ବନ୍ଧୁକ: ଆମେରିକୀୟ-ୟୁରୋପୀୟଙ୍କ ଜୀବନ

0
67

ଓ୍ଵାଶିଂଟନ୍‌: ବିନା ଦ୍ୱନ୍ଦ୍ୱରେ କୁହାଯାଇପାରିବ ଯେ, ୟୁରୋପୀୟ ଓ ଆମେରିକୀୟ ଦେଶଗୁଡ଼ିକରେ ଲୋକେ ବନ୍ଧୁକ ରଖିବାକୁ ପସନ୍ଦ କରନ୍ତି। ଏହା ସୁରକ୍ଷା ପାଇଁ ହେଉ ଅଥବା ପସନ୍ଦରେ ହେଉ, ବ୍ୟକ୍ତିଗତ ଭାବେ ଲାଇସେନ୍ସପ୍ରାପ୍ତ ବନ୍ଧୁକ ରଖିବା ପାଇଁ ବିଭିନ୍ନ ସମୟରେ ବଡ଼ ହିଂସା ଘଟାଉଛି। ଆମେରିକୀୟ ଓ ୟୁରୋପୀୟ ଯୁବକମାନେ ବିନା କାରଣରେ ଆତତାୟୀ ପାଲଟୁଛନ୍ତି। ଜନଗହଳି ସ୍ଥାନରେ ଅତର୍କିତ ଭାବେ ଗୁଳି କରି ଅନ୍ୟର ଜୀବନ ନେଉଛନ୍ତି। ଏପରିକି ଗୁଳିମାଡ଼ର ଶିକାର ହୋଇ ଅନେକ ପରିବାର ଉଜୁଡି ଯାଉଛି। ଦୁଇ ଦିନ ତଳେ ଆମେରିକାର ଟେକ୍ସାସ ରାଜ୍ୟର ଏକ ସହରରେ ବିଦ୍ୟାଳୟରେ ହୋଇଥିବା ଗୁଳିକାଣ୍ଡ ଘଟଣାକୁ ବିଶ୍ୱବ୍ୟାପୀ ଚର୍ଚ୍ଚା ହୋଇଛି।

ଗତ ମଙ୍ଗଳବାର ଦିନ ଟେକ୍ସାସ୍‌ର ଅନ୍ତର୍ଗତ ୟୁଭାଲ୍‌ଡି କାଉଣ୍ଟିସ୍ଥିତ ଏକ ଏଲିମେଣ୍ଟାରି ସ୍କୁଲ୍‌ରେ ବନ୍ଧୁକଧାରୀ ଯୁବକ ଅତି ନୃଶଂସ କାମ କରିଥିଲା। ନିମିଷକ ମଧ୍ୟରେ ବନ୍ଧୁକ ଚଳାଇ ୨୧ଜଣଙ୍କର ଜୀବନ ନେଇଥିଲା। ୧୮ ଜଣ ନିଷ୍ପାପ ଶିଶୁ ଓ ୩ ଜଣ ଶିକ୍ଷକ ଘଟଣାସ୍ଥଲରେ ହିଁ ଟଳିପଡ଼ିଲେ। କେବଳ ୟୁଭାଲ୍‌ଡି କାଉଣ୍ଟି ନୁହେଁ ବରଂ ସମଗ୍ର ବିଶ୍ୱରେ ଏହା ଚର୍ଚ୍ଚାର କେନ୍ଦ୍ର ପାଲଟିଥିଲା। ୧୮ ବର୍ଷୀୟ ଯୁବକ ବିନା କାରଣରେ ୨୧ ଜଣଙ୍କୁ ନିହତ କରି ନିଜେ ଆତ୍ମ ହତ୍ୟା କରିବା ପରେ ପୋଲିସ ଏହାର କାରଣ ଖୋଜିପାରି ନଥିଲା। ଅନ୍ୟପଟରେ ଲୋକେ ବିଦେଶରେ ଆମେରିକାକୁ ସମାଲୋଚନା କରିଥନ୍ତି। କାରଣ ଆମେରିକା ଅତି ସହଜରେ ବନ୍ଧୁକ ରଖିବା ପାଇଁ ଅନୁମତି ଦେଇଥାଏ।

ଜେଜେ ମା’ଙ୍କୁ ହତ୍ୟା କରିଥିଲା ହତ୍ୟାକାରୀ

ଟେକ୍ସାସ୍‌ର ଗଭର୍ଣ୍ଣର ଗ୍ରେଗ୍‌ ଆବୋଟ୍‌ କହିଛନ୍ତି ଯେ, ଏଲିମେଣ୍ଟାରି ସ୍କୁଲ୍‌ରେ ୨୧ ଜଣଙ୍କର ହତ୍ୟକାରୀ ପାଇଁ ଏହା ପ୍ରଥମ ହିଂସା ନଥିଲା। ବରଂ ସେ ଏହା ପୂର୍ବରୁ ମଧ୍ୟ ବିଭିନ୍ନ ହତ୍ୟାକାଣ୍ଡ ସହିତ ସଂପୃକ୍ତ ଥିଲା। ପୂର୍ବରୁ ସେ ନିଜ ଜେଜେ ମା’ଙ୍କୁ ହତ୍ୟା କରିଥିଲା। ସବୁଠାରୁ ବଡ଼ କଥା ହେଲା ଯେ, ଆକ୍ରମଣ କରିବା ପୂର୍ବରୁ ଅଭିଯୁକ୍ତ ସାଲ୍ଵାଡର୍‌ ରାମୋସ୍‌ ନିଜ ଇନଷ୍ଟାଗ୍ରାମର ଜଣେ ଫଲୋୱରଙ୍କୁ ମେସେଜ କରିଥିଲା। ଅଭିଯୁକ୍ତ ନିଜ ଇନଷ୍ଟାଗ୍ରାମ ଫଲୋୱର ସହ କରିଥିବା ଚାଟର ସ୍କ୍ରିନସଟ ଭାଇରାଲ ହେବାରେ ଲାଗିଛି। ଆକ୍ରମଣ ପରେ ପରେ ଘଟଣାସ୍ଥଳରେ ପ୍ରାଣ ହରାଇଛି ଅଭିଯୁକ୍ତ ସାଲ୍ଵାଡର୍‌ ରାମୋସ୍‌।

ପ୍ରତି ସପ୍ତାହରେ ୧୦ ଗୁଳିକାଣ୍ଡ

ଟେକ୍ସାସ୍‌ ସ୍କୁଲରେ ଗୁଳିକାଣ୍ଡ ଘଟଣା ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ଚଳିତ ବର୍ଷ ଅଷ୍ଟମ ଥର ପାଇଁ ବିଦ୍ୟାଳୟରେ ଗୁଳିକାଣ୍ଡ ହୋଇଛି। ସେହପିର ନ୍ୟୁୟର୍କରେ ଏକ ସୁପରମାର୍କେଟରେ ୧୦ ଜଣ ଆଫ୍ରିକୀୟ-ଆମେରିକୀୟଙ୍କୁ ଗୁଳି କରି ହତ୍ୟା ଘଟଣାକୁ ଲୋକେ ଭୁଲି ନଥିଲା ବେଳେ ମାତ୍ର ୧୦ ଦିନ ପରେ ଏହି ଗୁଳିକାଣ୍ଡ ହୋଇଛି। ୨୦୨୦ରେ ଆମେରିକାରେ ଗୁଳିକାଣ୍ଡଜନିତ ମୃତ୍ୟୁସଂଖ୍ୟା ଅତି ସଂଘାତିକ ଭାବେ ବୃଦ୍ଧି ପାଇଛି। ୨୦୦୯ ପରଠାରୁ ଆମେରିକାରେ ୨୭୪ଟି ଗଣ ଗୁଳିକାଣ୍ଡ ହୋଇଛି, ଯେଉଁଥିରେ କି ୧୫୩୬ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୯୮୩ ଜଣ ଆହତ ହୋଇଛନ୍ତି। ଆମେରିକାରେ ଚଳିତ ବର୍ଷ ମୋଟ୍‌ ୧୯୯ଟି ଗଣ ଗୁଳିକାଣ୍ଡ ହୋଇଛି। ଏହାର ଅର୍ଥ ପ୍ରତି ସପ୍ତାହରେ ହାରାହାରି ୧୦ଟି ଗୁଳିକାଣ୍ଡ ହେଉଛି।

ନିୟମ ହେବ ପରିବର୍ତ୍ତନ?

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଟେକ୍ସାସ ପ୍ରାଥମିକ ସ୍କୁଲରେ ଗୁଳିମାଡ଼ ଘଟଣା ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ସେ ସମବେଦନା ଜଣାଇବା ସହ ଏଭଳି ଘଟଣାରେ ସଂପୃକ୍ତି ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଛନ୍ତି। ବାଇଡେନ୍‌ କହିଛନ୍ତି ଯେ, ଜଣେ ଦେଶର ନାଗରିକ ଭାବେ, ଆମକୁ ପଚରାଯିବାର ଅଛି ଯେ, ଭଗବାନଙ୍କ ନାଁରେ ଆମେ କେତେ ଦିନ ପର୍ଯ୍ୟନ୍ତ ବନ୍ଧୁକ ଧରି ଛିଡା ହେବ।ଏହାର ବିରୋଧରେ କ’ଣ କରାଯାଇପାରିବ? ଯେଉଁ ପିତା-ମାତାମାନେ ନିଜର ପିଲାମାଙ୍କୁ ଆଉ କେବେବି ଦେଖିପାରିବେ ନାହିଁ, ସେମାନଙ୍କ ବିଷୟରେ ମଧ୍ୟ ଚିନ୍ତା କରିବାର ଅଛି। ବାଇଡେନ୍‌ଙ୍କ କଥାରୁ ଜଣାପଡ଼ିଛି ଯେ,ବନ୍ଧୁକ ଲାଇସେନ୍ସ ନେଇ କିଛି ପରବର୍ତ୍ତନ ଆସିପାରେ। 

Share the article

LEAVE A REPLY