ଓଡ଼ିଶାରେ ଏପ୍ରିଲରେ ଯୁକ୍ତ ୨ ପରୀକ୍ଷା, ଫଳ ବାହାର କଲା ବିହାର

0
76

ଭୁବନେଶ୍ୱର: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଯୁକ୍ତ୨ ବାର୍ଷିକ ପରୀକ୍ଷା ନେଇ ଘୋଷଣା ହୋଇଛି। ଶିକ୍ଷା ପରିଷଦ ଦ୍ୱାରା ଏହି ଘୋଷଣା ପରେ ନିଶ୍ଚିତ ରୂପେ ଏବେ କୁହାଯାଇପାରିବ ଯେ, ପରୀକ୍ଷା ବ୍ୟବସ୍ଥା ପରିଚାଳନା କରିବାରେ ଆମେ ବହୁତ ପଛରେ। ବିହାରକୁ ପଛୁଆ ରାଜ୍ୟ ବୋଲି ଦେଶରେ ଚର୍ଚ୍ଚା ହୋଇଥାଏ। କିନ୍ତୁ ସେମାନେ ପାଠପଢ଼ା କ୍ଷେତ୍ରରେ ବହୁ ସତର୍କତା ଅବଲମ୍ବନ କରନ୍ତି। ବିହାର ସରକାରଙ୍କ ସ୍କୁଲ ଶିକ୍ଷା ବିଭାଗ ମାର୍ଚ୍ଚ ୧୬ ତାରିଖରେ ଯୁକ୍ତ ୨ ବାର୍ଷିକ ପରୀକ୍ଷା ଫଳ ଘୋଷଣା କରିଛି। ଏଣେ ଓଡ଼ିଶାରେ  ଫଳ ବାହାରିବା କଥା ଛାଡ଼ନ୍ତୁ ପରୀକ୍ଷା ହେବ ଆସନ୍ତା ଏପ୍ରିଲ ଶେଷ ସପ୍ତାହରେ। ପୁଣି ବାର୍ଷିକ ପରୀକ୍ଷା ହେବ କି ନାହିଁ ତାହା ମଧ୍ୟ ସଂନ୍ଦେହ।

କେବଳ ବିହାର ନୁହେଁ ଅନ୍ୟ ଦିଲ୍ଲୀ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ଝାଡ଼ଖଣ୍ଡରେ ମଧ୍ୟ ଓଡ଼ିଶା ତୁଳନାରେ ଆଗୁଆ ବାର୍ଷିକ ପରୀକ୍ଷା ହୋଇଥାଏ ଏବଂ ଫଳାଫଳ ପ୍ରକାଶ ପାଇଥାଏ। ବିହାରରେ ମାର୍ଚ୍ଚ ୧୬ ତାରିଖରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଷୟର ଫଳାଫଳ ବାହାରିଛି। କିନ୍ତୁ ଓଡ଼ିଶାରେ ଏହାର ବ୍ୟତିକ୍ରମ। ରାଜ୍ୟରେ ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ଫଳ ଗୋଟିଏ ଦିନରେ ପ୍ରକାଶ ପାଇଥାଏ। କଳା ବିଷୟର ଫଳ କିଛି ଦିନର ବ୍ୟବଧାନରେ ବାହାରି ଥାଏ। ଅନ୍ୟ ରାଜ୍ୟଗୁଡ଼ିକରେ ବାର୍ଷିକ ପରୀକ୍ଷା ଫଳ ଶୀଘ୍ର ବାହାର କରିବା ଦ୍ୱାରା ଜାତୀୟ ସ୍ତରୀୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପିଲାମାନେ ପ୍ରସ୍ତୁତି କରିବାକୁ ସମୟ ପାଇପାରିଥାନ୍ତି। କିନ୍ତୁ ଓଡ଼ିଶାରେ ବିଳମ୍ବରେ ପରୀକ୍ଷା ଫଳ ବାହାର କରାଯାଉଥିବାରୁ ପିଲାମାନେ ଚିନ୍ତା ଶୂନ୍ୟ ହୋଇ ରହିଥାନ୍ତି। କିଛି ମେଧାବୀ ପିଲାଙ୍କ ବ୍ୟତୀତ ଅନ୍ୟମାନେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଆଦୌ ଚିନ୍ତା କରନ୍ତି ନାହିଁ କହିଲେ ଚଳେ।

ପରୀକ୍ଷା ନେଇ ସନ୍ଦେହ

ବିଦେଶରେ କରୋନା ଭାଇରସ ପୁଣି ଥରେ ମୁଣ୍ଡ ଟେକିବା ଆରମ୍ଭ କରିଛି। କରୋନା ସଂକ୍ରମଣ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଏକ ନୂଆ ଲହର ସଂପର୍କରେ ସତର୍କ କରିଦେଇଛି। ଚୀନରେ ଓମିକ୍ରନ ସଂକ୍ରମଣ ବଢିବା ଆରମ୍ଭ କରିଛି। ଏଥି ପାଇଁ ସେଠାରେ ଅନେକ ସ୍କୁଲ-କଲେଜ ବନ୍ଦ ହୋଇଗଲାଣି। ଏପରିକି କେତେକ ସହରରେ କଠୋର ଲକଡାଉନ ଲାଗୁ କରାଯାଇଛି। ଦକ୍ଷିଣ କୋରିଆରେ ମଧ୍ୟ  ଦୈନିକ ସଂକ୍ରମଣ ପ୍ରାୟ ୬ ଲକ୍ଷ ଅତିକ୍ରମ କରିଛି। କଟକଣା ଲାଗୁ କରାଯିବା ସହ ବୁଷ୍ଟର ଡୋଜ୍‌ ଦିଆଯାଉଛି। କିନ୍ତୁ କରୋନା ମାନୁ ନାହିଁ। ଏବେ ବିଶ୍ୱରେ ଦକ୍ଷିଣ କୋରିଆ ପରେ ଭିଏତନାମରେ ସଂକ୍ରମଣ ବ୍ୟାପୁଛି। ଏହାରି ମଧ୍ୟରେ ଇସ୍ରାଏଲରେ କୋଭିଡର ନୂଆ ପ୍ରଜାତି ଚିହ୍ନଟ ହୋଇଛି। ଯଦି ଓଡ଼ିଶାରେ ପୁଣି କରୋନା ସକ୍ରିୟ ରୁହେ ତା’ହେଲେ ଯୁକ୍ତ୨ ବାର୍ଷିକ ପରୀକ୍ଷା ହୋଇ ନପାରେ। ଅର୍ଥାତ ପୁଣି ବିକଳ୍ପ ବ୍ୟବସ୍ଥାରେ ରେଜଲ୍ଟ ନବାହାରିବ ତାହା କହିହେବ ନାହିଁ।

ଅଫ୍‌ଲାଇନ୍‌ରେ ବାର୍ଷିକ ପରୀକ୍ଷା

କରୋନାର ଆଳ ଦେଖାଇ ଓଡ଼ିଶାରେ ବିଳମ୍ବରେ ଯୁକ୍ତ ୨ ପରୀକ୍ଷା କରାଯାଉଛି। ଏପ୍ରିଲ ୨୮ ତାରିଖରୁ ଯୁକ୍ତ ୨ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇ ମେ’ ମାସ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ରାଜ୍ୟର ପ୍ରାୟ ୩ ଲକ୍ଷ ୨୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। କରୋନା ଯୋଗୁଁ ବିଗତ ଦୁଇବର୍ଷ ଧରି କୋଭିଡ୍‌-୧୯ କାରଣରୁ ବାର୍ଷିକ ପରୀକ୍ଷା ହୋଇପାରି ନଥିଲା। ଏଥର କିନ୍ତୁ ଛାତ୍ରଛାତ୍ରୀମାନଙ୍କ ମାନସିକ ଓ ଶିକ୍ଷାଗ୍ରହଣ ଅବସ୍ଥାକୁ ଦୃଷ୍ଟିରେ ରଖି ପରୀକ୍ଷା ଓ ମୂଲ୍ୟାଙ୍କନ ପ୍ରଣାଳୀ ସ୍ଥିର କରିବା ନିମନ୍ତେ ମାଧ୍ୟମିକ ଶିକ୍ଷା ପରିଷଦ, ଶିକ୍ଷକସମାଜ, ଅଭିଭାବକ ସଂଗଠନ, ବରିଷ୍ଠ ଶିକ୍ଷାବିତ୍‌, ଛାତ୍ରଛାତ୍ରୀ ଏବଂ ବିଭିନ୍ନ ଶିକ୍ଷାପଦାଧିକାରୀମାନଙ୍କ ସହିତ ବିସ୍ତୃତ ଆଲୋଚନା କରାଯାଇଛି। ଚଳିତ ବର୍ଷ ଯୁକ୍ତ-୨ ପରୀକ୍ଷା ଅଫଲାଇନ୍‌ ମାଧ୍ୟମରେ ହେବ ଏବଂ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ହେବା ଚଳିତ ବର୍ଷର ସମସ୍ତ ପ୍ରାକ୍ଟିକାଲ୍‌ ପରୀକ୍ଷା ନିଜ ନିଜ ବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ହେବା  

କରୋନା ମୁକାବିଲା ଭୟ

କରୋନାକୁ ଦୃଷ୍ଟିରେ ରଖିି ଓଡ଼ିଶା ସରକାର କଟକଣାକୁ ବଢ଼ାଇ ଚାଲିଲେ। ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ଓଡ଼ିଶା ତୁଳନାରେ ବହୁତ ଅଧିକ ଥିଲେ ମଧ୍ୟ ସେଠାରେ ସ୍କୁଲଗୁଡ଼ିକ ଖୋଲାଯାଇଥିଲା। ଓଡ଼ିଶାରେ କିନ୍ତୁ ମୁକାବଲା କରିପାରିବା ଭୟରେ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଥଲା। ଅନ୍ୟ ରାଜ୍ୟରେ ଆଗୁଆ ଶିକ୍ଷାନୁଷ୍ଠାନ ଖୋଲା ଯାଇଥିବାରୁ ସେଠାରେ ବାର୍ଷିକ ପରୀକ୍ଷା ମଧ୍ୟ ଆଗରୁ କରାଯାଇପାରିଛି। ଓଡ଼ିଶାରେ ଏହା ବ୍ୟତୀକ୍ରମ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେ, ପ୍ରବଳ ଖରାରେ ପିଲାମାନେ ଏଥର ବାର୍ଷିକ ପରୀକ୍ଷା ଦେବାକୁ ବାଧ୍ୟ ହେବେ। ୨୦୨୦ ପୂର୍ବରୁ ଯେତେବେଳେ କରୋନା ନ ଥିଲା, ସେହି ସମୟରେ ଶିକ୍ଷାନୁଷ୍ଠାନରେ ଏପ୍ରିଲ ୨୦ ତାରିଖ ବେଳକୁ ଖରା ଛୁଟି ଘୋଷଣା କରାଯାଉଥିଲା। ଏବେ କିନ୍ତୁ ପ୍ରଚଣ୍ଡ ଖରାରେ ପିଲାମାନେ କେମିତି ସ୍କୁଲ ଯିବେ। ଯଦି ଏବେ ଯାଇପାରିବେ। ତା’ହେଲେ ପ୍ରତିବର୍ଷ ଖରାଛୁଟି ପ୍ରାୟ ଦେଢ଼ ମାସ ବଦଳରେ ପିକ୍‌ ସମୟରେ କଲେ ଅସୁବିଧା କ’ଣ ହୁଅନ୍ତା। 

Share the article

LEAVE A REPLY