ସବୁଦିନେ ହେଉ ମହିଳାଙ୍କ ସମ୍ମାନ

0
83

ଭୁବନେଶ୍ୱର: ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ମହିଳା ଦିବସ ପାଳିତ ହେଉଛି। ଏହା କେବଳ ଓଡ଼ିଶା ଅଥବା ଭାରତ ମଧ୍ୟରେ ସୀମତି ନ ହୋଇ ଅନ୍ତର୍ଜାତୀୟ ସ୍ତରରେ ପାଳନ ହେଉଛି। ଅନ୍ତର୍ଜାତୀୟ ମହିଳା ଦିବସ ଉଭୟ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ଉତ୍ସାହର ସହିତ ପାଳନ କରାଯାଉଛି। ଏହା ନିଶ୍ଚିତ ଭାବରେ ଏକ ଭଲ ଖବର। ମାତ୍ର କ୍ଷୋଭର ବିଷୟ ହେଲା ଯେ, ସମୟ ଯେତିକି ଆଧୁନିକତା ଆଡ଼କୁ ମୁହାଁଉଛି, ମହିଳାଙ୍କ ଉପରେ ସେହି ହିସାବରେ ହିଂସା କରାଯାଉଛି। ପୁରୁଷ ସମାଜର ମାନସିକତା ଏଭଳି ଭାବେ ପରିବର୍ତ୍ତନ ହୋଇଯାଇଛି ଯେ, ଆଜିର ଦିନରେ ମହିଳା ଏକାକି ବାହାରକୁ ବାହାରିବା ଚ୍ୟାଲେଞ୍ଜ ହେଉଛି। ଏଥି ପାଇଁ ଅଧିକାଂଶ ମାତ୍ରରେ ପୁରୁଷମାନେ ହିଁ ଦାୟୀ। ମହିଳା ଦିବସରେ ପ୍ରତ୍ୟେକ ବ୍ୟକ୍ତି ଯେଭଳି ମହିଳାଙ୍କ ପ୍ରତି ସକରାତ୍ମକ ଚିନ୍ତା କରୁଛନ୍ତି। ବର୍ଷର ୩୬୫ ଦିନ ମହିଳାଙ୍କୁ ସମ୍ମାନ ଜଣାଇଲେ ‘ଅନ୍ତର୍ଜାତୀୟ ମହିଳା ଦିବସ’ର ଯଥାର୍ଥତା ପରିପୂର୍ଣ୍ଣ ହୋଇପାରିବ।

ମହିଳା ସଶକ୍ତିକରଣ ଦିଗରେ ସଚେତନତା ସୃଷ୍ଟି ପାଇଁ ସରକାରୀ ଓ ବେସରକାରୀ ଉଦ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ବିଂଶ ଶତାଦ୍ଦୀର ପ୍ରଥମ ଦଶନ୍ଧିରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହେଉଛି। ଉତ୍ତର ଆମେରିକା ଓ ୟୁରୋପରେ ଶ୍ରମିକ ଆନ୍ଦୋଳନରୁ ଏହାର ଜନ୍ମ ହୋଇଥିଲା। ୟୁଏନ୍‌ରେ ପ୍ରଥମ ଥର ପାଇଁ ୧୯୦୯ ଫେବ୍ରୁଆରୀ ୨୮ ତାରିଖରେ ‘ଜାତୀୟ ମହିଳା ଦିବସ’ ପାଳନ ହୋଇଥିଲା। ଏବେ ବିଶ୍ୱର ଅନେକ ରାଷ୍ଟ୍ରରେ ମହିଳା ଦିବସରେ ଜାତୀୟ ଅବକାଶ ରହୁଛି। ଭାରତରେ ମଧ୍ୟ ସରକାରୀ ଓ ଘରୋଇ କାର୍ଯ୍ୟାଳୟରେ ମହିଳାଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହେଉଛି। ଭାରତରେ ସଫଳ ମହିଳାଙ୍କୁ ପୁରସ୍କାର ଓ ସମ୍ବର୍ଦ୍ଧନା ମଧ୍ୟ ଦିଆଯାଉଛି।  

୨୯ ମହିଳାଙ୍କୁ ‘ନାରୀ ଶକ୍ତି’ ପୁରସ୍କାର

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ୨୦୨୦ ଏବଂ ୨୦୨୧ ବର୍ଷ ପାଇଁ ‘ନାରୀ ଶକ୍ତି’ ପୁରସ୍କାର ପ୍ରଦାନ କରିଛନ୍ତି। ୨୦୨୦ ଏବଂ ୨୦୨୧ ବର୍ଷ ପାଇଁ ଉଲ୍ଲେଖନୀୟ ଏବଂ ପ୍ରଶଂସନୀୟ ଉପଲବ୍ଧି ହାସଲ କରିଥିବା ୨୯ ଜଣ ମହିଳାମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ନାରୀ ସଶକ୍ତିକରଣ, ବିଶେଷ କରି ଦୁର୍ବଳ ଓ ବଞ୍ଚିତ ବର୍ଗଙ୍କ କଲ୍ୟାଣ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ମହିଳାଙ୍କୁ ସମ୍ମାନିତ କରାଯାଇଥିଲା। ମହିଳାମାନଙ୍କ ଉପଲବ୍ଧିକୁ ସମ୍ମାନ ଜଣାଇବା ଲାଗି, ନାରୀ ସଶକ୍ତିକରଣ ଓ ସମାଜ କଲ୍ୟାଣ ଦିଗରେ ଯୋଗଦାନ ତଥା ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିଥିବା ପ୍ରଗତିଶୀଳ ମହିଳାମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରତିବର୍ଷ ସଫଳ ମହିଳା ଓ ମହିଳାଙ୍କ ଉଞ୍ଚାନ ପାଇଁ କାର୍ଯ୍ୟ କରୁଥିବା ସଂଗଠନଗୁଡ଼ିକୁ ନାରୀ ଶକ୍ତି ପୁରସ୍କାର ପ୍ରଦାନ କରାଯାଇଥାଏ।

ମହିଳା କମ୍‌ ନୁହଁନ୍ତି

ବିଶ୍ୱର ମଙ୍ଗଳ ଓ ବିକାଶ ପାଇଁ ମହିଳାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ପୁରୁଷ କୈନ୍ଦ୍ରୀକ ସମାଜରେ ମହିଳା ଆଜି ବି ଅନେକ କ୍ଷେତ୍ରରେ ଚାପର ବଶବର୍ତ୍ତୀ ହେଉଥିବା ପରିଲକ୍ଷିତ ହୋଇଥାଏ। ମହିଳାଙ୍କ ତୁଳନାରେ ପୁରୁଷଙ୍କୁ ଅଧିକ ଦାୟିତ୍ୱ ଓ ସୁଯୋଗ ଦିଆଯାଉଛି। କିନ୍ତୁ ଜଣେ ମହିଳାଙ୍କର ସମସ୍ୟା ଅନ୍ୟ ଜଣେ ମହିଳା ହିଁ ଭଲ ଭାବରେ ବୁଝିପାରିବ। ଜଣେ ମହିଳା ହିଁ ବିଶ୍ୱର କଲ୍ୟାଣ ପାଇଁ ନିଜକୁ ଅଧିକ ସମର୍ପିତ କରିପାରିବ। ସମୟ ସ୍ରୋତରେ ସମାଜର ବିକାଶମୂଳକ କାମରେ ମହିଳାଙ୍କ ଭାଗିଦାରୀ ଧୀରେ ଧୀରେ ବଢ଼ିବାରେ ଲାଗିଛି। ବର୍ତ୍ତମାନ ପରିପ୍ରେକ୍ଷୀରେ ମହିଳାମାନେ ରେଳ ଠାରୁ ବିମାନ ଚଳାଇବା କାମ, ୧୦ମ ଶ୍ରେଣୀର ପରୀକ୍ଷା ଠାରୁ ବିଭିନ୍ନ ପ୍ରବେଶିକା ପରୀକ୍ଷାର ଫଳକୁ ଅନୁଧ୍ୟାନ କଲେ ମହିଳାମାନେ ଉତ୍ତମ ପ୍ରଦର୍ଶନ କରୁଛନ୍ତି। ପ୍ରକୃତି, ପୃଥିବୀ ଓ ଭବିଷ୍ୟତ ପିଢ଼ିର ସୁରକ୍ଷା କ୍ଷେତ୍ରରେ ମହିଳାଙ୍କ ଯୋଗଦାନକୁ ଅସ୍ୱୀକାର କରାଯାଇ ପାରିବ ନାହିଁ। ତେଣୁ ପୁରୁଷଙ୍କ ତୁଳନାରେ ମହିଳା କୌଣସି ଗୁଣରେ କମ୍‌ ନୁହନ୍ତି ବୋଲି ପ୍ରମାଣିତ ହେଉଛି।

ଶ୍ରୁତି ମହାପାତ୍ରଙ୍କୁ ସମ୍ମାନ

ସାମାଜିକ ସଂଗଠନ ‘ସ୍ୱାଭିମାନ’ର ପ୍ରତିଷ୍ଠାତା ତଥା ଓଡ଼ିଶାର ଅନ୍ୟତମ ସଫଳ ମହିଳା ଶ୍ରୁତି ମହାପାତ୍ରଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ‘ନାରୀ ଶକ୍ତି’ ସମ୍ମାନରେ ସମ୍ମାନିତ କରିଛନ୍ତି। ୨୦୦୧ରେ ପ୍ରତିଷ୍ଠା ହୋଇଥିବା ଏହି ଅନୁଷ୍ଠାନ ଓଡ଼ିଶା ତଥା ଭାରତର ଦିବ୍ୟାଙ୍ଗ ମାନଙ୍କ ପାଇଁ ଅନବରତ କାମ କରିଆସୁଛି। ତାଙ୍କ ଦ୍ୱାରା ୧୫ ବର୍ଷ ହେବ ଛୋଟ ଛୋଟ ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ ଅଞ୍ଜଳି ନାମ ନାମକ ଏକ କାଯ୍ୟକ୍ରମ ଆୟୋଜନ କରି ଆସୁଛନ୍ତି, ଯାହା ଏହି ପିଲାମାନଙ୍କର ଅନ୍ତନିର୍ହିତ ଗୁଣକୁ ବିକଶିତ କରିବାରେ ସାହାଯ୍ୟ କରିଥାଏ। ସେ ୧୯୮୭ରୁ ୧୯୯୬ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ କର୍ଯ୍ୟକ୍ରମରେ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେଉଥିବା ବିଦ୍ୟାର୍ଥୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ, ଯେଉଁଥିରେ ପ୍ରାୟ ୩୦୦ ଜଣ ବିଦ୍ୟାର୍ଥୀ ସଫଳ ହୋଇଥିଲେ।   

Share the article

LEAVE A REPLY