ମହାରାଷ୍ଟ୍ରରେ ରାଜନୈତିକ ସଂକଟ

0
48

ନୂଆଦିଲ୍ଲୀ: ଆସାମରେ ପହଞ୍ଚିଥିବା ମହାରାଷ୍ଟ୍ରର ରାଜନୀତିକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ହେଉଛି। ଗୁଆହାଟୀରେ ଗତ ବୁଧବାର ଠାରୁ ଏକତ୍ର ହୋଇଛନ୍ତି ଶିବସେନାର ବିଦ୍ରୋହୀ ବିଧାୟକ। ପ୍ରଥମେ ଏଠାକୁ ୪୦ ଜଣ ବିଧାୟକ ପହଞ୍ଚିଥିଲେ। ଏଥିରେ ୩୩ ଜଣ ଶିବସେନାର ସଦସ୍ୟ ଥିଲେ। କିନ୍ତୁ ଧୀରେ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଶିବସେନାର ବିଦ୍ରୋହୀ ବିଧାୟକମାନେ ମହାରାଷ୍ଟ୍ରରେ ସରକାର ଗଢ଼ିବାକୁ ଉଦ୍ୟମ କରିଛନ୍ତି। ବିଦ୍ରୋହୀମାନଙ୍କର ନେତା ଏକନାଥ ଶିନ୍ଦେ ଏନେଇ ବିଧାନସଭା ଉପବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି। ଏଥିରେ ସମସ୍ତ ବିଧାୟକଙ୍କର ଦସ୍ତଖତ ରହିଛି। ତେଣୁ ଶିନ୍ଦେ ଗୋଷ୍ଠୀ କିଛି ସ୍ବତନ୍ତ୍ର ରଣନୀତି କରୁଛନ୍ତି ବୋଲି କୁହାଯାଉଛି। ଖୁବ୍ କମ ଦିନ ଭିତରେ ଏହା ସ୍ପଷ୍ଟ ହୋଇଯିବ। ବିଜେପି ନେତା ଦେବେନ୍ଦ୍ର ଫଡନବୀସ ଦିଲ୍ଲୀ ଗସ୍ତ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପାଇଁ ଧୀରେ ଧୀରେ ଅଡୁଆ ବଢ଼ିବାରେ ଲାଗିଛି। ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି ଯେ, ସରକାର ବଞ୍ଚାଇବା ପାଇଁ ଯଥା ସମ୍ଭବ ସହଯୋଗ କରିବୁ। ସେହିଭଳି ଅଜିତ ପାୱାର କହିଛନ୍ତି ଯେ, ଏନସିବି ସବୁବେଳେ ଉଦ୍ଧବଙ୍କ ସହିତ ଅଛି। ଅନ୍ୟପଟରେ ମହାରାଷ୍ଟ୍ରରୁ ସୁରତ ଯାଇଥିବା ଅନ୍ୟ ୨ ଜଣ ବିଧାୟକ ଗୁଆହାଟୀରେ ପହଞ୍ଚିଛନ୍ତି। ଏମାନେ ଶିନ୍ଦେ ଗୋଷ୍ଠୀରେ ସାମିଲ ହେବା ବଡ଼ କଥା ନୁହେଁ। ଏକନାଥ ଶିନ୍ଦେ ବର୍ତ୍ତମାନ ମହାରାଷ୍ଟ୍ର ରାଜନୀତିର ଚର୍ଚ୍ଚିତ ନାୟକ ପାଲଟିଛନ୍ତି। କାରଣ ତାଙ୍କୁ ଶିବସେନା ଓ ବିଜେପି ତରଫରୁ ସ୍ବତନ୍ତ୍ର ଅଫର ଦିଆଯାଉଛି। ବିଜେପି କହିଛି ଯେ, ଶିନ୍ଦେ ଯଦି ଏନଡିଏରେ ସାମିଲ ହୁଅନ୍ତି, ତାଙ୍କୁ ୧୩ ମନ୍ତ୍ରୀପଦ ସମେତ କେନ୍ଦ୍ର ମନ୍ତ୍ରୀ ପଦ ମଧ୍ୟ ମିଳିବ।

ହୋଟେଲରେ କଡ଼ା ସୁରକ୍ଷା

ବିଦ୍ରୋହୀ ବିଧାୟକମାନେ ବିଳାସପୂର୍ଣ୍ଣ ହୋଟେଲରେ ରହୁଛନ୍ତି । ବୁଧବାର ଠାରୁ ବିଧାୟକମାନେ ଯେଉଁ ହୋଟେଲରେ ରହୁଛନ୍ତି, ସେମାନଙ୍କୁ କଡ଼ାସୁରକ୍ଷା ଯୋଗାଇ ଦିଆଯାଇଛି। ଆସାମରେ ବିଜେପି ସରକାର ଥିବାରୁ ଓ ବିଦ୍ରୋହୀମାନଙ୍କୁ ଏନଡିଏରେ ସାମିଲ କରାଯିବା ଆଶାରେ ଏହି ସୁରକ୍ଷା ବ୍ୟବସ୍ଥା ଅଧିକ ମଜବୁତ କରାଯାଇଥିବା ନେଇ ଚର୍ଚ୍ଚା ହେଉଛି। ଗୁଆହାଟୀର ହୋଟେଲ ‘ରେଡିସନ ବ୍ଲ’କୁ ଏବେ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଲାଗିଛି। ପୋଲିସ ଏହି ହୋଟେଲର ସୁରକ୍ଷା ଦାୟିତ୍ୱ ନେଇଛି । ପୋଲିସକୁ ସ୍ଥାନୀୟ ରିଜର୍ଭ ବାଟାଲିଅନ ଓ କମାଣ୍ଡେ ଶାଖା ସହଯୋଗ କରୁଛି ।

ନିରୁପାୟ କି ଉଦ୍ଧବ

ମହାରାଷ୍ଟ୍ରର ରାଜନୈତିକ ନାଟକ ଦିନକୁ ଦିନ ଅଧିକ ରହସ୍ୟ ଭିତରକୁ ଠେଲି ହୋଇଯାଉଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମର୍ଥନରେ ଯଦିଓ ଏନସିପି ଓ କଂଗ୍ରେସ ରହିଛନ୍ତି, କିନ୍ତୁ ତାଙ୍କ ସମର୍ଥନ ବିଧାୟକଙ୍କ ସଂଖ୍ୟା କ୍ରମଶଃ କମିକମି ଯାଉଛି। ଉଦ୍ଧବ ଠାକରେ ସରକାରୀ ନିବାସ ଛାଡ଼ିଦେଇଛନ୍ତି। ସେ ନିଜ ପତ୍ନୀ ଓ ପୁଅଙ୍କୁ ନେଇ ମାତୋଶ୍ରୀ ପହଞ୍ଚିଛନ୍ତି। ସେ ଏବେବି ଆଶା ରଖିଛନ୍ତି ଯେ, ବିଦ୍ରୋହୀ ବିଧାୟକମାନେ ତାଙ୍କୁ ସମର୍ଥନ ଜଣାଇବେ। ଏନ୍ସିପି ଓ କଂଗ୍ରେସ ସାଥୀରେ ଥିବାରୁ କ୍ଷମତା ଜାରି ରଖିବା ପାଇଁ ଉଦ୍ଧବ ଆଶା ରଖିଛନ୍ତି। ତେବେ ମହରାଷ୍ଟ୍ରର ରାଜନୀତି ଯେଭଳି ସ୍ତରରେ ପହଞ୍ଚିଛି, ଖୁବ୍ ଶୀଘ୍ର କିଛି ନୂଆ ହୋଇପାରେ।  

ଶିନ୍ଦେଙ୍କୁ ଜାତୀୟ ଦଳ ସମର୍ଥନ!

ମହାରାଷ୍ଟ୍ରର ମହାବିକାଶ ଅଘାଡ଼ି ସରକାରକୁ ବିପଦ ମୁଖକୁ ଠେଲି ଦେଇଥିବା ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଖୋଲାଖୋଲି ଭାବେ କହିଛନ୍ତି ଯେ ତାଙ୍କୁ ଏକ ‘ଜାତୀୟ ଦଳ’ସମର୍ଥନ କରୁଛି। ତାଙ୍କ ଦଳକୁ ଜାତୀୟ ଦଳ ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇବାକୁ ଆଶ୍ୱାସନା ସହ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ମଧ୍ୟ ଦେଇଛି। ‘ଆମର ଚିନ୍ତା ଏବଂ ଖୁସି ସମାନ। ଆମେ ଏକଜୁଟ ଅଛୁ ଏବଂ ବିଜୟ ଆମର ହେବ। ଶିନ୍ଦେଙ୍କ ଗୋଷ୍ଠୀରେ ଶିବସେନାର ୩୭ ଜଣ ବିଦ୍ରୋହୀ ବିଧାୟକ ଏବଂ ୯ ଜଣ ସ୍ୱାଧୀନ ବିଧାୟକ ଅଛନ୍ତି। ଯଦି ବିଜେପିକୁ ତାଙ୍କ ଦଳ ସମର୍ଥନ କରେ, ତା’ହେଲେ ମହାରାଷ୍ଟ୍ରରେ ମଜବୁତ ସରକାର ହୋଇପାରେ।  

Share the article

LEAVE A REPLY