ଅଭିନେତାଙ୍କ ଆତ୍ମହତ୍ୟା: ମୃତ୍ୟୁ ପୂର୍ବରୁ ମେସେଜ୍

0
55

ଭୁବନେଶ୍ବର: ଦିନକୁ ଦିନ ଆତ୍ମହତ୍ୟା ଘଟଣା ବଢ଼ିବାରେ ଲାଗିଛି। ବେଳେବେଳେ ସାମାନ୍ୟ କଥାକୁ ନେଇ ଲୋକେ ଆତ୍ମହତ୍ୟା କରୁଛନ୍ତି। ଆତ୍ମହତ୍ୟା ଘଟଣା ପଛରେ ରହୁଛି ପାରିବାରିକ ବିବାଦ ଅଥବା ଆତ୍ମସମ୍ମାନ ପାଇଁ ଭୁଲ ପଦକ୍ଷେପ। ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଦେଲେ ସବୁ ସମସ୍ୟାର ସମାଧାନ ହୋଇଯିବ ନାହିଁ। ଏକଥା ସମସ୍ତେ ଜାଣିଛନ୍ତି। ଏହି କଥା ଜାଣି ମଧ୍ୟ ଉଚ୍ଚ ଶିକ୍ଷିତ ବ୍ୟକ୍ତିମାନେ ଆତ୍ମହତ୍ୟା କରୁଛନ୍ତି। ତାହା ହିଁ କ୍ଷୋଭର ବିଷୟ। ଓଡ଼ିଆ ଟେଲିଭିଜନ ଅଭିନେତ୍ରୀ ରଶ୍ମିରେଖା ଓଝା ଭଡ଼ା ଘରେ ଆତ୍ମହତ୍ୟା କରିବା ଘଟଣାକୁ ରାଜ୍ୟବାସୀ ଭୁଲି ନାହାନ୍ତି। ଲୋକପ୍ରିୟ ଚଳଚ୍ଚିତ୍ର, ଧାରାବାହିକ ଓ ମଞ୍ଚ ଅଭିନେତା ରାଇମୋହନ ପରିଡ଼ା ଆତ୍ମହତ୍ୟା କରିଛନ୍ତି।

ଅଭିନେତା ହୁଅନ୍ତୁ ବା ଅଭିନେତ୍ରୀ ଏମାନେ ସମସ୍ତେ ଆତ୍ମହତ୍ୟା ଠାରୁ ଦୂରେଇ ରହିବା ପାଇଁ ସମାଜକୁ ଭଲ ବାର୍ତ୍ତା ଦେଇଥାନ୍ତି। ଏଥି ପାଇଁ ସେମାନେ ଅନେକ ସମୟରେ ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥାନ୍ତି। କିନ୍ତୁ ସେମାନେ ବେଳେ ବେଳେ ଏଭଳି ମାନସିକ ଚିନ୍ତାରେ ବୁଡ଼ି ଯାଆନ୍ତି ଯେ, ଜୀବନ ହାରିବାକୁ ବାଧ୍ୟ ପଛାଇ ନ ଥାନ୍ତି। ଅଭିନେତା ଆତ୍ମହତ୍ୟା କରିବା ଘଟଣା କେବଳ ଓଡ଼ିଶାର ନୁହେଁ। ବରଂ ହିନ୍ଦୀ, ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର, ତାମିଲ, ତେଲୁଗୁ, ବଙ୍ଗୀୟ ଓ ଭୋଜପୁରୀ ଚଳଚ୍ଚିତ୍ରରେ ମଧ୍ୟ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି। ହଲିଉଡ ପାଇଁ ଏଭଳି ଘଟଣା ସାଧାରଣ।

ଲୋକପ୍ରିୟ ଅଭିନେତା

ରାଇମୋହନ ପରିଡ଼ାଙ୍କ ଅଭିନୟ ଚାତୁରି ଥିଲା ସ୍ବତନ୍ତ୍ର। ଚଳଚ୍ଚିତ୍ର ଓ ଧରାବାହିକ ଭଳି ରାଇମୋହନ ଯାତ୍ରା ମଞ୍ଚରେ ନିଖୁଣ ଅଭିନୟ କରୁଥିଲେ। ସେ ୧୦୦ରୁ ଅଧିକ ଚଳଚ୍ଚିତ୍ର ଓ ୩୦ରୁ ଅଧିକ ନାଟକରେ ଅଭିନୟ କରିଥିଲେ, ଯେଉଁଥିପାଇଁ ଚଳଚ୍ଚିତ୍ର ନିର୍ଦ୍ଦେଶକ, ପ୍ରଯୋଜକ, ଯାତ୍ରା ମାଲିକ, ସହକର୍ମୀ ଓ ଦର୍ଶକଙ୍କ ପାଇଁ ଶ୍ରଦ୍ଧାର ପାତ୍ର ହୋଇପାରିଥିଲେ। ରାଇମୋହନ ପରିଡ଼ା ଯେତେବେଳେ ମଞ୍ଚ ଉପରକୁ ଆସୁଥିଲେ, ଦର୍ଶକଙ୍କ ତାଳିରେ ପରିବେଶ କମ୍ପିଉଠୁଥିଲା। ରାଇମୋହନଙ୍କ ସଂଳାପକୁ ଦର୍ଶକ ଅପେକ୍ଷା କରିଥାନ୍ତି। ଶାନ୍ତ ଓ ସଚ୍ଚୋଟ ବ୍ୟକ୍ତି ଭାବେ ସେ ଭଲଭାବରେ ଜଣାଶୁଣା। ସେ ଥିଲେ ଜଣେ ଆତ୍ମ ସ୍ବାଭିମାନୀ ମଣିଷ। କଷ୍ଟ ପାଇବା ଜାଣିଥିଲେ। କିନ୍ତୁ କାହାରି ମନରେ ଦୁଃଖ ଦେଉ ନଥିଲେ।  ପ୍ରଶଂସକମାନେ ବହୁତ ଉତ୍ସାହିତ ଦେଖାଯାଉଥିଲେ। ଯାତ୍ରାପ୍ରେମୀ ତାଙ୍କ ଜୀବନ୍ତ ଅଭିନୟ ପ୍ରତି ଆକର୍ଷିତ ହେଉଥିଲେ।  

ସପ୍ତାହକ ଭିତରେ ୨ୟ ଘଟଣା

ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତଦେହ ଗତ ୧୯ ତାରିଖ ଦିନ ଭୁବନେଶ୍ବରରୁ ସନ୍ଦେହ ଜନକ ଭାବେ ଉଦ୍ଧାର କରାଯାଇଥିଲା। ରଶ୍ମିରେଖାଙ୍କ ମୃତ୍ୟୁକୁ ନେଇ ଏବେ ଅଡ଼ୁଆ ବଢ଼ିବାରେ ଲାଗିଛି। ମୃତ୍ୟୁର ରହସ୍ୟ ଏଯାଏଁ କିଛି ଜଣାପଡ଼ିନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ସଙ୍କେତ ପାଟଣା ଗାଁର ରଞ୍ଜନ ଓଝାଙ୍କ ଝିଅ ରଶ୍ମିରେଖା ଭୁବନେଶ୍ୱରରେ ରହି ବିଭିନ୍ନ ଆଲବମ ଓ ସିରିଏଲରେ ଅଭିନେତ୍ରୀ ଭାବରେ କାମ କରୁଥିଲେ। ପରେ ଅଭିନୟ ଛାଡି ଏକ ଫାଇନାନ୍ସ କମ୍ପାନିରେ ଚାକିରି କରୁଥିଲେ। ସେଠାରେ ସମ୍ବଲପୁର ଅଞ୍ଚଳର ସନ୍ତୋଷ ପାତ୍ର ନାମକ ଜଣେ ଯୁବକଙ୍କ ସହିତ ପରିଚିତ ହୋଇଥିଲା। ସନ୍ତୋଷ ରଶ୍ମିରେଖାଙ୍କୁ ଏକ ତରଫା ପ୍ରେମ କରୁଥିଲେ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ପୂର୍ବରୁ ବିରିଡି ଅଞ୍ଚଳର ରାଜା ନାମକ ଜଣେ ଯୁବକଙ୍କ ସହ ରଶ୍ମିରେଖା ମିଳାମିଶା କରୁଥିଲେ। ତ୍ରିକୋଣୀୟ ପ୍ରେମକୁ ନେଇ ଏହି ଆତ୍ମହତ୍ୟା ହୋଇଥାଇ ପାରେ। ତେବେ ରଶ୍ମିରେଖା ମଧ୍ୟ ମୃତ୍ୟୁ ପୂର୍ବରୁ ନିଜ ପରିବାରକୁ ଚିଠି ଲେଖିଥିଲେ, ଯେ, ତାଙ୍କର ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି।

ପୂର୍ବରୁ ୪ ଜଣଙ୍କ ଆତ୍ମହତ୍ୟା

ତେବେ ରାଇମୋହନ ଓ ରଶ୍ମିରେଖାଙ୍କ ବ୍ୟତୀତ ଓଡ଼ିଶାର ଅଭିନୟ ଜଗତରେ କାମ କରିଥିବା ଅନ୍ୟ ୪ ଜଣ ମଧ୍ୟ ଅତୀତରେ ଆତ୍ମହତ୍ୟା କରିଛନ୍ତି। ସେମାନେ ହେଲେ ଆଲବମ୍ ଅଭିନେତା ଶୁଭକାନ୍ତ ସାହୁ ଓରଫ ପପୁ, ଯିଏକି ୨୦୦୮ ମାର୍ଚ୍ଚ ୨୨ ତାରିଖରେ ଆତ୍ମହତ୍ୟା କରିଥିଲେ। ୨୦୧୬ ଜାନୁଆରୀ ମାସରେ ନୃତ୍ୟଗୁରୁ ରଂଜିତ ପଟ୍ଟନାୟକ ଆତ୍ମହତ୍ୟା କରିଥିଲେ। ସେହିପରି ୨୦୧୯ ଜାନୁଆରୀ ମାସରେ ଆତ୍ମହତ୍ୟା କରିଥିଲେ ସମ୍ବଲପୁରର ସୁପ୍ରସିଦ୍ଧ ଆଲବମ୍ କୁଇନ୍ ସେଲ୍ଫି ବେବୋ ଭାବେ ପରିଚିତ ସିମରନ୍ ସିଂ ଓ ରୂପେଲି ପରଦାର ନାୟିକା ଲକ୍ଷ୍ମୀପ୍ରିୟା ବେହେରା ଓରଫ ନିକିତା।

Share the article

LEAVE A REPLY