ଓଡ଼ିଶାରେ ଗଠନ ହେବ କି ବିଧାନ ପରିଷଦ?

0
78

ଭୁବନେଶ୍ୱର: ଆନ୍ଧ୍ର ପ୍ରଦେଶ, ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲେଙ୍ଗାନା ଓ ଉତ୍ତରପ୍ରଦେଶ ଭଳି ଓଡ଼ିଶାରେ ମଧ୍ୟ ବିଧାନ ପରିଷଦ ଗଠନ ପାଇଁ ୨୦୧୫ ମସିହାରୁ ଆରମ୍ଭ ହୋଇଛି। ରାଜ୍ୟରେ ବିଧାନ ପରିଷଦ ଗଠନ ହେଲେ ଏଥିରେ ସର୍ବାଧିକ ୪୯ ଜଣ ସଦସ୍ୟ ରହିବେ। କାରର ନିୟମ ଅନୁସାରେ ରାଜ୍ୟ ବିଧାନସଭାର ମୋଟ ଆସନର ଏକ ତୃତୀୟାଂଶ ସଦସ୍ୟ ହିସାବରେ ବିଧାନ ପରିଷଦର ସଭ୍ୟ ରହିପାରିବେ। ସଂସଦରେ ଯେଭଳି ଲୋକସଭା ଓ ରାଜ୍ୟସଭା ରହିଛି, ସେହିଭଳି ରାଜ୍ୟରେ ବିଧାନ ପରିଷଦ ଓ ବିଧାନସଭା ଗଠନ ହେବା ଦ୍ୱାରା ଶାସନ ବ୍ୟବସ୍ଥା ଆହୁରି ମଜବୁତ ହୋଇପାରିବ। କିନ୍ତୁ କ୍ଷୋଭର ବିଷୟ ହେଲା ଯେ, ଦୀର୍ଘ ୭ ବର୍ଷ ଧରି ଚାଲିଥିବା ସରକାରଙ୍କ ଏହି ଉଦ୍ୟମ ସଫଳ ହୋଇପାରୁ ନାହିଁ। ରାଜ୍ୟରେ ବିଧାନପରିଷଦ ଗଠନ ପାଇଁ ୨୦୧୮ ସେପ୍ଟଟମ୍ବର ୬ରେ ବିଧାନସଭାରେ ସଂକଳ୍ପ ପାରିତ ହୋଇଥିଲେ ବି କିଛି କାରଣ ପାଇଁ ଏହା ପ୍ରତିବନ୍ଧକ ସାଜିଛି।  

ଓଡ଼ିଶାରେ ବିଧାନ ପରିଷଦର ଗଠନ ନେଇ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ସଂସଦରେ ନିକଟରେ କହିଥିଲେ ଯେ, କେନ୍ଦ୍ର କିଛି ସଂକଳ୍ପ ପାଇନାହିଁ। ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଲିଖିତ ପ୍ରଶ୍ନରେ ଉତ୍ତର ଦେଇ କିରଣ ରିଜିଜୁ କହିଥିଲେ, ବର୍ତ୍ତମାନ ୬ଟି ରାଜ୍ୟରେ ବିଧାନ ପରିଷଦ ରହିଛ। ଆଗାମୀ ଦିନରେ ଆସାମ, ରାଜସ୍ଥାନ ଓ ପଶ୍ଚିମବଙ୍ଗରେ ବିଧାନସଭା ପରିଷଦ ଗଠନ ହୋଇପାରେ। ଏଥି ପାଇଁ ପ୍ରସ୍ତାବ ପାସ ହୋଇଛି। ବିଧାନ ପରିଷଦ ଗଠନ ନେଇ ଓଡ଼ିଶା ତରଫରୁ କୌଣସି ଔପଚାରିକ ପ୍ରସ୍ତାବ ଆସିନାହିଁ।  

ବାଚସ୍ପତିଙ୍କ ପ୍ରତିକ୍ରିୟା

ଓଡ଼ିଶାରେ ବିଧାନ ପରିଷଦ ଗଠନ ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଥିବା ବେଳେ କେନ୍ଦ୍ରକୁ ଏବାବଦରେ ଜଣାନାହିଁ। ଏହା ନିଶ୍ଚିତ ଭାବେ କ୍ଷୋଭର ବିଷୟ ବୋଲି କୁହାଯାଇପାରିବ। ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବୟାନ ମଧ୍ୟରେ ତାଳମେଳ ଖାଉ ନଥିବାରୁ ବୁଦ୍ଧିଜୀବୀ ମହଲରେ ଏହି ପ୍ରସଙ୍ଗରେ ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ବିଧାନସଭାରେ ସଂକଳ୍ପ ପାରିତ ହେବା ପରେ ୧୮ ସେପ୍ଟେଟର ୨୦୧୮ରେ କେନ୍ଦ୍ର ନିକଟକୁ ପ୍ରସ୍ତାବ ପଠାଯାଇଥିଲା। ଓଡ଼ିଶାରେ ବିଧାନ ପରିଷଦ ପାଇଁ ୨୦୧୫ରେ ତତ୍କାଳୀନ ବିଧାୟକ ନୃସିଂହ ସାହୁଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଥିଲା। ସେହିବର୍ଷ ଜାନୁଆରୀ ୧୯ରେ   କମିଟିର ପ୍ରଥମ ବୈଠକ ବସିଥିଲା। ବିଭିନ୍ନ ରାଜ୍ୟ ଗସ୍ତ ପରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦିଆଯାଇଥିଲା।

କ୍ୟାବିନେଟ୍‌ରେ ମଞ୍ଜୁରି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକରେ ୨୦୧୮ରେ ରାଜ୍ୟରେ ବିଧାନ ପରିଷଦ ଗଠନ ପ୍ରସ୍ତାବକୁ ମଞ୍ଜୁରି ମିଳିଥିଲା। ଏହି ଐତିହାସିକ ନିଷ୍ପତ୍ତି ପରେ ରାଜ୍ୟରେ ବିଧାନ ପରିଷଦ ଗଠନ ହେବା ନେଇ କେତେ ଆଶା କରାଯାଇଥିଲା। ଏହି ପରିଷଦ ଗଠନ କରାଯିବା ପାଇଁ କେନ୍ଦ୍ରର ପୂର୍ଣ୍ଣ ସହଯୋଗ ଆବଶ୍ୟକ ଥିବା ବେଳେ ସରକାରୀ କଳର କୌଣସି ତ୍ରୁଟି ପାଇଁ ସମ୍ଭବ ହୋଇପାରି ନାହିଁ। ଓଡ଼ିଶାରେ ବିଧାନ ପରିଷଦର ଗଠନ କେବେ ହେବ ତାହା ମଧ୍ୟ ସୁନିଶ୍ଚିତ ହୋଇପାରି ନାହିଁ। କାରଣ ଏହି ପ୍ରକ୍ରିୟା ଯେଉଁ ପର୍ଯ୍ୟାୟ ଦେଇ କେନ୍ଦ୍ରର ମୁହର ପର୍ଯ୍ୟନ୍ତ ଯାଇଥାଏ, ସେସବୁ ହୋଇପାରି ନାହିଁ।

ବିଧାନ ପରିଷଦକୁ ବିରୋଧ

ରାଜ୍ୟରେ ବିଧାନ ପରିଷଦ ଗଠନର ଆବଶ୍ୟକ ଥିବା ବେଳେ ଏହାର ବିରୁଦ୍ଧରେ ୨୦୧୮ ସେପ୍ଟେମ୍ବର ୧୯ ତାରିଖରେ ଉତ୍କଳ ଭାରତ ପକ୍ଷରୁ ବିରୋଧ କରାଯାଇଥିଲା। ସେହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ଘେରାଉ କରାଯାଇଥିଲା। ଦଳର ତତ୍‌କାଳୀନ ରାଜ୍ୟ ସଭାପତି ଐର ଖାରବେଳ ସ୍ୱାଇଁଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ମାଷ୍ଟର କ୍ୟାଣ୍ଟିନ୍‌ ଛକରୁ ବାହାରି ନବୀନ ନିବାସ ଘେରାଉ ପାଇଁ ଯାଉଥିବା ସମୟରେ ପୁଲିସ ରାଜମହଲ ଛକଠାରେ ଶୋଭାଯାତ୍ରାକୁ ଅଟକାଇଥିଲା। ପୁଲିସ ରାଜ୍ୟ ସଭାପତିଙ୍କ ସମେତ ଶତାଧିକଙ୍କୁ କର୍ମୀଙ୍କୁ ଗିରଫ କରିଥିଲା। ଉତ୍କଳ ଭାରତ ପକ୍ଷରୁ ସେହି ସମୟରେ କୁହାଯାଇଥିଲା ଯେ, ବିଜେଡି ରାଜ୍ୟରେ ଶାସନ କରୁଛି। ବିଧାନ ପରିଷଦ ଗଠନ ପାଇଁ ଯେଉଁ ପ୍ରସ୍ତାବ ବିଧାନସଭାରେ ପାରିତ ହୋଇଛି ତାହାର କୌଣସି ଆବଶ୍ୟକତା ନାହିଁ। କିଛି କାମ ନ ଥିବା ଏହି ଅନୁଷ୍ଠାନକୁ କାହିଁକି ଗଢ଼ାଯିବ ବୋଲି ଶ୍ରୀ ସ୍ୱାଇଁ ପ୍ରଶ୍ନ କରିଛନ୍ତି। ଦଳରେ ଟିକେଟ ପାଉ ନ ଥିବା କିମ୍ବା ନିର୍ବାଚନରେ ହାରିଥିବା ନେତାଙ୍କ ପାଇଁ ଏହା ଥଇଥାନର କେନ୍ଦ୍ର ପାଲଟିବ।

Share the article

LEAVE A REPLY