ତୃଣମୂଳ କଂଗ୍ରେସର ଭବିଷ୍ୟତ ଅନ୍ଧାର କି?

0
25

କୋଲକାତା: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଘନଘନ ଚଢ଼ଉ ପରେ ପଶ୍ଚିମବଙ୍ଗ ସରକାର ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ମନ୍ତ୍ରୀପଦରୁ ବାହାର କରିଛି। ତୃଣମୂଳ କଂଗ୍ରେସ ପାର୍ଥଙ୍କୁ ସମସ୍ତ ପଦବିରୁ ବାହାର କରିଛି।  ଏବେ ପୁଣି ପ୍ରଶ୍ନ ଛିଡ଼ା ହୋଇଛି ଯେ, ଆଗାମୀ ଦିନରେ ଇଡିର ଟାର୍ଗେଟରେ କିଏ। ପଶ୍ଚିମବଙ୍ଗର ରାଜନୀତି ଓ ଅଧିକାରୀମାନଙ୍କ ମଧ୍ୟରୁ ବଡ଼ ମାଛ ଦୁର୍ନୀତିର ଜାଲରେ ଛନ୍ଦି ହୋଇପାରନ୍ତି।  କେନ୍ଦ୍ରୀୟ ତଦନ୍ତ ସଂସ୍ଥାର ଟାର୍ଗେଟରେ ଆହୁରି କିଛି ଜଣାଶୁଣା ବ୍ୟକ୍ତି ଫସିଯାଇପାରନ୍ତି ବୋଲି ଆଶା କରାଯାଉଛି। ପୂର୍ତ୍ତମନ୍ତ୍ରୀ ମଳୟ ଘଟକ, ଟିଏମ୍ସି ଜିଲ୍ଲା ସଭାପତି ଅନୁବ୍ରତ ମଣ୍ଡଳ, ରାଜ୍ୟର ଶିକ୍ଷାମନ୍ତ୍ରୀ ପରେସ ଅଧିକାରୀ, ଟିଏମ୍ସି ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟ ଓ ପଶ୍ଚିମବଙ୍ଗର ଶିକ୍ଷା ସଚିବ ମନୀଷ ଜୈନ ଇଡିର ତଦନ୍ତ ପରିସରକୁ ଆସିପାରନ୍ତି।

ବିଗତ କିଛି ଦିନ ହେବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଶ୍ଚିମବଙ୍ଗରେ ଯେଉଁଭଳି ଭାବେ ଚଢ଼ଉ ଜାରି ରଖିଛି, ମମତା ସରକାରରେ ଥିବା ମନ୍ତ୍ରୀ, ପଦାଧିକାରୀଙ୍କ ମଧ୍ୟରେ ଭାଲେଣି ପଡ଼ିଯାଇଛି। ଆଗାମୀ ଦିନରେ ଯଦି ଏହି ଭାବେ ଇଡିର କାର୍ଯ୍ୟାନୁଷ୍ଠାନ ଜାରି ରହିବ, ତା’ହେଲେ ସରକାରଙ୍କ ଆଭିମୁଖ୍ୟ ସଂପକରେ ଜନସାଧାରଣ ଜାଣିଯିବେ, ଯାହାକି ଦଳ ପାଇଁ ଭବିଷ୍ୟତରେ ଅସୁବିଧା ହୋଇପାରେ। ସାଧାରଣ ନିର୍ବାଚନକୁ ଆଉ ୨ ବର୍ଷରୁ ମଧ୍ୟ କମ ରହିଛି। ସରକାରୀ ଅଧିକାରୀ ଓ ନେତାଙ୍କ ଘରୁ ଯଦି ବିପୁଳ ଟଙ୍କା, ଟଙ୍କା ସୁନା ଓ ଅନ୍ୟ ସଂପତ୍ତି ଜବତ ହୁଏ, ଭବିଷ୍ୟତରେ ମମତା ସରକାର ପାଇଁ ବିପଦ ହୋଇପାରେ।

ପୁରସ୍କାର ନେଲେନି ଅମର୍ତ୍ତ୍ୟ ସେନ୍

ଦେଶର ପ୍ରଥମନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନ୍ ନିକଟରେ ପଶ୍ଚିମବଙ୍ଗ ସରକାରଙ୍କ ଦ୍ବାରା ଦିଆଯାଉଥିବା ସର୍ବୋଚ୍ଚ ନାଗରିକ ସମ୍ମାନ ‘ବଙ୍ଗ ବିଭୂଷଣ’ଗ୍ରହଣ କରିବାକୁ ସ୍ବୀକାର କରି ନଥିଲେ।  ମମତା ସରକାରଙ୍କ ଅନୁରୋଧକୁ ଅମର୍ତ୍ତ୍ୟ ସେନ୍ ପ୍ରତ୍ୟାଖାନ କରିଥିଲେ। ଅମର୍ତ୍ତ୍ୟଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ୮୮ ବର୍ଷୀୟ ଅର୍ଥଶାସ୍ତ୍ରୀ ପୁରସ୍କାର ସମାରୋହ ସମୟରେ ବିଦେଶରେ ଥିଲେ।  ସମ୍ମାନ ସ୍ୱୀକାର ନ କରିବାର ନିଷ୍ପତ୍ତିର କୌଣସି କାରଣ ନାହିଁ। ଅମର୍ତ୍ତ୍ୟ ସେନ୍ ରାଜ୍ୟ ସରକାରଙ୍କ ଅଧିକାରୀଙ୍କୁ ଜୁଲାଇ ପ୍ରଥମ ସପ୍ତାହରେ ସୂଚିତ କରିଥିଲେ ଯେ, ପୁରସ୍କାର ବିତରଣ ସମାରୋହରେ ସେ ଭାରତରେ ନଥିବେ । ସେ ସେହି ସମୟରେ ୟୁରୋପ ଗସ୍ତରେ ଥିବେ।

ଫୋନ୍ ଉଠାଇଲେନି ମମତା

ପଶ୍ଚିମବଙ୍ଗରେ ଅନେକ କାମରେ ଦୁର୍ନୀତି ହୋଇଥିବା ନେଇ ବିରୋଧୀ ଦଳମାନେ ଚର୍ଚ୍ଚା କରି ଆସୁଥିବା ବେଳେ ଏବେ ଶାସକ ଦଳର ଜଣେ ବରିଷ୍ଠ ନେତା ଧରାପଡ଼ିଛନ୍ତି। ଶିକ୍ଷକ ଭର୍ତ୍ତି ଦୁର୍ନୀତି ମାମଲାରେ ଫସିଥିବା ପଶ୍ଚିମବଙ୍ଗ ସରକାରରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଗିରଫ ହୋଇସାରିଛନ୍ତି। ଗିରଫ ହେବା ପୂର୍ବରୁ  ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପାର୍ଥ ଚାଟାର୍ଜୀ ୪ ଥର ଫୋନ କରିଥିଲେ । କିନ୍ତୁ ମମତା ବାନାର୍ଜୀ ଫୋନ୍ ଉଠାଇ ନଥିଲେ ବୋଲି ଚର୍ଚ୍ଚା ହୋଇଥିଲା। ତେବେ ମମତା ବାନାର୍ଜୀ କାହିଁକି ଫୋନ୍ ଉଠାଇ ନଥିଲେ, ତାହା ଚର୍ଚ୍ଚାର ବିଷୟ।

ଅର୍ପିତାଙ୍କ ଠାରୁ ୪୫ କୋଟି ଜବତ!

ସୂଚନାଯୋଗ୍ୟ, ଇଡିର ଚଢ଼ଉ ସମୟରେ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ତଥା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଠାରୁ ଏପର୍ଯ୍ୟନ୍ତ ପ୍ରାୟ ୪୫ କୋଟି ଟଙ୍କା ନଗଦ ଜବତ ହୋଇଛି। କେବଳ ନଗଦ ଟଙ୍କା ନୁହେଁ। ବରଂ ଅର୍ପିତାଙ୍କ ଠାରୁ ଇଡି ୪ କିଲୋ ସୁନା ଓ ୨୦ଟି ଦାମୀ ମୋବାଇଲ ମଧ୍ୟ ଜବତ କରିଛି। ଏତଦ ବ୍ୟତୀତ ଆହୁରି ଅନେକ ସଂପତ୍ତି ଥିବା ଇଡି ଜାଣିବାକୁ ପାଇଛି। ତେଣୁ ଭବିଷ୍ୟତରେ ତୃଣମୂଳ କଂଗ୍ରେସ ଉପରେ ପ୍ରଭାବ ପଡ଼ିପାରେ।  

Share the article

LEAVE A REPLY