କବିତାରେ ଅଙ୍ଗୀକାର

0
53

ଆଗାମୀ ଶହେ ବର୍ଷପରେ କବିତା ବଂଚି ରହିବ କି ଅନାଦୃତ ହେବ ସେକଥା ସ୍ୱତନ୍ତ୍ର ! କିନ୍ତୁ କବିତାଟିଏ ଯଦି କ୍ଷଣିକ ପାଇଁ ହେଲେ ପାଠକୀୟ ଶ୍ରଦ୍ଧା ଲାଭ କରି ପାରୁଛି ତେବେ ତାହା ନିଶ୍ଚିତ ଭାବରେ ଭଲ କବିତା ଏବଂ ଉଚ୍ଚ କୋଟିର କବିତା
କବିତାର ଶେଷ ଲକ୍ଷ୍ୟ ସବୁ କାଳରେ ଆନନ୍ଦଦାନ ପାଇଁ ନୁହେଁ । କି ସବୁବେଳେ ତାକୁ ବିଳାସର ସାମଗ୍ରୀ ହିସାବରେ ଗ୍ରହଣ କରାଯାଇ ନପାରେ । ଅନ୍ଧାର ରାସ୍ତାରେ ବାଟହୁଡି ଯାଇଥିବା ମଣିଷକୁ କବିତା ଅନେକ ସମୟରେ ଲଣ୍ଠନ ସଦୃଶ ଆଲୋକ ମଧ୍ୟ ଦେଖାଇଥାଏ ।
ତେଣୁ ଏଥିପାଇଁ କବିତାକୁ ବ୍ୟକ୍ତି ଓ ସମାଜିକ ଅଙ୍ଗୀକାରବଦ୍ଧ ହେବାକୁ ପଡିବ । ଇନ୍ଟରନେଟ , ମୋବାଇଲ , ଏବଂ କମ୍ପ୍ୟୁଟର ଯୁଗରେ ଲୋକେ କବିତା ପ୍ରତି ବୀତସ୍ପୃହ ହେଇ ପଡୁଥିବାର ଏକ ଶସ୍ତା ଅଭିଯୋଗ ବେଳେବେଳେ ଶୁଣିବାକୁ ମିଳିଥାଏ । ତେବେ କବିତାଠାରୁ ପାଠକ ଯଦି ଦୂରେଇଯାଏ , ଏଥିପାଇଁ ପାଠକକୁ ଆଦୌ ଦୋଷାରୋପ କରାଯାଇ ପାରିବ ନାହିଁ ; ସବୁବେଳେ କବି ହିଁ ଅପରାଧୀ ହେବ । କାରଣ –କବିତା ଭିତରେ ପାଠକ ନିଜକୁ ଆବିଷ୍କାର ନକଲେ , କବିତାଟିଏ ପାଠ କରି ସାରିଲା ପରେ -ଆରେ ଏତ’ ମୋର କଥା ହିଁ ଲେଖା ଯାଇଛି ” ଏପ୍ରକାର ଏକ ଭାବ ପାଠକ ମନରେ ସ୍ୱତଃସ୍ଫୁର୍ତ ଭାବରେ ସୃଷ୍ଟି ହୋଇ ନଗଲେ କବିତା ପ୍ରତି ପାଠକ ଉଦାସ ମନୋଭାବ ରଖିବା ଅସ୍ୱାଭିକ ନୁହେଁ ।


ଜଣେ ଚାରିିଦିନ ହେଲା ଖାଇବାକୁ ନପାଇ ଯେତେବେଳେ ରାସ୍ତାର ଗୋଟିଏ କଡରେ ଚିତ୍ ହୋଇ ପଡି ଯାଇଛି , ତାକୁ ପ୍ରଥମତଃ ଖାଇବାକୁ ନଦେଇ , ତା’ସହିତ ଯଦି ଯୁଦ୍ଧର ଆହ୍ୱାନ କରାଯାଏ , ତେବେ ସେ ଯୁଦ୍ଦରେ କିଏ ବିଜୟୀ ହେବ ଏପ୍ରଶ୍ନର ଉତର ଯଦି କବିତା ସବୁ ଯୁଗରେ ଦେଇ ପାରିବ ତେବେ ଏ ମଣିଷ ସମାଜ କବିତାକୁ ନିଶ୍ଚୟ ଲୋଡିବ ।
କାରଣ- ମଣିଷ ଯେତେବେଳେ ଖାଇବାକୁ ନପାଏ ଠିକ ସେତେବେଳେ ହିଁ ମନ୍ଦିର ଭାଙ୍ଗେ ଏବଂ ବିପ୍ଳବ କରିଥାଏ । ତେଣୁ କବିତା ସାମାଜିକ ଅଙ୍ଗୀକାରଦ୍ଧ ହେବା ଉଚିତ । ଯେଉଁ କବିତା ଏକ ପଥଭ୍ରଷ୍ଟ ମଣିଷକୁ ସତ୍ ରାସ୍ତା ଦେଖାଇ ପାରେ ନାହିଁ , ଯେଉଁ କବିତା ଏକ ବିଶୃଙ୍ଖଳିତ ସମାଜକୁ ଶୃଙ୍ଖଳିତ କରିପାରେନାହିଁ , ସେ କବିତା କବିତା ପଦବାଚ୍ୟ ନୁହେଁ । ଏବଂ ତାହା କାଳ ବକ୍ଷରେ ବିଲୀନ ହୋଇଯାଏ , କ୍ଷଣଭଙ୍ଗୁର ହେଇଯାଏ ।
ମାଇକ୍ରୋଫୋନଟିଏ ନେଇ ପୃଥିବୀର ପ୍ରତ୍ୟେକ କବିଙ୍କୁ ଯଦି ପ୍ରଶ୍ନ କରାଯିବ , “ଆପଣ କାହିଁକି କବିତା ଲେଖନ୍ତି” ବୋଲି , ତେବେ କବିଟିଏ ନିଶ୍ଚିତ ଭାବରେ କହିବ ଯେ – ମୁଁ ମୋର ନିଜପାଇଁ ହିଁ କବିତା ଲେଖେ ”ା କବିଟିଏ ଏମିତି ନିଜପାଇଁ କବିତା ଲେଖୁଥାଏ । ତା’ର କବିତାକୁ କିଏ ପଢୁ କି ନପଢୁ ସେଥିପାଇଁ ତା’ର ମନ ଭିତରେ କୌଣସି ପ୍ରକାର ଦୁଃଖ ନଥାଏ , କୌଣସି ପ୍ରକାର ଅନୁଶୋଚନା ନଥାଏ । କବି ପ୍ରତିମୁହୂର୍ତରେ “ମୋ’ ପାଇଁ ଗୋଟିଏ ପାଦ ହିଁ ପର୍ଯ୍ୟାପ୍ତ, ମୁଁ ସୁଦୂର ଦୃଶ୍ୟର କାମନା କରୁନାହିଁ ” ଗାନ୍ଧଜୀଙ୍କ ଏଇ କଥାକୁ ନେଇ ବଂଚି ରହୁଥାଏ ।


ମାତ୍ର ବେଳେବେଳେ ସ୍ୱତଃ ପଶ୍ନ ଉଠେ ଯେ -କବିଟିଏ ଯଦି ତା’ର ନିଜପାଇଁ ହିଁ କବିତା ଲେଖୁଥାଏ ,ତେବେ କବି ମୃତ୍ୟୁର ଶହଶହ ବର୍ଷ ପରେ ମଧ୍ୟ ଏସମାଜ କାହିଁକି ତା’ର ଜୟନ୍ତୀ ପାଳନ କରେ ? ଜଣେ କବିର ଏସମାଜ ସହିତ କି ସଂପର୍କ ରହିଛି , କବି ଯଦି ତା’ର ନିଜପାଇଁ ହିଁ କବିତା ଲେଖୁଥାଏ ।
ତେଣୁ କବିଟିଏ ନିଶ୍ଚିତ ଭାବରେ କେବଳ ତା’ନିଜ ପାଇଁ ଲେଖେନା । ସେ ନିଶ୍ଚୟ ତା’ର ଦେଶପାଇଁ ଲେଖେ , ସମାଜ ପାଇଁ ଲେଖେ , ଅନ୍ୟମାନଙ୍କ ପାଇଁ ଲେଖେ । କବି ହୁଏତ’ ଏକ ଘୁମନ୍ତ ସ୍ୱପ୍ନ ପୁରିରେ ବିଚରଣ କରିପାରେ , ତଥାପି କବି ଏ ମାଟିର ମଣିଷ ! ଏ ମାଟିର ପାଣି ପବନରେ ତା’ର ଅବୟବ ଗଠିତ ଏବଂ ସେ ବଂଚିଛି । ତେଣୁ କବି ଏମାଟିକୁ ,ଏପାଣିକୁ ,ଏପବନକୁ କସ୍ମିନ କାଳରେ ବି’ଉପେକ୍ଷା କରିପାରେ ନାହିଁ , ଭୁଲିପାରେ ନାହିଁ , ବିସ୍ମରି ପାରେ ନାହିଁ ।
ଏବଂ ଏଥିପାଇଁ ବିଶ୍ୱର ଭାବ-ପରଂପରାରେ କବିଟିଏ ଭାରି ନିଷ୍ଠାର ସହିତ ମଣିଷକୁ ଲେଖି ଆସିଛି । ମଣିଷର ସୁଖ, ଦୁଃଖକୁ , ପାଇବା ନପାଇବାକୁ , ତା’ର ଚାରି ପାଖକୁ , ବଂଚୁଥିବା ସମୟକୁ , ଏପରିକି ଖୁଦ କଣିକାଟିଏ ପାଇଁ କିଚିର୍ମିଚିର୍ କରୁଥିବା କେଉଁ ବସ୍ତି ଇଲାକାର କୁକୁଡା ଛୁଆ ମାନଙ୍କର ଶବ୍ଦକୁ ମଧ୍ୟ କବିଟିଏ ତା’ର କବିତା ଭିତରେ ରୂପାୟିତ କରି ଆସିଛି । ପୃଥିବୀରେ ଏମିତି କୌଣସି ଭାଷା ନାହିଁ , ଏମିତି କୌଣସି ସାହିତ୍ୟ ନାହିଁ ଯେଉଁ ଭାଷା ଓ ସାହିତ୍ୟରେ କି ମଣିଷର କଥା ଲେଖା ହୋଇ ନାହିଁ ।


କେବଳ ସାଂପ୍ରତିକ ଯୁଗରେ କାହିଁକି ; ଯେତେ ଦିନୁ କବିତାର ଅୟମାରମ୍ବ ହେଲା , ସେତେ ଦିନୁ ମଣିଷ ମଣିଷର କଥା ଲେଖି ଆସିଛି । ମଣିଷ ମଣିଷ ଭିତରେ କେମିତି ପ୍ରାଚୀର ସୃଷ୍ଟି ନହେବ , ଗୋଟିଏ ମଣିଷ ଆଉ ଗୋଟେ ମଣିଷକୁ କେମିତି ନିଃସର୍ତରେ ନିଜର କରି ପାରିବ ସେଥିପାଇଁ ଯତ୍ନର ସହ ପ୍ରଯତ୍ନ କରି ଆସିଛି । ସବୁ ବଂଚନା ଏବଂ ଛଳନାର ଊର୍ଦ୍ଧରେ ମୁଁ ମଣିଷକୁ ଭଲପାଏ । କାରଣ – ମୁଁ ମଣିଷଙ୍କ ଗହଣରେ ହିଁ ବଂଚି ରହିଛି ଏହି ମହାମନ୍ତ୍ରବାଣୀ ଶିଖାଇ ଅସିଛି ।
ତେଣୁ କବିତା ଲେଖିବାଟା’ ଏକ ଚମତ୍କାର କଳା ! ଏବଂ ଏହି କଳା ମନୁଷ୍ୟକୁ ଈଶ୍ୱରଙ୍କ ଏକ ଅମୂଲ୍ୟ ଅବଦାନ । ଏହାଏକ ନାନ୍ଦନିକ ଉପଲବ୍ଧି ଏବଂ ସାତ୍ୱିକ ଭାବପ୍ରବଣତା ଏହି ଭାବପ୍ରବଣତା ଯେଉଁ ମାନଙ୍କର ଥାଏ ସେମାନେ ସତରେ ସୌନ୍ଦର୍ଯ୍ୟ ପ୍ରେମୀ ଏବଂ ନିଷ୍କପଟ !!

(ଏହା ଲେଖକଙ୍କ ନିଜସ୍ୱ ମତ ଅଟେ )

ଅଧ୍ୟାପକ ବିପିନ ମହାନନ୍ଦ

ବିକାଶ କଲେଜ, ଶାସନ, ସଂବଲପୁର

Email: [email protected]

ମୋବାଇଲ ନଂ ୮୬୫୮୭ ୩୪୬୭୦

Share the article

LEAVE A REPLY