ପ୍ରଦୂଷଣ ଚିନ୍ତା: ଗଂଗାକୂଳରେ ଶବଦାହ

0
27

ଭୁବନେଶ୍ୱର: ଉତ୍ତର ପ୍ରଦେଶର ଅନ୍ୟତମ ପୂଣ୍ୟ ତୀର୍ଥସ୍ଥଳୀ ପ୍ରୟାଗରାଜସ୍ଥିତ ପବିତ୍ର ଗଂଗା ନଦୀକୂଳରେ ବ୍ୟାପକ ସଂଖ୍ୟାରେ ଶବ ସଂସ୍କାର କରାଯାଉ ଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି। ରିପୋର୍ଟ ଅନୁସାରେ ଫାଫାମଉ ଘାଟରେ ପ୍ରତିଦିନ ଶବଦାହ ହେଉଛି। ଗଣମାଧ୍ୟମରେ ଫଟୋ ଭାଇରାଲ ହେବା ହେବା ପରେ ଅତୀତରେ କରୋନାକାଳରେ ହୋଇଥିବା ଘଟଣା ମନେ ପଡ଼ି ଯାଉଛି।  କରୋନା କାଳରେ ଯେତେବେଳେ ଶହ ଶହ ଲୋକଙ୍କର ମୃତ୍ୟୁ ହେଉଥିଲା, ହସ୍‌ପିଟାଲ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଶବ ଛୁଇଁବାକୁ ଦେଉ ନଥିଲେ। କର୍ତ୍ତୃପକ୍ଷ କିଛି ଶବକୁ ଅନ୍ତିମ ସଂସ୍କାର କରୁଥିବା ବେଳେ ଅନେକକୁ ନଦୀକୂଳରେ ଫିଙ୍ଗି ଦେଉଥିବା ଅଭିଯୋଗ ହେଉଥିଲା। ସେହି ସମୟରେ ବିହାର ଓ ଉତ୍ତର ପ୍ରଦେଶ ଦେଇ ପ୍ରବାହିତ ହେଉଥିବା ଗଂଗା ନଦୀରେ ଶବ ଭାସୁଥିବାର ଖବର ମଧ୍ୟ ଗଣମାଧ୍ୟମରେ ପ୍ରକାଶିତ ହେଉଥିଲା।

ପ୍ରୟାଗରରାଜର ଗଂଗା ନଦୀକୂଳରେ ଅନ୍ତିମ ସଂସ୍କାର କରାଯିବା ନୂଆ କଥା ନୁହେଁ। ଅର୍ଥାତ ଏଠାରେ ଶହ ଶହ ବର୍ଷ ହେବ ଶବଦାହ କରାଯାଉଛି। କିନ୍ତୁ ଗଂଗାନଦୀକୁ ସ୍ୱଚ୍ଛ ଓ ପବିତ୍ର ରଖିବା ପାଇଁ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବୁନାଲ (ଏନ୍‌ଜିଟି) ଓ ପ୍ରୟାଗରାଜ ଜିଲ୍ଲା ପ୍ରଶାସନ ଏଠାରେ ଶବଦାହ ଉପରେ କଟକଣା ଲଗାଇଛନ୍ତି। ପରଂପରା ନାଁରେ ଯେଭଳି ଭାବରେ ଶବଦାହ କରାଯାଉଛି, ତାହା ବହୁତ ଚିନ୍ତାର ବିଷୟ ବୋଲି କୁହାଯାଉଛି। ଫାଫାମଉ ଘାଟରେ ପ୍ରତିଦିନ ୧୨ରୁ ଊର୍ଦ୍ଧ୍ୱ ଶବଦାହ କରାଯାଉଛି, ଯେଉଁଥି ପାଇଁ ପରିବେଶବିଦ୍‌ଙ୍କ ଚିନ୍ତା ବଢ଼ିଛି। ତେବେ ମୌସୁମୀ ବର୍ଷା ନିକଟ ହେଉଥିବା ବେଳେ, ବର୍ଷା ଯୋଗୁଁ ନଦୀରେ ପାଣି ଆସେ, ତା’ହେଲେ ଗଂଗାର ଜଳ ପ୍ରଦୂଷିତ ହେବା ଆଶଙ୍କା ରହୁଛି।  

ଜୀବିତ ଅବସ୍ଥାରେ ମନୁଷ୍ୟକୁ ଯେପରି ଲାଳନପାଳନ କରାଯାଉଛି, ମୃତ୍ୟୁ ପରେ ମୃତଦେହକୁ ଅନ୍ତିମ ସଂସ୍କାର କରିବା ହେଉଛି ଭାରତର ଅନ୍ୟତମ ପରଂପରା। ତେବେ ଭାରତରେ ବହୁ ଧର୍ମାବଳମ୍ବି ରହୁଥିବାରେୁ ସେମାନଙ୍କର ଅନ୍ତିମ ସଂସ୍କାରର ଶୈଳୀ ଭିନ୍ନ। ଅନ୍ୟ ଧର୍ମରେ ଶବକୁ ସମାଧୀ ଓ କବର ଦିଆଯାଉଥିବା ବେଳେ ହିନ୍ଦୁ ଧର୍ମର ଶବକୁ ଦାହ କରାଯାଉଛି। ମୁଖ୍ୟତଃ ଶବଗୁଡ଼ିକ ନଦୀଶର୍ଯ୍ୟା ତଥା ଗ୍ରାମାଞ୍ଚଳରେ ଥିବା ନାଳରେ କରାଯାଇଥାଏ। ଭାରତୀୟ ପରଂପରା ପ୍ରୟାଗରାଜସ୍ଥିତ ଫାଫାମଉ ଘାଟକୁ ନିଜ ସଂପର୍କୀୟମାନଙ୍କ ଶବ ସଂସ୍କାର କରିବାକୁ ଆସିଥିବା ବ୍ୟକ୍ତିମାନେ କହୁଛନ୍ତି ଯେ, ବିଦ୍ୟୁତ୍‌ ପରିଚାଳିତ ଶବଦାହ ଗୃହ ଓ ଅନ୍ତିମ ସଂସ୍କାର ପାଇଁ କାଠ ଉପଲବ୍ଧ କରାଗଲେ ଭଲ ହୋଇପାରିବ।

ଗଂଗାନଦୀ କୂଳରେ ଦେଶର ଅନେକଗୁଡ଼ିଏ ସହର ରହିଛି, ଯେଉଁଠାରେ କି ଲକ୍ଷ ଲକ୍ଷ ଲୋକ ବସବାସ କରୁଛନ୍ତି। ସହରାଞ୍ଚଳର ଲୋକଙ୍କ ମୃତହେଦ ଗଙ୍ଗାନଦୀ କୂଳରେ ଦାହ କରାଯାଉଛି। ସହରର ଅଳିଆ ଆବର୍ଜନା ପାଣି ଗଙ୍ଗାନଦୀରେ ନିଷ୍କାସିତ ହେଉଛି। କଳକାରଖାନାର ପାଣି ମଧ୍ୟ ଗଙ୍ଗାନଦୀରେ ମିଶୁଛି। ଅନ୍ୟପଟରେ ଗଂଗାକୁ ବିଶୁଦ୍ଧ ରଖିବା ପାଇଁ କେନ୍ଦ୍ର ସରକାର ଯଥା ସମ୍ଭବ ଉଦ୍ୟମ କରୁଛନ୍ତି। ଗଂଗାନଦୀର ପବିତ୍ରତା ବଜାୟ ରଖିବା ପାଇଁ ଗଂଗା ମିଶନ କରିଛନ୍ତି। ଏପରିକି ସ୍ୱତନ୍ତ୍ର ମନ୍ତ୍ରାଳୟ ମଧ୍ୟ ରହିଛି। ତଥାପି ଗଂଗା ପ୍ରଦୂଷଣ ମୁକ୍ତ ହୋଇପାରୁ ନାହିଁ। କେବଳ ଗଙ୍ଗା ନୁହେଁ ଦେଶର ଅନ୍ୟ ନଦୀଗୁଡ଼ିକ ମଧ୍ୟ ପ୍ରଦୂଷଣରେ ବୁଡ଼ି ରହୁଛି। ଓଡ଼ିଶାରେ ମହାନଦୀ ଓ ବ୍ରାହ୍ମଣୀ ନଦୀ ହେଉଛି ପ୍ରଦୂଷଣର ଅନ୍ୟତମ ଉଦାହରଣ। 

Share the article

LEAVE A REPLY