ଆତଙ୍କବାଦୀଙ୍କ ଆକ୍ରମଣ ଓ ମୋଦୀଙ୍କ ଜମ୍ମୁ କଶ୍ମୀର ଗସ୍ତ

0
67

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପଞ୍ଚାୟତିରାଜ ଦିବସ ସମାରୋହରେ ଯୋଗଦେବାକୁ ଏପ୍ରିଲ ୨୪ ତାରିଖରେ ଜମ୍ମୁ କଶ୍ମୀର ଗସ୍ତ କରିଛନ୍ତି। ୨୦୧୯ ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ କଶ୍ମୀରକୁ ଏହା ଥିଲା ମୋଦୀଙ୍କ ପ୍ରଥମ ଗସ୍ତ। ପ୍ରଧାନମନ୍ତ୍ରୀ ପାଲୀରେ ଆୟୋଜିତ ଗ୍ରାମସଭାରୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଗସ୍ତ କାଳରେ ସେ ଜମ୍ମୁ କଶ୍ମୀରବାସୀଙ୍କ ପାଇଁ ୨୦ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ନିର୍ମିତ ଓ ନିର୍ମାଣ ହେବାକୁ ଥିବା ପ୍ରକଳ୍ପର ଅନେକଗୁଡ଼ିଏ ବହୁମୁଖୀ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ମୋଦୀ ନିଜର ଗନ୍ତବ୍ୟ ସ୍ଥଳୀରେ ପହଞ୍ଚିବା ପୂର୍ବରୁ ତାଙ୍କର ରାଲି ସ୍ଥଳ ଠାରୁ ୧୨ କିମି ଦୂରରେ ବିସ୍ଫୋରଣ ହୋଇଛି। କିନ୍ତୁ ଏହାକୁ ପ୍ରଧାନମନ୍ତ୍ରୀ ଡରି ଯାଇ ନାହାନ୍ତି। ଏହି ବିସ୍ଫୋରଣ ଆତଙ୍କବାଦୀଙ୍କର ଦ୍ୱାରା ପ୍ରାୟୋଜିତ କି ନୁହେଁ ପୋଲିସ ତଦନ୍ତ କରୁଛି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ କାର୍ଯ୍ୟକ୍ରମ ସୁନିଶ୍ଚିତ ହେବା ପରେ ବିଗତ ୩ଦିନ ହେଲା ଆତଙ୍କବାଦୀମାନେ ଘାଟିରେ ସକ୍ରିୟ ହୋଇଛନ୍ତି। ଶୁକ୍ରବାର ସକାଳୁ ଘାଟିରେ ଆତଙ୍କବାଦୀମାନେ ସିଆଇଏସ୍‌ଏଫ୍‌ ବସ୍‌ ଉପରକୁ ଗ୍ରେନେଡ ମାଡ଼ କରିଥିଲେ। ଏଥିରେ ଜଣେ ଯବାନ୍‌ ସହିଦ ହୋଇଥିଲା ବେଳେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଜମ୍ମୁ ସହରର ସୁନଜଓ୍ଵାନ ଅଞ୍ଚଳରେ ସେନାର ଯବାନ ଓ ଆତଙ୍କବାଦୀମାନେ ନିହତ ହୋଇଥିଲେ। ଏକ ବଡ଼ଧରଣର କ୍ଷତି ପହଞ୍ଚାଇବାକୁ ଆତଙ୍କବାଦୀମାନେ ଉଦ୍ୟମ କରିଥିଲା ବେଳେ ସୁରକ୍ଷାବାହିନୀର ଯବାନମାନେ ସତର୍କତାର ସହିତ ମୁକାବିଲା କରିଥିଲେ। ତେବେ ମୋଦୀଙ୍କ ଗସ୍ତ ପୂର୍ବରୁ ଆତଙ୍କବାଦୀମାନେ ବଡ଼ଧରଣର ଆକ୍ରମଣ କରି ଘାଟିରେ ଉତ୍ତେଜନା ସୃଷ୍ଟି କରିବାକୁ ଚାହିଁଥିଲେ ବି ଏଥିରେ ବିଫଳ ହୋଇଥିଲେ।

କ’ଣ କହିଲେ ମୋଦୀ

ଦେଶବାସୀଙ୍କୁ ସମ୍ବୋଧିକ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଜମ୍ମୁ ଓ କଶ୍ମୀରବାସୀ ଆଜିର ଦିନରେ ଗଣତନ୍ତ୍ରର ମୂଲ୍ୟ ବୁଝିଛନ୍ତି। ସାଧାରଣ ଜନତାଙ୍କୁ ଏହା ଭେଦ କରିଛି। ଜମ୍ମୁ ଓ କଶ୍ମୀରର ଯୁବବର୍ଗଙ୍କୁ କହିବାକୁ ଚାହେଁ ଯେ, ତୁମ୍ଭମାନଙ୍କ ବାପାମାଆ ଓ ଜେଜେଜେଜୀ ଯେଭଳି କଷ୍ଟରେ ଜୀବନଯାପନ କରିଥିଲେ ତୁମ୍ଭମାନଙ୍କ ଜୀବନ କଦାପି ସେଭଳି ହେବନାହିଁ। ଏଥର ଜମ୍ମୁ ଓ କଶ୍ମୀରରେ ପଞ୍ଚାୟତିରାଜ ଦିବସ ପାଳନ କରାଯିବା ଘଟଣା ବଡ଼ ପରିବର୍ତ୍ତନକୁ ଦର୍ଶାଉଛି। ବଡ଼ ଗୌରବର କଥା ହେଲା, ଗଣତନ୍ତ୍ର ସାଧାରଣ ଜନତାଙ୍କୁ ଭେଦ କରିପାରିଛ।ଯ ସେହି କାରଣରୁ ହିଁ ମୁଁ ଏଠାରେ ଥାଇ ସମଗ୍ର ଦେଶରେ ଥିବା ପଞ୍ଚାୟତଗୁଡ଼ିକ ସହ କଥାହୋଇ ପାରୁଛି।

ସହଜ ହେଲା ଯୋଗାଯୋଗ ବ୍ୟବସ୍ଥା

ପ୍ରଧାନମନ୍ତ୍ରୀ ୩୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ବନିହାଲ-କାଜିଗୁଣ୍ଡ ସୁଡ଼ଙ୍ଗ ରାସ୍ତା ଉଦଘାଟନ କରଛନ୍ତି। ୮.୪୫ କିଲୋମିଟର ଦୀର୍ଘ ସୁଡ଼ଙ୍ଗ ଯୋଗୁଁ ବନିହାଲ ଓ କାଜିଗୁଣ୍ଡ ମଧ୍ୟରେ ଦୂରତ୍ୱ ୧୬ କିଲୋମିଟର ହ୍ରାସ ପାଇବ ଓ ଯାତ୍ରା ଅବଧି ପ୍ରାୟ ଦେଢ଼ ଘଣ୍ଟା କମ ହୋଇଛି। ଏହା ଏକ ଦ୍ୱୈତ ଟ୍ୟୁବ ଟନେଲ ଯାହାର ଯିବା ଓ ଆସିବା ନିମନ୍ତେ ଅଲଗା ଟ୍ୟୁବ ଅଛି। ଜରୁରୀକାଳୀନ ଉଦ୍ଧାର ଓ ରକ୍ଷଣାବେକ୍ଷଣ ନିମନ୍ତେ ପ୍ରତି ପାଞ୍ଚ ମିଟର ଦୂରରେ ଟ୍ୟୁବ ଏକ କ୍ରସ ପ୍ୟାସେଜ ଦ୍ୱାରା ସଂଯୁକ୍ତ ହୋଇଛି। ସେହିପରି ମୋଦୀ ୭୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ତିନି ରୋଡ ପ୍ୟାକେଜ ବିଶିଷ୍ଟ ଦିଲ୍ଲୀ-ଅମୃତସର-କଟ୍ରା ଏକ୍ସପ୍ରେସ ୱେର ଶିଳାନ୍ୟାସ କରିଛନ୍ତି। ୪/୬ ଲେନ ଯୁକ୍ତ ଦିଲ୍ଲୀ-କଟ୍ରା-ଅମୃତସର ଏକ୍ସପ୍ରେସ ୱେ ଯାହା ଜାତୀୟ ରାଜପଥ ୪୪ ବାଲସୁଆରୁ ଗୁରହା ବେଲଜାଇନ, ହମରାନଗରରୁ ଜାଖ ବିଜୟପୁର ଏବଂ ଜାଖ, ବିଜୟପୁରରୁ କୁଞ୍ଜୱାନୀ, ଜମ୍ମୁ ଓ ଜମ୍ମୁ ବିମାନଘାଟୀ ସହ ଉତ୍ତମ ସଂଯୋଗ ରଖିବ।

ବିଦ୍ୟୁତ ପ୍ରକଳ୍ପ ଶିଳାନ୍ୟାସ

ରାଟେଲ ଏବଂ କ୍ୱାର ଜଳବିଦ୍ୟୁତ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ। କିସ୍ତୱାର ଜିଲ୍ଲାର ଚେନାବ ନଦୀରେ ପ୍ରାୟ ୫୩୦୦ କୋଟି ଟଙ୍କା ବ୍ୟୟରେ ଏହି ୮୫୦ ମେଗାୱାଟ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମିିତ ହେବ। ସେହି ଜିଲ୍ଲାର ଚେନାବ ନଦୀରେ ମଧ୍ୟ ୪୫୦୦ କୋଟି ଟଙ୍କା ବ୍ୟୟରେ ୫୪୦ ମେଗାୱାଟ କ୍ୱାର ଜଳବିଦ୍ୟୁତ ପ୍ରକଳ୍ପ ମଧ୍ୟ ନିର୍ମିତ ହେବ। ଉଭୟ ପ୍ରକଳ୍ପ ଯୋଗୁଁ ସେ ଅଞ୍ଚଳର ଶକ୍ତି ଚାହିଦା ପୂରଣ ହେବ। ଜମ୍ମୁ ଓ କଶ୍ମୀରରେ ଜନଔଷଧି କେନ୍ଦ୍ରର ସଂପ୍ରସାରଣ ତଥା ଉତ୍ତମ ମାନର ଜେନେରିକ ଔଷଧ କମ ବ୍ୟୟ ସାପେକ୍ଷ ଦରରେ ଉପଲବ୍ଧ କରାଇବା ପାଇଁ ଶହେଟି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି ଓ ତାହା ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି।  

Share the article

LEAVE A REPLY