ଦର୍ଶକଙ୍କୁ ମତୁଆଲ କରୁଥିଲେ କେକେ

0
65

ଭୁବନେଶ୍ବର: ବଲିଉଡର ଅନ୍ୟତମ ଲୋକପ୍ରିୟ କଣ୍ଠଶିଳ୍ପୀ କେକେ ଓରଫ କୃଷ୍ଣ କୁମାର କୁନ୍ନଥଙ୍କ ମଙ୍ଗଳବାର ରାତିରେ ୫୩ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଦୁଇ ଦିନିଆ ଗସ୍ତରେ ସୋମବାର ଦିନ କୋଲକାତାରେ ଏକ କନସର୍ଟ କରିବାକୁ ଯାଇଥିଲେ। କନସଟ ପରେ ଅଚାନକ ତାଙ୍କର ସ୍ୱାସ୍ଥ୍ୟ ବିଗିଡ଼ିଲା। ଚେତାଶୂନ୍ୟ ହୋଇଯିବାରୁ ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ କେକେଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତାଙ୍କର ମୃତ୍ୟୁ ପରେ ଭାରତୀୟ ସଂଗୀତଭିତ୍ତିକ କାର୍ଯ୍ୟକ୍ରରେ ବ୍ୟବସ୍ଥା ନେଇ ଜାତୀୟ ଗଣମାଧ୍ୟମରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।  

ବିଦେଶରେ ବିନା ବୀମାରେ କୌଣସି କଳାକାର ପରଫରମାନ୍ସ କରନ୍ତି ନାହିଁ। କାରଣ ବିଦେଶରେ ବିନା ବୀମାରେ ପରଫରମାନ୍ସକୁ ଅନୁମତି ମିଳି ନଥାଏ। ବୀମା ସହିତ ଦମକଳ ବାହିନୀ, ଆମ୍ବୁଲାନ୍ସ, ଡାକ୍ତର ସବୁବେଳେ କାର୍ଯ୍ୟକ୍ରମ ସ୍ଥଳୀରେ ଉପସ୍ଥିତ ଥାଆନ୍ତି। କିନ୍ତୁ ଆମ ଦେଶରେ ଏସବୁ ବ୍ୟବସ୍ଥା ନଥାଏ। ସରକାର ଏଥି ପାଇଁ ଚିନ୍ତା ମଧ୍ୟ କରିନାହାନ୍ତି। ଏଠାରେ କଳାକାରଙ୍କ ସୁରକ୍ଷାକୁ ଗୁରୁତ୍ବ ଦିଆଯାଇ ନଥାଏ। ଏହାକୁ ସାଧାରଣ ଭାବେ ନିଆଯାଇଥାଏ। କିନ୍ତୁ ଏହାରି ଉପରେ ସରକାରଙ୍କୁ ଚିନ୍ତା କରିବାର ଆବଶ୍ୟକତା ରହିଛି।

ସୁରକ୍ଷା ବ୍ୟବସ୍ଥା ଶୂନ୍ୟ

ପ୍ରସିଦ୍ଧ ଗାୟକ କୈଳାଶ ଖେରଙ୍କ କହିବା ଅନୁସାରେ ଲାଇଫ୍ ପରଫରମାନ୍ସ ସମୟରେ ସର୍ବପ୍ରଥମେ ଆୟୋଜକଙ୍କୁ ନଜର ରଖିବାର ଅଛି ଯେ, ଗ୍ରୀନ ରୁମ୍ ଠାରୁ ଷ୍ଟେଜ ପର୍ଯ୍ୟନ୍ତ ପହଞ୍ଚିବା ରାସ୍ତାରେ ଭିଡ ନହେବା ଉଚିତ। କାରଣ କାଳାକାରଙ୍କ ନିଜସ୍ବ ଟିମ୍ ଥାଏ, ଯିଏକି କଳାକାରଙ୍କୁ ପରିଚାଳନା କରିଥାନ୍ତି। ଭିଡ଼ ନିୟନ୍ତ୍ରଣ କରିବା ତାଙ୍କର ଅଧୀନରେ ନଥାଏ। ଆଜିକାଲି ଦେଖିବାକୁ ମିଳୁଛି ଯେ, ଭିଡଙ୍କ ଭିତରେ କେବଳ ଗୋଟିଏ ନୁହେଁ, ବରଂ ୨ରୁ ୩ ମୋବାଇଲ ଫୋନ ରହୁଛି। କଳାକାରଙ୍କ ଫଟୋ ନେବାରେ ସେମାନେ ବ୍ୟସ୍ତ ଥାଆନ୍ତି। ବେଳେ ବେଳେ ମୁଁ ଅନୁଭବ କରେ ଯେ, ଏହି ଭିଡ ମଣିଷଙ୍କର ନୁହେଁ, ବରଂ ମେସନର। ଦର୍ଶକଙ୍କର ଓଭରଏକ୍ସାଇଟମେଣ୍ଟ ଆମକୁ ଅସୁବିଧାରେ ପକାଇଥାଏ। ଏହା ଆମ ଉପରେ ପ୍ରଭାବ ପକାଇଥାଏ। ତେଣୁ ଆୟୋଜକଙ୍କୁ ଭିଡ ନିୟନ୍ତ୍ରଣ ପାଇଁ ଯୋଜନା ଓ ବ୍ୟବସ୍ଥା କରିବା ଦରକାର। ଗ୍ରୀନ ରୁମ ଓ ଷ୍ଟେଜରେ ମଧ୍ୟ ଭିଡ଼ ନିୟନ୍ତ୍ରଣ କରାଯିବା ଦରକାର।

ସଂଗୀତର ବାଦ୍‌ଶାହା

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କେକେ ୧୯୬୮ ମସିହା ଅଗଷ୍ଟ ୨୩ରେ ଜନ୍ମଗ୍ରହଣ କରିଥିଲେ । ବିବାହର ତିନି ବର୍ଷ ପରେ ଅର୍ଥାତ ୧୯୯୪ରେ ସେ ମୁମ୍ବାଇରେ ବସବାସ କଲେ। କେକେଙ୍କୁ ୧୯୯୪ରେ ୟୁଟିଭିର ଏକ ବିଜ୍ଞାପନରୁ ବ୍ରେକ ମିଳିଥିଲା ଏବଂ ଏହି ଠାରୁ ଆରମ୍ଭ ହେଲା ସଂଗୀତରେ କ୍ୟାରିୟର। କେକେଙ୍କ ମାଚିସର ଗୀତ ‘ଛୋଡ ଆଏ ହମ୍’ରୁ ବଲିଉଡରେ ବ୍ରେକ ମିଳିଥିଲା । ତା’ ପରଠାରୁ ସେ ଆଉ ପଛକୁ ଚାହିଁ ନଥିଲେ । ସଲମାନ ଖାନ, ଅଜୟ ଦେବଗନ ଓ ଐଶ୍ୱର୍ଯ୍ୟା ରାୟଙ୍କ ଫିଲ୍ମ ‘ହମ୍ ଦିଲ ଦେ ଚୁକେ ସନମ’ର ଗୀତ ‘ତଡପ-ତଡପ କେ ଇସ ଦିଲ ସେ’, ବଚନା ଐ ହସୀନୋର ‘ଖୁଦା ଜାନେ’, କ୍ରାଇଟ୍ସର ‘ଜିନ୍ଦେଗୀ ଦୋ ପଲ୍ କି’, ଜନ୍ନତର ଗୀତ ‘ଜରା ସା’, ଗ୍ୟାଙ୍ଗଷ୍ଟରର ଗୀତ ‘ତୁ ହୀ ମେରୀ ଶବ ହ’, ଶାହରୁଖ ଖାନଙ୍କ ଫିଲ୍ମ ଓମ୍ ଶାନ୍ତି ଓମ୍‌ ଗୀତ ‘ଆଖୋଁ ମେ ତେରୀ ଅଜବ ସୀ’ ମଧ୍ୟ ବହୁତ ଲୋକପ୍ରିୟତା ହାସଲ କରିଥିଲା । କେକେ କେବଳ ହିନ୍ଦୀ ଫିଲ୍ମରେ ଗୀତ ଗାଇନାହାନ୍ତି । ବରଂ ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲାମ, ମରାଠୀ, ବଙ୍ଗଳା, ଆସାମୀ ଓ ଗୁଜରାଟୀ ଫିଲ୍ମର ଗୀତ ମଧ୍ୟ ଗାଇଛନ୍ତି ।

ମାମଲା ରୁଜୁ

କୃଷ୍ଣକୁମାର କୁନ୍ନଥଙ୍କ ମୃତ୍ୟୁ ଘଟଣାରେ କୋଲକାତା ପୁଲିସ ‘ନ୍ୟୁ ମାର୍କେଟ୍’ ଥାନାରେ ଅସ୍ବାଭାବିକ ମୃତ୍ୟୁ ମାମଲା ରୁଜୁ କରିଛି। ‘ମ୍ୟୁଜିକାଲ୍ କନସର୍ଟ’ରୁ ଫେରିବା ପରେ ‘ନ୍ୟୁ ମାର୍କେଟ୍’ ଥାନା ଅନ୍ତର୍ଗତ ‘ଗ୍ରାଣ୍ଡ୍ ହୋଟେଲ୍’ରେ ସେ ଅଚେତ ହୋଇ ପଡ଼ିଯାଇଥିଲେ। ତୁରନ୍ତ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ, ତାଙ୍କୁ ମୃତାବସ୍ଥାରେ ଅଣାଯାଇଛି ବୋଲି ସେଠାକାର ଡାକ୍ତରମାନେ ଘୋଷଣା କରିଥିଲେ। ଅନ୍ୟପଟରେ ପୋଲିସ କହିଛି କେ.କେ.ଙ୍କ ମୁହଁ ଏବଂ ମୁଣ୍ଡରେ ଆଘାତ ଲାଗିଛି। ତାଙ୍କ ମୃତ୍ୟୁର କାରଣ ଜାଣିବା ଲାଗି ଆଜି କୋଲ୍କାତାର ‘ଏସ୍ଏସ୍କେଏମ୍ ହସ୍ପିଟାଲ୍’ରେ ଶବ ବ୍ୟବଚ୍ଛେଦ କରାଯାଇଛି। କେକେଙ୍କ ପରଲୋକରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଟୁଇଟ୍ କରି ଗଭୀର ଶୋକ ପ୍ରକାଶ କରିଛନ୍ତି । ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଶୋକ ଜଣାଇଛନ୍ତି। ବଲିଉଡ କଳାକାରଙ୍କ ଠାରୁ ଆରମ୍ଭ କରି ଫିଲ୍ମ ଦର୍ଶକ ମଧ୍ୟ ଆଖିରୁ ଲୁହ ଗଡ଼ାଇଛନ୍ତି।  

Share the article

LEAVE A REPLY