ସଂରକ୍ଷଣ ବ୍ୟବସ୍ଥାର ଅଭାବ! ଚିନ୍ତା ବଢ଼ାଉଛି ଟମାଟୋ ଦର

0
244

ଭୁବନେଶ୍ୱର: ତେଲ ଦର ପରେ ଏବେ ଟମାଟୋ ଦର ବୃଦ୍ଧି ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ମୁଖ୍ୟତଃ ସହରାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଇଁ ବର୍ଦ୍ଧିତ ଟମାଟୋ ଦର ଗ୍ରାହକଙ୍କୁ ବାଧୁଛି। ନିତ୍ୟ ବ୍ୟବହାର୍ଯ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦର ହୁ ହୁ ବଢୁଥିବାବେଳେ ଟମାଟୋ ଦର ଅଚାନକ ୩ରୁ ୪ ଗୁଣା ବଢ଼ିବା କାରଣରୁ ଲୋକଙ୍କୁ ଭାରି ବାଧୁଛି। ଚଳିତ ସପ୍ତାହରେ ଟାମାଟୋ ଦର ଆକାଶଛୁଆଁ ହୋଇଛି। ଭୁବନେଶ୍ୱର ଓ କଟକରେ ଟମାଟୋ ଦର ୭୦ରୁ ୮୦ଟଙ୍କାରେ ବିକ୍ରି ହେଉଛି। ଅଧିକାଂଶ ଗ୍ରାହକ ୧ କିଲୋ ଟମାଟୋ କିଣିବାକୁ ସାହାସ କରୁନାହାନ୍ତି। ଗ୍ରାହକଙ୍କ ଆଶା ଯେ, କାଳେ ଟମାଟୋ ଦର ହ୍ରାସ ପାଇଯିବ। ଗତ ୪-୫ ଦିନ ପୂର୍ବରୁ ଭୁବନେଶ୍ୱର-କଟକରେ ଟମାଟୋ ଦର ୩୦ ଟଙ୍କା ଥିଲା। କିନ୍ତୁ ଏବେ ୭୦ରୁ ୮୦ ଟଙ୍କା ରହିଛି। ଯାଜପୁର, ଜୟପୁର, କେନ୍ଦ୍ରାପଡା, ସମ୍ବଲପୁରରେ ଓ କେନ୍ଦୁଝରରେ ଟମାଟୋ କିଲୋ ପିଛା ୬୦ ଟଙ୍କା ରହିଛି।

ଟମାଟୋ ଖାଦ୍ୟର ସ୍ୱାଦକୁ ବଢ଼ାଇଥାଏ। ଖାଦ୍ୟର ରଙ୍ଗରେ ମଧ୍ୟ ପରିବର୍ତ୍ତନ ଆଣିଥାଏ। ଟମାଟୋ ହେଉଛି ଏକ ଆନ୍ତର୍ଜାତୀୟ ପରିବା। ଏହାକୁ ବିଶ୍ୱର ସବୁ ଦେଶର ଲୋକେ ଖାଇଥାନ୍ତି। ଏହାକୁ ବିନା ରୋଷେଇ କରି ମଧ୍ୟ ଖାଇହେଉଥିବାରୁ ଅନ୍ୟ ପରିବା ତୁଳନାରେ ଚାହିଦା ଅଧିକ। ଯଥା ଟମାଟୋକୁ ଭଜା, ତରକାରୀ, ଡାଲି, ପୋଡ଼ିବା, ଆଚାର, ସାଳାଡ, ଜୁସ୍‌ ଓ ସସ୍‌ ଆଦି ବିଭିନ୍ନ ଉପାୟରେ ଖାଇହେଉଥିବାରୁ ଏହା ହେଉଛି ଏକ ଲୋକପ୍ରିୟ ପରିବା। ତେବେ ବର୍ତ୍ତମାନ ଦର ଯେଭଳି ଭାବରେ ବଢ଼ିବାରେ ଲାଗିଛି, ବିଶେଷ ଭାବେ ଗୃହିଣୀଙ୍କର ଚିନ୍ତା ବଢ଼ିଯାଉଛି। ଭାରତରେ ଟମାଟୋ ଉତ୍ପାଦନ କ୍ଷେତ୍ରରେ ଆନ୍ଧ୍ରପ୍ରଦେଶ ଆଗୁଆ ରହିଛି। ଦ୍ୱିତୀୟ ସ୍ଥାନରେ ମଧ୍ୟପ୍ରଦେଶ ଥିବା ବେଳେ କର୍ଣ୍ଣାଟକ ଓ ଗୁଜରାଟ ଯଥାକ୍ରମେ ୩ୟ ଓ ୪ର୍ଥ ସ୍ଥାନରେ ରହିଛି। ତାଲିକାର ୫ମ ସ୍ଥାନରେ ରହିଛି ଓଡ଼ିଶା। କିନ୍ତୁ ରାଜ୍ୟରେ ଶୀତଳଭଣ୍ଡାର ସମସ୍ୟା ଯୋଗୁଁ ଚାଷୀମାନେ ଅଭାବୀ ବିକ୍ରି ହୋଇଥାନ୍ତି। ଯେଉଁ ସମୟରେ ଉତ୍ପାଦନ ଅଧିକ ହୋଇଯାଏ କିଲୋ ପିଛା ୧ ଟଙ୍କା ହୋଇଥାଏ।

ମାର୍ଚ୍ଚରେ ଟମାଟୋ କିଲୋ ୨ ଟଙ୍କା

ଗତ ମାର୍ଚ୍ଚ ୪ ତାରିଖରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଟମାଟୋ କିଲୋ ୨ଟଙ୍କା ଥିଲା। ସଂରକ୍ଷଣ ସୁବିଧା ନଥିବାରୁ ଚାଷୀ କମ୍‌ ଦରରେ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ। ଏବେ ଟମାଟୋ କିଲେ ପିଛା ରାଜ୍ୟରେ ୮୦ ଟଙ୍କା ବିକ୍ରି ହେଉଥିବାରୁ ଚାଷୀମାନଙ୍କ ମଧ୍ୟରେ ଭାଲେଣୀ ପଡିଛି। କାରଣ ସଂରକ୍ଷଣ ବ୍ୟବସ୍ଥା ଥିଲେ, ସେମାନଙ୍କୁ ଏବେ ଭଲ ଲାଭ ମିଳିପାରନ୍ତା। ଆନନ୍ଦପୁରରେ ଏକଦା ୨ ଟଙ୍କାରେ ଗ୍ରାହକ ଟମାଟୋ ନେବାକୁ ଅମଙ୍ଗ ହେଉଥିଲା ବେଳେ ଏବେ ୬୦ ଟଙ୍କାରେ କିଣିବାକୁ ବାଧ୍ୟ ହେଉଛନ୍ତି। ଆନନ୍ଦପୁରର ପଦ୍ମପୁର, ହାତୀବନ୍ଧା, ବଳଦୁଆଁ, ବେଲବାହାଳି, ସରେଇଁ ଅଞ୍ଚଳରେ ପାଖାପାଖି ୫୦ଏକର ଜମିରେ ଚଳିତବର୍ଷ ବିଲାତି ଚାଷ କରାଯାଇଥିଲା। କିନ୍ତୁ ଅହେତୁକ ଦର ହ୍ରାସଯୋଗୁ ଚାଷୀମାନେ ମୁଣ୍ଡରେ ହାତ ଦେଥିଲେ।  

ଭୁବନେଶ୍ୱରପରିବା ଦର ଆକାଶଛୁଆଁ

ଭୁବନେଶ୍ୱରରେ କେବଳ ଟମାଟୋ ନୁହେଁ। ବରଂ ଅନ୍ୟ ପରିବା ଦର ମଧ୍ୟ ଆକାଶଛୁଆଁ। ଲୋକଙ୍କର ଚାହିଦାକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନେ ୩୫ରୁ ୪୦ ପ୍ରକାର ବିଦେଶୀ ପରିବା ମଧ୍ୟ ମହଜୁଦ୍‌ ରଖୁଛନ୍ତି। ଦର ଯାହା ହେଉ ପଛେ ଏଠାକାର ଧନୀ ଲୋକ କିଣିବାକୁ ପ୍ରସ୍ତୁତ। ରାଜଧାନୀରେ ଏଭଳି ପରିବା ଅଛି, ଯାହାର ୧ କିଲୋ ପ୍ରତି ୬ ଶହ ଟଙ୍କା ମଧ୍ୟ ରହିଛି। ଆଭାକାଡ୍‌, ଚାଇନିଜ୍‌ କ୍ୟାବେଜ୍‌(କିଲୋ ୨୦୦ ଟଙ୍କା), ନାଲି ଓ ହଳଦିଆ କାକୁଡି (କିଲୋ ୨୦୦ ଟଙ୍କା), ନାଲି, ବାଇଗଣୀ ଓ ହଳଦିଆ କାପ୍ସିକମ୍‌ (କିଲୋ ୨୦୦ ଟଙ୍କା), ଲିକ୍‌ କିଲୋ ୨୦୦ ଟଙ୍କା, ଆସ୍ପାରାଗସ୍‌ କିଲୋ ୧୦୦ ଟଙ୍କା, ସବୁଜ କୋବି (ବ୍ରୋକଲି) କିଲୋ ୨୫୦ ଟଙ୍କା, ଚାଇନିଜ୍‌ ଧନିଆ ବିଡ଼ା ୨୦୦ ଟଙ୍କା, ମକା(ବେବିକର୍ଣ୍ଣ) କିଲୋ ୧୬୦ ଟଙ୍କା, ଚେରି ଟମାଟୋ କିଲୋ ୨୦୦ ଟଙ୍କା, ବେବି ପକ୍‌ଚୋଇ କିଲୋ ୨୫୦ ଟଙ୍କା, ବାଇଗଣୀ ରଙ୍ଗର ଚାଇନ୍‌ କ୍ୟାବେଜ୍‌ କିଲୋ ୨୦୦ ଟଙ୍କା, ଆଇସ୍‌ କୋବିଲ୍‌ କିଲୋ ୩୦୦ ଟଙ୍କା, ଅଦା ବା ଫ୍ରୋଏ ଜିଞ୍ଜର୍‌ କିଲୋ ୧୦୦୦ ଟଙ୍କା, ବ୍ରେସିଲ୍‌ କିଲୋ ୩୦୦ ଟଙ୍କା, ପାର୍ସେଲି କିଲୋ ୪୦୦ ଟଙ୍କା, ଆମେରିକାନ୍‌ ନାଲି କ୍ୟାବେଜ୍‌ କିଲୋ ୨୦୦ ଟଙ୍କା।

ଟମାଟୋରୁ ସ୍ୱାସ୍ଥ୍ୟଗତ ଲାଭ

ଟମାଟୋ ଖାଇବା ଦ୍ୱାରା ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ। କ୍ୟାଲ୍‌ସିୟମ, ଫସ୍‌ଫରସ୍‌ ଏବଂ ଭିଟାମିନ୍‌ ‘ସି’ରେ ଭରପୁର ଥିବା ଟମାଟୋର ଜୁସ୍‌ ପ୍ରସ୍ତୁତ କରି ପିଇବା ଦ୍ୱାରା ଶରୀରରେ ଦେଖା ଯାଉଥିବା ମୋଟାପଣ, ଏସିଡ଼ିଟି ଏବଂ ଆଖିର ସମସ୍ୟା ଦୂର ହୋଇଥାଏ। ଟମାଟୋ ଜୁସ୍‌ରେ ଆଣ୍ଟିଅକ୍ସିଡ଼ାଣ୍ଟ, ଫଲିକ୍‌ ଏସିଡ଼୍‌, ବେଟା କେରୋଟିନ୍‌ ଭଳି ତତ୍ତ୍ୱ ରହିଥାଏ, ଯାହା ଶରୀରରେ କର୍କଟ ରୋଗର କୋଷିକାଗୁଡ଼ିକୁ ବିବାରୁ ରୋକିଥାଏ। ପ୍ରତିଦିନ ଟମାଟୋ ଜୁସ୍‌ ପିଇବା ଦ୍ୱାରା କର୍କଟ ରୋଗ ହେବାର ଆଶଙ୍କା ଥାଏ। ଯକୃତର ବିଶୁଦ୍ଧିକରଣ ପାଇଁ ଟମାଟୋ ଜୁସ୍‌ ପିଇବା ଭଲ ଉପାୟ। ଟମାଟୋରେ ଫାଇବର, ପୋଟାସିୟମ ଏବଂ ଭିଟାମିନ୍‌ ‘ସି’ ହୃଦ୍‌ ଜନିତ ସମସ୍ତ ସମସ୍ୟାକୁ ଦୂର କରିଥାଏ। ୪.ଟମାଟୋ ଜୁସ୍‌ ଶରୀରରେ ଥିବା ବିଷାକ୍ତ ପଦାର୍ଥ ଦୂର କରିଥାଏ। 

LEAVE A REPLY

Please enter your comment!
Please enter your name here