ଏକବିଂଶ ଶତାଦ୍ଦୀର ମହିଳା; ସୁରକ୍ଷା ବ୍ୟବସ୍ଥା

0
177

ଭୁବନେଶ୍ୱର: ଏକବିଂଶ ଶତାଦ୍ଦୀ ବିକାଶର ଏକ ନୂତନ ଆହ୍ଵାନ ଆଣିଛି। ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ବାଣିଜ୍ୟ, ପ୍ରଶାସନ, ରାଜନୀତି ଆଦି କ୍ଷେତ୍ରରେ ମହିଳାଙ୍କର ଯୋଗଦାନକୁ ଅସ୍ୱୀକାର କରାଯାଇ ପାରିବ ନାହିଁ। ଅର୍ଥାତ ପ୍ରତ୍ୟେକ କ୍ଷେତ୍ରରେ କର୍ମଜୀବୀ ମହିଳାମାନଙ୍କର  ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି। ଏସବୁ ବାଦ୍‌ ମଧ୍ୟ କୃଷି, କୁଟୀର ଶିଳ୍ପ, ସମାଜର ବିକାଶ କ୍ଷେତ୍ରରେ ଅନେକ ମହିଳା ଯୋଡ଼ି ହୋଇଛନ୍ତି, ଯେଉଁମାନେ ଉନ୍ନତ ରାଷ୍ଟ୍ର ଗଢ଼ିବାରେ ନିଜକୁ ସମର୍ପଣ କରିଦେଇଛନ୍ତି। ଏସବୁ ସତ୍ତ୍ୱେ ମହିଳାମାନେ ସମାଜରେ ସୁରକ୍ଷିତ ନାହାନ୍ତି। ସରକାରୀ ଭାବେ ଯଦିଓ ଲିଙ୍ଗଗତ ଭେଦଭାବ ନାହିଁ, ତଥାପି ପୁରୁଷ ପ୍ରାଧାନ୍ୟ ସମାଜରେ ମହିଳା ଦୟାର ପାତ୍ର ହୋଇଥାନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ ୧୫ରୁ ୪୯ ବର୍ଷ ବର୍ଗର ମହିଳା ୨୭ ପ୍ରତିଶତ ନିର୍ଯାତନାର ଶିକାର ହୋଇଥାନ୍ତି।

କେବଳ ଓଡ଼ିଶା ନୁହେଁ କି ଭାରତ ନୁହେଁ, ସମଗ୍ର ବିଶ୍ୱରେ ମହିଳାମାନେ ପୁରୁଷ ସମାଜର ନିୟନ୍ତ୍ରଣରେ ରହୁଥିବା ଦୃଷ୍ଟି ଗୋଚର ହୋଇଥାଏ। ଅବଶ୍ୟ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକରେ ଭାରତୀୟ ମହିଳାଙ୍କ ତୁଳନାରେ ସ୍ୱାଧୀନତା ଅଧିକ। କିନ୍ତୁ ଭାରତରେ ମହିଳା କିଛି ନିଷ୍ପତ୍ତି ନେବା ପୂର୍ବରୁ ନିଜ ପରିବାରର ଲୋକଙ୍କ ଠାରୁ ଅନୁମତି ନେବାକୁ ପଡୁଛି। ଏଠାରେ ମହିଳା ପ୍ରତିନିଧିମାନେ ନିଜ ନିଷ୍ପତ୍ତି ଅନୁସାରେ କାମ କରିପାରନ୍ତି ନାହିଁ। ପୁରୁଷଙ୍କ ନିର୍ଦ୍ଦେଶରେ କାଗଜପତ୍ରରେ ଦସ୍ତଖତ ଦେଇଥାନ୍ତି। ଭାରତର ମହିଳା ନେତ୍ରୀମାନେ ସେମାନଙ୍କର ପୁରୁଷଙ୍କ ଦ୍ୱାରା ପରିଚାଳିତ ହୋଇଥାନ୍ତି। ଅବଶ୍ୟ ସରକାରୀ ଅଧିକାରୀ ଅଥବା କର୍ମଚାରୀଙ୍କ କ୍ଷେତ୍ରରେ ଟିକିଏ ଅଲଗା।

ପୁରୁଷ କୈନ୍ଦ୍ରୀକ ସମାଜ

ଏକବିଂଶ ଶତାଦ୍ଦୀରେ ଯୁଗ ବହୁତ ଆଗକୁ ବଢ଼ିଯାଇଛି। ସୂଚନା ଓ ପ୍ରଯୁକ୍ତିବଦ୍ୟାର ବ୍ୟାପକ ପ୍ରଚାର ସତ୍ତ୍ୱେ ମହିଳାମାନେ ସୁରକ୍ଷିତ ନାହାନ୍ତି। ଜଣେ ମହିଳା ନିଜ ପସନ୍ଦର ପୋଷାକ ପିନ୍ଧିପାରୁ ନାହାନ୍ତି। ବସ ହେଉ ବା ଟ୍ରେନ୍‌ରେ ଯାତ୍ରା ସମୟରେ ତାଙ୍କ ଉପରେ ଅନ୍ୟମାନେ ଖରାପ ନଜର ପକାଉଛନ୍ତି। ‌ଅନେକ ସମୟରେ ଟ୍ରେନ୍‌ ଓ ବସ୍‌ରେ ମଧ୍ୟ ଅସଦାଚରଣ ହେଉଛି। ସଂଜ ନଇଁଲେ ଜଣେ ମହିଳା ଏକାକୀ ବାହାରକୁ ଯିବା ପୂର୍ବରୁ ଅନେକ ଥର ଚିନ୍ତା କରିବାକୁ ପଡୁଛି। ଦିନ ଦ୍ୱିପ୍ରହରରେ ମଧ୍ୟ ମହିଳାଙ୍କ ବିରୋଧରେ ହିଂସା ଦେଖିବାକୁ ମିଳୁଛି। ମହିଳାମାନେ ଅପହରଣ, ଦୁଷ୍କର୍ମ, ଅସଦାଚରଣ ହେଉଥିବା ନେଇ ପ୍ରତିଦିନ ଗଣମାଧ୍ୟମରୁ ଜାଣିବାକୁ ମିଳୁଛି। ଅଭିଯୋଗ ପାଇଁ ଥାନାକୁ ଯାଉଥିବା ଅନେକ ମହିଳା ମଧ୍ୟ ପୋଲିସର ଆକ୍ରୋଶର ଶିକାର ହୋଇଥାନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ଆମ ପୁରୁଷ କୈନ୍ଦୀକ ସମାଜ ମହିଳାମାନଙ୍କୁ ସୁରକ୍ଷା ଦେବାରେ ସଂପୂର୍ଣ୍ଣ ରୂପେ ସଫଳ ହୋଇପାରି ନାହିଁ।

ତାଲିବାନରେ ସ୍ଥିତି ଖରାପ

ୟୁରୋପୀୟ ଓ ଆମେରିକୀୟଙ୍କ ତୁଳନାରେ ଏସୀୟ ରାଷ୍ଟ୍ରଗୁଡ଼ିକରେ ମହିଳାଙ୍କ ଉପରେ ଅଧିକ ନିର୍ଯାତନା ବଢୁଥିବା ପରିଲକ୍ଷିତ ହୋଇଥାଏ। ପାକିସ୍ତାନ, ଆଫ୍‌ଗାନିସ୍ତାନ, ତାଲିବାନ ହେଉଛି ଏହାର ଉଦାହରଣ। ଆଫଗାନିସ୍ତାନକୁ ତାଲିବାନ ଅକ୍ତିକାର କରିବା ପରେ ସ୍ଥିତି ଆହୁରି ଖରାପ ସ୍ତରକୁ ଚାଲିଯାଇଛି। ମହିଳାଙ୍କ ଅଧିକାରକୁ ତାଲିବାନୀ ଶାସକମାନେ ଛଡ଼ାଇ ନେଇଛନ୍ତି। ଏପରିକି ଜଣେ ମହିଳା ଏକାକୀ ବିମାନରେ ଯାତ୍ରା କରିପାରିବ ନାହିଁ। ବିମାନରେ ଯାତ୍ରା କରିବାକୁ ହେଲେ ତାଲିବାନୀ ଶାସନ ଲାଗୁ ହେବା ପରେ ଆଫଗାନିସ୍ଥାନରେ ଜଣେ ମହିଳାଙ୍କୁ ପୁରୁଷ ଅଭିଭାବକର ଆବଶ୍ୟକତା ରହିଛି। ଆଫଗାନ ଏୟାର ଲାଇନ୍‌ସର ଜଣେ ଅଧିକାରୀ ଗଣମାଧ୍ୟମକୁ ଏହି ସୂଚନା ଦେଇ କହିଛନ୍ତି ଯେ, ଘରୋଇ ଓ ଅନ୍ତର୍ଜାତୀୟ ବିମାନରେ ଯାତ୍ରା କରିବା ପାଇଁ ୧୦ରୁ ଊର୍ଦ୍ଧ୍ୱ ମହିଳା କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ। ମହିଳାମାନଙ୍କୁ କୁହାଯାଇଥିଲା ଯେ, ସେମାନେ ବିନା ପୁରୁଷ ଅଭିଭାବକରେ ଯାତ୍ରା କରିପାରିବେ ନାହିଁ। କାମ୍‌ ଏୟାର ଓ ସରକାରୀ  ସ୍ୱାମୀତ୍ୱ ଆରିୟାନା ଏୟାରଲାଇନ୍‌ସର ଇସଲାମାବାଦ, ଦୁବାଇ ଓ ତୁର୍କୀ ପାଇଁ ଯିବାକୁ ଥିବା ମହିଳାଙ୍କୁ ଯାତ୍ରା ପାଇଁ ଅନୁମତି ଦିଆଯାଇ ନଥିଲା

LEAVE A REPLY

Please enter your comment!
Please enter your name here