ଚିଲିକାରେ ବିଳାସପୂର୍ଣ୍ଣ ହାଉସ୍‌ବୋଟ

0
63

ଭୁବନେଶ୍ବର: ଏସିଆ ମହାଦେଶର ଅନ୍ୟତମ ବୃହତ୍ତ ଜଳରାଶି ‘ଚିଲିକା’ରେ ପ୍ରଥମ ବିଳାସପୂର୍ଣ୍ଣ  ହାଉସ୍‌ବୋଟ  ‘ଗରୁଡ଼’ର ଶୁଭାରମ୍ଭ ହୋଇଛି। ଧନି ପର୍ଯ୍ୟଟକଙ୍କୁ ଆରାମରେ ବୁଲାଇବା ପାଇଁ ରାଜ୍ୟ ସରକାର ଉଦ୍ୟମ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ଦିନ ପୂର୍ବରୁ ଏହି ହାଉସ୍ବୋଟରେ ଅତ୍ୟାଧୁନିକ ରେଷ୍ଟୁରାଣ୍ଟ ଓ ହୋଲେଟ ରୁମ୍ ଭଳି ସୁବିଧା ମିଳିପାରୁଥିବା ସେବାକୁ ଶୁଭାରମ୍ଭ କରିଛନ୍ତି। ଏହି  ହାଉସ୍‌ବୋଟର ପରିଚାଳନା ଦାୟିତ୍ୱ ଏକ ଘରୋଇ ସଂସ୍ଥା ‘ବିକାଶ ଇକୋ ରିସର୍ଟସ’ ନେଇଛି।

ଚିଲିକା ହ୍ରଦରେ ବିଳାସପୂର୍ଣ୍ଣ  ହାଉସ୍‌ବୋଟ ଭାସି ଭାସି ଧନି ଶ୍ରେଣୀର ପର୍ଯ୍ୟଟକଙ୍କୁ ସେବା ଓ ଆନନ୍ଦ ଯୋଗାଉଛି। ବାହାର ରାଜ୍ୟ ଓ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଏହି ସେବା ଅଧିକ ସହଜ ହେବ। ଯଦିଓ ଆମ ରାଜ୍ୟର କିଛି ପର୍ଯ୍ୟଟକମାନେ ଏହି ବିଳାସପୂର୍ଣ୍ଣ ହାଉସବୋଟର ଗ୍ରାହକ ହେବାରେ ଅସୁବିଧା ନାହିଁ, ତଥାପି ଏହାର ହାର ନିମ୍ନମାନର ବୋଲି ବୁଦ୍ଧିଜୀବୀମାନେ ଚର୍ଚ୍ଚା କରୁଛନ୍ତି। ତେବେ ଚିଲିକାରେ ବୁଲିବା ପାଇଁ ବର୍ତ୍ତମାନ ପରିପ୍ରେକ୍ଷୀରେ ସବୁ ବର୍ଗର ପର୍ଯ୍ୟଟକଙ୍କୁ ସୁହାଇଲା ଭଳି ବୋଟ୍ ବ୍ୟବସ୍ଥା ରହିଛି।

୩ କୋଟି ଟଙ୍କାର ପ୍ରକଳ୍ପ

‘ଗରୁଡ଼’ ନିର୍ମିତ ହେବାରେ ପ୍ରାୟ ୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୧୦୫ ଫୁଟ ଲମ୍ବ ଓ ୨୨ଫୁଟ୍ ଓସାରର ଏହି ହାଉସ୍ବୋଟ ଚିଲିକାର ଜଳବାୟୁକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି। ଏଥିରେ ଦୁଇଟି ଇଞ୍ଜିନ୍ ଲାଗିଥିବା ବେଳେ ତଳ ମହଲାରେ ବିଳାସପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ବାର୍ ଓ ହୋଟେଲ ଅଛି। ଏହି ବୋଟ୍ରେ ଏକକାଳୀନ ସର୍ବାଧିକ ୩୦ଜଣ ବ୍ୟକ୍ତି ଏକାଠି ହୋଇପାରିବେ। ବୋଟ୍କୁ ସର୍ବାଧିକ ୬ ଦମ୍ପତି ୨୪ ଘଣ୍ଟିଆ ପ୍ୟାକେଜ୍ ଅନୁଯାୟୀ ବୁକ୍ କରିପାରିବେ।

ଗରୁଡ଼ରେ ଅତ୍ୟାଧୁନିକ ବ୍ୟବସ୍ଥା

ଗରୁଡ଼ରେ ଯାତ୍ରା କରିବାକୁ ହେଲେ ପର୍ଯ୍ୟଟକଙ୍କୁ ଗୁଡ଼ାଏ ଟଙ୍କା ଖର୍ଚ୍ଚ କରିବାକୁ ହେବ। କାରଣ ଏଥିରେ ଅତ୍ୟାଧୁନିକ ବ୍ୟବସ୍ଥା ରହିଛ। ପର୍ଯ୍ୟଟକମାନେ ବେଳାଭୂମିରେ ସନ୍ବାଥ, ମସାଜ୍, କ୍ରୀଡ଼ା, ନାଚ ଗୀତ, ଡଲଫିନ୍ ଓ ବିଦେଶୀ ପକ୍ଷୀ ଦେଖିବା ଓ ଚିଲିକାରେ ବିଶେଷ ସମୟ କଟାଇବାର ଆଦି ମଜା ନେଇପାରିବେ। ପ୍ରିମିୟମ୍ ରୁମ୍ ମଧ୍ୟାହ୍ନ ୧୨ଟାରୁ ପୂର୍ବାହ୍ନ ସାଢ଼େ ୯ଟା ଯାଏ ବୁକ୍ କରିବାକୁ ୧୮ହଜାର ଟଙ୍କା ପଡ଼ୁଥିବା ବେଳେ ସୁଟ୍ ପାଇଁ ଗ୍ରାହକଙ୍କୁ ୨୫ ହଜାର ଟଙ୍କା ଦେବାକୁ ପଡ଼ିବ। ରହଣୀ ସମୟରେ କଂପାନୀ ତରଫରୁ ସକାଳ ଜଳଖିଆ ସହ ମଧ୍ୟାହ୍ନଭୋଜନ, ସ୍ନାକ୍ସ ଓ ରାତ୍ରିଭୋଜନ ଦିଆଯିବ।

କେତେଦିନ ଚାଲିବ ଗରୁଡ଼?

ଚିଲିକା ହ୍ରଦ ହେଉଛି ପ୍ରକୃତିର ଅନନ୍ୟ ବରଦାନ। ଏହା ୧୧୬୫ ବର୍ଗ କିମି ବିସ୍ତୃତ। କିନ୍ତୁ ଚିଲିକା ଖରାଦିନେ ୯୪୫ବର୍ଗ କିମିକୁ ସଙ୍କୁଚିତ ହୋଇଯାଉଛି। ଚିଲିକାରେ ବିଳାସପୂର୍ଣ୍ଣ ହାଉସବୋଟ ମାଧ୍ୟମର ପର୍ଯ୍ୟଟନର ବିକାଶ କେତେ ହୋଇପାରିବ, ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦିଓ ଏହି ପ୍ରକଳ୍ପ ମାଧ୍ୟମରେ ରାଜ୍ୟ ପର୍ଯ୍ୟଟନର ରାଜସ୍ବ ବଢ଼ିବ, ତଥାପି ଚିଲିକାର ପ୍ରାକୃତିକ ବିକାଶରେ ସହାୟତା କରିବା ଆଶା କମ୍ ଦେଖାଯାଉଛି। ଉଲ୍ଲେଖ ଯୋଗ୍ୟ, ପୁର୍ବରୁ ମଧ୍ୟ ଲତିକା ନାମାରେ ଏକ ହାଉସ୍ବୋଟ ଚିଲିକାରେ ପରିଚାଳିତ ହେଉଥିଲା। ପରେ ଏହି ସବୋ ବନ୍ଦ କରିଦିଆଯାଇଥିଲା। ବହୁତ କମ ଦିନ ପାଇଁ ଏହି  ହାଉସ୍‌ବୋଟ ଚାଲିବା ପରେ ବଡକୁଳ ପାନ୍ଥନିବାସ ନିକଟରେ ଏହା ଅଚଳ ହୋଇ ପଡ଼ିଛି ।

Share the article

LEAVE A REPLY