ସାବିତ୍ରୀ ବ୍ରତ ଅନୁଚିନ୍ତା: ପବିତ୍ର ସଂପର୍କରେ କଳଙ୍କ

0
79

ଭୁବନେଶ୍ୱର: ‘ସ୍ୱାମୀ-ସ୍ତ୍ରୀ’ଙ୍କ ନିବିଡ଼ ସଂପର୍କର ଉଦାହରଣ ହେଉଛି ସାବିତ୍ରୀ ବ୍ରତ। ଜଣେ ସଧବା ନାରୀ ପାଇଁ ଏହା କେତେ ମୂଲ୍ୟବାନ ସେହି ମହିୟସୀ ମହିଳାମାନେ ହିଁ କହିପାରିବେ, ଯେଉଁମାନେ ଦିନସାରା ଉପବାସ କରି ବ୍ରତ ପାଳନ କରିଥାନ୍ତି। ପୁରାଣ ଯୁଗର ସତ୍ୟବାନଙ୍କ ସହିତ ଯଦିଓ ଆଜିର ଏହି ସଭ୍ୟ ସମାଜରେ ଲୋକ ନାହାନ୍ତି, ତଥାପି ଉଣା ଅଧିକେ ଏହାର ପ୍ରତିଛବି ନାହିଁ ବୋଲି ଅସ୍ୱୀକାର କରାଯାଇପାରିବ ନାହିଁ। ସଭ୍ୟତା ଯେତିକି ଆଗକୁ ଯାଉଛି, ମନୁଷ୍ୟ ସମାଜ ସେତିକି ପାରିବାରିକ ସଂପର୍କର ମୂଲ୍ୟକୁ ବୁଝିବାରେ ଅବହେଳା କରୁଛି। ଆଜିକାଲି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସାବିତ୍ରୀ-ସତ୍ୟବାନ ଭଳି ସଂପର୍କ ତଥା ଭଲ ପାଇବା ହାତଗଣତି ଦେଖିବାକୁ ମିଳୁଛି। ଅନେକ ସ୍ଥାନରେ ପାପ ସଂପର୍କ ଯୋଗୁଁ ପରିବାର ଭାଙ୍ଗିଯାଉଛି।

ସଭ୍ୟ ସଭତାରେ ଅବିକଶିତ ମାନସିକତା ଯୋଗୁଁ ପତି-ପତ୍ନୀଙ୍କ ମଧ୍ୟରେ ଥିବା ମଧୁର ସଂପର୍କରେ ଫାଟ ସୃଷ୍ଟି ହେଉଛି। ଜଣେ ପୁରୁଷ ଯେତେବେଳେ ମହିଳାଙ୍କୁ ବିବାହ କରନ୍ତି, ସେହି ସମୟରେ ସେମାନେ ମନେ ମନେ ପ୍ରତିଜ୍ଞା କରିଥାନ୍ତି ଯେ, ଆଜୀବନ ଯାଏଁ ଭଲ ପାଇବେ। ଜଣେ ଅନ୍ୟର ସାଥୀ ହୋଇ ରହିବେ। ସୁଖ-ଦୁଃଖ ସମୟରେ ଜଣେ ଅନ୍ୟର କାମରେ ଆସିବେ। କିନ୍ତୁ ଅନେକ କ୍ଷେତ୍ରରେ ଦେଖାଯାଉଛି ଯେ, ବିବାହ ସମୟର ଏହି ଚିନ୍ତାଧାରା ପରବର୍ତ୍ତୀ ସମୟରେ ବଦଳି ଯାଉଛି। ଏହାର କାରଣ ହେଉଛି ଅର୍ଥ ଅଥବା ଅନୈତିକ ସଂପର୍କ। ସବୁବେଳେ ଗଣମାଧ୍ୟମରେ ଖବର ଆସୁଛି ଯେ, ସ୍ୱାମୀ ଥାଇ ମଧ୍ୟ ସ୍ତ୍ରୀ ଅନ୍ୟତ୍ର ଅନୈତିକ ସଂପର୍କ ରଖୁଛି। ଅପରପକ୍ଷେ ସ୍ତ୍ରୀର ଅଜଣାତରେ ପୁରୁଷମାନେ ବାହାରେ ମହିଳାଙ୍କ ସହିତ ସଂପର୍କ ରଖୁଛନ୍ତି। ପାପ ସଂପର୍କ ଆଜି ନହେଲେ କାଲି ବାହାରିଥାଏ ଏବଂ ଏହା ଯେତେବେଳେ ପଦାକୁ ଆସିଥାଏ ସ୍ୱାମୀ-ସ୍ତ୍ରୀ ସଂପର୍କରେ ଫାଟ ସୃଷ୍ଟି ହୁଏ।

ଟପୁଛି ନର୍ଯାତନାର ସୀମା

ଆଜିର ସମାଜରେ ଯୌତୁକ ନିର୍ଯାତନା ଏକ ବ୍ୟାଧି ଭାବରେ ଛିଡ଼ା ହୋଇଛି। ଏହାରି କାରଣରୁ ନିର୍ଯାତନା ବଢ଼ିବାରେ ଲାଗିଛି। ମହିଳାମାନେ ସେମାନଙ୍କର ଶ୍ୱଶୁର ଘର ଓ ଶାଶୁଘର ପରିବାର ଲୋକଙ୍କର ଦ୍ୱାରା ନିର୍ଯାତିତ ହେଉଛନ୍ତି। ଏପରି କି ଯୌତୁକ ପାଇଁ ଅନେକ ସ୍ଥାନରେ ମହିଳାଙ୍କର ମୃତ୍ୟୁ ହେଉଛି। ରାଜସ୍ଥାନର ଜୟପୁରରେ ନିକଟରେ ଏଭଳି ଏକ ଘଟଣା ଘଟିଛି, ଯାହାକି ଶୁଣିଲେ ଯେକୌଣସି ବ୍ୟକ୍ତିଙ୍କର ଲୋକ ଟାଙ୍କୁରି ଉଠିବ। ଦୁଦୁ ଅଞ୍ଚଳରେ ୩ ଭଉଣୀ ତିନି ଭାଇଙ୍କୁ ବିବାହ କରିଥିଲେ। ତିନି ଭଉଣୀ ଉଚ୍ଚ ଶିକ୍ଷିତ ଥାଇ ମଧ୍ୟ ପଞ୍ଚମ ଅଥବା ଷଷ୍ଠ ପଢ଼ିଥିବା ଯୁବକମାନଙ୍କୁ ବିବାହ କରିଥିଲେ। କିନ୍ତୁ ସେମାନଙ୍କର ସ୍ୱାମୀମାନେ ମଦ୍ୟପ ଥିବାରୁ ସବୁବେଳେ ତିନି ସ୍ତ୍ରୀଙ୍କୁ ମାଡ଼ ମାରୁଥିଲେ। ସେମାନଙ୍କର ୨ ଟି ସନ୍ତାନ ଥିବା ବେଳେ ୨ ଜଣ ସ୍ତ୍ରୀ ଗର୍ଭବତୀ ଥିଲେ। ନିର୍ଯାତନାର ସୀମା ଟପିବାରୁ ବୋଧେ ତିନି ଭଉଣୀ ଆତ୍ମହତ୍ୟା କରିଛନ୍ତି। ଶନିବାର ତିନି ଭଉଣୀ, ୪ ମାସର ଶିଶୁ ଓ ୨୦ ଦିନର ନବଜାତ ଶିଶୁର ମୃତହେଦ ଏକ କୂଅରୁ ଜବତ ହୋଇଛି। ପୋଲିସ ଘଟଣାର ତଦନ୍ତ କରୁଛି।

ସଂପର୍କ ବିଗାଡୁଛି ସ୍ମାର୍ଟଫୋନ୍‌-ସୋସିଆଲ ମିଡିଆ

ସ୍ୱାମୀ-ସ୍ତ୍ରୀଙ୍କର ସଂପର୍କରେ ଫାଟ ସୃଷ୍ଟି କରିବାରେ ସ୍ମାର୍ଟଫୋନ୍‌ ଓ ସୋସିଆଲ ମିଡିଆର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇପାରିବ। ଆଜିକାଲି ଯୁବକ-ଯୁବତୀମାନେ ହାତରେ ସ୍ମାର୍ଟଫୋନ୍‌ ଓ ପାଖରେ ଇଣ୍ଟରନେଟ ଥିବାରୁ ସୋସିଆଲ ମିଡିଆର ଗ୍ରାହକ ସାଜୁଛନ୍ତି। ଏହାରି ମାଧ୍ୟମରେ ସେମାନେ ପ୍ରେମ ସଂପର୍କ ମଧ୍ୟ ପ୍ରତିଷ୍ଠା କରୁଛନ୍ତି। କେତେକଙ୍କର ପ୍ରେମ ସଂପର୍କ ବିବାହ ପୂର୍ବରୁ ଭାଙ୍ଗି ଯାଉଥିବା ବେଳେ ଅନେକଙ୍କ ବିବାହ ପରେ ମଧ୍ୟ ଜାରି ରହୁଛି। କିନ୍ତୁ ବିବାହ ପରେ ଏହି ପ୍ରେମ ସଂପର୍କ ଧରାପଡ଼ିଯାଉଛି, ଯାହା ଦ୍ୱାରା ସ୍ୱାମୀ ସ୍ତ୍ରୀ ମଧ୍ୟରେ ସଂପର୍କରେ ଫାଟ ସୃଷ୍ଟି ହେଉଛି। ଏଭଳି ଏକ ଜ୍ୱଳନ୍ତ ଉଦାହରଣ ଭୁବନେଶ୍ୱରରେ ଦେଖିବାକୁ ମିଳିଛି। ଚଳିତ ମାସ ୧୨ ତାରିଖରେ ଭରତପୁର ଅଞ୍ଚଳର ଜଣେ ଯୁବକ ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ବିବାହ କରିଥିଲେ। ବିନା ଯୌତୁକରେ ଏହି ବିବାହ ହୋଇଥିଲା। ନବ ବିବାହିତ ଚଉଠି ଦିନ ସ୍ୱାମୀଙ୍କୁ କହିଥିଲା ଯେ, ମୋର ଦେହ ଅସୁସ୍ଥ ଅଛି। କିନ୍ତୁ ସ୍ୱାମୀ ଶୋଇପଡ଼ିଲା ପରେ ବାଥରୁମକୁ ଯାଇ ପ୍ରେମିକ ସହିତ ଭିଡିଓ କଲିଂରେ ବସ୍ତ୍ରହୀନ ହୋଇ କଥା ହୋଇଥିଲା। ସ୍ୱାମୀ ହଠାତ ଉଠିପଡ଼ିବାରୁ ପାଖରେ ପତ୍ନୀ ନଥିବା ଦେଖି ବାଥରୁମ ଯାଇ ସବୁ ଘଟଣା ଦେଖିଥିଲେ।

୧୭ ପତ୍ନୀଙ୍କ ସ୍ୱାମୀ

ବିବାହ ଏକ ପବିତ୍ର ବନ୍ଧନ। ହିନ୍ଦୁ ରୀତିନୀତି ଅନୁସାରେ ଜଣେ ମହିଳା ହେଉ ଅଥବା ପୁରୁଷ ହେଉ, ବିବାହ ଥରଟିଏ ପାଇଁ ହୋଇଥାଏ।  କିନ୍ତୁ ଆଜିକାଲି ଦେଖିବାକୁ ମିଳୁଛି ଯେ, ଅନେକ ପୁରୁଷ ଘରେ ପତ୍ନୀ ଥାଇ ମଧ୍ୟରେ ବାହାରେ ଏକାଧିକ ଯୁବତୀ ଓ ମହିଳାଙ୍କର ସହିତ ସଂପର୍କ କରୁଛନ୍ତି। ଏଭଳି ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ୧୭ ଜଣ ମହିଳାଙ୍କର ସ୍ୱାମୀ ତଥା ନକଲି ଡାକ୍ତର ରମେଶ ସ୍ୱାଇଁ। କେନ୍ଦ୍ରାପଡ଼ା ଜିଲ୍ଳାର ମୂଳ ନିବାସୀ ରମେଶ ସ୍ୱାଇଁ ନିଜକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଉପନିର୍ଦ୍ଦେଶକ କହି ମହିଳାମାଙ୍କୁ ଠକୁଥିଲା। ପତ୍ନୀ ଭାବେ ସଂପର୍କ ଗଢ଼ି ସେମାନଙ୍କର ଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇଯାଉଥିଲା। ସେ ଗିରଫ ହେବା ପରେ ଜଣାପଡ଼ିଥିଲା ଯେ, ତା’ ସହିତ ସଂପର୍କ ରଖିବା ପାଇଁ ଆହୁରି ୨୫ ଜଣ ମହିଳା ଲାଇନ୍‌ରେ ଥିଲେ। 

Share the article

LEAVE A REPLY