ବିଶ୍ବକୁ ବିନାଶ କରୁଛି ପ୍ରଦୂଷଣ!

0
26

ଭୁବନେଶ୍ବର: ଲୋକସଂଖ୍ୟା ଯେମିତି ବଢ଼ିବାରେ ଲାଗିଛି। ବିଶ୍ବ ସେତିକି ବିପଦଆଡ଼କୁ ଠେଲି ହୋଇଯାଉଛି। ଲୋକସଂଖ୍ୟା ଯେଭଳି ଭାବରେ ବଢ଼ିବାରେ ଲାଗିଛି, ପୃଥିବୀର ସୁରକ୍ଷା କରାଯାଇପାରନ୍ତା। କିନ୍ତୁ ଏଠାରେ ଓଲଟା। ପ୍ରତି ମୁହୂର୍ତ୍ତରେ ପୃଥିବୀର ବିନାଶ ହେଉଛି। ନଦୀ ଓ ସମୁଦ୍ର ଜଳକୁ ପ୍ରଦୂଷଣ କରୁଛି କଳକାରଖାନାରୁ ନିଷ୍କାସିତ ଆବର୍ଜନା ଜଳ। ପୃଥିବୀ ବିନାଶ ହେବାର କାରଣ ଜଙ୍ଗଲ କ୍ଷୟ ଓ ପ୍ରଦୂଷଣ। ଆମର ସଭ୍ୟ ମନୁଷ୍ୟ ସମାଜ ପ୍ରତିଟି ମୁହୂର୍ତ୍ତରେ ଜଳ, ସ୍ଥଳ ଓ ଆକାଶକୁ ପ୍ରଦୂଷିତ କରିବାରେ ଲାଗିଛି। ଏହି ପ୍ରଦୂଷଣ କାରଣରୁ ଜୀବଜଗତରୁ ଏବେ ହଜାର ହଜାର ପ୍ରାଣୀ ଲୋପ ପାଇସାରିଛି। ପ୍ରଦୂଷଣ ଯେଉଁଭଳି ଭାବରେ ବଢ଼ି ଚାଲିଛି ବୋଧେ ଆଗାମୀ କିଛି ବର୍ଷରେ ବିରଳ ପ୍ରଜାତିର ଜୀବଜନ୍ତୁ ଦେଖିବା ସହଜ ହେବ ନାହିଁ। ଆମର ଭବିଷ୍ୟତ ପୀଢ଼ିକୁ ଫଟୋ ଦେଖି କି ବିରଳ ପ୍ରଜାତିର ପ୍ରାଣୀଙ୍କ ସଂପର୍କରେ କହିବାକୁ ହେବ।

ବିଶ୍ବ ବିପର୍ଯ୍ୟୟ ଆଡ଼କୁ ଅଗ୍ରସର ହେବାର ଅନ୍ୟତମ କାରଣ ହେଲା ଜଙ୍ଗଲ କ୍ଷୟ। ଦିନକୁ ଦିନ ଜଙ୍ଗଲ ବ୍ୟାପକ ଭାବେ କ୍ଷୟକ୍ଷତି ହେବାକୁ ଲାଗିଛି। ଜଙ୍ଗଲ ସୁରକ୍ଷା ପ୍ରତି ସରକାର କହୁଥିବା କଥା ପ୍ରହେଲିକା। ସରକାର ସବୁବେଳେ କହୁଛନ୍ତି ଯେ, ଜଙ୍ଗଲର ପରିମାଣ ବଢ଼ିଛି। ସବୁ ବର୍ଷ କହୁଛନ୍ତି ଯେ, ବନୀକରଣକୁ ଜୋରଦାର କରାଯାଉଛି। ଯଦି ଏକଥା ସତ ତା’ହେଲେ ଜଙ୍ଗଲ ଜନ୍ତୁ ହ୍ରାସ ପାଉଛି କିପରି। ଜଙ୍ଗଲରେ ହାତୀ, ବାଘ, ବଜ୍ରକାପ୍ତା, ହରିଣ ଆଦୌ ସୁରକ୍ଷିତ ନାହାନ୍ତି। ରାତାରାତି ଲକ୍ଷପତି ହେବା ପାଇଁ ଶିକାରୀମାନେ ଜଙ୍ଗଲୀ ଜନ୍ତୁ ଉପରେ ଲୋଲୁପ ଦୃଷ୍ଟି ପକାଉଛନ୍ତି। ବିଶ୍ବକୁ ସୁରକ୍ଷିତ ରଖିବା ପାଇଁ ଅନ୍ତର୍ଜାତୀୟ ସଂସ୍ଥାମାନେ କାମ କରୁଛନ୍ତି। ସବୁ ଦେଶରେ ପଦକ୍ଷେପମାନ ନେଇଛନ୍ତି। ଏପରିକି ରାଜ୍ୟ ସରକାର ଓ ଘରୋଇ ସଂସ୍ଥା ମଧ୍ୟ ପରିବେଶର ସୁରକ୍ଷା ଦିଗରେ କାମ କରୁଥିଲେ ବି ଫଳାଫଳ କିନ୍ତୁ ଆଶାନୁସାରେ ଦେଖାଯାଉ ନାହିଁ।

ପ୍ଲାଷ୍ଟିକର ଯୁଗ

ପ୍ଲାଷ୍ଟିକର ଯୁଗ ବିଶ୍ବକୁ କ୍ଷତି କରିବାରେ ଆଉ ଏକ ବଡ଼ ଭୂମିକା ଗ୍ରହଣ କରିଛି। ଆପଣ ଯେଉଁଠିକୁ ଯିବେ ପ୍ଲାଷ୍ଟିକ୍ର ବ୍ୟବହାର। ସତେ ଯେମିତି ପ୍ଲାଷ୍ଟିକ ବିନା ଚଳିବା ଅସମ୍ଭବ ହୋଇପଡ଼ିଛି। ୩୦ ବର୍ଷ ତଳର କଥା ଯଦି ବିଚାର କରିବା, ତା’ହେଲେ ସେହି ସମୟରେ ଏତେ ପରିମାଣରେ ପ୍ଲାଷ୍ଟିକ୍ର ବ୍ୟବହାର ହେଉ ନଥିଲା। କାଗଜ କିମ୍ବା ଝୋଟରୁ ପ୍ରସ୍ତୁତ ବ୍ୟାଗର ଚାହିଦା ଥିଲା। କାଁ ଭାଁ ପ୍ଲାଷ୍ଟିକ୍ ବସ୍ତା ଆସୁଥିଲା। କାଳକ୍ରମେ ପ୍ଲାଷ୍ଟିକ ସଭ୍ୟତାକୁ ମାଡ଼ି ବସିଥିଲା। ଏବେ ଯେଉଁଆଡ଼େ ଯିବ ପ୍ଲାଷ୍ଟିକ। ଏହା ଏକ ଏଭଳି ଜିନିଷ ଯେ, ମାଟିକୁ ପ୍ରଦୂଷିତ କରିବାରେ ବଡ଼ ଭୂମିକା ନେଇଛି। ଶହ ଶହ ବର୍ଷ ମାଟିରେ ପଡ଼ି ରହିଲେ ପ୍ଲାଷ୍ଟିକର କିଛି ଅସୁବିଧା ହେଉନାହିଁ।

ଅନେକ ଥର ବିପର୍ଯ୍ୟୟ

ବୈଜ୍ଞାନିକମାନେ ଏକ ଗବେଷଣାରୁ ଜାଣିବାକୁ ପାଇଛନ୍ତି ଯେ, ବିଗତ ୪୦୦ କୋଟି ବର୍ଷ ମଧ୍ୟରେ ପୃଥିବୀରେ ଅନେକ ଥର ବିପର୍ଯ୍ୟୟ ଆସିଛି । ପ୍ରକୃତି ଅନେକ ଥର ସାମୂହିକ ବିନାଶ କରିଛି । ଆଗାମୀ ଦିନରେ ବିପର୍ଯ୍ୟୟର ମାତ୍ରା ଅଧିକ ହୋଇପାରେ। କାରଣ ବିଗତ କିଛି ଦଶନ୍ଧୀ ହେଲା ବିଶ୍ୱବ୍ୟାପୀ ନଦୀ, ସମୁଦ୍ର ଓ ହ୍ରଦରୁ ବିପର୍ଯ୍ୟୟ ଆରମ୍ଭ ହୋଇଛି । କାରଣ ଗ୍ଲୋବାଲ ୱାର୍ମିଂ ଓ ଜଳବାୟୁ ପରିବର୍ତ୍ତନ କାରଣରୁ ବିପଦପୂର୍ଣ୍ଣ ବ୍ୟାକଟେରିଆ ଓ ବିଷାକ୍ତ ଶୈବାଳ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହିମାନେ ପୃଥିବୀରେ ପ୍ରଳୟ ସୃଷ୍ଟି କରିବେ । ଏହିମାନେ ଅନ୍ୟ ଜୀବକୁ ସାମୂହିକ ଭାବେ ବିନାଶ କରିବେ ।୭୦% ପ୍ରତିଶତ ଜୀବଙ୍କ ମୃତ୍ୟୁ

ବୈଜ୍ଞାନିକମାନଙ୍କ ଅଷ୍ଟ୍ରେଲିଆରେ କରିଥିବା ଏକ ଗବେଷଣା ଅନୁସାରେ ୨୫.୨ କୋଟି ବର୍ଷ ପୂର୍ବରୁ ବିଶ୍ୱରେ ସବୁଠାରୁ ଭୟଙ୍କର ପ୍ରଳୟ ଦେଖାଯାଇଥିଲା। ଚାରିଆଡେ ଜଙ୍ଗଲରେ ନିଆଁ ଲାଗିଥିଲା। ବର୍ଷାର ଅଭାବ ଯୋଗୁଁ ସମୁଦ୍ର ପାଣି ମଧ୍ୟ ଗରମ ହୋଇଯାଇଥିଲା । ଫଳରେ ବିପଦପୂର୍ଣ୍ଣ ବ୍ୟାକଟେରିଆ ଓ ବିଷାକ୍ତ ଶୈବାଳର ମାତ୍ରା ବଢ଼ିଯାଇଥିଲା । ନଦୀ, ହ୍ରଦ ଓ ଅନ୍ୟ ଜଳାଶୟରେ ବିପଦ ବଢ଼ିଥିଲା । ଅମ୍ଲଜାନ ସ୍ତର କମିଯାଇଥିଲା । ଜୀବମାନେ ମରିଯାଉଥିଲେ । ବହୁତ କମ ଜୀବ ବଞ୍ଚିପାରିଥିଲେ । ପୃଥିବୀ ପୃଷ୍ଠରେ ଥିବା ୭୦ ପ୍ରତିଶତ ପ୍ରଜାତିର ଜୀବଜନ୍ତୁଙ୍କ ମୃତ୍ୟୁ ହୋଇଯାଇଥିଲା । ସେହିଭଳି ସମୁଦ୍ରରେ ଥିବା ୮୦ ପ୍ରତିଶତ ପ୍ରଜାତି ନଷ୍ଟ ହୋଇଯାଇଥିଲେ ।  

Share the article

LEAVE A REPLY