କଶ୍ମୀରୀ ପଣ୍ଡିତଙ୍କୁ ପୁଣି ଆତଙ୍କବାଦୀଙ୍କ ଟାର୍ଗେଟ

0
27

ନୂଆଦିଲ୍ଲୀ: ଭାରତର ସାରସ୍ୱତ ବ୍ରାହ୍ମଣ ସଂପ୍ରଦାୟର ଅନ୍ୟତମ ଗୋଷ୍ଠୀ କଶ୍ମୀରୀ ବ୍ରହ୍ମଣ ତଥା କଶ୍ମୀରୀ ପଣ୍ଡିତ ପୁଣି ଥରେ ବିପଦଆଡ଼କୁ ମୁହାଁଇଛନ୍ତି। କଶ୍ମୀର ଘାଟୀରେ ରହୁଥିବା ଏହି ବାହ୍ମଣମାନଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରିଛନ୍ତି। ଶହ ଶହ ବର୍ଷ ଧରି ଏମାନେ କଶ୍ମୀର ଉପତ୍ୟାକାରେ ବସବାସ କରୁଥିବା ବେଳେ ୧୯୯୦ ମସିହା ପରଠାରୁ ସେମାନଙ୍କ ଜୀବନ ସୁରକ୍ଷିତରେ ନାହିଁ। ଆତଙ୍କବାଦୀଙ୍କ ବର୍ବରତା ସହି ନ ପାରି ୧୯୯୯ ଦଶକରେ କଶ୍ମୀର ପଣ୍ଡିତମାନେ ଭିଟାମାଟି ଛାଡ଼ି ଅନ୍ୟତ୍ର ପଳାୟନ କରିଥିଲେ। କେନ୍ଦ୍ରରେ ମୋଦୀ ସରକାର କ୍ଷମତାକୁ ଆସିବା ପରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ ଆତଙ୍କବାଦୀ ଗତିବିଧି ହ୍ରାସ ପାଇବା ପରେ ଧୀରେ ଧୀରେ  କଶ୍ମୀରୀ ପଣ୍ଡିତମାନେ ପୁଣି ଥରେ ଭିଟାମାଟିକୁ ଫେରୁଛନ୍ତି। କିନ୍ତୁ ଏହାକୁ ଆତଙ୍କବାଦୀମାନେ ସହ୍ୟ କରିପାରୁ ନାହାନ୍ତି। ସରଳ, ନିଷ୍କପଟ ସଂପ୍ରଦାୟର ଏହି ଗୋଷ୍ଠୀଙ୍କୁ ଆତଙ୍କବାଦୀମାନେ ଯଦି ଏଭଳି ଆକ୍ରମଣ ଜାରି ରଖିବେ, ତା’ହେଲେ ସେମାନେ କେଉଁଠି ରହିବେ ବୋଲି ପ୍ରଶ୍ନ ଛିଡ଼ା ହୋଇଛି।  

ଏବେ ଦେଖାଯାଉଛି ଯେ, ଯେଉଁ କଶ୍ମୀରୀ ପଣ୍ଡିତମାନେ ସରକାରୀ ସେବାରେ ନିୟୋଜିତ ରହୁଛନ୍ତି, ସେମାନଙ୍କୁ ଆତଙ୍କବାଦୀମାନେ  ଟାର୍ଗେଟ କରୁଛନ୍ତି। ବର୍ତ୍ତମାନ ୧୯୯୦ ଦଶକର ସ୍ଥିତି ପୁଣି ଆରମ୍ଭ ହୋଇଯାଇଛି। ପୁଲୱାମାର ହୱାଲ ଟ୍ରାଞ୍ଜିଟ ଆବାସରେ ରହୁଥିବା କଶ୍ମୀରୀ ପଣ୍ଡିତମାନଙ୍କୁ ଲଶ୍କର-ଏ-ଇସ୍‌ଲାମ୍‌ ନାଁରେ ଏକ ଆତଙ୍କବାଦୀ ସଂଗଠନ ଧମକ ଦେଇଛନ୍ତି। ଏହି ଗୋଷ୍ଠୀ ଦ୍ୱାରା ଜାରି ହୋଇଥିବା ଏକ ପୋଷ୍ଟରରେ କୁହାଯାଇଛି ଯେ, କଶ୍ମୀରୀ ପଣ୍ଡିତମାନେ ଘାଟୀ ନ ଛାଡିଲେ ମୃତ୍ୟୁ ପାଇଁ ପ୍ରସ୍ତୁତ ହୁଅନ୍ତୁ।  

ଆତଙ୍କବାଦୀଙ୍କ ଧମକ

ଆତଙ୍କବାଦୀମାନେ ପୋଷ୍ଟର ମାଧ୍ୟମରେ ଉଲ୍ଲେଖ ରହିଛି। ସମସ୍ତ କଶ୍ମୀର ପଣ୍ଡିତମାନେ ଆରଏସ୍‌ଏସ୍‌ ଏଜେଣ୍ଟ ଛାଡ଼ି ଦିଅନ୍ତୁ। ନଚେତ୍‌ ମୃତ୍ୟୁର ସାମ୍ନା କରିବାକୁ ପ୍ରସ୍ତୁତ ରୁହନ୍ତୁ। ଯେଉଁ କଶ୍ମୀରୀ ପଣ୍ଡିତମାନେ ମୁସଲମାନମାନଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଘାଟୀରେ ରହିବା ପାଇଁ କୌଣସି ସ୍ଥାନ ନାହିଁ। ନିଜର ସୁରକ୍ଷା ୨ରୁ ୩ ଗୁଣ କରି ନିଅନ୍ତୁ। ହୱାଲ ଟ୍ରାଞ୍ଜିଟ ଆବାସର ସଭାପତିଙ୍କୁ ସମ୍ବୋଧିତ କରି ଏହି ପୋଷ୍ଟର ଲେଖା ଯାଇଛ।

କାର୍ଯ୍ୟାଳୟରେ ଆତଙ୍କବାଦୀଙ୍କ ତାଣ୍ଡବ

ଆତଙ୍କବାଦୀମାନେ ପୋଷ୍ଟର ଜାରି କରିବା ପୂର୍ବରୁ ଗତ ୧୨ ତାରିଖ ଦିନ ବଡ଼ଗାମ୍‌ ଜିଲ୍ଲା ଚାଦୂରା ଗ୍ରାମରେ ତହସିଲ୍‌ କାର୍ଯ୍ୟାଳୟରେ  ବଳପୂର୍ବକ ପ୍ରବେଶ କରି କଶ୍ମୀରୀ ପଣ୍ଡିତ ରାହୁଲ୍‌ ଭଟ୍ଟଙ୍କୁ ହତ୍ୟା କରିଥିଲେ। କଶ୍ମୀରୀ ପଣ୍ଡିତଙ୍କ ଥଇଥାନ ନେଇ ଦାବି କରାଯାଉଥିବା ବେଳେ ଏଭଳି କଶ୍ମୀରୀ ପଣ୍ଡିତଙ୍କୁ ନିର୍ମମ ହତ୍ୟା କରାଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ସରକାର ଓ ସ୍ଥାନୀୟ ପ୍ରଶାସନ କଶ୍ମୀରୀ ପଣ୍ଡିତଙ୍କ ସୁରକ୍ଷା ପାଇଁ ଉଦ୍ୟମ କରୁଥିବା ବେଳେ ଆତଙ୍କବାଦୀମାନେ ଏହାକୁ ଆଦୌ ଖାତିର କରୁନାହାନ୍ତି।  

ଲାଲ୍‌ ଛକରେ ଆନ୍ଦୋଳନ!

କଶ୍ମୀରୀ ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟାକୁ ବିରୋଧ କରି  ୩୫୦ ଜଣ ସରକାରୀ କର୍ମଚାରୀ ଗତ ଶୁକ୍ରବାର ଦିନ ଇସ୍ତଫା ଦେଇଛନ୍ତି। ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଇସ୍ତଫା ପତ୍ର ଜ୍ଞାପନ କରି ସମସ୍ତ କାଶ୍ମୀରୀ ପଣ୍ଡିତମାନେ ପ୍ରଧାନମନ୍ତ୍ରୀ ପ୍ୟାକେଜର କର୍ମଚାରୀ ଅଟନ୍ତି ବୋଲି କହିଛନ୍ତି। ରାହୁଲ ଭଟ୍ଟଙ୍କୁ ଆତଙ୍କବାଦୀମାନେ ହତ୍ୟା କରିବା ପରେ କଶ୍ମୀରୀ ଘାଟିରେ ସେମାନେ ନିଜକୁ ଅସୁରକ୍ଷିତ ମନେ କରି ଇସ୍ତଫା ଦେଇଥିବା କଥା କହିଛନ୍ତି। ସୁରକ୍ଷା ଦାବିରେ କଶ୍ମୀରୀ ପଣ୍ଡିତମାନେ ଆଗାମୀ ଦିନରେ ଲାଲ ଛକରେ ଆନ୍ଦୋଳନ କରିବେ ବୋଲି ଜଣାପଡ଼ିଛି। ଆତଙ୍କବାଦୀଙ୍କ ଗତିବିଧିକୁ ଦେଖି ଏବେ କଶ୍ମୀର ଘାଟିରେ ଥିବା କଶ୍ମୀରୀ ପଣ୍ଡିତମାନେ ତ୍ରାହି ତ୍ରାହି ଡାକୁଛନ୍ତି। 

Share the article

LEAVE A REPLY