୭ ବର୍ଷରେ ସରିଲାନି ୫୫ ନମ୍ବର ଏନ୍ଏଚ୍ ନିର୍ମାଣ କାମ

0
194

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୧୬ ତାରିଖ ଉତ୍ତର ପ୍ରଦେଶରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ-ୱେ ଲୋକାର୍ପଣ କରିଛନ୍ତି। ବହୁବିଧ ସୁବିଧାଯୁକ୍ତ ଏହି ଜାତୀୟ ରାଜପଥର ନିର୍ମାଣ ୨୮ ମାସ ଭିତରେ ଶେଷ କରାଯାଇପାରିଛି। ସବୁଠାରୁ ବଡ଼ କଥା ହେଲା ଯେ, ଏହି ଏକ୍ସପ୍ରେସ-ୱେ ନିର୍ମାଣ ଅବଧିର ୮ ମାସ ପୂର୍ବରୁ ଶେଷ ହୋଇଛି। ଉତ୍ତର ପ୍ରଦେଶ ଭଳି ଜନବହୁଳ ରାଜ୍ୟରେ ଏତେ କମ ସମୟ ମଧ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ଏକ୍ସପ୍ରେସ୍-ୱେ ନିର୍ମାଣ କରାଯାଇ ପାରିଥିବା ବେଳେ ଆମ ରାଜ୍ୟର ଚିତ୍ର ଭିନ୍ନ।

ସମ୍ବଲପୁରରୁ କଟକର ଦୂରତା ୧୭୦ କିମି। ଦୁଇ ଥାକିଆ ୫୫ ନମ୍ବର ଜାତୀୟ ରାଜପଥର ନିର୍ମାଣ କାମ ୨୦୧୭ରୁ ଆରମ୍ଭ ହୋଇଛି। ୭ ବର୍ଷ ବିତି ଯାଇଥିଲେ ବି ୫୦ ପ୍ରତିଶତ କାମ ଶେଷ ହୋଇପାରିନାହିଁ। ଯେଉଁଭଳି ଭାବେ କାମ ଚାଲିଛି, ଏହି ରାସ୍ତାର ନିର୍ମାଣ କାମ ଆଗାମୀ ୧୦ ବର୍ଷ ମଧ୍ୟରେ ମଧ୍ୟ ଶେଷ ହେଲା ଭଳି ଲାଗୁ ନାହିଁ। କାରଣ ଅନେକଗୁଡ଼ିଏ ସ୍ଥାନରେ ଆଦୌ ରାସ୍ତା ଖୋଳା ହୋଇପାରି ନାହିଁ। ପୂର୍ବତନ ଠିକାଦାର କାମ ପୂରା କରି ନପାରିବା ପରେ ଏବେ ନୂଆ ସଂସ୍ଥା ନିର୍ମାଣ ଦାୟିତ୍ବ ନେଇଛି। ବର୍ଷା ଋତୁ ଆରମ୍ଭ ହୋଇଯାଥିବାରୁ ନୂଆ ସଂସ୍ଥା ଦଶହରା ପରେ କାମ ଆରମ୍ଭ କରିବ ବୋଲି ଚର୍ଚ୍ଚା ହେଉଛି। ନୂଆ ସଂସ୍ଥା ୨୦୨୩ରେ ନିର୍ମାଣ କାମ ଶେଷ କରିବ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଏମିତି ଅନେକ ଥର ନିର୍ମାଣ କାମ ନେଇ ଡେଟଲାଇନ୍ ମିଳିଛି। ଗତ ପଞ୍ଚାୟତିରାଜ ନିର୍ବାଚନ ପୂର୍ବରୁ ଢେଙ୍କାନାଳ ସାଂସଦ ମହେଶ ସାହୁ ରାସ୍ତା ନିର୍ମାଣ ନେଇ ଏକ ଆନ୍ଦୋଳନ ଆରମ୍ଭ କରିଦେଲେ। ନିର୍ବାଚନ ସରିଗଲା ପରେ ସେ ଚୁପ ବସିଗଲେ।

ବାରମ୍ବାର ବଦଳୁଛି ଡେଟଲାଇନ୍

୫୫ ନମ୍ବର ଜାତୀୟ ରାଜପଥ ନିର୍ମାଣ ନେଇ ମଧ୍ୟ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ଅନେକ ଥର ଆନ୍ଦୋଳନ ହୋଇଛି। କିନ୍ତୁ ଫଳ ଶୂନ୍ୟ। କେନ୍ଦ୍ର ସରକାର ଏହି ରାସ୍ତାର ନିର୍ମାଣ ୨୦୨୦ ଶେଷ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖିଥିଲେ। କିଛି ମାସ ପୂର୍ବରୁ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ମଧ୍ୟ କହିଥିଲେ ଯେ, ୫୫ ନମ୍ବର ଜାତୀୟ ରାଜପଥର ନିର୍ମାଣ କାମ ଶୀଘ୍ର ଶେଷ କରାଯିବ। କିନ୍ତୁ କେନ୍ଦ୍ରମନ୍ତ୍ରୀଙ୍କ ଏହି ଘୋଷଣା ପରେ ମଧ୍ୟ ନିର୍ମାଣ କାମ ମନ୍ଥର ଗତିରେ ଯାଇଛି। ୫୫ ନମ୍ବର ଜାତୀୟ ରାଜପଥ ହେଉଛି ରାଜ୍ୟର ଅନ୍ୟତମ ସର୍ବାଧିକ ରାଜସ୍ବ ପ୍ରଦାନକାରୀ ସଡ଼କ। ଏହି ରାସ୍ତାରେ କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର ଜିଲ୍ଲାର ଲୋକେ ପ୍ରତକ୍ଷ୍ୟ ଭାବରେ ନିର୍ଭରଶୀଳ। କିନ୍ତୁ ପରୋକ୍ଷ ଭାବେ ପୂରା ପଶ୍ଚିମ ଓଡ଼ିଶାର ଜନତା ନିର୍ଭର କରିଥାନ୍ତି।

ରୋଗୀଙ୍କ ପାଇଁ କାଳ ସାଜିଛି

୫୫ ନମ୍ବର ଜାତୀୟ ରାଜପଥର ନିର୍ମାଣ କାମ ଯେତିକି ବିଳମ୍ବ ହେଉଛି, ଜନତାଙ୍କର ଦୁଃଖ ସେତିକି ବଢ଼ିବାରେ ଲାଗିଛି। କଟକରୁ ସମ୍ବଲପୁର ପହଞ୍ଚିବା ପାଇଁ ବସ୍ରେ ୮ ଘଣ୍ଟାରୁ ଅଧିକ ସମୟ ଲାଗୁଛି। କାର୍ରେ ମଧ୍ୟ ସାଢ଼େ ୫ ଘଣ୍ଟା। ତେବେ ବସ୍ରେ ଯଦି ଜଣେ ବ୍ୟକ୍ତି କଟକରୁ ସମ୍ବଲପୁର ଯିବ, ତା’ହେଲେ ଦ୍ବିତୀୟ ଥର ଯିବା ପାଇଁ ଆଉ ସାହସ କରିପାରିବ ନାହିଁ। ବର୍ଷା ଦିନ ଆରମ୍ଭ ହୋଇଯାଇଥିବାରୁ କିଛି ସ୍ଥାନରେ ରାସ୍ତାରେ ପୋଖରୀ ଭଳି ପାଣି ଜମି ରହୁଛି। ସବୁଠାରୁ ଦୁର୍ଭାଗ୍ୟର କଥା ହେଲା ଯେ, ବୁର୍ଲା ଡାକ୍ତରଖାନାରୁ ଯେତେବେଳେ କଟକକୁ ରୋଗୀ ସ୍ଥାନାନ୍ତରିତ ହୋଇଥାନ୍ତି। ରାସ୍ତାର ଅବସ୍ଥା ଯୋଗୁଁ କଟକରେ ରୋଗୀ ପହଞ୍ଚିଲା ବେଳକୁ ଅବସ୍ଥା ଖରାପ ହୋଇଯାଇଥାଏ।

୮ ମାସ ପୂର୍ବରୁ ନିର୍ମାଣ କାମ ଶେଷ

ବୁନ୍ଦେଲଖଣ୍ଡ ଏକ୍ସପ୍ରେସ୍-ୱେ ୪ ଥାକିଆ ହୋଇଛି। ଏହା ଚିତ୍ରକୁଟ (ଏନ୍ଏଚ୍-୩୫)ରୁ ବାନ୍ଦା, ମହୋବା, ହମୀରପୁର, ଜାଲୌନ, ଔରିୟା ଓ ଇଟାୱା ଦେଇ କୁଦରୈଲ ନିକଟରେ ଲଖନଉ-ଆଗ୍ରା ଏକ୍ସପ୍ରେସ-ୱେକୁ ଯୋଡ଼ିଛି । ଯାତ୍ରୀଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ଦିଆଯାଇଛି । ୬ ସିଓ ଓ ୧୨୮ ପୋଲିସ ଯବାନ ମୁତୟନ କରାଯାଇଛି। ସେହିପରି ୧୨ ଇନୋଭା ଗାଡ଼ି ପେଟ୍ରୋଲିଂରେ ନିୟୋଜିତ ହୋଇଛନ୍ତି। ଚିତ୍ରକୁଟରୁ ଦିଲ୍ଲୀ ୨୯୬ କିମି ରାସ୍ତା ମାତ୍ର ୬ ଘଣ୍ଟା ସମୟ ଲାଗୁଛି। ୨୦୨୦ ଫ୍ରେବୁଆରୀରେ ପ୍ରଧାନମନ୍ତ୍ରୀ ମୋଦୀ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ-ୱେ ପାଇଁ ଶିଳାନ୍ୟାସ କରିଥିଲେ। ଏହି ରାସ୍ତା ୨୦୨୩ ଫେବ୍ରୁଆରିରେ ନିର୍ମାଣ ଶେଷ ଲକ୍ଷ୍ୟ ରଖାଯାଇଥିଲା । ନିର୍ମାଣ କାମରେ ୧୪,୮୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

LEAVE A REPLY

Please enter your comment!
Please enter your name here