ନୂଆଦିଲ୍ଲୀ: ଭାରତୀୟ ପର୍ଯ୍ୟଟକଙ୍କୁ ନେଇ ଏକ ସ୍ବତନ୍ତ୍ର ଟ୍ରେନ୍ ନେପାଳ ଗସ୍ତ କରିବ। ଆସନ୍ତା ୨୧ ତାରିଖ ଦିନ ନୂଆଦିଲ୍ଲୀର ସଫଦରଜଂଗ ରେଳଷ୍ଟେସନ୍ ଠାରୁ ଏହି ଯାତ୍ରା ଆରମ୍ଭ ହେବ। ନେପାଳ ସରକାର ‘ଭାରତ ଗୌରବ ଏକ୍ସପ୍ରେସ୍’କୁ ଅନୁମତି ଦେଇଛନ୍ତି । ଏହି ଟ୍ରେନ୍ ପ୍ରଭୁ ଶ୍ରୀରାମ ଓ ଦେବୀ ସୀତାଙ୍କ ଜୀବନୀ ସହିତ ଜଡ଼ିତ ସ୍ଥାନକୁ ପହଞ୍ଚିବ । ଏହି ସ୍ବତନ୍ତ୍ର ଟ୍ରେନ୍ ହେଉଛି ‘ରାମାୟଣ ସର୍କିଟ’ର ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ତେଣୁ ଉଭୟ ଭାରତ ଓ ନେପାଳ ମଧ୍ୟରେ ସାଂସ୍କୃତିକ ସଂପର୍କକୁ ଅଧିକ ମଜବୁତ କରିବ ବୋଲି ଆଶା କରାଯାଉଛି ।
ସୀତାଙ୍କ ଜନ୍ମଭୂମି ଦେଖିବାର ସୁଯୋଗ
ଭାରତ ଗୌରବ ଏକ୍ସପ୍ରେସ୍ ନେଇ ନେପାଳର ବିଦେଶ ମନ୍ତ୍ରାଳୟ ପକ୍ଷରୁ ବୟାନ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, ଭାରତ ଗୌରବ ଟ୍ରେନ୍କୁ ନେପାଳ ସରକାର ଅନୁମତି ଦେଇଛନ୍ତି । ଏହି ଟ୍ରେନ୍ ପ୍ରଭୁ ଶ୍ରୀରାମ ଓ ଦେବୀ ସୀତାଙ୍କ ସହିତ ଜଡିତ ସ୍ଥାନକୁ ଯିବ। ଫଳରେ ଉଭୟ ଦେଶ ମଧ୍ୟରେ ସାଂସ୍କୃତିକ ସଂପର୍କ ଅଧିକ ମଜବୁତ ହେବ । ଆଇଆରସିଟିସି ପକ୍ଷରୁ କୁହାଯାଇଛି ଯେ, ଏହି ଟ୍ରେନ୍ ଆସନ୍ତା ୨୧ ତାରିଖରେ ନୂଆଦିଲ୍ଲୀରୁ ବାହାରି ଜୁନ ୨୩ରେ ନେପାଳ ପହଞ୍ଚିବ ।
ନେପାଳରେ ରାମାୟଣ ତୀର୍ଥସ୍ଥଳୀ
ଭାରତ ଓ ନେପାଳ ସଂପର୍କ ବହୁତ ପୁରୁଣା। ଆଧ୍ୟାତ୍ମିକ ଓ ସାଂସ୍କୃତିକ ଦୃଷ୍ଟିରୁ ଏହାର ଗୁରୁତ୍ବ ଆହୁରି ଅଧିକ। ନେପାଳର ପର୍ଯ୍ୟଟନକୁ ଭାରତର ଯୋଗଦାନ ରହିଛି। ନେପାଳକୁ ପ୍ରତିଦିନ ହଜାର ହଜାର ଭାରତୀୟ ପର୍ଯ୍ୟଟକ ଯାଉଛନ୍ତି। ପ୍ରତିଦିନ ହଜାର ହଜାର ଭାରତୀୟ ପର୍ଯ୍ୟଟକ ନେପାଳ ଯିବା ଦ୍ବାରା, ସେଠାକାର ଆର୍ଥିକ ବିକାଶ ହେଉଛି। ନେପାଳର ଜନସଂଖ୍ୟା କମ। ଲୋକେ ପର୍ଯ୍ୟଟନ ଶିଳ୍ପ ସହିତ ଜଡ଼ିତ ଥାଆନ୍ତି। ଭାରତ ଯେହେତୁ ପଡୋଶୀ ଓ ବୃହତ୍ତ ରାଷ୍ଟ୍ର, ତେଣୁ ନେପାଳ ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଯାଆନ୍ତି। ରାମାୟଣ ସର୍କିଟ ମାଧ୍ୟମରେ ଯାତ୍ରା କରୁଥିବା ଶ୍ରଦ୍ଧାଳୁ ନେପାଳରେ ଧନୁଷା ପାହାଡ, ବାୱନ ବିଘା କ୍ଷେତ୍ର, ମା’ ଜାନକୀଙ୍କ ଜନ୍ମସ୍ଥଳୀ ମନ୍ଦିର ଓ ରାମ ବିବାହ ସ୍ଥଳୀ ଦର୍ଶନ କରିବାକୁ ସୁଯୋଗ ମିଳିବ ।
ଟିକେଟ ମୂଲ୍ୟ ୬୫ ହଜାର
ରାମାୟଣ ସର୍କିଟ ଟ୍ରେନ୍ ୮୦୦୦ କିଲୋମଟିର ଗତି କରିବ। ଏଥି ପାଇଁ ପର୍ଯ୍ୟଟକଙ୍କ ପିଛା ଟିକେଟ ୬୫ ହଜାର ଟଙ୍କା ରହିଛି। ଟ୍ରେନ୍ରେ ୬୦୦ ପର୍ଯ୍ୟଟକ ଯିବେ। ପର୍ଯ୍ୟଟକମାନେ ନେପାଳ ସମେତ ଅଯୋଧ୍ୟା, ବକ୍ସାର, ଜନକପୁର, ସୀତାମାଢ଼ୀ, କାଶୀ, ପ୍ରୟାଗ, ଚିତ୍ରକୋଟ, ନାସିକ, ହାମ୍ଫି, ରାମେଶ୍ବର, କାଞ୍ଚିପୁରମ ଓ ଭଦ୍ରାଚଳମ ଯିବ। ଉତ୍ତର ପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଯକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ରାଜ୍ୟକୁ ଏହି ଟ୍ରେନ୍ ଛୁଇଁବ।
ଆଇଆରସିଟିସିର ଉଦ୍ୟମ
ପର୍ଯ୍ୟଟନସ୍ଥଳୀକୁ ପ୍ରୋତ୍ସାହନ ଦେବାକୁ ଯାଇ ଭାରତୀୟ ରେଳବାଇ ଦେଶ ଭିତରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଉଛି । କିନ୍ତୁ ଭାରତ ଓ ନେପାଳ ମଧ୍ୟରେ ଟ୍ରେନ୍ ଚଳାଇ କୀର୍ତ୍ତିମାନ ସ୍ଥାପନ କରିବାକୁ ଯାଉଛି। ଏଥିରେ ରାମାୟଣ ସର୍କିଟ, ବୌଦ୍ଧ ସର୍କିଟ ସମେତ ଆହୁରି ଅନେକ ସାମିଲ ରହିଛି । ରେଳବାଇ ଏହି ପବିତ୍ର ସ୍ଥଳୀ ପାଇଁ ପର୍ଯ୍ୟକଟଙ୍କ ଲାଗି ବିଭିନ୍ନ ସମୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିଥାଏ । ଏହା ଦ୍ୱାରା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ସହଜ ଓ ସୁରକ୍ଷିତ ଭାବେ ବୁଲିବାକୁ ସୁଯୋଗ ମିଳିଥାଏ । ଏହି ସ୍ୱତନ୍ତ୍ର ଟିକେଟରେ ରହିବା, ଖାଇବା, ରାସ୍ତାରେ ପଡୁଥିବା ହୋଟେଲରେ ରହିବା, ବସ୍ ଦର୍ଶନୀୟ ସ୍ଥଳୀ ଯିବା-ଆସିବା କରିବା ସାମିଲ ଥାଏ । ଆଶା କରାଯାଉଛି ଯେ, ନେପାଳରେ ପ୍ରଥମ ଭାରତ ଗୌରବ ଟ୍ରେନ୍ର ସଫଳତା ପରେ ଅନ୍ୟ ଟ୍ରେନ୍ ମଧ୍ୟ ଯିବ ।