ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ବିରୋଧରେ ପଦଯାତ୍ରା, ବିରୋଧୀଙ୍କ ଟମାଟୋ ମାଡ଼

0
82

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଘନାଉଛି । ଏହି ମାମଲା ଉପରେ ହାଇକୋର୍ଟ ଶୁଣାଣି କରୁଛନ୍ତି । ହାଇକୋର୍ଟରେ  ଆସନ୍ତା ମେ’ ମାସରେ ଏହାରି ଉପରେ ରାୟ ପ୍ରକାଶ ପାଇପାରେ ବୋଲି ଆଶା କରାଯାଉଛି । ଏପ୍ରିଲ ୨୭ ତାରିଖରେ ପୁରୀରେ ବିରୋଧୀ ଓ କିଛି ଅନ୍ୟ ସଂଗଠନ ଦ୍ୱାରା ‘ଶ୍ରୀମନ୍ଦିର ବଞ୍ଚାଅ ଆନ୍ଦୋଳନ’ କାର୍ଯ୍ୟକ୍ରମ ଥିବା ବେଳେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ  ରଖାଯାଇଥିଲା । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜର କିଛି ସମର୍ଥକଙ୍କ ସହିତ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ପୁରୀ ପହଞ୍ଚିଥିଲେ । ସାଂସଦ ନିଜ ସମର୍ଥକଙ୍କ ସହିତ ଶ୍ରୀମନ୍ଦିର ଯାଉଥିଲା ବେଳେ ତାଙ୍କ ଉପରକୁ ଟମାଟୋ ମାଡ଼ ହୋଇଛି । ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ କିଛି ଯୁବକ ସାଂସଦଙ୍କ ଉପରକୁ ଟମାଟୋ ମାଡ଼ କରିଛନ୍ତି ।

ତେବେ ଶ୍ରୀମନ୍ଦିର ପ୍ରକଳ୍ପ ମାମଲା ହାଇକୋର୍ଟରେ ବିଚାରାଧୀନ ଥିବା ବେଳେ ଜଣେ ସାଂସଦ ଯେତେବେଳେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଯାଉଛନ୍ତି ଓ ସେହି ସମୟରେ କିଛି ଯୁବକ ଟମାଟୋ ମାଡ଼ କରୁଛନ୍ତି, ଏହାଠାରୁ କ୍ଷୋଭର ବିଷୟ କ’ଣ ହୋଇପାରେ । ମହାପ୍ରଭୁ ସମସ୍ତଙ୍କର ଏକଥା ଅଭିଯୁକ୍ତ ଯୁବକ ଜାଣିଥିଲେ ବି, ସାଂସଦଙ୍କ ଉପରକୁ ଟମାଟୋ ମାଡ଼ କରିବା ପାଇଁ ତାଙ୍କୁ ସଂକୋଚ ଲାଗିଲା ନାହିଁ । କୁହାଯାଉଛି ଯେ, ଜଣେ କଂଗ୍ରେସ କର୍ମୀଙ୍କ ଦ୍ୱାରା ସାଂସଦଙ୍କ ଉପରକୁ ଟମାଟୋ ମାଡ଼ କରାଯାଇଥିଲା । ଏକଥା କିନ୍ତୁ ସତ ହୋଇ ନଥାଇପାରେ । କିନ୍ତୁ ବାସ୍ତବ କଥା ହେଲା ପଦଯାତ୍ରା ବିରୋଧରେ ହିଂସା ଦେଖାଯାଇଛି ।

ଜିଦ୍ ଧରିଲେ ଅପରାଜିତା

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜ ସମର୍ଥକଙ୍କ ସହିତ ପୁରୀ ପହଞ୍ଚିବା ପୂର୍ବରୁ ଚନ୍ଦନପୁରରେ ପୋଲିସ ତାଙ୍କୁ ଅଟକାଇଥିଲା । କିନ୍ତୁ ଏହା ପରେ ମଧ୍ୟ ଶ୍ରୀମତୀ ଷଡ଼ଙ୍ଗୀ ନିଜ ଅଭିଯାନରେ ବାହାରିଥିଲେ । ଅପରାଜିତାଙ୍କ ପାଇଁ ୧୦୦ ପୁଲିସ ମୁତୟନ ହୋଇଥିଲା । ସାଂସଦଙ୍କୁ ପୁଲିସ କହିଥିଲା ଯେ, କେବଳ ଗୋଟିଏ ଗାଡ଼ିକୁ ନେଇ ସେ ଯାଇପାରିବେ ନାହିଁ । ଅପରାଜିତା ଷଡ଼ଙ୍ଗୀ ନିଜ ସମର୍ଥକଙ୍କ ସହିତ ଶ୍ରୀମନ୍ଦିରକୁ ଯିବେ ବୋଲି ଏସ୍‌ପିଙ୍କ ନିକଟରେ ଜିଦ୍ ଧରିଥିଲେ ।

ରାଜ୍ୟ ସରକାରଙ୍କୁ ଅପରାଜିତାଙ୍କ ଟାର୍ଗେଟ

ବିରୋଧୀମାନଙ୍କର ଟମାଟୋ ମାଡ଼ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ମହାପ୍ରଭୁଙ୍କ ଦର୍ଶନ ଆମ ପାଇଁ ସହଜ ହୋଇପାରି ନାହିଁ । ଏଥି ପାଇଁ ବହୁ ଘାତ ପ୍ରତିଘାତ ସହ୍ୟ କରିଛୁ । ଅବରୋଧ ମଧ୍ୟରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇପାରିଛୁ । ଭୁବନେଶ୍ୱର ବାହାରିବା ଠାରୁ ପୁରୀ ଶ୍ରୀମନ୍ଦିରରେ ପହଞ୍ଚିବା ପର୍ଯ୍ୟନ୍ତ ଅବରୋଧର ଶିକାର ହେବାକୁ ପଡ଼ିଛି । କିନ୍ତୁ ଏଥି ପାଇଁ ମୁଁ ଅଧିକାରୀଙ୍କୁ ଦାୟୀ କରୁନାହିଁ । କାରଣ ସମସ୍ତ ଅଧିକାରୀ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ କାମ କରିଥାନ୍ତି । ରାଜ୍ୟ ସରକାର ସତ୍‌ମାର୍ଗରେ ରହିବାକୁ ଶିଖାନ୍ତୁ । ସତ୍‌ମାର୍ଗରେ ରହିଥିଲେ ସରକାର କାହାରିକୁ ଡରି ନଥାନ୍ତେ । ଯଦି ଠିକ୍ କାମ କରିଥାନ୍ତେ, ଆଜି ଅବରୋଧ କରିବାକୁ ପଡ଼ି ନଥାନ୍ତା । ଅବରୋଧରୁ ସ୍ପଷ୍ଟ ଜଣାପଡୁଛି ଯେ, ସରକାର ସତ୍‌ମାର୍ଗରେ ନାହାନ୍ତି । ଲୋକଙ୍କୁ ଭୁତାଇବାକୁ ଚାହୁଁଛନ୍ତି । ଆଇନ ପରିସରରେ ରହି ସରକାରଙ୍କୁ ସତ୍‌ମାର୍ଗରେ ଯିବାକୁ ପଡ଼ିବ । ମନ୍ଦିର ସୁରକ୍ଷିତ ଥିବା ନେଇ ଗଜପତିଙ୍କ ମନ୍ତବ୍ୟ ଉପରେ ସାଂସଦ କହିଛନ୍ତି ଯେ, ମନ୍ଦିର ସୁରକ୍ଷିତ ଅଛି କି ନାହିଁ, ଏଏସ୍‌ଆଇ କିମ୍ବା ଇଂଜିନିୟର କୁହନ୍ତୁ । ଏହି ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ ଥିବାରୁ, କୋର୍ଟଙ୍କ ଉପରେ ଭରସା ରହିଛି ।

ଶ୍ରୀମନ୍ଦିର ପ୍ରସଙ୍ଗରେ ସମ୍ବିତ-ବିଜୟଙ୍କ ମତ

ଗତ ୨୫ ତାରିଖରେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ‘ଶ୍ରୀମନ୍ଦିର ସୁରକ୍ଷିତ’ ଅଛି କହିବା ପରେ ବିରୋଧୀ ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ସାମଜିକ ଗଣମାଧ୍ୟମ (ଫେସ୍‌ବୁକ୍‌)ରେ ଲେଖିଥିଲେ ଯେ, ଏଏସ୍‌ଆଇ କ’ଣ କହୁଛି, ତା’ ପାଇଁ ଅପେକ୍ଷା କରାଯିବା ଦରକାର । ତେଣୁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ନିର୍ମାଣ କାମ ବନ୍ଦ ରଖାଯିବା ଦରକାର । ସେହିପରି ବରିଷ୍ଠ ନେତା ବିଜୟ ମହାପାତ୍ର କହିଥିଲେ ଯେ, ଶ୍ରୀମନ୍ଦିର ସୁରକ୍ଷିତ ଅଛି କି ନାହଁ, ତାହା ଗଜପତି ମହାରାଜ କେମିତି କହିପାରିବେ? ଗଜପତି ନୀତିକାନ୍ତି ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ କହିପାରିବେ । ମନ୍ଦିର ସୁରକ୍ଷିତ ଅଛି କି ନାହିଁ, ତାହା ଏଏସ୍‌ଆଇ କହିବ ଓ ଏନେଇ ଆଇାନରେ ବ୍ୟବସ୍ଥା ରହିଛି ।

Share the article

LEAVE A REPLY