ମୌସୁମୀ ଅପେକ୍ଷାରେ ରାଜ୍ୟବାସୀ

0
42

ଭୁବନେଶ୍ବର: ସମ୍ବଲପୁର ସମେତ ପୂରା ରାଜ୍ୟରେ ଭଗବାନ ଶିବଶଙ୍କରଙ୍କ ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ସରିଛି। କିନ୍ତୁ ପୃଥିବୀ ଥଣ୍ଡା ପଡ଼ିନାହିଁ। ଜୁନ ମାସ ୨ୟ ସପ୍ତାହରେ ମଧ୍ୟ ମୁଣ୍ଡଫଟା ଖରା ହେଉଛି। ଆକାଶରୁ ଅଗ୍ନି ବର୍ଷା ହେଉଛି କହିଲେ କିଛି ଭୁଲ ହେବ ନାହିଁ। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ଥିତି ବେହାଲ। ଉପକୂଳ ଓଡ଼ିଶାରେ ଯଦିଓ ତାପମାତ୍ରା କମ୍‌ ରହୁଛି, ତଥାପି ଗୁଳୁଗୁଳି ଯୋଗୁଁ ଭୀଷଣ ଗରମ ଅନୁଭୂତ ହେଉଛି। ଘରୁ ବାହାରିବା ମୁସକିଲ ହୋଇଯାଇଛି। ବିଦ୍ୟୁତ କାଟ ଯୋଗୁଁ ଲୋକଙ୍କର ଆହୁରି ସମସ୍ୟା ବଢ଼ିଯାଉଛି।  ଚଳିତ ବର୍ଷ ଠିକ୍‌ ସମୟରେ ଓଡ଼ିଶାକୁ ମୌସୁମୀ ପହଞ୍ଚି ପାରି ନାହିଁ। ଫଳରେ ଖରାର ପ୍ରଭାବ ମାର୍ଚ୍ଚ-ଏପ୍ରିଲ ଭଳି ରହୁଛି।
ପୂର୍ବରୁ ଆଶା କରାଯାଉଥିଲା ଯେ, ଜୁନ୍‌ ମାସର ପ୍ରଥମ ସପ୍ତାହରେ ରାଜ୍ୟରେ ‌ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମୌସୁମୀ ନିର୍ଦ୍ଧାରିତ ସମୟ ପୂର୍ବରୁ କେରଳକୁ ଛୁଇଁଥିଲା। କିନ୍ତୁ ମୌସୁମୀ କୁଆଡେ ଗଲା, କିଛି ଜଣାପଡ଼ିଲା ନାହିଁ। ପାଣିପାଗ ବିଶେଷଜ୍ଞମାନେ କହୁଛନ୍ତି ଯେ, ଗୁଜରାଟରୁ ଆସୁଥିବା ଶୁଷ୍କ ବାୟୁ ଯୋଗୁଁ ମୌସୁମୀ ଆସିବାରେ ବିଳମ୍ବ ହେଉଛି। ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ କୁହାଯାଇଥିଲା ଯେ, ଜୁନ୍‌ ମାସରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହେବ।

ଜୁନ୍‌ ମାସରେ ରେକର୍ଡ ତାପମାତ୍ରା

ତେବେ ମୌସୁମୀ ଆସିବାରେ କାହିଁକି ବିଳମ୍ବ ହେଉଛି, ତାହା ଭିନ୍ନ କଥା, କିନ୍ତୁ ଜୁନ୍‌ ୨ୟ ସପ୍ତାହରେ ତାପାମାତ୍ରା ୪୫.୨ ଡ଼ିଗ୍ରି ଛୁଇଁବା ଚିନ୍ତାର କାରଣ ହୋଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ଜୁନ୍‌ ୮ ତାରିଖରେ ଟିଟଲାଗଡ ରାଜ୍ୟର ଉତ୍ତପ୍ତ ସହର ଭାବେ ତାପମାତ୍ରା ରେକର୍ଡ କରାଯାଇଛି। ଏଥି ସହିତ ରାଜ୍ୟର ୯ ସହରରେ ଦିନ ତାପମାତ୍ରା ୪୩ ଡ଼ିଗ୍ରି କିମ୍ବା ଅଧିକ ରେକର୍ଡ ହୋଇଛି। ସେହିପରି ୧୯ଟି ସହରରେ ତାପମାତ୍ରା ୪୦ ଡ଼ିଗ୍ରି କିମ୍ବା ଅଧିକ ହୋଇଛି। ତାପମାତ୍ରା ଆହୁରି କିଛି ଦିନ ଜାରି ରହିବା ଆଶଙ୍କା ରହୁଛି।  

ଜୁନ ୧୨ ଯାଏଁ ତାତିବ!

ରାଜ୍ୟବାସୀଙ୍କୁ ମୌସୁମୀ ବର୍ଷାରେ ଭିଜିବା ପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ। ଏହାର କାରଣ ହେଲା ମୌସୁମୀ କେରଳ ଛୁଇଁବାର କିଛି ଦିନ ପର୍ଯ୍ୟନ୍ତ ଆଗକୁ ଅଗ୍ରସର ହେବା ସହ ବଙ୍ଗୋପସାଗର ଓ ଆରବ ସାଗରର ଅନେକ ଅଞ୍ଚଳ ସ୍ପର୍ଶ କରିବା ବେଳେ ଏବେ ଏହା ସ୍ଥିର ହୋଇଯାଇଛି। ଆଉ ଆଗକୁ ବଢ଼ିପାରୁନି। ତେଣୁ ମୌସୁମୀ ବାୟୁ ଓଡ଼ିଶା କେବେ ଛୁଇଁବ, ସେ ନେଇ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇ ପାରୁ ନାହିଁ। ଏବେ ପାଣିପାଗ ବିଭାଗ ଆକଳନ କରୁଛି ଯେ, ଜୁନ୍‌ ୧୨ ତାରିଖ ପୂର୍ବରୁ ମୌସୁମୀ ଆସି ନପାରେ।ତାମିଲନାଡୁ-କର୍ଣ୍ଣାଟକରେ ବର୍ଷା

ଏବେ ମୌସୁମୀ ଆଗମନରେ ପରିବେଶ ଅନୁକୂଳ ହୋଇପାରି ନାହିଁ। ଉତ୍ତର-ପଶ୍ଚିମ ପବନର ପ୍ରଭାବ ଅଧିକ ଯୋଗୁଁ ରାଜ୍ୟରେ ତାପମାତ୍ରା ବୃଦ୍ଧିପାଉଛି। ସେଥିପାଇଁ ମୌସୁମୀ ଓଡ଼ିଶା କେବେ ଛୁଇଁବ ତାହା ଆକଳନ କରାଯାଇପାରୁନାହିଁ। ମେ’ ମାସ ୩୧ ତାରିଖ ପରେ କେରଳ ସମେତ ତାମିଲନାଡ଼ୁ ଓ କର୍ଣ୍ଣାଟକରେ ଭଲ ବର୍ଷା ହୋଇଛି। ଉତ୍ତର-ପୂର୍ବ ଭାରତର ରାଜ୍ୟମାନଙ୍କରେ ମଧ୍ୟ ମୌସୁମୀ ପହଞ୍ଚିବା ପରେ ଭଲ ବର୍ଷା ହୋଇଥିବା ରେକର୍ଡ କହୁଛି। ପାଗ ପ୍ରତିକୂଳ ଥିବାରୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରୁ ମୌସୁମୀ ଓଡ଼ିଶା ପହଞ୍ଚିବାରେ ବାଧା ସୃଷ୍ଟି ହୋଇଛି।

ଚାଷୀର ବଢୁଛି ଚିନ୍ତା

ପୂର୍ବ ଝାଡ଼ଖଣ୍ଡ ଓ ଆଖପାଖ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଜୁନ୍‌ ୯ ତାରିଖ ଠାରୁ ୪  ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏ ନେଇ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଦେବଗଡ଼, ବାଲେଶ୍ୱର, ଯାଜପୁର, ଭଦ୍ରକ, କୋରାପୁଟ, ମାଲକାନଗିରି, ରାୟଗଡ଼ା, କନ୍ଧମାଳ, ନବରଙ୍ଗପୁର ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଚଳିତ ସପ୍ତାହ ଶେଷ ସୁଦ୍ଧା ରାଜ୍ୟରେ ମୌସୁମୀ ପ୍ରବେଶ ନ କଲେ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଥାଇପାରେ। ଓଡ଼ିଶାରେ ରଜ ପରେ ପରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଯାଇଥାଏ। ଏବେ ଚାଷୀମାନଙ୍କର ଚିନ୍ତା ବଢ଼ିଛି। ତେଣୁ ଚାଷୀମାନେ ବର୍ଷାକୁ ଅପେକ୍ଷା କରିଛନ୍ତି।

Share the article

LEAVE A REPLY