ରଥଯାତ୍ରା ସମୟରେ ବଢ଼ିବକି କରୋନା ସଂକ୍ରମଣ?

0
62

ଭୁବନେଶ୍ବର: ବିଶ୍ବପ୍ରସିଦ୍ଧ ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଖେଇ ଆସୁଛି। ଦୁଇବର୍ଷ ପରେ ସାଧାରଣ ଭକ୍ତ ମହାପ୍ରଭୁଙ୍କ ଘୋଷଯାତ୍ରାରେ ସାମିଲ ହେବେ। ଏଥି ପାଇଁ ଭକ୍ତଙ୍କ ମନରେ ଉତ୍ସାହର ସୀମା କହିଲେ ନ ସରେ। କୋଭିଡ-୧୯ କଟକଣା ମଧ୍ୟରେ ୨୦୨୦ ଓ ୨୦୨୧ର ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ଗତ ୨ ଥରର ରଥଯାତ୍ରାରେ ସାଧାରଣ ଭକ୍ତଙ୍କୁ ବାରଣ କରାଯାଇଥିଲା। ଏଥର କିନ୍ତୁ କୋଭିଡ ଏକ ପ୍ରକାରର ନିୟନ୍ତ୍ରିତ ଅବସ୍ଥାରେ ଥିବାରୁ ଶ୍ରଦ୍ଧାଳୁମାନେ ରଥାରୁଢ଼ ଶ୍ରୀଜିଉମାନଙ୍କୁ ଦର୍ଶନ କରିବାର ସୌଭାଗ୍ୟ ଲାଭ କରିପାରିବେ।

ରଥ ହେଉଛି ରଥଯାତ୍ରାର ମୁଖ୍ୟ ଆକର୍ଷଣ। ମହାରଣା ସେବାୟତ ଓ ଅନ୍ୟ ସେବାୟତମାନେ ଦିନ-ରାତି ଲାଗି ଏହାର ନିର୍ମାଣ କାମକୁ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚାଇ ସାରିଛନ୍ତି। ଅନ୍ୟପଟରେ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ୧୦୮ ଗରା ସୁବାସିତ ଜଳରେ ମହାସ୍ନାନ କରିବା ପରେ ଜ୍ବରରେ ପୀଡିତ ଥବା ମହାପ୍ରଭୁ ଆରୋଗ୍ୟ ହୋଇସାରିଛନ୍ତି। ଚଳିତ ବର୍ଷର ରଥଯାତ୍ରା ଐତିହାସିକ ହୋଇପାରେ। ପୁରୀକୁ ଧୀରେ ଧୀରେ ଶ୍ରଦ୍ଧାଳୁଙ୍କ ଆଗମନ ହେଉଛି। ରଥଯାତ୍ରାରେ ଭକ୍ତ ସାମିଲ ହେବା ପାଇଁ ଏବେ ଠାରୁ ଭିଡ଼ ଲଗାଇବା ଆରମ୍ଭ କରିଦେଇଛନ୍ତି। ଚଳିତ ଥର ପ୍ରାୟ ୧୫ ଲକ୍ଷ ଭକ୍ତ, ପର୍ଯ୍ୟଟକ ଓ ଦର୍ଶକଙ୍କ ଆଗମନ ହେବ। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି।

ଘୋଷଯାତ୍ରା ପାଇଁ ପ୍ରସ୍ତୁତି

ରଥଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ମହାପ୍ରଭୁଙ୍କ ରଥଯାତ୍ରା ନେଇ ବ୍ୟାପକ ପ୍ରସ୍ତୁତି ଚଳାଇଥିବା ବେଳେ ଅନ୍ୟ ବିଭାଗ ଓ ଘରୋଇ ସଂସ୍ଥା ମଧ୍ୟ ନିଜକୁ ସଜବାଜ କରୁଛନ୍ତି। ରଥଯାତ୍ରା ପାଇଁ କେବଳ ସରକାର କି ଶ୍ରୀମନ୍ଦିର ପ୍ରଶାସନ ନୁହେଁ, ବରଂ ଘରୋଇ ସଂସ୍ଥା, ରେଳବାଇ, ବିଦ୍ୟୁତ୍ ବିଭାଗ, ଟେଲିଫୋନ୍ ବିଭାଗ, ପୋଲିସ, ତଟରକ୍ଷୀ ବାହିନୀ ମଧ୍ୟ ନିଜ ନିଜ ସ୍ତରରେ ପ୍ରବଳ ଭିଡ଼କୁ ମୁକାବିଲା ପାଇଁ ସଜବାଜ ହେଉଛି।

କରୋନା ନେଇ ଚିଠି

ତେବେ ବିଗତ କିଛି ଦିନ ହେଲା ରାଜ୍ୟରେ ଯେଭଳି ଭାବେ କରୋନା ସଂକ୍ରମଣ ବଢ଼ିବା ଆରମ୍ଭ ହୋଇଛି, ରଥଯାତ୍ରାରେ ଭକ୍ତଙ୍କ ସହଭାଗିତା ଉପରେ ପୁଣି ଥରେ ବ୍ରେକ୍ ଲାଗିଯିବ କି ବୋଲି ସନ୍ଦେହ ହେଉଛି। ଯାହା ଆଶା କରାଯାଉଛି, କରୋନା ଧୀରେ ଧୀରେ ବଢ଼ୁଥିବାରୁ ରଥଯାତ୍ରାର ଭବ୍ୟ ଆୟୋଜନରେ କୌଣିସି ପ୍ରଭାବ ପକାଇ ନପାରେ। କିନ୍ତୁ ସଂକ୍ରମଣ ଯଦି ବଢ଼ିଚାଲେ, ବାହୁଡ଼ାଯାତ୍ରା ଉପରେ ପ୍ରଭାବ ନ ପକାଇବ, ତାହା କେହି କହିପାରିବେ ନାହିଁ। କାରଣ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଚିଠି ଲେଖି କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ଏନ୍ବି ଧଳଙ୍କ ଦ୍ବାରା ଜାରି ହୋଇଥିବା ଏହି ନିର୍ଦ୍ଦେଶନାମାରେ କୋଭିଡ କେୟାର ସେଣ୍ଟର, ଅକ୍ସିଜେନ ସୁବିଧାଯୁକ୍ତ ବେଡ, ଆଇସିୟୁ  ଓ ଏଚ୍ଡିୟୁ ପ୍ରସ୍ତୁତ ରଖିବାକୁ କହିଛନ୍ତି। ଏଥି ସହିତ ଶ୍ରୀ ଧଳ କହିଛନ୍ତି ଯେ, ଯେଉଁ ବ୍ୟକ୍ତିମାନେ କୋଭିଡ ଲକ୍ଷଣ ଦେଖାଯାଉଛନ୍ତି, ରଥଯାତ୍ରା ସମୟରେ ପୁରୀକୁ ନଆସନ୍ତୁ। ସ୍ବତନ୍ତ୍ର ଶିବିର ମାଧ୍ୟମରେ ଲୋକଙ୍କୁ ଦ୍ବିତୀୟ ଡୋଜ୍ ଓ ପ୍ରିକ୍ସନ ଡୋଜ ଟିକା ଦେବା ପାଇଁ ସେ କହିଛନ୍ତି।  

ଦାନା ବାନ୍ଧୁଛି କରୋନା!

ରାଜ୍ୟରେ ୨୦୨୦ ମାର୍ଚ୍ଚ ୧୫ ତାରିଖ ଠାରୁ ଏଯାଏଁ ୧୨ ଲକ୍ଷ ୮୯ ହଜାର ୨୫୯ ଜଣ ଲୋକ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇସାରିଛନ୍ତି। ଏଥିରୁ ୧୨ ଲକ୍ଷ ୭୯ ହଜାର ୬୪୯ ଜଣ ସୁସ୍ଥ ହୋଇଥିଲା ବେଳେ ୯,୧୨୬ ଜଣଙ୍କ ମୃତ୍ୟୁ ହୋଇଛି। ଏବେ ରାଜ୍ୟରେ ୪୩୧ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ତେବେ କରୋନା ପୁଣି ଥରେ ଦାନା ବାନ୍ଧିଥିବାରୁ ସରକାର ଓ ପ୍ରଶାସନର ମୁଣ୍ଡ ବ୍ୟଥା ଆରମ୍ଭ ହୋଇଯାଇଛି। ଜୁନ୍ ୨୬ ତାରିଖରେ ୬୮ ଜଣ ଲୋକ କରୋନା ପଜଟିଭ ଚିହ୍ନଟ ହୋଇଥିଲା ବେଳେ ୪୪ ଜଣ ସୁସ୍ଥ ହୋଇଛନ୍ତି।

Share the article

LEAVE A REPLY