୪ ରାଜ୍ୟରେ କ୍ଷମତା ଜାରି ରଖିଲା ବିଜେପି 

0
83

ଭୁବନେଶ୍ୱର: ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ମଣିପୁର ଓ ପଞ୍ଜାବ ବିଧାନସଭାର ଫଳାଫଳ ଆସିଛି। ପ୍ରଥମ ୪ଟି ରାଜ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି) ବିପୁଳ ଭୋଟ୍‌ରେ ବିଜୟୀ ହୋଇଥିବା ବେଳେ ପଂଜାବରେ ଆମ୍‌ ଆଦମ୍‌ୀର ଝାଡୁ କଂଗ୍ରେସକୁ ସଫା କରିଦେଇଛି। ବିଧାନସଭା ନିର୍ବାଚନରେ ଗୋଟିଏ ଜିନିଷ ଦେଖିଲେ, ଜଣାପଡୁଛି ନେତାଙ୍କୁ ମତଦାତା ତଥା ଜନତା କଡ଼ା ଜବାବ୍‌ ଦେଇଛନ୍ତି। ଉତ୍ତର ପ୍ରଦେଶ, ଗୋଆ ଓ ମଣିପୁରରେ ମୁଖ୍ୟମନ୍ତ୍ରୀମାନେ ନିଜ ନିଜ ଆସନରେ ବିଜୟୀ ହୋଇଥିବା ବେଳେ ପଂଜାବ ଓ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପ୍ରତିଯୋଗୀ ପ୍ରାର୍ଥୀଙ୍କ ଠାରୁ ବଡ଼ ବ୍ୟବଧାନରେ ହାରିଛନ୍ତି। ଗଣତନ୍ତ୍ର ବ୍ୟବସ୍ଥାରେ ମତଦାତା ହେଉଛନ୍ତି ଭାଗ୍ୟ ବିଧାତା। ନେତା ଯେତେ ଯାହା ଆକର୍ଷିତ କଲେ ବି ଆଜିକାଲିର ମତଦାତା ଆଉ ନିର୍ବୋଧ ନାହିଁ। ରାଜ୍ୟଗୁଡ଼ିକର ମତଦାତାମାନେ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ବାଛିଛନ୍ତି।

ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ମଣିପୁରରେ ଭାରତୀୟ ଜନତା ପାର୍ଟି କ୍ରମାଗତ ୨ୟ ଥର ପାଇଁ ସରକାର ଗଢ଼ିବାକୁ ଯାଉଛି। ସେହିପରି ସହଯୋଗୀ ଦଳଙ୍କ ମାଧ୍ୟମରେ ଗୋଆରେ ବିଜେପି ୩ୟ ଥର ଲଗାତାର ସରକାର ଗଢ଼ିବ। ଏହି ରାଜ୍ୟ ଗୁଡ଼ିକରେ ମତଦାତା ବିଜେପି ସରକାର ତଥା ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିକାଶମୂଳକ କାମରେ ଆକର୍ଷିତ ହୋଇଛନ୍ତି। ଉତ୍ତର ପ୍ରଦେଶ କଥା ଯଦି କହିବା ତା’ହେଲେ ଏହି ରାଜ୍ୟରେ ବିଗତ ୫ ବର୍ଷରେ ବିକାଶ କ’ଣ ହୋଇଛି ତାହା ଲୋକେ ଦେଖିଛନ୍ତି। ସବୁଠାରୁ ବଡ଼ କଥା ଚୋରି, ଡକାୟତି, ଲୁଟ, ହତ୍ୟା ଆଦି ହ୍ରାସ ପାଇଛି। ସଞ୍ଜ ନଇଁଲେ ବି ମହିଳାମାନେ ବାହାରକୁ ଯାଇପାରୁଛନ୍ତି। ଫିଲ୍ମ ହଲ୍‌ରେ ନାଇଟ୍‌ ଶୋ’ ପ୍ରଦର୍ଶିତ ହୋଇପାରୁଛି। ସେହିପରି ସ୍ୱାସ୍ଥ୍ୟ ଓ ଗମନାଗମନରେ ବୈପ୍ଲବିକ ପରିବର୍ତ୍ତନ ଆସିଛି।

ହାରିଗଲେ ମହାରଥୀ

୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ ମହାରଥୀମାନେ ହାରି ଯାଇଥିବା ବେଳେ କିଛି ନେତା ଇତିହାସ ରଚିଛନ୍ତି। ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ଵତ, ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି, ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ, କ୍ୟାପଟେନ୍‌ ଅମରିନ୍ଦର ସିଂହ ପରାଜିତ ହୋଇଛନ୍ତି।। ପଂଜାବରେ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗବନ୍ତ ମାନ୍‌ ବିଜୟୀ ହୋଇଛନ୍ତି।  କଂଗ୍ରେସର ବିବାଦୀୟ ନେତା ନବଜ୍ୟୋତ ସିଂହ ସିଦ୍ଧୁ ଅମୃତସରରୁ ପରାଜିତ ହୋଇଛନ୍ତି। ସେହିପରି ବିଜେପି ଛାଡ଼ି ସମାଜବାଦୀ ପାର୍ଟିରେ ଯୋଗଦେଇଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ମଧ୍ୟ ପରାସ୍ତ ହୋଇଛନ୍ତି। ନିର୍ବାଚନରେ ପରାସ୍ତ ହେବା ପରେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଜନସାଧାରଣଙ୍କ ନିଷ୍ପତ୍ତିକୁ ନମ୍ରତାର ସହିତ ଗ୍ରହଣ କରୁଛୁ। ବିଜୟୀ ଦଳକୁ ଶୁଭେଚ୍ଛା ଜଣାଉଛି। ଦଳୀୟ କର୍ମୀ ଓ ପ୍ରତିନିଧିଙ୍କ ପରିଶ୍ରମ ପାଇଁ କୃତଜ୍ଞତା ଜ୍ଞାପନ କରୁଛି।

ଜିତିଲେ ଯୋଗୀ-ସାଓ୍ଵନ୍ତ

ଗୋଆ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ବିଜୟୀ ହୋଇଛନ୍ତି। ସାଙ୍କେଲିମ୍‌ ନିର୍ବାଚନ ମଣ୍ଡଳୀରୁ ସେ ବିଜୟୀ ହୋଇଛନ୍ତି। ଶ୍ରୀ ସାଓ୍ଵନ୍ତ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦ୍ୱୀଙ୍କଠରୁ ୧ ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଗୋଆରେ ବିଜେପି ପୁଣି ସରକାର ଗଠନ କରିବ ବୋଲି ସ୍ପଷ୍ଟ ହୋଇଛି। ଉତ୍ତର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷାଧିକ ଭୋଟରେ ଗୋରଖପୁର ଆସନରୁ ବିଜିୟୀ ହୋଇଛନ୍ତି। ସମର୍ଥକ ଏବଂ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରି ଯୋଗୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ଏବଂ ଏହାର ସହଯୋଗୀମାନେ ଉତ୍ତରପ୍ରଦେଶରେ ବିପୁଳ ସଂଖ୍ୟାରେ ଭୋଟ ପାଇ ବିଜୟୀ ହୋଇଛନ୍ତି। କରୋନା ସଂକଟ କାଳରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସୁଶାସନ ଦେବାରେ ସଫଳ ହୋଇଥିଲେ। ବିଜେପିର ଡବଲ ଇଞ୍ଜିନ ସରକାର ରାଜ୍ୟରେ ବିକାଶମୂଳକ କାର୍ଯ୍ୟକୁ ଆଗକୁ ବାଇଥିବାରୁ ଆମକୁ ଏହି ଫଳାଫଳ ମିଳିଛି।

ପଂଜାବରେ ପୋଛି ହେଲା କଂଗ୍ରେସ

ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ୍‌ ଆଦମୀ ପାର୍ଟିକୁ ବଡ଼ ସଫଳତା ମିଳିଛି। କଂଗ୍ରେସ ମଧ୍ୟରେ ଗୋଷ୍ଠୀ କନ୍ଦଳ ଓ ଅତୀତରେ ନଭଜ୍ୟୋତ ସିଂହ ସିଦ୍ଧୁଙ୍କ ନାଟକୀୟ ରାଜନୀତି କାରଣରୁ ଏଠାରେ କଂଗ୍ରେସକୁ ବିପୁଳ ଭୋଟ ବ୍ୟବଧାନରେ ପରାସ୍ତ ହେବାକୁ ପଡ଼ିଛି। ଅତୀତରେ ଚାଷୀମାନଙ୍କୁ ନେଇ କଂଗ୍ରେସର ନେତାମାନେ ଯେଉଁ ରାଜନୀତି କରିଥିଲେ ସେମାନେ ଏହାର ଫଳ ପାଇଛନ୍ତି। ମୁଖ୍ୟମନ୍ତ୍ରୀ ଚନ୍ନୀଙ୍କୁ ଜଣେ ମୋବାଇଲ କାରିଗର ପରାସ୍ତ କରିଛନ୍ତି। ବିଜେପି ପ୍ରାର୍ଥୀ ତଥା ମୁଖ୍ୟମନ୍ତ୍ରୀ ବିରେନ ସିଂ ଇମ୍ଫାଲ ପୂର୍ବର ହେଇଙ୍ଗାଙ୍ଗ ଆସନ ଜିତିଛନ୍ତି। ସେ ମଣିପୁରରେ ୨ୟ ଥର ପାଇଁ ସରକାର ଗଢ଼ିବାକୁ ଯାଉଛନ୍ତି।  

Share the article

LEAVE A REPLY