କଶ୍ମୀରରେ ୧୯୯୦ ସ୍ଥିତି, ଚିନ୍ତାରେ କଶ୍ମୀରୀ ପଣ୍ଡିତ

0
96
Spread the love

ନୂଆଦିଲ୍ଲୀ: କଶ୍ମୀରରେ ପୁଣି ୧୯୯୦ ମସିହାର ସ୍ଥିତି ଦେଖିବାକୁ ମିଳୁଛି। ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଥିଲେ ବି ଆତଙ୍କବାଦୀମାନେ ଏହାକୁ ଖାତିର କରୁ ନାହାନ୍ତି। ଫଳରେ କଶ୍ମୀରୀ ପଣ୍ଡିତମାନଙ୍କ ଜୀବନ ପ୍ରତି ବିପଦ ଦେଖାଯାଇଛି। ରାଜ୍ୟ ଓ କେନ୍ଦ୍ର ସରକାର କଶ୍ମୀରୀ ପଣ୍ଡିତଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି। ଫଳ ସ୍ବରୂପ କଶ୍ମୀରୀ ପଣ୍ଡିତମାନେ ‌ଏବେ ଘାଟି ଛାଡ଼ିବା ଆରମ୍ଭ କରିଦେଇଛନ୍ତି। ସରକାର କଶ୍ମୀରୀ ପଣ୍ଡିତ ସଂପ୍ରଦାୟର ୧୭୭ ଜଣ ଶିକ୍ଷକଙ୍କୁ ମଧ୍ୟ ବଦଳି ପାଇଁ ଆଦେଶନାମା ଜାରି କରିଛନ୍ତି। ବଦଳି ହୋଇଗଲେ ଶିକ୍ଷକମାନେ କ’ଣ ସୁରକ୍ଷିତ ରହିବେ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

ଗତ ଗୁରୁବାର ବଡ଼ଗାମରେ ଇଟାଭାଟିରେ କାମ କରୁଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ । ଆକ୍ରମଣରେ ଦିଲଖୁସ ନାଁରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିଲା। କନ୍ତୁ ପଂଜାବ ନିବାସୀ ଶ୍ରମିକ ରାଜନଙ୍କୁ ଶ୍ରୀନଗରସ୍ଥିତ ଏସ୍‌ଏମ୍‌ଏଚ୍‌ଏସ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେହିପରି ନିକଟରେ ଆତଙ୍କବାଦୀମାନେ କୁଲଗାମରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ଉପରେ ଗୁଳି କରିଥିଲେ । ଏହି ଆକ୍ରମଣରେ ବ୍ୟାଙ୍କ ମ୍ୟାନେଜର ବିଜୟ କୁମାରଙ୍କ ମୃତ୍ୟୁ ହୋଇଥିଲା। 

 ବଦଳିଛି ଆତଙ୍କବାଦୀଙ୍କ ରଣନୀତି

ବିଗତ ପ୍ରାୟ ଏକ ମାସ ହେବ ଘାଟିରେ ଆତଙ୍କବାଦୀମାନେ ରକ୍ତମୁଖା ହୋଇଉଠିଛନ୍ତି। ନିରୀହ ଜନତାଙ୍କୁ ପୋକମାଛି ଭଳି ହତ୍ୟାକରିବାରେ ବ୍ୟସ୍ତ ରହୁଛନ୍ତି। ଜମ୍ମୁ କଶ୍ମୀରର ନିୟନ୍ତ୍ରଣ ରେଖାରେ ହିଁ ସେନା ଉପରେ ହିଁ ଆତଙ୍କବାଦୀଙ୍କ ଆକ୍ରମଣ ହେଉଥିଲା। କିନ୍ତୁ କିଛି ବର୍ଷ ହେବ ଆତଙ୍କବାଦୀଙ୍କ ରଣନୀତି ବଦଳିଛି। ଆତଙ୍କବାଦୀମାନେ ସୀମା ଅତିକ୍ରମ କରି ପୂରା କଶ୍ମୀରରେ ବ୍ୟାପିସାରିଛନ୍ତି।   ଆତଙ୍କବାଦୀମାନେ ପୂର୍ବରୁ କେବଳ ସେନାକୁ ଟାର୍ଗେଟ କରୁଥିବା ବେଳେ ପରବର୍ତ୍ତୀ ସମୟରେ ସେମାନେ ପୁଲିସକୁ ବି ଛାଡ଼ି ନଥିଲେ।  ଏହା ପରେ ପ୍ରଶାସନକୁ ମଧ୍ୟ ତାଙ୍କର ଟାର୍ଗେଟରେ ସାମିଲ କରିଥିଲେ। କିନ୍ତୁ ଦୁଇ-ତିନି ବର୍ଷ ହେଲା ଆତଙ୍କବାଦୀମାନେ କାହାରିକୁ ଛାଡୁ ନାହାନ୍ତି। ବ୍ୟବସାୟୀ ଓ ସାଧାରଣ ନାଗରିକଙ୍କୁ ମଧ୍ୟ ଆତଙ୍କବାଦୀମାନେ ହତ୍ୟା କରୁଛନ୍ତି। ସବୁଠାରୁ ବଡ଼ ଦୁଃଖର କଥା ହେଲା ପେଟ ‌ପୋଷିବାକୁ ଆସିଥିବା ପ୍ରବାସୀ ଶ୍ରମିକମାନଙ୍କୁ ହତ୍ୟା କରାଯିବା ଘଟଣା। ପ୍ରବାସୀ ଶ୍ରମିକମାନଙ୍କୁ ଆତଙ୍କବାଦୀମାନେ ଘାଟିରେ ହତ୍ୟା କରିଛନ୍ତି।

ଘାଟି ଛାଡ଼ିବା ଶ୍ରେଷ୍ଠ ବିକଳ୍ପ

ଆତଙ୍କବାଦୀମାନେ ଜମ୍ମୁ କଶ୍ମୀରରେ ଉଗ୍ରରୂପ ଧାରଣ କରିଛନ୍ତି। ସେମାନଙ୍କର କାର୍ଯ୍ୟକଳାପ ଏମିତି ଦେଖାଯାଇଛି ଯେ, ସେଠାରେ ହିନ୍ଦୁମାନଙ୍କର ଜୀବନ ପ୍ରତି ପ୍ରତି ମୁହୂର୍ତ୍ତରେ ବିପଦ ରହିଛି। ଏଥିରେ ସର୍ବାଧିକ ବିପଦ ମୁଖରେ ଅଛନ୍ତି କଶ୍ମୀରୀ ପଣ୍ଡିତ। କଶ୍ମୀର ପଣ୍ଡିତମାନେ ଏବେ ଘାଟିରୁ ସାମୂହିକ ପଳାୟନ କରିବାକୁ ଘୋଷଣା କରିଛନ୍ତି । ଗୁରୁବାର ବ୍ୟାଙ୍କ ମ୍ୟାନେଜରଙ୍କୁ ହତ୍ୟା ପରେ କଶ୍ମୀରୀ ପଣ୍ଡିତମାନେ ଜରୁରୀକାଳୀନ ବୈଠକ ଡାକିଥିଲେ । ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା । କଶ୍ମୀରୀ ପଣ୍ଡିତମାନେ ନିର୍ଦ୍ଧାରିତ କରିଛନ୍ତି ଯେ, ଘାଟିର ଯେଉଁ ଅଞ୍ଚଳରେ କଶ୍ମୀରୀ ପଣ୍ଡିତମାନେ ପ୍ରଦର୍ଶନ କରୁଥିଲେ, ସେହି ସ୍ଥାନଗୁଡ଼ିକରେ ଏହା ତତ୍‌କାଲ ବନ୍ଦ କରିଦିଆଯିବ । ବୈଠକରେ ଚର୍ଚ୍ଚା ହୋଇଥିଲା ଯେ, ସଂଖ୍ୟାଲଘୁମାନଙ୍କ ପାଖରେ ଆଉ କୌଣସି ବିକଳ୍ପ ନାହିଁ । ଏଥିପାଇଁ ଘାଟି ଛାଡ଼ି ପଳାୟନ କରିବା ଶ୍ରେଷ୍ଠ ହେବ ।

 ସୁରକ୍ଷିତ ଭାବେ ଉଦ୍ଧାର ଦାବି

ଅନନ୍ତନାଗରେ ଏକ ସୁରକ୍ଷା ଶିବିରରେ ରହୁଥିବା ଜଣେ ପ୍ରଦର୍ଶନକାରୀଙ୍କ କହିବା ଅନୁସାରେ ୨୫ ଦିନ ହେଲା ପ୍ରଦର୍ଶନ ଜାରି ରହିଛି। ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ପାଇଁ ଦାବି ହୋଇଛି। ବିହାରରୁ ଆସି ଇଟାଭାଟିରେ କାମ କରୁଥିବା ଜଣେ ପ୍ରବାସୀ ଶ୍ରମିକଙ୍କୁ ଗୁରୁବାର ହତ୍ୟା କରାଯାଇଛି । ଯେଉଁ ଦିନ ସରକାରୀ କର୍ମଚାରୀ ରାହୁଲ ଭଟ୍ଟଙ୍କୁ ହତ୍ୟା କରାଗଲା, ସେହିଦିନ ଠାରୁ ଆମେ କହିଆସୁଛୁ ଯେ, ଆମକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଉ । ଯେଉଁଭଳି ଭାବେ ୧୯୯୦ରେ ଆମର ପଳାୟନ ହୋଇଥିଲ, ଏବେ ସେହିଭଳି ଭାବେ ପଳାୟନ କରିବାର ସମୟ ଆସିଛି । 

କ’ଣ କହିଲେ କେଜ୍ରିୱାଲ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର କହିଛନ୍ତି ଯେ, କଶ୍ମୀରୀ ପଣ୍ଡିତମାନେ ଯେତେ‌ବେଳେ ଆକ୍ରମଣର ଶିକାର ହୁଅନ୍ତି, ସେହି ସମୟରେ ବିଜେପି ଶିବାୟ ବୈଠକ ଡାକିଥାଏ। କଶ୍ମୀରୀ ପଣ୍ଡିତଙ୍କ ଉପରେ ହେଉଥିବା ଆକ୍ରମଣକୁ ବିରୋଧ କରି କେଜ୍ରିୱାଲ କହିଛନ୍ତି ଯେ, କଶ୍ମୀରକୁ କେହି ଅଲଗା କରିପାରିବେ ନାହିଁ। କାରଣ ସେମାନଙ୍କର ସହିତ ହିନ୍ଦୁସ୍ତାନ ରହିଛି। ପାକିସ୍ତାନୀଙ୍କୁ ଆମେ ଚ୍ୟାଲେଞ୍ଜ କରିପାରିବୁ। କେଜ୍ରିୱାଲ କହିଛନ୍ତି ଯେ, ଘାଟିରେ ୧୯୯୦ର ସ୍ଥିତି ଆସିଛି। ସେହି ସମୟରେ ଲୋକେ ସେଠାରେ ଯେମିତି ରହୁଥିଲେ, ଏବେବି ସେମିତି ରହିଛି।  

LEAVE A REPLY