଳେ ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କୁ ବିରୋଧ କରିଛନ୍ତି। ସ୍ଥାନୀୟ ଲୋକେ କହିଛନ୍ତି ଯେ, ବଳଭଦ୍ରପୁର ଶାସନ ଶାନ୍ତି କମିଟିର ସଦସ୍ୟମାନେ ଗାଁରେ ବିଜେଡି ସମର୍ଥକମାନେ ଅଶାନ୍ତି ବାତାବରଣ ନକରନ୍ତୁ ବୋଲି ମନ୍ତ୍ରୀଙ୍କୁ ଜଣାଇଥିଲେ।

ମନ୍ତ୍ରୀଙ୍କୁ ଘଉଡାଇଲେ କଂଗ୍ରେସ ନେତ୍ରୀ

ନବରଂଗପୁର ସାଂସଦ ରମେଶ ମାଝୀ ପ୍ରଚାର କରିବାକୁ ଯାଇ ହଟହଟାର ସାମ୍ନା କରିଛନ୍ତି। ଜଣେ ମନ୍ତ୍ରୀ ହୋଇ ଆଚରଣ ବିଧିକୁ ଉଲ୍ଲଂଘନ କରିଛନ୍ତି। ଭୋଟ ପାଇଁ ମନ୍ତ୍ରୀ ଶ୍ରୀ ମାଝି ବିଳମ୍ବିତ ରାତ୍ରିରେ ପ୍ରଚାର ପାଇଁ ଅନାକାବେଡା ପଞ୍ଚାୟତର ଚକମାଲ ଗାଁକୁ ଯାଇଥିଲେ। ମନ୍ତ୍ରୀଙ୍କ ଆଗମନ ସଂପର୍କିତ ସୂଚନା ପାଇଁ ନିର୍ବାଚନୀ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ କରି କଂଗ୍ରେସ ପ୍ରାର୍ଥୀନୀ ପୁଷ୍ପାଞ୍ଜଳି ହଂସ ଅଧା ରାସ୍ତାରୁ ଘଉଡାଇ ଦେଲେ। ନିୟମ ଅନୁସାରେ ରାତି ୮ ଟା ପରେ ନିର୍ବାଚନ ପ୍ରଚାର କାର୍ଯ୍ୟ ବନ୍ଦ ଥିବା ବେଳେ ନିୟମ ଉଲଘଂନ କରି ସାଂସଦ ରମେଶ ମାଝୀ ତାଙ୍କ ଦଳ ସହ ପ୍ରଚାର କରିବାରୁ ତାଙ୍କୁ ଘୋର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା।  

LEAVE A REPLY

Please enter your comment!
Please enter your name here