ନବୀନ ମନ୍ତ୍ରିମଣ୍ଡଳର ନୂଆ ଅବତାର

0
52

ଭୁବନେଶ୍ବର: ଆନ୍ଧ୍ରପ୍ରଦେଶରେ ଜଗନମୋହନ ସରକାର ନିଜର ମନ୍ତ୍ରିମଣ୍ଡଳକୁ ସଂପୂର୍ଣ୍ଣ ରୂପେ ପରିବର୍ତ୍ତନ କରିବାର ୨ ମାସ ପୂରି ନଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଟିମ୍ ବଦଳାଇବାକୁ ମନ ବଳାଇଛନ୍ତି। ଏହାକୁ ରୂପରେଖ ଦେବା ପାଇଁ ପଦସ୍ଥ ମନ୍ତ୍ରୀମାନଙ୍କୁ ଜରୁରୀକାଳୀନ ଭିତ୍ତିରେ ଇସ୍ତଫା ଦେବା ପାଇଁ ଶନିବାର (୨୦୨୨ ଜୁନ୍ ୪ ତାରିଖ) ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ରବିବାର ପୂର୍ବାହ୍ନରେ ରାଜ୍ୟରେ ନୂଆ ନୂତନ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିବ ବୋଲି ସରକାର ସୂଚନା ଦେଇଛନ୍ତି।

ନବୀନ ହଠାତ୍ ଏତେ ବଡ଼ ନିଷ୍ପତ୍ତି ନେବାର କାରଣ ଯଦି ସାଧାରଣରେ ଜଣାପଡ଼ି ନାହିଁ। କିନ୍ତୁ ଅତିକମରେ କୁହାଯାଇ ପାରିବ ଯେ, ଯେଉଁମନ୍ତ୍ରୀମାନଙ୍କୁ ଇସ୍ତଫା ଦେବାକୁ କୁହାଗଲା, ସେମାନଙ୍କର ପ୍ରଦର୍ଶନ ନବୀନଙ୍କ ପାଇଁ ସନ୍ତୋଷଜନକ ହୋଇପାରି ନଥିବ। ସେ ଯାହା ବି ହେଉ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟଙ୍କୁ ଇସ୍ତଫା ଦେବାକୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ କୁହାଯିବା ପରେ ଜଣକ ପରେ ଜଣେ ମନ୍ତ୍ରୀ ନିଜର ଇସ୍ତଫାପତ୍ର ପଠାଇବା ଆରମ୍ଭ କରିଛନ୍ତି।

ଅଚାନକ ପରିବର୍ତ୍ତନ

ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀଙ୍କୁ ଅଚାନକ ଇସ୍ତଫା ଦେବା ପାଇଁ ବାଧ୍ୟ କରାଯିବାର ପଛରେ ନିଶ୍ଚିତ ରୂପେ ବଡ଼ କାରଣ ଥାଇପାରେ। ଯେଉଁମନ୍ତ୍ରୀମାନଙ୍କୁ ଇସ୍ତଫା ଦେବା ପାଇଁ କୁହାଯାଇଛି, ବିଗତ ଦିନରେ ସେମାନଙ୍କୁ ନେଇ କିଛି ବିବାଦ ମଧ୍ୟ ଦେଖାଯାଇଥିଲା। ଶାସକ ଦଳ ପ୍ରତି ଜନସାଧାରଣ ଅସନ୍ତୁଷ୍ଟ ଦେଖାଯାଇଛନ୍ତି। ରାଜ୍ୟର ଜନତା ନବୀନଙ୍କୁ ଭଲ ପାଆନ୍ତି, ଏହା ନିଦ୍ବନ୍ଦ୍ବରେ କୁହାଯାଇ ପାରିବ। କିନ୍ତୁ ସବୁ ମନ୍ତ୍ରୀ ଓ ବିଧାୟକଙ୍କ ଉପରେ ନୁହେଁ। ପ୍ରତିଶ୍ରୁତି ଦେଇ ନେତା ଯେମିତି ବିଧାୟକ ହୁଅନ୍ତି, ପରବର୍ତ୍ତୀ ସମୟରେ ତାକୁ ସୂଚାରୁ ରୂପେ ପାଳନ କରିପାରନ୍ତି ନାହିଁ। ନବୀନ ୫ମ ପାଳିରେ ୩ ବର୍ଷ ପୂରଣ କରି ସାରିଥିବା ବେଳେ ଆଗାମୀ ୨ ବର୍ଷରେ ଭାଙ୍ଗିଥିବା ଜନତାଙ୍କ ହୃଦୟକୁ ଯୋଡ଼ିବାକୁ ଉଦ୍ୟମ କରୁଛନ୍ତି।

ଏମାନଙ୍କୁ ଗଲା ଫୋନ୍ କଲ୍

ନବୀନ ଯେଉଁମାନଙ୍କୁ ତାଙ୍କର ନୂତନ ମନ୍ତ୍ରିମଣ୍ଡଳରେ ଯୋଡ଼ିବାକୁ ଚାହୁଁଛନ୍ତି, ସେମାନଙ୍କୁ ଫୋନ୍ କରିସାରିଛନ୍ତି। ରବିବାର ଠିକ୍ ସମୟରେ ଲୋକସେବା ଭବନରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍ କଲ୍ ପାଇଛନ୍ତି, ଯେତେ ଦୂରରେ ଥିଲେ ମଧ୍ୟ ସେମାନେ ଯୁଦ୍ଧକାଳୀନ ଭିତ୍ତିରେ ଭୁବନେଶ୍ବର ଅଭିମୁଖେ ବାହାରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନୂଆ ଟିମ୍ରେ ନିରଞ୍ଜନ ପୂଜାରୀ, ଅଶୋକ ପଣ୍ଡା, ଟୁକୁନି ସାହୁ, ସମୀର ରଂଜନ ଦାଶ, ପ୍ରଫୁଲ୍ଲ ମଲ୍ଲିକ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଜଗନ୍ନାଥ ସାରକା ଓ ନବ କିଶୋର ଦାସ ସାମିଲ ହେବେ ବୋଲି ଜଣାପଡ଼ିଛି। ମନ୍ତ୍ରିମଣ୍ଡଳରେ ନବାଗତ ଓ ପୂର୍ବ ପାଳିରେ ମନ୍ତ୍ରୀ ଥିବା ବିଧାୟକଙ୍କୁ ସୁଯୋଗ ଦେଇଛନ୍ତି ନବୀନ। ଏହି କ୍ରମରେ ସେ ରାଜେନ୍ଦ୍ର ଢୋଲକିଆ  ଅଶ୍ବିନୀ ପାତ୍ର, ରୋହିତ ପୂଜାରୀ  ଅତନୁ ସବ୍ୟସାଚୀ ନାୟକ, ପ୍ରଶାନ୍ତ ମୁଦୁଲି, ପ୍ରୀତିରଂଜନ ଘଡେଇ, ରୀତା ସାହୁ, ପ୍ରତାପ ଦେବ, ପ୍ରମିଳା ମଲ୍ଲିକ, ଉଷା ଦେବୀ ଓ ଶ୍ରୀକାନ୍ତ ସାହୁଙ୍କୁ ମନ୍ତ୍ରୀ ପଦ ମିଳିଥିବା ନେଇ ସୂଚନା ଫୋନ ଯୋଗେ ଆସିଛି।

ଓଡ଼ିଶାରେ ଆନ୍ଧ୍ର ଫର୍ମୁଲା

ରାଜନୈତିକ ପଣ୍ଡିତମାନେ ଚର୍ଚ୍ଚା କରୁଛନ୍ତି ଯେ, ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ ଫର୍ମୁଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁସରଣ କରିଛନ୍ତି। ଜଗନମୋହନ ଯେମିତି ନିଜର ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀଙ୍କୁ ଅଚାନକ ଇସ୍ତଫା ଦେବାକୁ ନିର୍ଦେଶ ଦେଇଥିଲେ, ଠିକ୍ ସେହିପରି ନବୀନ ବି ଏଥର ସବୁ ମନ୍ତ୍ରୀଙ୍କୁ ଇସ୍ତଫା ମାଗିଛନ୍ତି । ଶ୍ରୀ  ରେଡ୍ଡୀ ଗତ ଏପ୍ରିଲ ମାସ ପ୍ରଥମ ସପ୍ତାହରେ ନିଜର ମନ୍ତ୍ରୀମଣ୍ଡଳକୁ ସଂପୂର୍ଣ୍ଣ ରୂପେ ବଦଳାଇଥିଲେ। କିନ୍ତୁ ଜଗନମୋନ ରେଡ୍ଡୀ ପୁରୁଣା ଟିମ୍ରୁ ଜଣକୁ ମଧ୍ୟ ନୂଆ ଟିମ୍ରେ ସ୍ଥାନ ଦେଇ ନଥିଲେ। ମାତ୍ର ନବୀନ ପଟ୍ଟନାୟକ ନିଜର ନୂଆ ଟିମ୍ରେ ପୁରୁଣା ଟିମ୍ରୁ ୧୧ ଜଣଙ୍କୁ ସାମିଲ କରିଥିବା ନେଇ ଚର୍ଚ୍ଚା ହେଉଛି।  

Share the article

LEAVE A REPLY