ୟୁକ୍ରେନ୍‌ରେ ଯୁଦ୍ଧ: କବର ଦେବା ପାଇଁ ସ୍ଥାନ ଅଭାବ

0
158
Spread the love

ଭୁବନେଶ୍ୱର: ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଜାରି ଥିବା ସଂଘର୍ଷ ଦିନକୁ ଦିନ ଅତି ଭୟଙ୍କର ଆଡ଼କୁ ମୁହାଁଉଛି। ଗତମାସ ୨୪ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଯୋଗୁଁ ୟୁକ୍ରେନ୍‌ର ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇଛି। ୟୁରୋପ ମହାଦେଶର ଅନ୍ୟତମ ବିକଶିତ ଦେଶ ‘ୟୁକ୍ରେନ୍‌’ ଛାରଖାରନ୍‌ ହେବାରେ ଲାଗିଛି। ରାଜଧାନୀ କିଭ୍‌ ସମେତ ଖାରକିଭ୍‌, ମାରିୟୁପୋଲ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ମାର୍ଚ୍ଚ ୯ ତାରିଖରେ ମାରିୟୁପୋଲରେ ଏକ ମେଟରନିଟି ହସ୍ପିଟାଲ ଉପରେ ରୁଷିଆ ସୈନିକ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ବହୁ ଲୋକଙ୍କର ମୃତ୍ୟୁ ହୋଇଥିଲା ବେଳେ ଗୁରୁତର ସଂଖ୍ୟା ମଧ୍ୟ ଢେର ହୋଇଛି। ମୃତକଙ୍କ ସଂଖ୍ୟା ଯଦିଓ ଗଣମାଧ୍ୟମରେ ପ୍ରକାଶ ପାଇନାହିଁ ତଥାପି କୁହାଯାଉଛି ଯେ, ମାରିୟୁପୋଲରେ କୁଢ଼କୁଢ଼ ମୃତଦେହ ପଡ଼ିରହିଛି। ମୃତଦେହଗୁଡ଼ିକ କବର ଦେବା ପାଇଁ ସ୍ଥାନର ଅଭାବ ଦେଖାଯାଇଛି।  

ଜନବସତି ଅଞ୍ଚଳରେ ରୁଷିଆ ଆକ୍ରମଣ କରିବ ନାହିଁ ବୋଲି ଯୁଦ୍ଧ ଘୋଷଣା ସମୟରେ କହିଥିଲା। କିନ୍ତୁ ଯୁଦ୍ଧ ଆରମ୍ଭ ହୋଇଯିବା ପରେ ରୁଷିଆ ନିଜେ ଦେଇଥିବା କଥା ରଖିପାରି ନାହିଁ। ରୁଷିଆର ସେନା ଗୋଟିଏ ପରେ ଗୋଟିଏ ସହର ଉପରେ ଆକ୍ରମଣ କରିଚାଲିଛନ୍ତି।  ମେଟରନିଟି ହସ୍‌ପିଟାଲରେ ଆକ୍ରମଣ ଯୋଗୁଁ ଶିଶୁଙ୍କ ସମେତ ଅନେକ ଲୋକ ଚାପି ହୋଇଯାଇଥିଲେ। ୧୭ ଜଣ ଆହତ ହୋଇଥିବା ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି। ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କି ମଧ୍ୟ ଏହା କହିଛନ୍ତି। ସେ ଟୁଇଟ କରି ଲେଖିଛନ୍ତି ଯେ, ରୁଷିଆ ସେନାର ଆକ୍ରମଣକୁ କ୍ରୁରତା କୁହାଯିବ। ଜେଲେନ୍‌ସ୍କି ବିଶ୍ୱ ସଂପ୍ରଦାୟ ଉପରୁ ଭରସା ଶେଷ କରିଛନ୍ତି। ଏହାର କାରଣ ହେଲା ଯେ, ଏତେ ବଡ଼ ସଂକଟ ସମୟରେ ୟୁକ୍ରେନ୍‌କୁ ଯେମିତି ସହଯୋଗ ମିଳିବା ତାହା ମିଳି ପାରିଲା ନାହିଁ। ଏହି ଆତଙ୍କକୁ କେତେଦିନ ଯାଏଁ ଅଣଦେଖା କରାଯିବ। ବିଶ୍ୱବାସୀ ଆହୁରି କେତେଦିନ ପର୍ଯ୍ୟନ୍ତ ସିଧାସଳଖ ଚୁପ ରହିବେ।

ୟୁକ୍ରେନ୍‌ ଛାଡ଼ିଲେଣି ୨୦ ଲକ୍ଷ

ୟୁକ୍ରେନ୍‌ ଏବେ ରୁଷିଆ ଦ୍ୱାରା ଆକ୍ରମଣର ଶିକାର ହେଉଛି। ଯୁଦ୍ଧସ୍ଥିତି ଭୟଙ୍କର ଥିବାରୁ ବିଦେଶୀ ନାଗରିକମାନଙ୍କୁ ଯିବାକୁ ଦେଉଛି। ୟୁକ୍ରେନ୍‌ରୁ ୨୦ ଲକ୍ଷରୁ ଅଧିକ ବିଦେଶୀ ନାଗରିକ ଫେରି ଯାଇଛନ୍ତି। ୨ ଦିନ ମଧ୍ୟରେ ୟୁକ୍ରେନ୍‌ ଛାଡ଼ି ୧ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ରୁଷିଆର ଆକ୍ରମଣରେ କେବଳ ୟୁକ୍ରେନ୍‌ ସୈନିକମାନଙ୍କ ମୃତ୍ୟୁ ହେଉନାହିଁ। ବରଂ ସାଧାରଣ ଜନତା ମଧ୍ୟ ଏହାର ଶିକାର ହେଉଛନ୍ତି। ଦେଶରେ ମୃତ୍ୟୁ ସଂଖ୍ୟା ଏତେ ବଢ଼ିଯାଇଛି ଯେ, ମୃତଦେହଗୁଡ଼ିକ ଗୋଟିଏ ସ୍ଥାନରେ ପୋତିବା ସମ୍ଭବପର ହୋଇପାରୁ ନାହିଁ। ମାରିୟୁପୋଲର ଗଳିକନ୍ଦିରେ ମୃତଦେହ ପଡ଼ିରହିଛି। ଜଣିକିଆ କବର ଦେବା ପାଇଁ କବରରେ ସ୍ଥାନର ଅଭାବ ରହିଛି। ତେଣୁ ସାମୁହିକ କବର ଦିଆଯାଉଛି। ୟୁକ୍ରେନ୍‌ର ସହରଗୁଡ଼ିକରେ ଦୀପାବଳି ଭଳି ବାଣ ଫୁଟୁଛି।

ସବୁ ଆଲୋଚନା ବିଫଳ


ରୁଷିଆ ଓ ୟୁକ୍ରେନ୍‌ର ଯୁଦ୍ଧ ଶେଷ କରିବା ପାଇଁ ଭାରତ ସମେତ ଅନେକ ଗୁଡ଼ିଏ ରାଷ୍ଟ୍ର ହସ୍ତକ୍ଷେପ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଭୟ ରୁଷିଆ ଓ ୟୁକ୍ରେନ୍‌ର ରାଷ୍ଟ୍ରମୁଖ୍ୟଙ୍କ ସହିତ କଥା ହୋଇଛନ୍ତି। ପରୋକ୍ଷ ଭାବରେ ଯୁଦ୍ଧ ଶେଷ କରିବା ପାଇଁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି। ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ୩ଥର ଆଲୋଚନା ହୋଇସାରିଛି। ଏଥିରୁ ମଧ୍ୟ କୌଣସି ସୁଫଳ ମିଳି ନାହିଁ। ସେହିପରି ମାର୍ଚ୍ଚ ୧୦ ତାରିଖରେ ତୁର୍କୀରେ ରୁଷିଆ-ୟୁକ୍ରେନ୍ର ବିଦେଶ ମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହୋଇଥିଲା। କିନ୍ତୁ କ୍ଷୋଭର ବିଷୟ ଯେ, ଏହି ବୈଠକରୁ ମଧ୍ୟ କୌଣସି ଉତ୍ସାହଜନକ ଫଳ ବାହାରିପାରି ନାହିଁ। ବରଂ ସ୍ଥିତି ଦିନିକୁ ଦିନ ଅଧିକ ବିଗିଡ଼ିବାରେ ଲାଗିଛି।  ରୁଷିଆ ଉପରେ ଆମେରିକା, ୟୁରୋପୀୟ ଦେଶଗୁଡ଼ିକ କଟକଣା ଜାରି କରିଛନ୍ତି। ଅନେକ ବ୍ୟବସାୟିକ ସଂସ୍ଥା, କ୍ରୀଡ଼ା ସଂଗଠନ ମଧ୍ୟ ରୁଷିଆ ଉପରେ କଟକଣା ଜାରି କରିଛନ୍ତ। ଏହାର କୌଣସି ପ୍ରଭାବ ପଡୁନାହିଁ। 

LEAVE A REPLY