ବିକଶିତ ମନୁଷ୍ୟର ବିକୃତ ଚିନ୍ତା

0
45

ନୂଆଦିଲ୍ଲୀ: ଏକବିଂଶ ଶତାଦ୍ଦୀର ମନୁଷ୍ୟ ଶିକ୍ଷା-ଦିକ୍ଷା ଓ ଆଧୁନିକତରେ ଯେତିକି ବିକଶିତ, ତା’ଠାରୁ ଅଧିକ ଗୁଣରେ ହ୍ରିଂସ । ଆଜିର ସମାଜରେ ନିଜର ସ୍ୱାର୍ଥ ହେଉ ଅଥବା ପରର ଉନ୍ନତି ଦେଖି ଇର୍ଷା ହେଉ, ବିକଶିତ ମାନବର ବିକୃତ ଚିନ୍ତାଧାରା ଦେଖିବାକୁ ମିଳୁଛି । ଏହା ଓଡ଼ିଶା କେବଳ କି ଭାରତର ସମସ୍ୟା ନୁହେଁ, ବରଂ ସମଗ୍ର ବିଶ୍ୱ ପାଇଁ ଏକ ପ୍ରକାର ବ୍ୟାଧୀ ପାଲଟିଯାଇଛି । ବିନା କାରଣରେ ହେଉ ଅଥବା କୌଣସି କାରଣକୁ ନେଇ ଦୁର୍ବୃତ୍ତମାନେ ଗୁଳିମାଡ଼ କରୁଛନ୍ତି । ଗୁଳିମାଡ଼ରେ କେବଳ ଜଣେ କି ଦୁଇ ଜଣ ନୁହେଁ, ବେଳେବେଳେ ପୂରା ପରିବାର ଅଥବା ଗୋଷ୍ଠୀ ଏହାର ଶିକାର ହେଉଛନ୍ତି । ପାଶ୍ଚାତ୍ୟ ଦେଶରେ ହିଂସା ଘଟଣା ଭାରତ ତୁଳନାରେ ଅନେକ ଗୁଣରେ ଅଧିକ ।

ହିଂସାର ମୁଖ୍ୟ କାରଣ ହେଉଛି ସଂପତ୍ତି । ଆଉ ହିଂସା ଯେତେବେଳେ ବଡ଼ଧରଣର ହେଉଛି, ତାହାର କାରଣ ହେଉଛି ସାମ୍ପ୍ରଦାୟିକତା ଅଥବା ସୀମା ବିବାଦ । ଧରନ୍ତୁ ଭାରତ-ପାକିସ୍ତାନ ମଧ୍ୟରେ ଦେଶ ସ୍ୱାଧୀନତା ପରଠାରୁ ଯେଉଁ ବିବାଦ ଲାଗି ରହିଛି, ସେଥିରେ ସୀମା ବିବାଦ ହେଉଛି ମୁଖ୍ୟ କାରଣ । କିନ୍ତୁ ଏହାକୁ ସମର୍ଥନ ଯୋଗାଉଛି ଧାର୍ମିକ ଚିନ୍ତାଧାରା । ଏହି ସମସ୍ୟାର ସମାଧାନ ହୋଇପାରୁ ନଥିବାରୁ ସୀମାରେ ଓ ଜମ୍ମୁ କଶ୍ମୀରରେ ଅଧିକାଂଶ ସମୟରେ ବନ୍ଧୁକରୁ ଗୁଳି ବାହାରୁଛି । ନକ୍ସଲ ସମସ୍ୟା କିନ୍ତୁ ଟିକିଏ ଅଳଗା । ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ନିଜର ସ୍ୱାର୍ଥ ହାସଲ ପାଇଁ ଅନ୍ୟମାନଙ୍କୁ ନିଜ ସହିତ ସାମିଲ କରୁଛନ୍ତି । ନକ୍ସଲ ଦମନ ପାଇଁ ମଧ୍ୟ ପୋଲିସ ଓ ଯମାନମାନେ ଗୁଳି ଫୁଟାଉଛନ୍ତି ।

ଆମେରିକାରେ ଗୁଳିମାଡ଼

ବିଗତ ଏକ ମାସ ମଧ୍ୟରେ ଆମେରିକାରେ ହୋଇଥିବା ଏକାଧିକ ଗୁଳିମାଡଜନିତ ଘଟଣା ନେଇ ଦେଶବାସୀ ଚିନ୍ତାରେ ପଡ଼ିଯାଇଛନ୍ତି । ଆମେରିକାରେ ଗୋଟିଏ ପରେ ଗୋଟିଏ ଗୁଳିମାଡ଼ ଘଟଣା ଘଟୁଛି । କିଛି ଦିନ ପୂର୍ବରୁ ଟେକ୍ସାସ ରାଜ୍ୟରେ ଘଟିଥିବା ଏକ ସ୍କୁଲରେ ଗୁଳିମାଡ଼ ହୋଇଥିଲା । ଏଥିରେ ୧୮ ଜଣ ଛାତ୍ରଛାତ୍ରୀ ଓ ୩ ଜଣ ଶିକ୍ଷକଙ୍କର ମୃତ୍ୟୁ ହୋଇଥିଲା । ଗତ ରବିବାର ମଧ୍ୟ ଦକ୍ଷିଣ-ପୂର୍ବ ଶିକାଗୋ ନିକଟରେ ଇଣ୍ଡିଆନା ନାଇଟ୍ କ୍ଲବରେ ଗୁଳିମାଡ଼ ହୋଇଥିଲା, ଯେଉଁଥିରେ କି ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହା ପୂର୍ବରୁ ମ୍ୟାରିଲାଣ୍ଡସ୍ଥିତ ଏକ କାରଖାନାରେ ଗୁଳିମାଡ଼ ହୋଇଥିଲା । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା ।

ଚର୍ଚ୍ଚରେ ଗୁଳିମାଡ଼, ୫୦ ମୃତ

ଚଳିତ ମାସ ୫ ତାରିଖ ଦିନର ଘଟଣା, ନାଇଜେରିଆର ଅନ୍‌ଡୋ ରାଜ୍ୟର ଓେଓ ସହରରେ ଏକ ଚର୍ଚ୍ଚ ରକ୍ତରଂଜିତ ହୋଇଥିଲା । ପ୍ରାର୍ଥନା ପାଇଁ ଆସିଥିବା ଶ୍ରଦ୍ଧାଳୁମାନେ ଗୁଳିମାଡ଼ର ଶିକାର ହୋଇଥିଲେ । ମହିଳା ଓ ଶିଶୁମାନଙ୍କ ସମେତ ୫୦ ଜଣ ଶ୍ରଦ୍ଧାଳୁ ଅଳ୍ପ ସମୟ ମଧ୍ୟରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଅନେକ ଶ୍ରଦ୍ଧାଳୁ ଆହତ ହୋଇଥିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଫ୍ରାନ୍ସିସ କ୍ୟାଥଲିକ ଚର୍ଚ୍ଚରେ ପ୍ରାର୍ଥନା ସମୟରେ ଏହି ନୃଶଂସ ସାମୂହିକ ଗଣହତ୍ୟା ସମଗ୍ର ବିଶ୍ୱକୁ ଚିନ୍ତାରେ ପକାଇ ଦେଇଥିଲା । ଯେଉଁମାନେ ଆଉ ଥରେ ଘରକୁ ଫେରି ପାରି ନଥିଲେ, ସେମାନଙ୍କର ପରିବାର ଲୋକେ ବୁକୁ ଫଟାଇ କାନ୍ଦୁଥିଲେ ।

ସିଦ୍ଧୁ ମୁସେୱାଲା ହତ୍ୟା

ପଂଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଗତମାସ ୨୯ ତାରିଖରେ ଗୁଳିମାଡ଼ କରି ହତ୍ୟା କରାଗଲା । ପଂଜାବର ମନସାର ଜୱହରକେ ଗାଁ ନିକଟରେ ମୁସେୱାଲା କାରରେନ ଆକୁ ବଢୁଥିବା ବେଳେ ତାଙ୍କୁ ଗୁଳିମାଡ଼ ହୋଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୁସେୱାଲାଙ୍କ ମୃତ୍ୟୁ ପରେ କିଛି ଅଭିଯୁକ୍ତ ଗିରଫ ହୋଇଛନ୍ତି, ଯେଉଁମାନେ କି କୁଖ୍ୟାତ ଲରେନ୍ସ ବିଶ୍ନୋୟୀ ଅପରାଧୀ ଗ୍ୟାଙ୍ଗ ସହିତ ଜଡ଼ିତ । ତେବେ ପୋଲିସ ଏପର୍ଯ୍ୟନ୍ତ ମୁସେୱାଲା ମୃତ୍ୟୁ ରହସ୍ୟ ପର୍ଦ୍ଦାଫାସ କରିପାରି ନାହିଁ । ସୂଚନାଯୋଗ୍ୟ, ମୁସେୱାଲା ଇଲେକ୍ଟ୍ରିକାଲ ଇଂଜିନିୟରିଂ ଡିଗ୍ରୀ ହାସଲ କରିଥିଲେ । ସେ କଲେଜ ପଢ଼ିବା ସମୟରେ ସଂଗୀତ ଶିଖିଥିଲେ ଓ ପରେ କାନାଡା ଯାଇଥିଲେ । ତାଙ୍କୁ ଜଣେ ବିବାଦୀୟ ପଂଜାବୀ ଗାୟକ ଭାବେ ଦର୍ଶକ ଓ ପ୍ରଶଂସକମାନେ ଜାଣିଥାନ୍ତି । ଉତ୍ତେଜକ ଗୀତ ପରିବେଷଣ କରିବାରେ ସେ ଥିଲେ ଜଣେ ଅନ୍ୟତମ କଳାକାର ।

Share the article

LEAVE A REPLY